ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ସଂଘଟିତ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଦାୟୀ କାରଣ ଯେ ସିଏଜି ରିପୋର୍ଟ ଓ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟକୁ ସେ ଅଣଦେଖା କରିଥିଲେ। ଗତ ଫେବ୍ରୁଆରି ୯ ତାରିଖରେ ଏ ପ୍ରକାର ସମ୍ଭାବନାକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ୧.୪ ଲକ୍ଷ ସୁରକ୍ଷା କର୍ମଚାରୀଙ୍କ ପଦ ଓ ରେଳବାଇର ୩ ଲକ୍ଷରୁ ଅଧିକ ପଦ ଖାଲି ପଡ଼ିବା କ’ଣ ସୂଚାଉଛି? ଇସ୍ତଫା କଥା ନୈତିକତାର କଥା, ନୈତିକ ଦାୟିତ୍ବବୋଧର କଥା। ଏ ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା। ଅବଶ୍ୟ ଆଜିକାଲି ଏକ ନୂଆ ନୈତିକତା ଗଢ଼ାଚାଲିଛି। ଇସ୍ତଫା ଦେବା ନ ଦେବା ବଡ଼ କଥା ନୁହେଁ। ବଡ଼ କଥା ହେଲା ନିଜର ତ୍ରୁଟି ସ୍ବୀକାର କରିବା।
କବଚ ବ୍ୟବସ୍ଥା ପାଇଁ ମଞ୍ଜୁର ୩୪,୦୦୦ କୋଟି ଟଙ୍କା କାହିଁକି କରାଗଲା ନାହିଁ? ସିଏଜି ରିପୋର୍ଟ ଅନୁସାରେ ରେଳ ଧାରଣାର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ରେଳ ବିଭାଗ ତରଫରୁ ରେଳମନ୍ତ୍ରୀଙ୍କୁ ନିଜ ଆଶଙ୍କା କଥା ଶୁଣେଇବାକୁ ସମୟ ଦିଆଗଲା ନାହିଁ। ସୁରକ୍ଷା କର୍ମଚାରୀଙ୍କ ଖାଲିସ୍ଥାନ ପୂରଣ କରା ନ ଯିବା ପାଇଁ ଦାୟୀ କିଏ? ମନ୍ତ୍ରୀ ବହୁତ ପାଠ ପଢ଼ିଛନ୍ତି। କିନ୍ତୁ ପାଠ ପଢ଼ିବା ବଡ଼ବଥା ନୁହେଁ। ମାନସିକତା ବଡ଼ କଥା। ମାନସିକତା ହେଲା ଆମେ ରେଲୱେର ଘରୋଇକରଣ କରିବୁ, ରାଜସ୍ବ କେବଳ ଆଦାୟ କରିବୁ। ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରିବୁ ନାହିଁ। ପାଠର ଅର୍ଥ କ’ଣ, ଯଦି ଏଡ଼େଇ ଦିଆଯାଇ ପାରିବା ଭଳି ଘଟଣାକୁ ହେବାକୁ ଦିଆଗଲା। ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପାଇଁ ତା’ହେଲେ ଦାୟୀ କିଏ? ରେସପନ୍ସିବିଲିଟି କିପରି ଫିକ୍ସ ହେବ? ଆମେ ଲାଇନମ୍ୟାନକୁ, ପ୍ୟାଟ୍ରିମ୍ୟାନକୁ ଦାୟୀ କରିବା? ସିବିଆଇ ତଦନ୍ତ କେମିତି କରିବ, ରେଳ ବାବଦରେ ସେମାନଙ୍କର ଜ୍ଞାନ କ’ଣ? ରେଳମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ରହି ନିଜ ରକ୍ତରଞ୍ଜିତ ହାତ କେବଳ ଧୋଉଛନ୍ତି।
ଭାରତୀୟ ରେଳପଥ ଏକ ବଡ଼ ଦାୟିତ୍ବ। ସେ ନେଇ ସ୍ବତନ୍ତ୍ର ମନ୍ତ୍ରୀ ରହିବା ଜରୁରୀ। ବର୍ତ୍ତମାନର ରେଳମନ୍ତ୍ରୀ ଅନେକ ଦାୟିତ୍ବରେ ଅଛନ୍ତି। ଏତେ ବେଶି ଦାୟିତ୍ବ ନେବା କ’ଣ ଠିକ୍? ଏ ଦୁର୍ଘଟଣା ମନୁଷ୍ୟକୃତ, ବ୍ୟବସ୍ଥାକୃତ। ସେ ବ୍ୟବସ୍ଥାର ଥିବା ଲୋକ ନିଜକୁ ଦାୟୀ କରିବା ଜରୁରୀ, ନିଜ ତ୍ରୁଟି ମାନିବା ଜରୁରୀ। ନ ମାନିବା ମାନେ.. ତ୍ରୁଟିରୁ ନ ଶିଖିବା।
ବୁଝିବା ଲାଗି ବିବେକ ଓ ନୈତିକତାର ଆବଶ୍ୟକତା ଅଛି। ଦାୟିତ୍ବ ପୁଣି କିଏ ନେବ? ଭାଗ୍ୟ ଓ ଈଶ୍ବର? ସିଏଜି ରିପୋର୍ଟ ପଢ଼ନ୍ତୁ। ପିଏସ୍ସି ରିପୋର୍ଟ ପଢ଼ନ୍ତୁ। ବୁଝିଯିବେ ସେ କାହିଁକି ଦାୟୀ। ଇସ୍ତଫା କଥାଟି ନୈତିକତା ଓ ବିବେକ ଉପରେ ନିର୍ଭର କରେ। ମନ୍ତ୍ରୀ ଏତିକି ତ କୁହନ୍ତୁ, ଆମେ ବିଭିନ୍ନ ରିପୋର୍ଟ ଅନୁଯାୟୀ ସଂଶୋଧନମୂଳକ ପଦକ୍ଷେପ ନେଇଥିଲେ ହୁଏତ ଏ ଘଟଣାକୁ ଏଡ଼େଇ ହୋଇଥାନ୍ତା। ଆମେ ଏଥିଲାଗି ଦୁଃଖିତ ଓ ଆଗକୁ ଆମେ ଏ ନେଇ ଜରୁରୀ କାମସବୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବୁ। ଏତିକି କହିବା ଲାଗି ବି ନୈତିକ ସାହସ ଲୋଡ଼ା। ଆମେ ଯଦି କହିବା ଲାଇନମ୍ୟାନ ଦାୟୀ, ସିଗ୍ନାଲମ୍ୟାନ ଦାୟୀ, ତେବେ ଗୋଟିଏ ବିଭାଗ ମୁଖ୍ୟ କ’ଣ କୌଣସିରୂପେ ଦାୟୀ ନୁହେଁ? ସରକାରଙ୍କ ଭାବମୂର୍ତ୍ତିକୁ ଯେଉଁ ଧକ୍କା ଲାଗିଛି ମନ୍ତ୍ରୀ ତା’ର ଡ୍ୟାମେଜ କଣ୍ଟ୍ରୋଲରେ ଲାଗିଛନ୍ତି। ମୃତାହତ ଲୋକଙ୍କ ପରିବାରକୁ ଆମେ କ’ଣ କହିବା? ଈଶ୍ବରଙ୍କ ଇଚ୍ଛା? ଭାଗ୍ୟର କଥା?
ବିବେକ ଥିଲାବାଲା ଇସ୍ତଫା ଦେଉଥିଲେ। ନୈତିକତା ଥିଲାବାଲା ଦେଉଥିଲେ। ପ୍ରଶ୍ନ ହେଲା ଏ ଦୁର୍ଘଟଣାର ରେସପନ୍ସିବିଲିଟି କିଏ ନେବ? ମଣିଷ ଗଢ଼ା ବ୍ୟବସ୍ଥା ଯୋଗୁ ଘଟିତ ଦୁର୍ଘଟଣା ଲାଗି କେହି ତ ଦାୟୀ? ଜଣେ ଇସ୍ତଫା ଦେଇ ନ ପାରେ। କିନ୍ତୁ କହିବା ଦରକାର ଯେ ଆମର ଭୁଲ ପାଇଁ ଏ କଥା ଘଟିଲା, ଯାହାକୁ ଏଡ଼ାଯାଇ ପାରିଥାନ୍ତା। ଯଦି କେହି ଦାୟୀ ଦୁହଁ ତେବେ ଆମେ ଭାଗ୍ୟକୁ ଦୋଷ ଦେଇ ଚୁପ୍ ବସିବା କଥା। ନୂଆ ନୈତିକତା ଗଢ଼ା ଚାଲିଛି। ହଉ ମନ୍ତ୍ରୀଙ୍କ ରକ୍ତରଞ୍ଜିତ ହାତକୁ ସେଇଥିରେ ସଫା କରାଯାଉ।
ଶ୍ରୀ ମହାନ୍ତିଙ୍କୁ ସମର୍ଥନ କରି ଆଉ କିଛି ମତ:-
ତାହାହେଲେ କ’ଣ ଖାଲି ଲାଇନ୍ମ୍ୟାନ୍ କିମ୍ବା ପଟ୍ରିମ୍ୟାନ୍କୁ ଦାୟୀ କରାଯିବ?
ରେଳମନ୍ତ୍ରୀ କ୍ରମାଗତ ଭାବେ ରେଳ ସୁରକ୍ଷା ପ୍ରତି ଅବହେଳା କରିଛନ୍ତି, ତା’ପୁଣି ବିଭାଗୀୟ ଚେତାବନୀ ସତ୍ତ୍ବେ। ପ୍ରମାଣକୁ ସରକାର ଖଣ୍ଡନ କରୁନାହାନ୍ତି।
ଅବହେଳାରୁ ଦୃଷ୍ଟି ହଟାଇବା ପାଇଁ ରେଳମନ୍ତ୍ରୀ ରେଳଡବା ତଳୁ ଫଟୋ ପୋଜ୍ ଦେଉଛନ୍ତି, ଲାଉଡ୍ ସ୍ପିକର ଧରି ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରଂ’ ସ୍ଳୋଗାନ୍ ଦେଉଛନ୍ତି।
ଯଦି ସଂପୃକ୍ତ ଥା’ନ୍ତି, ତଦନ୍ତକୁ ବାଟବଣା କରିବେନି ତ? ଲାଲ୍ବାହାଦୁର ଶାସ୍ତ୍ରୀ ନୀତୀଶ କୁମାର କ’ଣ ଭୀରୁ? ‘ହାର୍ଭାର୍ଡ’ ନୁହଁ, ଆମକୁ ‘ହାର୍ଡୱର୍କ’ ଦରକାର।
ସିଏଜି ରିପୋର୍ଟ ପଢ଼ିକି ଟିପ୍ପଣୀ ରଖନ୍ତୁ। ଉତ୍ତରଦାୟିତ୍ବ କଥା ଚିନ୍ତା ନ କରି ଭାଗ୍ୟକୁ ଦୋଷଦେଲେ ଚଳିବ କି? ତିନିତିନୋଟି ବଡ଼ ବିଭାଗର ଦାୟିତ୍ବ ନେଇ ତାକୁ ନ୍ୟାୟ ଦେଇପାରୁନାହାନ୍ତି ମନ୍ତ୍ରୀ।
ଆଜିକାଲିକା ଯୁଗରେ ରେଳ ଦୁର୍ଘଟଣା ଆଉ ସହ୍ୟ କରିହେଉନି। ୱାକିଟକି ଯୁଗରେ ଏହା ଚରମ ଦାୟିତ୍ବହିନତା।
ରେଳ ବିଭାଗର ଭୟଙ୍କର ସମସ୍ୟାରୁ ଦୃଷ୍ଟି ହଟାଇ ବନ୍ଦେଭାରତ, ବୁଲେଟ୍ ଟ୍ରେନ୍ରେ ମାତିବା କେତେ ସ୍ପୃହଣୀୟ?