ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେବାର ନିଶା କିପରି ଜଣେ ନାବାଳକର ଜୀବନ ନେଇଛି ତାହା ଏବେ ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁଯାୟୀ, ‘ପାକ୍ବି’ ନାମକ ଚିପ୍ସ କମ୍ପାନି ନିଜ ଉତ୍ପାଦର ବିଜ୍ଞାପନ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ‘ୱାନ ଚିପ୍ସ ଚାଲେଞ୍ଜ୍’ ପ୍ରତିଯୋଗିତା ଆରମ୍ଭ କରିଥିଲା। ଏଥିରେ ‘ଟର୍ଟିଆ’ ନାମକ ରାଗୁଆ ଚିପ୍ସ ଖାଇବାକୁ କୁହାଯାଇଥିଲା। ଆମେରିକାର ମାସାଚ୍ୟୁସେଟ୍ସରେ ରହୁଥିବା ହାରିସ ଓଲୋବା ନାମକ ଜଣେ ୧୪ ବର୍ଷୀୟ ଛାତ୍ର ଏଥିରେ ଭାଗ ନେଇଥିଲେ।
ନିୟମ ଅନୁସାରେ ପ୍ୟାକେଟ୍ର ସବୁତକ ଚିପ୍ସ ଖାଇ ସାରିଲା ପରେ ଅନ୍ୟ କୌଣସି ପାନୀୟ କି ଖାଦ୍ୟ ଗ୍ରହଣ ନକରି କିଏ କେତେ ଅଧିକ ସମୟ ସମ୍ଭାଳି ରହିପାରିବ, ତାହା ପରୀକ୍ଷା ହେଉଥିଲା। ବିଭିନ୍ନ ପ୍ରକାର ଚିପ୍ସ ଖାଇବାରେ ରୁଚି ରଖିଥିବା ହାରିସ ତାହାକୁ ଆହ୍ବାନ ଭାବେ ଗ୍ରହଣ କରି ନିଜ ସ୍କୁଲରେ ଉକ୍ତ ଚିପ୍ସ ଖାଇଥିଲେ। ତେବେ ସଙ୍ଗେ ସଙ୍ଗେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଘରକୁ ନିଆଯାଇଥିଲା ଏବଂ ସେ ସାମାନ୍ୟ ଆଶ୍ବସ୍ତ ଅନୁଭବ କରିଥିଲେ। ମାତ୍ର କିଛି ସମୟ ପରେ ସେ ଆଖି ବୁଜିଥିଲେ।
ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ହାରିସଙ୍କ ମୃତ୍ୟୁର କାରଣ ନିଶ୍ଚିତ ହୋଇନଥିବା ବେଳେ ଉକ୍ତ ରାଗୁଆ ଚିପ୍ସ ଖାଇଲା ପରେ ହିଁ ତାଙ୍କଠାରେ ଏପରି ଜଟିଳତା ଦେଖାଦେଇଥିଲା ବୋଲି ତାଙ୍କ ମାଆ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେହି ଟର୍ଟିଲା ଚିପ୍ ପ୍ୟାକେଟ୍ରେ ଗିନିଜ ବିଶ୍ବ ରେକର୍ଡ ଦ୍ବାରା ସ୍ବୀକୃତ ବିଶ୍ବର ସବୁଠୁ ରାଗୁଆ ସାମଗ୍ରୀ ମଧ୍ୟରୁ ଦୁଇଟି (‘କାରୋଲିନା ରିପର’ ମରିଚ ଓ ‘ନାଗ ଭାଇପର’ ମରିଚ) ମିଶିଥିଲା। ତେବେ ‘ପାକ୍ବି’ କମ୍ପାନି ୱେବ୍ସାଇଟ୍ରେ ସତର୍କ ସୂଚନା ରହିଛି ଯେ ଉକ୍ତ ଚିପ୍ସ କେବଳ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ଖାଇବା ପରେ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାର ଆଶଙ୍କା ରହିଛି।