ଢ଼େଙ୍କାନାଳ : ଜଣେ ରେଳ ଫାଟକ କର୍ମଚାରୀଙ୍କ ଭୁଲ ପାଇଁ ଚାଲି ଯାଇଥାନ୍ତା ଶହ ଶହ ଲୋକଙ୍କ ଜୀବନ । ଆଉ ଏହା ସହ ଅଳ୍ପକେ ଏକ ବଡ଼ ରେଳ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ସାଧାରଣ ଲୋକେ । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ କପିଳାସ ରୋଡ଼ ଷ୍ଟେସନର ୧୭୩ ନଂ ଫାଟକରେ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଜନ ସାଧାରଣ । ଗତ କାଲି ବିଳମ୍ବିତ ରାତ୍ରିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ରେଳ ଫାଟକର କର୍ମଚାରୀ ଟ୍ରେନ ଆସିବା ସମୟରେ ଗେଟକୁ ପକାଇଦେଇ ନିଶାସକ୍ତ ଅବସ୍ଥାରେ ଥିଲେ । ଟ୍ରେନ ଯିବାପରେ ଫାଟକକୁ ଉଠାଇ ନଥିଲେ । ସାଧାରଣ ଲୋକମାନେ କାହିଁକି ଫାଟକ ଉଠୁନିବୋଲି କର୍ମଚାରୀଙ୍କ ପାଖକୁ ଯାଇଥିଲେ । ତେବେ ସେଠାରେ ରେଳ ଫାଟକ କର୍ମଚାରୀ ଜଣକ ନିସାଶକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଲୋକମାନେ ଉକ୍ତ କର୍ମଚାରୀଙ୍କୁ କହିବା ପରେ ବହୁତ କଷ୍ଟରେ ସେ ଫାଟକ ଉଠାଇଥିଲେ ।
ତେବେ ତାଙ୍କର ଫାଟକ ଖୋଲିବା ସହ ମାଡି ଆସିଥିଲା ବଡ ବିପଦ । ଫାଟକ ଦେଇ ଲୋକମାନେ ଲେବଲକ୍ରସିଂ ପାର ହେଉଥିବା ବେଳେ ହଠାତ୍ ଟ୍ରାକରେ ମାଡି ଆସିଥିଲା ଲୌହ ଦାନବ । ଟ୍ରେନ ପାଖକୁ ମାଡି ଆସୁଥିବାର ଦେଖି ଲୋକମାନେ ମଧ୍ୟ ଜୀବନ ବଞ୍ଚାଇ ଏଣେତେଣେ ଦୌଡି ପଳାଇଥିଲେ । ତେବେ ନିଶାସକ୍ତ ରେଲୱେ କର୍ମଚାରୀଙ୍କ ଏଭଳି ଭୁଲ ପାଇଁ କିଛି ସମୟ ପାଇଁ ଜୀବନ ସହ ସଂଘର୍ଷ କରିଥିଲେ ସାଧାରଣ ଲୋକେ । ଏହି ଘଟଣା ପରେ ଉକ୍ତ ରେଳୱେ କର୍ମଚାରୀଙ୍କୁ ତୁରନ୍ତ ବିଦା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।