ବିତର୍କ: ଇସ୍ତଫା ଏକ ପ୍ରକାର ଭୀରୁତା

ରେଳ ଦୁର୍ଘଟଣା ଓ ମନ୍ତ୍ରୀ-ଇସ୍ତଫା ଶୀର୍ଷକ ପୋଷ୍ଟ(ଫେସ୍‌ବୁକ୍‌)ରେ କବି ରାଜେଂଦ୍ର କିଶୋର ପଂଡା ଦେଇଥିବା ମତମନ୍ତବ୍ୟର କିୟଦଂଶ:-

ରେଳଦୁର୍ଘଟଣା ନିଶ୍ଚିତ ଭାବରେ ଯାତନାଦାୟୀ। ପୀଡି ମାନଂକ ସବୁପ୍ରକାର ଉଦ୍ଧାର, ଚିକିତ୍ସା, ଖାଦ୍ୟ ଯୋଗାଣ, ଆର୍ଥିକ ଅନୁଦାନ: ଏସବୁ ପାଇଁ ବ୍ୟବସ୍ଥା ଲୋଡ଼ା ତ୍ବରାନ୍ବିତ ଭାବରେ। ପ୍ରାପ୍ତ ସୂଚନାରୁ ଜଣାପଡିଛି: ଏହା ହେଉଛି। ସରକାର (କେଂଦ୍ର ଓ ରାଜ୍ୟ), ସ୍ବେଚ୍ଛାସେବୀ ସଂସ୍ଥା ଏବଂ ଜନସାଧାରଣ ଏଥିପାଇଁ ସମବେତ ଭାବରେ ଅହରହ ସହଯୋଗ ଓ ପରିଶ୍ରମ କରୁଛଂତି। ଯାଂତ୍ରିକ ବୈଷୟିକ କ୍ଷେତ୍ରରେ ସ୍ବୟଂକ୍ରିୟ ତ୍ରୁଟି ହୋଇଥିଲେ, ତାର କାରଣ ନିଦାନ ଓ ତ୍ରୁଟି ନିରାକରଣ, ଏଣିକି ଏମିତି ନ ଘଟିବା ପାଇଁ ସମୁଚିତ ବ୍ୟବସ୍ଥା, ଅଧିକାରୀ କର୍ମଚାରୀ ବା ଅନ୍ୟ କୌଣସି ସ୍ତରରେ ତାଲିମ ଓ ଚେତନା ବିକାଶ କର୍ମ, ଏଣିକି ଏମିତି ନ ଘଟିବା ପାଇଁ ସଫଳ ଉଦ୍ୟମ ବି ଆବଶ୍ୟକ। କୌଣସି ଭାରତବିରୋଧୀ ସଂସ୍ଥା/ବ୍ୟକ୍ତି ଯଦି ଏମିତି କରିଥିଲେ ମଂଦ ଉଦ୍ଦେଶ୍ୟରେ, ସେଥିପାଇଁ ଦଂଡବିଧାନ ବି ଲୋଡା। କିଂତୁ ରେଳ ଦୁର୍ଘଟଣା ପାଇଁ ରେଳମଂତ୍ରୀ ଇସ୍ତଫା ଦେବା ଉଚିତ: ଏ ବିଷୟରେ ବହୁ ପୁନଃ-ଚିଂତା କରି ବି ଏ ବକ୍ତବ୍ୟର ଯଥାର୍ଥତା ମୁଁ ବୁଝିପାରୁନି।

ହଁ, ଯଦି ସେ ରେଳଦୁର୍ଘଟଣା ଘଟାଇବା ପାଇଁ କୌଣସି କୁକର୍ମ କରିଥିଲେ, ତେବେ ଏ ବକ୍ତବ୍ୟ ଠିକ୍; ସେପରି କୁକର୍ମର କିଛି ଅଭିଯୋଗ ତ ଆସିନି କୌଣସି ସୂତ୍ରରୁ। ଯଦି ଏବର ରେଳମଂତ୍ରୀ ଇସ୍ତଫା ଦେବେ, ଆଉ ଜଣେ ହିଁ ଆସିବେ ସେଇ ଶାସକ ଦଳରୁ ଯେ ‘ରେଳ’ ବିଷୟରେ ସଂପୂର୍ଣ ଅନଭିଜ୍ଞ ହିଁ ଥିବେ। ତ ଏଥିରେ କଣ ଅଧିକ ଜନମଂଗଳ ସାଧିତ ହେବ? ବରଂ ଯିଏ ଅଛଂତି, ସେ ଯାହା କରୁଛଂତି, ତାଠୁ କଣ ଅଧିକ ବା କଣ ନୂଆ କାର୍ଯ କରିବା କଥା- ସେ ବିଷୟରେ ଆଲୋଚନା ହେଉ। ଲାଲ ବାହାଦୂର ଶାସ୍ତ୍ରୀ ଇସ୍ତଫା ଦେଇଥିଲେ, ତେଣୁ ଏବର ରେଳମଂତ୍ରୀ ଇସ୍ତଫା ଦେବା ଉଚିତ ବୋଲି କେହି କେହି କହିଛଂତି। ଏ ବାବଦରେ ମୋର ମତ ଅଲଗା। ‘ସଂକଟ’ ଆସିଲେ ତାର ମୁକାବିଲା କରାଯିବା ହିଁ କର୍ତବ୍ୟ, ନୁହେଁ କି? କର୍ତବ୍ୟ ପାଳନ ନ କରି ଇସ୍ତଫା ଦେଇଦେବା ଏକ ‘ଅନୈତିକ’ ‘ପଳାୟନ-ପଂଥା’ : ଏକ ପ୍ରକାର ‘ଭୀରୁତା’। ରାଜନୀତି ବିଜ୍ଞାନର ଏକ ଛାତ୍ର ଭୂମିକାରେ ମୁଁ ଥିବା ବେଳେ ‘ଶାସ୍ତ୍ରୀ ଇସ୍ତଫା’ ସଂପର୍କରେ ବିମର୍ଶ ହୋଇଛି ବହୁ ଥର ଏବଂ ମୁଁ ତାହାକୁ ‘କର୍ତବ୍ୟରୁ ପଳାୟନ’ ବୋଲି ମତ ଦେଇଛି। କେବେ ବି — ଏବଂ ଏବେ ବି — ସମର୍ଥନ କରୁନି। ଏପରି ଏକ ଦ୍ବଂଦ୍ବରେ ପଡ଼ି ଅର୍ଜୁନ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେନି ବୋଲି ଭାବିଥିଲେ। ‘ବିଷାଦଯୋଗ’ରେ ପଡ଼ିଥିଲେ। ବସ୍ତୁତଃ, ‘ଇସ୍ତଫା’ ଦେବାକୁ ଚାହିଁଥିଲେ। ଶ୍ରୀକୃଷ୍ଣ ଗୀତାବାଣୀ ମାଧ୍ୟମରେ ତାଂକୁ ‘କର୍ତବ୍ୟ-ଚେତନ’ କରିଥିଲେ ବୋଲି ଲେଖିଛଂତି ମହାନ୍ ବିଶ୍ବକବି କୃଷ୍ଣ ଦ୍ବୈପାୟନ ବ୍ୟାସ। କିମଧିକମ୍ ?

ଶ୍ରୀ ପଂଡାଙ୍କୁ ସମର୍ଥନ କରି ଆଉ କିଛି ମତ:-
ଜଣେ ଆଇଆଇଟିଆନ୍, ଆଇଏଏସ୍ ଓ ମ୍ୟାନେଜ୍‌ମେଣ୍ଟ ପାଠ ପଢ଼ିଥିବା ଲୋକଠୁ ଦାୟିତ୍ବ କାଢ଼ିନେଇ ଆଉ କାହାକୁ ଦେଲେ କ’ଣ ଲାଭ ହେବ?
ଏପରି ଦାବି ସବୁକାଳେ; ସେମାନେ ବିରୋଧୀ ରାଜନୈତିକ ଗୋଷ୍ଠୀର। ବିରୋଧ ପାଇଁ ବିରୋଧ।

କିଛି ଲୋକଙ୍କ ମତରେ ଭୀରୁତା ହେଉଛି ନୈତିକତା।

ପ୍ରବଳ ଗରମରେ ମନ୍ତ୍ରୀ ଘଟଣାସ୍ଥଳରେ ପଡ଼ିରହି କଠୋର ପରିଶ୍ରମ କଲେ; ୫୧ ଘଣ୍ଟାରେ ପୁଣି ରେଳ ଗଡ଼ିଲା, ତଥାପି ଆପତ୍ତି?

ସମ୍ବନ୍ଧିତ ଖବର