ଭାଦ୍ରବ କୃଷ୍ଣ ଅଷ୍ଟମୀର ନାମ ଯେଉଁପରି ‘ଜନ୍ମାଷ୍ଟମୀ’, ଭାଦ୍ରବ ଶୁକ୍ଳ ଅଷ୍ଟମୀର ନାମ ସେହିପରି ‘ରାଧାଷ୍ଟମୀ’। ପୁରାଣ ମତରେ, ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଶ୍ରୀକୃଷ୍ଣ ଏବଂ ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ଜନ୍ମ ଗ୍ରହଣ କରିଥିବା ବେଳେ, ଶ୍ରୀରାଧା ଜନ୍ମ ଗ୍ରହଣ କରିଥିଲେ ମଧ୍ୟାହ୍ନରେ। ଶ୍ରୀକୃଷ୍ଣଙ୍କର ସ୍ୱନକ୍ଷତ୍ର ରୋହିଣୀ ହୋଇଥିବା ବେଳେ, ଶ୍ରୀରାଧାଙ୍କର ସ୍ୱନକ୍ଷତ୍ର ଅନୁରାଧା।
କିନ୍ତୁ ‘ଭାଗବତ’ରେ ଶ୍ରୀରାଧାଙ୍କର ଉଲ୍ଲେଖ ନାହିଁ। ଅନ୍ୟ ତତ୍ତ୍ୱ ଗ୍ରନ୍ଥମାନଙ୍କରେ ତାଙ୍କୁ ‘ଅଯୋନିସଂଭୂତା’ ଏବଂ ଶ୍ରୀକୃଷ୍ଣଙ୍କର ‘ହ୍ଲାଦିନୀ ଶକ୍ତି’ ବୋଲି କୁହାଯାଇଛି। ତେବେ କେତେକ ଗଣନାକାର ବିଭିନ୍ନ ପୌରାଣିକ ତଥ୍ୟ ଆଧାରରେ ଗଣନା କରି କହିଛନ୍ତି ଯେ ଶ୍ରୀରାଧାଙ୍କର ଜନ୍ମ ଖ୍ରୀଷ୍ଟପୂର୍ବ ୩୨୨୧ରେ; ଗ୍ରେଗୋରୀୟ କ୍ୟାଲେଣ୍ଡର ଅନୁସାରେ ସେପ୍ଟେମ୍ବର ୨୩ ତାରିଖରେ ହୋଇଥିଲା।
ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧାଙ୍କ ପ୍ରେମାନୁରାଗ ଓ ସମର୍ପଣ ଭାବକୁ ବୈଷ୍ଣବମାନେ ଅତୁଳନୀୟ ଭକ୍ତିର ଆଖ୍ୟା ଦେଇଛନ୍ତି। ତାହାକୁ ‘ଅପ୍ରାକୃତ ପ୍ରେମ’ ବୋଲି କହିଛନ୍ତି।
ଶ୍ରୀରାଧାଙ୍କର ବାସ୍ତବ ଅସ୍ତିତ୍ୱ ଯାହା ହେଉ ପଛେ, ତାଙ୍କ ସଂପର୍କରେ କିନ୍ତୁ ପୁରାଣ ଓ କାବ୍ୟକାରମାନେ ଅତ୍ୟନ୍ତ ମୁଖର। ଗୋଟିଏ ଉପାଖ୍ୟାନ ଅନୁସାରେ ସେ ବୃଷଭାନୁ ରାଜଜେମା। ମଥୁରା ନିକଟବର୍ତ୍ତୀ ଗୋକୁଳର ବରସାନା ଗ୍ରାମରେ ଗୋପାଳରାଜା ବୃଷଭାନୁଙ୍କର କନ୍ୟା ରୂପେ ସେ ଜାତ ହୋଇଥିଲେ। ତାଙ୍କର ମାଆ ଥିଲେ କୀର୍ତ୍ତିଦା। କେହି କେହି ତାଙ୍କର ମାଆଙ୍କ ନାମ କଳାବତୀ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ସେ ଅଯୋନିସଂଭୂତା ବୋଲି ଉଲ୍ଲେଖ ଅଛି। ଉକ୍ତ ପୁରାଣ ଅନୁସାରେ, ଦିନେ ବୃଷଭାନୁଙ୍କ ପତ୍ନୀ (କୀର୍ତ୍ତିଦା) ପୁଷ୍କରିଣୀରେ ସ୍ନାନ କରିବାକୁ ଯାଇ ଦେଖିଲେ, ଅତି କ୍ଷୁଦ୍ର ଗୋଟିଏ କନ୍ୟା କଇଁଫୁଲ ଉପରେ ରହି ଭାସୁଛି। ସେହି କନ୍ୟାକୁ ସେ ଆଣି ନିଜର କନ୍ୟା ରୂପେ ଲାଳନ ପାଳନ କଲେ।
ଶ୍ରୀରାଧାଙ୍କୁ ନେଇ ତାତ୍ତ୍ୱିକତାର ମଧ୍ୟ ସୀମା ନାହିଁ। ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧାଙ୍କ ପ୍ରେମାନୁରାଗ ଓ ସମର୍ପଣ ଭାବକୁ ବୈଷ୍ଣବମାନେ ଅତୁଳନୀୟ ଭକ୍ତିର ଆଖ୍ୟା ଦେଇଛନ୍ତି। ତାହାକୁ ‘ଅପ୍ରାକୃତ ପ୍ରେମ’ ବୋଲି କହିଛନ୍ତି। ସେମାନଙ୍କ ଅନୁସାରେ, ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ନିତ୍ୟ ରାସସ୍ଥଳୀ ହେଉଛି ଗୋଲୋକଧାମ। ସେହି ରାସଲୀଳା ଅବ୍ୟକ୍ତ। ‘ଅପ୍ରାକୃତ ପ୍ରେମମୂର୍ତ୍ତି’ ରୂପେ ମର୍ତ୍ତ୍ୟରେ ଅବତରଣ କରି ଶ୍ରୀରାଧା ଓ ଶ୍ରୀକୃଷ୍ଣ ସେହି ଅବ୍ୟକ୍ତ ଲୀଳାକୁ ହିଁ ବ୍ୟକ୍ତ କରିଛନ୍ତି।
-ଅସିତ ମହାନ୍ତି