ଜୟପୁର: ସୁଧୁରୁଛି ସାହସୀ ବାଳକ ରାହୁଲର ସ୍ବାସ୍ଥ୍ୟାବସ୍ଥା। ଦୀର୍ଘ ୧୦୪ ଘଣ୍ଟା କାଳ ବୋର୍ୱେଲ୍ରେ ଫସି ରହିଥିବା ୧୧ ବର୍ଷିୟ ବାଳକ ରାହୁଲ୍ ମଙ୍ଗଳବାର ମଧ୍ୟରାତ୍ରରେ ଉଦ୍ଧାର ହେବା ପରେ ବିଳାସପୁର ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଛି। ସେଠାରେ ତା’ର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି।
ରାହୁଲର ଚିକିତ୍ସା କରୁଥିବା ଶିଶୁ ରୋଗ ବିଷେଶଜ୍ଞ ସୁଶୀଳ କୁମାର କହିଛନ୍ତି, ‘କାଲି ଅପେକ୍ଷା ରାହୁଲର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ରାହୁଲର ବ୍ଲଡ୍ କଲଚର୍ ରିପୋର୍ଟ ଆସିସାରିଛି। ରିପୋର୍ଟରୁ ବ୍ୟାକ୍ଟେରିଆ ବିଷୟରେ ସୂଚନା ମିଳିସାରିଛି। ବ୍ୟାକ୍ଟେରିଆ ରାହୁଲର ଲିଭର୍ ଆଉ ମାଂସପେଷୀ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଥିଲା। ରକ୍ତରେ ସଂକ୍ରମଣ ପୂର୍ବରୁ ଦେଖିବାକୁ ମିିଳିଥିଲା, ତାହା ଏବେ କମିଛି । ପୂର୍ବ ଅପେକ୍ଷା ଅବସ୍ଥା ଭଲ ରହିଥିଲେ ବି ସଂପୂର୍ଣ୍ଣ ସୁସ୍ଥ ବୋଲି କହିପାରିବା ନାହିଁ। ବିପଦ ପୂରାପୂରି ଭାବେ ଟଳିନାହିଁ, ମାତ୍ର ପୂର୍ବ ଅପେକ୍ଷା ରାହୁଲ ସୁସ୍ଥ। ରାହୁଲକୁ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର କରାଯାଉଛି। ଏବେ ତାର ଶରୀରରେ ଜ୍ବର ନାହିଁ।’
ପୂର୍ବରୁ ଡାକ୍ତର ଇନ୍ଦିରା ମିଶ୍ରା କହିଥିଲେ ଯେ ରାହୁଲ ଏବେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛି। ରାହୁଲର ସ୍ବାସ୍ଥାବସ୍ଥା ସୁଧୁରିବାରୁ ସେ ଏବେ କଠିନ ଖାଦ୍ୟ ଖାଇବା ଆରମ୍ଭ କଲାଣି। ଯଦିଓ ରାହୁଲ ଦେହରେ ଆଉ ଜ୍ବର ନାହିଁ, ସଂକ୍ରମଣରୁ ସେ ପୂରା ମୁକ୍ତ ନୁହେଁ ବୋଲି ଡାକ୍ତର ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରାହୁଲ୍ ଏକ ମୁକୁଳା ବୋର୍ୱେଲ୍ରେ ଖସିପଡ଼ିବା ପରେ ତା’ର ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟର ବନ୍ଦୋବସ୍ତ କରିଥିଲେ। ଦୀର୍ଘ ୫ ଦିନ, ୪ ରାତି ରାହୁଲ ସେ ବୋର୍ୱେଲ୍ ଭିତରେ ପଡ଼ିରହିବା ପରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରାୟ ୫୦୦ ଉଦ୍ଧାରକାରୀ ମଙ୍ଗଳବାର ମଧ୍ୟ ରାତ୍ରରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।