ସଂପ୍ରତି ଦୁରାେରାଗ୍ୟ ବ୍ୟାଧି ନିରୂପଣ ଓ ଚିକିତ୍ସା ଲାଗି ଡାକ୍ତରମାନେ ସିଟିସ୍କାନ୍ ଓ ଏମ୍ଆର୍ଆଇର ସାହାଯ୍ୟ ନେଉଛନ୍ତି। କେତେକ କ୍ଷେତ୍ରରେ ଏକ୍ସ-ରେ ମଧ୍ୟ ଉପଯୋଗ ହେଉଛି। ଆଧୁନିକ ଚିକିତ୍ସା କ୍ଷେତ୍ରରେ ଏସବୁ ମେସିନ୍ ଏବଂ ଏହା ସାହାଯ୍ୟରେ ଶରୀର ଭିତରେ ହୋଇଥିବା ରୋଗ ନିରୂପଣ କରୁଥିବା ରେଡିଓଲୋଜି ବିଶେଷଜ୍ଞଙ୍କ ଚାହିଦା ବଢ଼ିଚାଲିଛି। ମନୁଷ୍ୟ ଶରୀରର ଅଭ୍ୟନ୍ତରରେ ଥିବା ସ୍ନାୟୁ, ଶିରାପ୍ରଶିରା, ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଓ ଅସ୍ଥି ଆଦିର ସୂକ୍ଷ୍ମାତିସୂକ୍ଷ୍ମ ଚିତ୍ର ଉତ୍ତୋଳନ ପାଇଁ ଉପଯୋଗ କରାଯାଉଥିବା ପ୍ରଯୁକ୍ତି ହେଉଛି ରେଡିଓଗ୍ରାଫି। ସାମ୍ପ୍ରତିକ ଚିକିତ୍ସା ବ୍ୟବସ୍ଥାରେ ଏହାର ଉପଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରେଡିଓଗ୍ରାଫି ପଦ୍ଧତିରେ ଉତ୍ତୋଳିତ ଫଟୋ ଅନୁଧ୍ୟାନ କରି ବିଭାଗୀୟ ଡାକ୍ତର ବା ରେଡିଓଲୋଜିଷ୍ଟ୍ମାନେ ରୋଗ ନିରୂପଣ କରନ୍ତି। ଏହାପରେ ଚିକିତ୍ସା ସୁଗମ ହୋଇଥାଏ।
୧୮୯୫ ନଭେମ୍ବର ୮ ତାରିଖରେ ୱିଲ୍ହେଲ୍ମ୍ କୋନାର୍ଡ ରଣ୍ଟ୍ଜେନ୍ ଏକ୍ସ-ରେ ବା ରେଡିଓଗ୍ରାଫି ଆବିଷ୍କାର କରିଥିଲେ। ପ୍ରାରମ୍ଭିକ ଆବିଷ୍କରଣ କାଳରୁ ଏହି ବୈଷୟିକବିଦ୍ୟା ଦ୍ରୁତ କ୍ରମୋନ୍ନତି କରିଚାଲିଛି। ଏହି ପଦ୍ଧତ୍ତି ଆଧାରରେ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (ସିଟି) ଓ ମ୍ୟାଗ୍ନେଟିକ୍ ରିଜୋନାନ୍ସ୍ ଇମେଜିଙ୍ଗ୍ (ଏମ୍ଆର୍ଆଇ) ଆଦି ପ୍ରସ୍ତୁତ ହୋଇଛି। ୧୯୦୨ରେ ଭାରତକୁ ଏକ୍ସ୍-ରେ ମେସିନ୍ ଅଣାଯାଇଥିଲେ ବି କେତେକ କହନ୍ତି ତା’ ଆଗରୁ ଭାରତରେ ଏକ୍ସ-ରେ ବିଷୟରେ ଗବେଷଣା ଆରମ୍ଭ ହୋଇଯାଇଥିଲା। ୧୮୯୬ରେ ଭାରତରେ ପ୍ରଥମ ଏକ୍ସ-ରେ ଫଟୋ ଉଠାଇଥିଲେ ଡାକ୍ତର ମହେନ୍ଦ୍ରଲାଲ୍ ସର୍କାର। ସେଥିପାଇଁ ସେ ୟୁରୋପ୍ରୁ ଗୋଟାଏ ରଣ୍ଟ୍ଜେନ୍ ଟ୍ୟୁବ୍ ମଗାଇଥିଲେ।
୧୯୦୦ରେ ଭାରତ ଆସିଥିଲା ଏକ୍ସ-ରେ
୧୯୦୦ ମସିହାରେ ମାଡ୍ରାସ୍ ମେଡିକାଲ୍ କଲେଜକୁ ପ୍ରଥମ ଏକ୍ସ-ରେ ମେସିନ୍ ଆସିଥିଲା। ୧୯୦୨ରେ ଜଣେ କେମିଷ୍ଟ୍ ପ୍ରଥମେ ଭାରତକୁ ଏକ୍ସ-ରେ ମେସିନ୍ ଆମଦାନି କରିଥିଲେ। ୧୯୧୮ରେ ଦିଲ୍ଲୀର ଲେଡି ହାର୍ଡିଙ୍ଗ୍ ହସ୍ପିଟାଲ୍ରେ ପ୍ରଥମ ଏକ୍ସ-ରେ ମେସିନ୍ ଲାଗିଥିଲା। ୧୯୨୩ରେ ଦିଲ୍ଲୀର ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ରେଡିଓଲୋଜି ବା ରଞ୍ଜନରଶ୍ମି ବିଭାଗରେ ପ୍ରାଧ୍ୟାପକ ନିଯୁକ୍ତି ଦିଆଯାଇଥିଲା। ୧୯୩୨ରେ ରାୟ ବାହାଦୁର ହରି ରାମ ବେସରକାରୀ ଭାବେ ରେଡିଓଲୋଜି ସେବା ଆରମ୍ଭ କରିଥିଲେ। ୧୯୩୩ରେ ଡାକ୍ତର ଏସ୍. ସି. ସେନ୍ ପୃଥକ୍ ଭାବେ କେବଳ ରେଡିଓଲୋଜି ସେବା ଆରମ୍ଭ କରିଥିଲେ। ୧୯୩୫ରେ ମଧ୍ୟ ସେ ନୂଆଦିଲ୍ଲୀରେ ଡିପ୍ ଏକ୍ସ-ରେ ଆରମ୍ଭ କରିଥିଲେ। ୨୦୦୭ରେ ଭାରତରେ ସମ୍ପୂର୍ଣ୍ଣ ଡିଜିଟାଲ୍ ଏକ୍ସ-ରେ ବ୍ୟବସ୍ଥା ଶୁଭାରମ୍ଭ କରିଥିଲା ଜିଇ ହେଲ୍ଥ୍କେୟାର୍।
୮୦ ଦଶକରେ ସିଟି ସ୍କାନର୍
ସିଟି ସ୍କାନ୍ ହେଉଛି ରଞ୍ଜନରଶ୍ମିଦ୍ବାରା ଉତ୍ତୋଳିତ ଫଟୋ, ଯାହାକୁ ଅନୁଧ୍ୟାନ କରି ଡାକ୍ତରମାନେ ରୋଗ ନିଦାନ କରନ୍ତି। ମସ୍ତିଷ୍କ ଓ ମେରୁଦଣ୍ଡ, ପେଟ ଓ ତଳିପେଟ, ଫୁସ୍ଫୁସ୍ ବିକୃତି ଆଦି ଦେଖି ସେଥିରେ ହୋଇଥିବା ସଂକ୍ରମିତ ଅଂଶ ଚିହ୍ନଟ କରିବା ଲାଗି ଡାକ୍ତରମାନେ ସିଟି ସ୍କାନ୍ ଆବଶ୍ୟକ କରନ୍ତି। ୧୯୭୩ରେ ସର୍ବପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ସିଟି ସ୍କାନର୍ ପ୍ରଚଳନ କରାଯାଇଥିଲା। ୧୯୭୯ରେ ସିଟି ସ୍କାନର୍ ବିକଶିତ କରିଥିବାରୁ ଆଲାନ୍ ମ୍ୟାକ୍ଲିଓଡ୍ କୋର୍ମ୍ୟାକ୍ ଓ ଗଡ୍ଫ୍ରେ ହାଇନ୍ସ୍ଫିଲ୍ଡ୍ ଫିଜିଓଲୋଜି ବା ମେଡିସିନ୍ରେ ନୋବେଲ୍ ପୁରସ୍କାର ବିଜୟୀ ହୋଇଥିଲେ। ୧୯୮୪ରେ କ୍ଷୁଦ୍ରତର ହସ୍ପିଟାଲ୍ ଓ ରେଡିଓଲୋଜି ବିଭାଗ ନିମନ୍ତେ ସିମେନ୍ସ୍ କମ୍ପାନି କମ୍ ମୂଲ୍ୟବିଶିଷ୍ଟ ‘ସୋମାଟମ୍ ଡିଆର୍ ୧’ ବିକ୍ରୟ ଆରମ୍ଭ କରିଥିଲା।
୧୯୮୦ ଦଶକ ଶେଷ ଆଡ଼କୁ ଭାରତରେ ପ୍ରଥମ କରି ସିଟି ସ୍କାନର୍ ପ୍ରଚଳନ କରାଯାଇଥିଲା। ୨୦୦୨ରେ ମୁମ୍ବାଇରେ ଥିବା ଟାଟା ମେମୋରିଆଲ୍ ହସ୍ପିଟାଲ୍ ସେଣ୍ଟର୍ସ୍ଥିତ ରେଡିଏସନ୍ ମେଡିସିନ୍ ସେଣ୍ଟର୍ରେ ଏକ ‘ପିଇଟି’ ସ୍କାନର୍ ସ୍ଥାପନ ହୋଇଥିଲା। ୨୦୦୪ରେ ଟାଟା ମେମୋରିଆଲ୍ ସେଣ୍ଟର୍ ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ପିଇଟି/ସିଟି ସ୍କାନର୍ ଲଗାଇଥିଲା। ୨୦୧୫ରେ ଜିଇ କମ୍ପାନି ଶୁଭାରମ୍ଭ କରିଥିଲା ‘ରିଭୋଲ୍ୟୁସନ୍ ଏସିଟି’; ତାହା ହେଉଛି ଭାରତରେ ଡିଜାଇନ୍ କରାଯାଇଥିବା ପ୍ରଥମ ସିଟି ସ୍କାନର୍। ୨୦୧୯ରେ ସିମେନ୍ସ୍ ହେଲ୍ଥିନିୟର୍ସ କମ୍ପାନି ବେଙ୍ଗାଲୁରୁରେ ମେଡିକାଲ୍ ଇମେଜିଙ୍ଗ୍ ଫ୍ୟାକ୍ଟ୍ରି ଖୋଲିଲା। ସେଥିରେ ଉତ୍ପାଦିତ ହେଲା ଭାରତରେ ନିର୍ମିତ ପ୍ରଥମ ସିଟି ସ୍କାନର୍ ‘ସୋମାଟମ୍ ଗୋ ଡଟ୍ ଅପ୍’।
ମୁମ୍ବାଇରେ ପ୍ରଥମ ଏମ୍ଆର୍ଆଇ
୧୯୭୧ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକା ଓ ବ୍ରିଟେନ୍ର ଡାକ୍ତରୀ ଗବେଷକ ଓ ଡାକ୍ତରୀ ବୈଜ୍ଞାନିକମାନେ ପ୍ରଥମ କରି ‘ଏମ୍ଆର୍ଆଇ’ ଇମେଜିଙ୍ଗ୍ କୌଶଳ ଉଦ୍ଭାବନ କରି ଉପଯୋଗ କରିଥିଲେ। ୧୯୮୦ ଦଶକରେ ଏମ୍ଆର୍ଆଇ ମେସିନ୍ କିଣିବାକୁ ମିଳିଲା। ୧୯୮୬-୮୭ରେ ଭାରତକୁ ପ୍ରଥମ ଏମ୍ଆର୍ଆଇ ମେସିନ୍ ଆମଦାନି କରାଯାଇଥିଲା। ୧୯୮୭ରେ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ପ୍ରଥମ ଏମ୍ଆର୍ଆଇ ମେସିନ୍ ଲାଗିଥିଲା। କାଳକ୍ରମେ ଅନେକ ଉପାୟରେ ‘ଏମ୍ଆର୍ଆଇ’ ପ୍ରଯୁକ୍ତିରେ ଉନ୍ନତି ଘଟିଲା। ଡାକ୍ତରୀ ଚିତ୍ର ଉତ୍ତୋଳନ ନିମନ୍ତେ ଏହାର ସାମର୍ଥ୍ୟ ସୁଦୃଢ଼ କରାଯିବା ଲାଗି ଏଥିରେ ଥ୍ରିଡି ଓ ଚିତ୍ର ପ୍ରାଞ୍ଜଳ କରିବାକୁ ଲଗାଗଲା ସେଭେନ୍ଟି। ସମ୍ପୂର୍ଣ୍ଣ ଶରୀର ସ୍କାନ୍ ତ୍ବରିତ ଓ ଅଧିକ ଆରାମଦାୟକ କରିବା ଲାଗି ଟୋଟାଲ୍ ଇମେଜିଙ୍ଗ୍ ମାଟ୍ରିକ୍ସ୍ ଭଳି ପ୍ରଯୁକ୍ତି ଉପଯୋଗ ହେଲା। ରୋଗୀଙ୍କ ସୁବିଧା ଲାଗି ‘ଏମ୍ଆର୍ଆଇ’ ସ୍କାନର୍ର ମୁହଁ ମଧ୍ୟ ୬୦ ସେ.ମି.ରୁ ୭୦ ସେ.ମି. କରାଗଲା। ଏହି ମେସିନ୍ର କାର୍ଯ୍ୟ ପଦ୍ଧତି ଆହୁରି ଉନ୍ନତ କରାଯାଇଛି ଏବଂ ପୂର୍ବରୁ ହାତରେ ଚଳାଯାଉଥିବା ବେଳେ ଏବେ ସ୍ବୟଂକ୍ରିୟ ହୋଇଛି।