ଅକ୍ଟୋବର ମାସର ଦୁଇ ତାରିଖ- ଗାନ୍ଧୀ ଜୟନ୍ତୀ। ୧୮୬୯ ମସିହାର ଏହି ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖରେ ଆତତାୟୀର ଗୁଳିରେ ତାଙ୍କର ମହାପ୍ରୟାଣ ହୋଇଥିଲା। ତାହା ଘଟିଥିଲା ଏକ ପ୍ରାର୍ଥନାସଭା ସମୟରେ। ଗାନ୍ଧୀଜୀଙ୍କ ଜୀବନରେ ପ୍ରାର୍ଥନାର ମହତ୍ତ୍ବ ଅନେକ ବେଶୀ। ବିଭିନ୍ନ ସମୟରେ ସେ ଏ ସଂପର୍କରେ ଅନେକ କଥା କହିଛନ୍ତି। ଏପରିକି ନିରବ ପ୍ରାର୍ଥନାକୁ ତାଙ୍କର ସବୁଠୁ ବଡ଼ ଅସ୍ତ୍ର ବୋଲି ବି କହିଛନ୍ତି।

Advertisment

ତାଙ୍କର ପବିତ୍ର ଜୟନ୍ତୀ ଅବସରରେ, ସେଇ ‘ସୁଭାଷିତ’ର କିଛି ସାରାଂଶ ଏଠାରେ ଉଦ୍ଧୃତ:ଗାନ୍ଧୀଜୀ କହିଛନ୍ତି- “ନିଜ ଅନ୍ତରାତ୍ମାରେ ଆସୀନ ଈଶ୍ବରଙ୍କଠାରେ ଅଟଳ ବିଶ୍ବାସ ନ ଥିଲେ ପ୍ରାର୍ଥନା ମୂଲ୍ୟହୀନ। ପ୍ରାର୍ଥନା ଅନୁତାପକୁ ମଧ୍ୟ ସୂଚାଇଥାଏ। ଅଧିକ ଭଲ ଓ ଅଧିକ ପବିତ୍ର ହେବାପାଇଁ ବ୍ୟାକୁଳତା ଏଥିରେ ନିହିତ। ପ୍ରାର୍ଥନା କିଛି ଶ୍ରୁତିମଧୁର ଶବ୍ଦକୁ ନେଇ କସରତ ନୁହେଁ। କିଛି ଅସାର ଉପାୟର ରୋମନ୍ଥନ ନୁହେଁ। ନିରାକାରଙ୍କ ପ୍ରତି ନିବେଦିତ ହେଉ ବା ସାକାର ବିଗ୍ରହଙ୍କ ସମ୍ମୁଖରେ- ଈଶ୍ବରଙ୍କ ନିକଟରେ ନିଜର ସ୍ବାର୍ଥପୂରଣ ପାଇଁ ପ୍ରାର୍ଥନା ନିନ୍ଦନୀୟ। ପ୍ରାର୍ଥନାରେ ବିଶ୍ବାସୀ ବ୍ୟକ୍ତି କିଛି ବିପଦ ପଡ଼ିଲେ ତାହା ଈଶ୍ବରଙ୍କ ଠାରୁ ପ୍ରାପ୍ତ ଚେତାବନୀ ବୋଲି ଧରିନିଏ। ନିରବ ପ୍ରାର୍ଥନା ହେଉଛି ମୋର ସବୁଠାରୁ ବଡ଼ ଅସ୍ତ୍ର।”
ଗାନ୍ଧୀଜୀଙ୍କର ଏହିସବୁ ଉକ୍ତି ଓ ଉପଲବ୍‌ଧି ଆମ ସମସ୍ତଙ୍କ ପାଇଁ ପ୍ରଣିଧାନଯୋଗ୍ୟ।