ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ରାଧାମୋହନ ଗଡ଼ନାୟକ ଏକ ସ୍ବତନ୍ତ୍ର ଆସନର ଅଧିକାରୀ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ରାଧାମୋହନଙ୍କୁ ଅନ୍ୟତମ ଶ୍ରେଷ୍ଠ ଗାଥାକବିତା ସ୍ରଷ୍ଟା ଭାବେ ବିଚାର କରାଯାଏ। ସେ ଅନୁଗୁଳ ନିକଟ କଲଣ୍ତାପାଳ ଗ୍ରାମରେ ୧୯୧୧ ଅଗଷ୍ଟ ୨୫ରେ ଜନ୍ମଗ୍ରହଣ କରିଥିଲେ। ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଶିକ୍ଷା ସମାପ୍ତ କରି ସେ କଟକର ଖ୍ରୀଷ୍ଟ କଲେଜରେ ପଢ଼ିଥିଲେ। ଉଚ୍ଚ ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ତାଙ୍କ ରଚନା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପଠିତ ହୋଇଆସିଛି। ନିଜସ୍ବ ଅଧ୍ୟୟନ ବଳରେ ସେ ଇଂରେଜୀ, ସଂସ୍କୃତ, ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଗଭୀର ଜ୍ଞାନର ଅଧିକାରୀ ହୋଇପାରିଥିଲେ।
ସାର୍ ଵାଲଟର୍ ସ୍କଟ୍ଙ୍କ ‘ପାଟ୍ରିଓଟିଜିମ୍’ କବିତାର ଓଡ଼ିଆ ଅନୁବାଦ କରି ‘ସ୍ବଦେଶ ପ୍ରେମ’ ନାମରେ ସେ ପ୍ରଥମେ ପ୍ରକାଶ କରିଥିଲେ। ଅନୁବାଦ କାର୍ଯ୍ୟ ତାଙ୍କୁ ମୌଳିକ କବିତା ରଚନା କରିବାକୁ ଅନୁପ୍ରାଣିତ କରିଥିଲା। ସ୍କୁଲ୍ରେ ପଢୁଥିବା ବେଳେ ୧୯୨୪ରେ ତାଙ୍କର ‘ମୁଁ କି କେବେ ଦୀନ ହୀନ’ ଶୀର୍ଷକ କବିତା ଏକ ପତ୍ରିକାରେ ପ୍ରକାଶ ପାଇଥିଲା। ଏହା ପରେ ସେ ଛଦ୍ମ ନାମରେ ଅନେକ କବିତା ପ୍ରକାଶ କରିଥିଲେ। ଜାତୀୟ ଭକ୍ତି ସାଙ୍ଗକୁ ମଣିଷର ମୁକ୍ତ ଚେତନାର ସମନ୍ବୟ ତାଙ୍କ ରଚନାର ବିଶେଷତ୍ବ। ମାତ୍ର ୨୩ ବର୍ଷ ବୟସରୁ ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ‘ସୂର୍ଯ୍ୟ ଓ ଅନ୍ଧକାର’ ପୁସ୍ତକ ପାଇଁ ୧୯୭୫ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ୧୯୯୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ତାଙ୍କୁ ‘ପଦ୍ମଶ୍ରୀ’ ପ୍ରଦାନ କରାଯାଇଥିଲା। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବାରେ ସେ ପ୍ରଥମ ସାହିତ୍ୟିକ। ୨୦୦୦ ଫେବ୍ରୁଆରି ଆଜି ଦିନରେ ରାଧାମୋହନ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/654h654s65ffsfhsfhshf.jpg)