ମହେନ୍ଦ୍ରଗଡ଼: କଥାରେ ଅଛି ଏକ ନିଚ୍ଛକ ସଂପର୍କରେ ସ୍ବାର୍ଥ ନଥାଏ କି ସର୍ତ୍ତ ନ ଥାଏ। ଜୀବନ ପ୍ରତି ମୋହ ନଥାଏ କି ମରଣ ପ୍ରତି ଭୟ ବି ନଥାଏ। ଯାହା ଥାଏ, ତାହା ହେଉଛି ଖୁବ୍ ସାରା ଭଲପାଇବା ଓ ଆପଣାପଣ। ସେମିତି ଏକ ସଂପର୍କ ହେଉଛି ଜେଜେବାପା-ଜେଜେମାଆ ଓ ନାତି-ନାତୁଣୀଙ୍କର ସଂପର୍କ । ଏହାକୁ ଆପଣ ସଂସାରର ଅନ୍ୟତମ ମିଠା ସଂପର୍କ ବୋଲି ମଧ୍ୟ କହିପାରନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଜଣେ କୁନି ବାଳକ ନିଜ ଜେଜେମାଆକୁ ବଞ୍ଚାଇବା ପାଇଁ ଯାହା କରିଛନ୍ତି ତାହା ଆପଣଙ୍କୁ ଚକିତ କରିବ ନିଶ୍ଚୟ। ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ଏହି ଦୃଶ୍ୟରୁ ଦେଖିବାକୁ ମିଳିଛି ଯେ ଜଣେ ବୃଦ୍ଧା ଚାଲି ଚାଲି ଆସୁଛନ୍ତି। ହଠାତ୍ ସେଠାରେ ଛିଡ଼ା ହୋଇଥିବା ଏକ ଷଣ୍ଢ ତାଙ୍କ ସମ୍ମୁଖକୁ ଆସି ବୃଦ୍ଧାଙ୍କୁ ଟେକି କଚାଡ଼ି ଦେଉଛି। ବୃଦ୍ଧା ଜଣକ ଷଣ୍ଢ ଆକ୍ରମଣର ଶିକାର ହୋଇ ତଳେ ପଡ଼ିଯାଉଛନ୍ତି।
ସେତିକି ବେଳେ ବୃଦ୍ଧାଙ୍କର କୁନି ନାତି ଷଣ୍ଢକୁ ଖାତିରି ନକରି ଧାଇଁ ଆସୁଛି ଜେଜେମାଆକୁ ବଞ୍ଚାଇବା ପାଇଁ। ଷଣ୍ଢଟି କୁନି ପିଲାଟିକୁ ବି ଆକ୍ରଣମ କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। କିଛି ସମୟ ଭିତରେ ଉଭୟ ଜେଜେମାଆ ଓ ନାତି ଷଣ୍ଢ ଆକ୍ରମଣର ଶିକାର ହୋଇ ତଳେ ପଡ଼ିଯାଉଛନ୍ତି। ଷଣ୍ଢ ଆକ୍ରମଣ କରିବା ପରେ ବି ଜେଜେମାଆକୁ ଛାଡ଼ି ଯାଉନାହିଁ ନାତି। ସେଠାରୁ ନିଜ ଜେଜେମାଆକୁ ଉଦ୍ଧାର କରିବାକୁ ଶେଷ ପର୍ଯ୍ୟନ୍ତ କୁନି ବାଳକଟି ଚେଷ୍ଟା ଚଳାଉଛି। ଶେଷରେ ସ୍ଥାନୀୟ ଲୋକେ ଜଣେ ପରେ ଜଣେ ଆସି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରୁଛନ୍ତି।
କୁନି ବାଳକର ଏପରି ସାହସିକତା ପାଇଁ ତାକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଭିଡିଓଟିକୁ ଦେଖିବା ପରେ ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ ବାଳକଟିର ଭୂରି ଭୂରି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। ଘଟଣାଟି ସେପ୍ଟେମ୍ବର ୨୮ ତାରିଖର। ଷଣ୍ଢ ଆକ୍ରମଣର ଶିକାର ହୋଇ ଉଭୟ ଜେଜେମାଆ ଓ ନାତି ଆହତ ହୋଇଥିଲେ। ଦୁହେଁ ଏବେ ବିପଦମୁକ୍ତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kid-helps01_Thumb.jpg)