ଦୁଃଖକଷ୍ଟରେ ପାଠ ପଢ଼ିଥିବା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଏବେ ଗାଁରେ ପିଲାଙ୍କ ପାଇଁ ଖୋଲିଛନ୍ତି ଲାଇବ୍ରେରି ଓ ମ୍ୟୁଜିୟମ୍‌

ବିଶେଷ ରିପୋର୍ଟ/ମୋନାଲିସା ପରିଡ଼ା

ସ୍ୱପ୍ନ ତ ସମସ୍ତେ ଦେଖନ୍ତି । କିନ୍ତୁ ତାକୁ ପୂରା କରିବା ବାଟରେ ଅନେକ ସମସ୍ୟା ଆସିଥାଏ । ଏହି କାରଣରୁ ଅନେକଙ୍କ ସ୍ୱପ୍ନ ଅଧୁରା ରହି ଯାଏ । କିଛି ସେଭଳି ଘଟିଥିଲା ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବଉଳପଦାରେ ଜନ୍ମଗ୍ରହଣ କରିଥିବା ରବିନ୍ଦ୍ରନାଥ ସ୍ୱାଇଁଙ୍କ ସହ । ଗାଁରେ ବିଦ୍ୟାଳୟଟିଏ ନ ଥିଲା । ପଢ଼ିବା ପାଇଁ ରବିନ୍ଦ୍ରଙ୍କୁ ବହୁ ଦୂର ଯିବାକୁ ପଡ଼ୁଥିଲା । ବାପା-ମା’ ପୁଅ ଭଲ ମଣିଷ ହେଉ ବୋଲି ଚାହିଁଥିବା ବେଳେ ରବିନ୍ଦ୍ରଙ୍କ ଇଚ୍ଛା ଥିଲା ଡାକ୍ତର ହୋଇ ଜନସେବା କରିବା। ମାତ୍ର ସୁଯୋଗ ଏବଂ ପ୍ରେରଣାର ଅଭାବ ଯୋଗୁଁ ଡାକ୍ତର ବନି ପାରି ନ ଥିଲେ ସେ ।

ହେଲେ ପାଠପଢ଼ା ପ୍ରତି ତାଙ୍କର ପ୍ରବଳ ଝୁଙ୍କ ଥିଲା। ଘରର ଅବସ୍ଥା ଭଲ ନ ଥିବାରୁ ପିନ୍ଧିବା ପାଇଁ ଚପଲ ହଳେ ନ ଥିଲା କି ଚଢ଼ିବା ଲାଗି ସାଇକେଲ ଖଣ୍ଡେ ବି ନଥିଲା । ତେବେ ଏତେ ସବୁ ସମସ୍ୟା ପରେ ବି ସେ ନିଜର ପାଠପଢ଼ାକୁ ଜୀବନର ସଂକଳ୍ପ କରି ଆଗେଇ ଚାଲିଲେ । ଗାଁରୁ ଆରମ୍ଭ କରି ପୁରୀ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ପାଠ ପଢ଼ା ସାରି ସେ ପ୍ରଥମେ ଚିନ୍ତାମଣି ବିଦ୍ୟାପୀଠରୁ ବିଜ୍ଞାନ ଶିକ୍ଷକ ଭାବେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଶିକ୍ଷକଭାବେ ତାଙ୍କ ଅବଦାନକୁ ସମ୍ମାନିତ କରାଯାଇ ସେପ୍ଟେମ୍ବର ୫, ୨୦୧୨ରେ ତାଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିବା ବେଳେ ସେପ୍ଟେମ୍ବର ୫,୨୦୧୩ରେ ତାଙ୍କୁ ରାଷ୍ଟ୍ରପ୍ରତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏବେ ସେ ପୁରୀ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ କାମ କରୁଛନ୍ତି ।

ଖାଲି ସେତିକି ନୁହେ,ଁ ନିଜ ଗାଁର ଛାତ୍ର-ଛାତ୍ରୀ ଓ ବିଭିନ୍ନ ସ୍କୁଲର ଛାତ୍ର-ଛାତ୍ରୀମାନଙ୍କୁ ନୂତନ ଜ୍ଞାନ କୌଶଳ ଶିଖାଇବା ଓ ଅନ୍ଧ ବିଶ୍ୱାସଠାରୁ ଦୂରେଇ ରଖିବା ପାଇଁ ନିଜ ଘରେ ରବିନ୍ଦ୍ରନାଥ ଏକ ହୋମ୍‌ ଲାଇବ୍ରେରି ଖୋଲିଥିବା ଜଣାପଡ଼ିଛି । ଏହା ସହ ବିଭିନ୍ନ ବିଜ୍ଞାନ ସମ୍ବନ୍ଧିତ ଜିନିଷ ବିଷୟରେ ନିଜ ଗାଁ ପିଲାମାନଙ୍କୁ ଜ୍ଞାନ ଦେବା ପାଇଁ ସେ ପଠାଣି ସାମନ୍ତଙ୍କ ନାମରେ ସଂଗ୍ରହାଳୟ ମଧ୍ୟ ଖୋଲିଛନ୍ତି । ଆଗକୁ ଅସହାୟ ବୃଦ୍ଧ-ବୃଦ୍ଧାମାନଙ୍କ ପାଇଁ ବୃଦ୍ଧାଶ୍ରମ ଖୋଲିବାର ଯୋଜନା ମଧ୍ୟ ରଖିଛନ୍ତି ରବିନ୍ଦ୍ରନାଥ ।

ରବିନ୍ଦ୍ରନାଥଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ଅନ୍ଧବିଶ୍ୱାସରୁ ଦୂରରେ ରଖିବା, ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଇବା, ଜାତୀୟତାବାଦ, ଯୋଗ, ନୈତିକ ଓ ଅଧ୍ୟାତ୍ମିକ ଶିକ୍ଷାପ୍ରତି ଅଧିକ ଧ୍ୟାନ ଦେବା, ଜୀବ ଜନ୍ତୁମାନଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା, ବ୍ୟାପକ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରିବା, ଅସହାୟ ବୃଦ୍ଧ-ବୃଦ୍ଧାମାନଙ୍କୁ ସହାୟତା ଯୋଗାଇବା ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର