ବିଶ୍ବର ଜଣାଶୁଣା ଯୁଦ୍ଧ ବିମାନ ନିର୍ମାତା ଫ୍ରାନ୍ସର ଡସଲ୍ଟ କମ୍ପାନିକୁ ବରାଦ ଦିଆଯାଇଥିବା ୩୬ଟି ରାଫେଲ୍ ବିମାନ ମଧ୍ୟରୁ ୨୮ଟି ଗୋଟିକିଆ ଆସନ ଓ ୮ଟି ଦୁଇଟିକିଆ ଆସନବିଶିଷ୍ଟ ଜେଟ୍। ଭାରତୀୟ ବାୟୁସେନାର ବରାଦ ମୁତାବକ ଏହି ରାଫେଲ୍ ବିମାନଗୁଡ଼ିକରେ ଇସ୍ରାଏଲି ହେଲ୍ମେଟ୍-ମାଉଣ୍ଟେଡ୍ ଡିସ୍ପ୍ଲେ, ରାଡାର୍ ୱାର୍ଣ୍ଣିଙ୍ଗ୍ ଡିସ୍ପ୍ଲେ ଏବଂ ଲୋ-ବ୍ୟାଣ୍ଡ ଜାମର ସମେତ ଅନ୍ୟ ଆବଶ୍ୟକ ନବୀକରଣ କରାଯାଇଛି।
ଏଥିସହ ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ଏବଂ ଅକାମି ହୋଇଯାଇଥିବା ଯନ୍ତ୍ରାଂଶ ବଦଳ, ମରାମତି ଆଦି ଲାଗି ମଧ୍ୟ ଫ୍ରାନ୍ସ୍ ସହ ରାଜିନାମା ସ୍ବାକ୍ଷରିତ ହୋଇଛି। ରାଫେଲ୍ ନିମନ୍ତେ ବରାଦ ଦିଆଯାଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ହେଉଛି ଆକାଶରୁ ଆକାଶକୁ ନିକ୍ଷେପ ହେଉଥିବା ‘ଏମ୍ଆଇସିଏ’ ଏବଂ ‘ବିଭିଆର’ ମିସାଇଲ୍, ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ‘ଏମ୍ସିଏଲ୍ସି’ କ୍ରୁଜ୍ ମିସାଇଲ୍। ଏଥିସହ ଲକ୍ଷ୍ୟସ୍ଥଳଭେଦୀ ଆକାଶରୁ ଭୂପୃଷ୍ଠକୁ ଛଡ଼ାଯାଉଥିବା ‘ଫ୍ରେଞ୍ଚ୍ ସାଫ୍ରାନ୍’ କ୍ଷେପଣାସ୍ତ୍ର ‘ଦି ହାମର୍’ମଧ୍ୟ ଏଥିରେ ରହିବ। ରାଜିନାମା ଅନୁସାରେ, ଚୁକ୍ତି ସ୍ବାକ୍ଷର ହେବାର ୬୭ ମାସ ମଧ୍ୟରେ ରାଫେଲ୍ ଯୋଗାଣ ଶେଷ ହେବ। ସେହି ହିସାବରେ ସମସ୍ତ ୩୬ଟିଯାକ ରାଫେଲ୍ ଯୁଦ୍ଧ ବିମାନ ୨୦୨୨ ସୁଦ୍ଧା ଭାରତକୁ ହସ୍ତାନ୍ତର କାରାଯିବ।
ଫ୍ରାନ୍ସରେ ତାଲିମ ପାଇ ପାଇଲଟ୍ ତୟାର
ଭାରତକୁ ଅଣାଯିବା ପୂର୍ବରୁ ବରାଦ ଦିଆଯାଇଥିବା ରାଫେଲ୍ ବିମାନର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଏବଂ ଏଥିରେ ଥିବା ସମସ୍ତ ବ୍ୟବସ୍ଥା ବିଷୟରେ ତାଲିମ ନେବା ଲାଗି ଦଳେ ଭାରତୀୟ ପାଇଲଟ୍ ଓ ଇଞ୍ଜିନିୟର୍ ଫ୍ରାନ୍ସ୍ ଯାଇଥିଲେ। ନିର୍ମାତା ଡସଲ୍ଟ ଠାରୁ ବିମାନ ଗ୍ରହଣ କରିବା ଆଗରୁ ସେମାନେ କ୍ଷେତ୍ରବିଶେଷରେ ଏହାର ପ୍ରସ୍ତୁତିର ମାନ ଯାଞ୍ଚ କରିଥିଲେ। ସେଠାରେ ଭାରତୀୟ ଟିମ୍ ରାଫେଲ୍ ଉଡାଇବା ଏବଂ ସେଥିରୁ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବା ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ତାଲିମ ନେଇଥିଲେ। ଫ୍ରାନ୍ସରେ ତାଲିମପ୍ରାପ୍ତ ସେହି ଭାରତୀୟ ପାଇଲଟମାନେ ହିଁ ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ଭାରତକୁ ଉଡ଼ାଇ ଆଣିଥିଲେ। ସେଠାରୁ ତାଲିମ ଗ୍ରହଣ କରିଥିବା ଏହି କର୍ମଚାରୀମାନେ ପରବର୍ତ୍ତୀ ସମୟରେ ଭାରତରେ ଅନ୍ୟମାନଙ୍କୁ ରାଫେଲ୍ ଉଡ଼ାଣ ସମ୍ବନ୍ଧରେ ତାଲିମ ଦେବେ।
ବାୟୁସେନାର ଆବଶ୍ୟକତାକୁ ଚାହିଁ ରାଫେଲର ସଫ୍ଟୱେର୍ ଇଣ୍ଟେଗ୍ରେସନ୍ ‘ପ୍ରି-ପ୍ରୋଗ୍ରାମିଙ୍ଗ୍’ କରାଯାଇଥିବାରୁ ଏଥିରେ ତତକ୍ଷଣାତ୍ ଯେକୌଣସି ଅସ୍ତ୍ର ଖଞ୍ଜା କରାଯାଇ ପାରିବ।
କାହିଁକି ରାଫେଲ୍ ?
ସାଧାରଣ ଭାବେ ରାଡାରରେ ଧରା ପଡୁ ନ ଥିବା ୪-ଜି ପ୍ଲସ୍ ଲଢୁଆ ବିମାନ ରାଫେଲରେ ଲାଗିଛି ଦୁଇଟି ସ୍ନେକମା ଏମ୍ ୮୮ ଇଞ୍ଜିନ୍ ଓ ତ୍ରିକୋଣାକାର ଡେଣା। ପ୍ରତ୍ୟେକ ଇଞ୍ଜିନର ୫୦ କିଲୋ-ନିଉଟନର ଡ୍ରାଏ ଥ୍ରଷ୍ଟ୍ ଏବଂ ୭୫ କିଲୋ ନିଉଟନର ଆଫ୍ଟରବର୍ଣ୍ଣର୍ ଯୋଗାଇବାର ସାମର୍ଥ୍ୟ ରହିଛି। ମରାମତି ଏବଂ ନବୀକରଣ କରିବା ନିମନ୍ତେ ଇଞ୍ଜିନକୁ ମୋଡୁଲାର୍ ଡିଜାଇନରେ ନିର୍ମାଣ କରାଯାଇଛି। ପ୍ରଦୂଷଣ ରହିତ କମ୍ବଷ୍ଟନ୍ ଚେମ୍ବର୍, ସିଙ୍ଗିଲ୍-କ୍ରିଷ୍ଟାଲ୍ ଟର୍ବାଇନ୍ ବ୍ଲେଡ୍, ପାଉଡର୍ ମେଟାଲର୍ଜି ଡିସ୍କ ଓ ରାଡାର୍ ଏବଂ ଇନ୍ଫ୍ରାରେଡ୍ ସିଗ୍ନେଚର୍ ହ୍ରାସ କରିବାର ବୈଷୟିକ କୌଶଳ ଭଳି କେତେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ରହିଛି।
ବେଗ ଖୁବ୍ ପ୍ରଖର ହୋଇଥିବାରୁ ରାଫେଲ୍ ଏକ ସମୟରେ ଅନେକ କାର୍ଯ୍ୟ ସମ୍ପାଦନ କରିପାରେ। ଏକ ସମୟରେ ଏଥିରେ ଆବଶ୍ୟକ ଯୁଦ୍ଧ ସାମଗ୍ରୀ ଭରାଯିବା ସହ ଶତ୍ରୁପକ୍ଷର ଯୁଦ୍ଧ ବିମାନଗୁଡ଼ିକଠାରୁ ସୁରକ୍ଷିତ ରହିବା, ସେମାନଙ୍କ ଯୁଦ୍ଧ ସାମଗ୍ରୀ ନଷ୍ଟ କରିବା, ଶତ୍ରୁପକ୍ଷର ରଣକୌଶଳ ଉପରେ ଦୃଷ୍ଟି ରଖିବା, ଆକାଶ ପଥରେ ଶତ୍ରୁପକ୍ଷର ଆଣବିକ ଆକ୍ରମଣକୁ ପ୍ରତିହତ କରିବା, ସ୍ବୟଂକ୍ରିୟ ହୋଇ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ କ୍ଷେପଣାସ୍ତ୍ର ନିକ୍ଷେପ କରିବା ଏବଂ ଅନାୟାସରେ ଗୋଟିଏ ଲକ୍ଷ୍ୟସ୍ଥଳରୁ ଅନ୍ୟ ଏକ ଲକ୍ଷ୍ୟସ୍ଥଳକୁ ଉଡ଼ିଯିବା ଭଳି କାର୍ଯ୍ୟ ସଂପାଦନ କରିହେବ।
ଉଡ଼ାଣ ଧାରା ନିୟନ୍ତ୍ରଣ କରିବାକୁ ରାଫେଲରେ ରହିଛି ‘ଡିଜିଟାଲ୍ ଫ୍ଲାଇ-ବାଏ-ୱାୟାର୍’ ବ୍ୟବସ୍ଥା। ‘ଡାଟା ଫ୍ୟୁଜନ୍’ ନିୟମକୁ ଆଧାର କରି ଏହାର କାଚ ନିର୍ମିତ କକ୍ପିଟ୍ ପ୍ରସ୍ତୁତ କରାଯାଇଛି। ବିମାନକୁ ଆବଶ୍ୟକମତେ ନିର୍ଦ୍ଦେଶ ଦେବା ଓ ନିୟନ୍ତ୍ରଣ କରିବାରେ ପାଇଲଟମାନଙ୍କୁ ସହଜ ହେବା ଲାଗି ଏଥିରେ ଥିବା ସେଣ୍ଟ୍ରାଲ୍ କମ୍ପ୍ୟୁଟରରେ ସମସ୍ତ ସୂଚନା ପ୍ରଦର୍ଶନ ହେବାର ବ୍ୟବସ୍ଥା ରହିଛି।
ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଉଡ଼ାଣ ବ୍ୟବସ୍ଥା ମଧ୍ୟ ରାଫେଲର ଅନ୍ୟ ଏକ ବୈଶିଷ୍ଟ୍ୟ। ଏଥିରେ ଥିବା ରାଡାର୍, ଇଲେକ୍ଟ୍ରୋନିକ୍ କମ୍ୟୁନିକେସନ୍ ଏବଂ ଆତ୍ମରକ୍ଷା ଉପକରଣ ବାବଦ ବ୍ୟୟ ହେଉଛି ସମୁଦାୟ ବିମାନ ମୂଲ୍ୟର ପ୍ରାୟ ୩୦%।
କଠିନ-ଇନ୍ଧନ ଚାଳିତ ରାମଜେଟ୍ ମୋଟର୍ ବଳରେ ରାଫେଲରୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରଗୁଡ଼ିକ ‘ମ୍ୟାଚ୍୪’ ଠାରୁ ଅଧିକ ବେଗରେ ଗତି କରିପାରନ୍ତି। ଏଥିରୁ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ଏମ୍ବିଡିଏ ଷ୍ଟମ୍ ସାଡୋ’/‘ସ୍କାଲ୍ପ-ଇଜି କ୍ରୁଜ୍ ମିସାଇଲ୍’ରେ ଲାଗିଥିବା ବୋମାର ଓଜନ ହେଉଛି ୪୫୦ରୁ ୫୬୦ କିଲୋଗ୍ରାମ। ଏଥିରେ ଥିବା ୧୪ଟି ହାର୍ଡ-ପଏଣ୍ଟ୍ ୯, ୫୦୦ କିଲୋ ବାହ୍ୟ ଓଜନ ବହନ କରି ପାରିବ। ଇରାକ୍, ଆଫଗାନିସ୍ତାନ, ଲିବିୟା, ମାଲି ଏବଂ ସିରିଆ ଯୁଦ୍ଧରେ ବ୍ୟବହୃତ ଏହି ବିମାନର ଜ୍ଞାନକୌଶଳ ସଫଳ ପ୍ରମାଣିତ ହୋଇଛି।