ସାମାଜିକ ଗଣମାଧ୍ୟମ ଆସିବା ପରେ ଗୁଜବ ଓ ମିଛ ଖବର ପ୍ରସାରଣ ବଢ଼ିଯାଇଛି। ମହିଳାମାନେ ହିଁ ଏହାର ସବୁଠାରୁ ଅଧିକ ଶିକାର ହୁଅନ୍ତି। ଇଣ୍ଟର୍‌ନେଟ୍ ଯୁଗ ଆସିବା ପୂର୍ବରୁ ମଧ୍ୟ ଗୁଜବର ମାତ୍ରା କିଛି କମ୍ ନ ଥିଲା। ସେତେବେଳେ ଅଧିକାଂଶ ମିଛ ଖବରର ଶରବ୍ୟ ହେଉଥିଲେ ସେଲିବ୍ରିଟିମାନେ। ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ସେଭଳି ଏକ ଭୟଙ୍କର ଗୁଜବର ସମ୍ମୁଖୀନ ହୋଇଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏ ବିଷୟରେ ମୁହଁ ଖୋଲିଛନ୍ତି। ୧୯୯୮ରେ ‘ବଡ଼େ ମିଆଁ ଛୋଟେ ମିଆଁ’ ସିନେମା ସୁଟିଂ ବେଳେ ରବୀନା ଖୁବ୍ ଅସୁସ୍ଥ ହୋଇପଡ଼ିଥିଲେ। ଜ୍ବର, ମୁଣ୍ଡ ବ୍ୟଥା ଲାଗି ରହିବାରୁ ସେ ଡାକ୍ତରଖାନା ଗଲେ। ସେଠାରେ ଜଣାପଡ଼ିଲା ଯେ ସେ ମେନିଞ୍ଜାଇଟିସ୍‌ରେ ପୀଡ଼ିତ। ସେହି ମାସରେ ‘ଫିଲ୍ମଫେଆର୍’ ଓ ‘ଷ୍ଟାରଡଷ୍ଟ’ ପତ୍ରିକାରେ ତାଙ୍କ ଅସୁସ୍ଥତାର ଖବର ପ୍ରକାଶ ପାଇଲା। ‘ଫିଲ୍ମଫେଆର୍‌’ରେ ସେ ଅସୁସ୍ଥ ହେବା ଠାରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ସବିଶେଷ ବିବରଣୀ ପ୍ରକାଶ ପାଇଥିଲା।

Advertisment

ଅପରପକ୍ଷେ ‘ଷ୍ଟାରଡଷ୍ଟ’ ପତ୍ରିକାରେ ପ୍ରକାଶ ପାଇଲା ଯେ ସୁଟିଂ ସେଟ୍‌ରେ ରବୀନା ‘ଟିକ୍‌ ୨୦’ ନାମକ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରାୟ ୨୦ ଦିନ ଡାକ୍ତରଖାନାରେ ରହିବା ପରେ ରବୀନା ସୁସ୍ଥ ହୋଇ ସୁଟିଂକୁ ଫେରିଥିଲେ। ଅନେକ ସହକର୍ମୀ ତାଙ୍କ ଆତ୍ମହତ୍ୟା ଉଦ୍ୟମ ଗୁଜବକୁ ସତ ଭାବି ତାଙ୍କ ମାନସିକ ସ୍ଥିତି ନେଇ ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇଥିଲେ। ଗୋଟିଏ ମିଛ ଖବର ଯୋଗୁଁ ସମଗ୍ର ସିନେଜଗତ୍‌ରେ ତାଙ୍କର ଭାବମୂର୍ତ୍ତି କଳଙ୍କିତ ହୋଇଯାଇଥିଲା। ରବୀନା ବାସ୍ତବରେ ଏକ ମଶାବାହିତ ରୋଗରେ ପୀଡ଼ିତ ଥିଲେ ବୋଲି ସମସ୍ତଙ୍କୁ ବୁଝାଇବାକୁ ଅନେକ ସମୟ ଲାଗିଯାଇଥିଲା।