ଚେନ୍ନାଇ: ତାମ୍ବ୍ରମ୍ ରେଳ ଷ୍ଟେସନ୍ରେ କାମ କରୁଥିବା ଜନୈକ ରେଳବାଇ କୁଲି ଉକ୍ତ ଷ୍ଟେସନ୍ରୁ ନଗଦ ୫.୭୫ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ ପାଇଥିଲେ। ତେବେ କୁଲି ଜଣକ ଲୋଭରେ ନ ପଡ଼ି ସାଧୁତା ସହ ଏହି ଟଙ୍କା ବ୍ୟାଗ ଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ଏହି କୁଲିଙ୍କ ନାମ ହେଉଛି ପୋୟାମାଝି । ପୋୟାମାଝିଙ୍କ ଏହି କାମ ପାଇଁ ତାଙ୍କୁ ଅନେକ ଆଡୁ ପ୍ରଶଂସାରେ ସୁଅ ଛୁଟିବାରେ ଲାଗିଛି।
ସୂଚନାଯୋଗ୍ୟ, ପୋୟାମାଝି ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତାମ୍ବ୍ରମ୍ ଷ୍ଟେସନ୍ରେ କୁଲି ଭାବେ କାମ କରନ୍ତି। ନଭେମ୍ବର ଏକ ତାରିଖ ଦିନ ତାଙ୍କୁ ଷ୍ଟେସନ୍ରୁ ଏକ ଟଙ୍କା ବ୍ୟାଗ ମିଳିଥିଲା, ଯେଉଁଥିରେ ୫.୭୫ଲକ୍ଷ ଟଙ୍କା ଥିଲା। ଗରିବୀ ହେତୁ ପୋୟାମାଝିଙ୍କୁ ଅର୍ଥର ବହୁ ଆବଶ୍ୟକତା ଥିଲେ ମଧ୍ୟ ସେ ଏହି ଟଙ୍କାକୁ ଦେଖି ତିଳେ ମାତ୍ର ଲୋଭ କରି ନ ଥିଲେ। ସାଧୁତା ସହ ଟଙ୍କା ବ୍ୟାଗ ଧରି ରେଳ ଷ୍ଟେସନ୍ ଅଧିକାରୀଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ।
ଦକ୍ଷିଣ ରେଳବାଇ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଆମେ ଯେତେବେଳେ ଜାଣିଲୁ ଏହି ବ୍ୟାଗ୍ରେ ଟଙ୍କା ଅଛି ଡିୟୁଟି ପଏଣ୍ଟସ୍ମେନ୍, ଷ୍ଟେସନ୍ ମାଷ୍ଟର ଓ ରେଳ ସୁରକ୍ଷାକର୍ମୀଙ୍କୁ ସତର୍କ କରାଇ ଦେଇଥିଲୁ। ଆରପିଏଫ୍ ସମୟ ନଷ୍ଟ ନକରି ଚେନ୍ନାଇ ଏଗମୋର ଟ୍ରେନ୍ର ଯାତ୍ରୀଙ୍କୁ ସୂଚିତ କରିଥିଲେ। ଫଳରେ ଯେଉଁ ଯାତ୍ରୀ ଟଙ୍କା ବ୍ୟାଗ ହଜାଇଥିଲେ ସେ ଚେନ୍ନାଇ ଏଗମୋରରୁ ଓହ୍ଲାଇ ଅଭିଯୋଗ କରିଥିବା ଜଣାପଡ଼ିଥିଲା। ଏହି ଅଭିଯୋଗ କ୍ରମେ ଯାତ୍ରୀଙ୍କୁ ସମ୍ପର୍କ କରି ତାଙ୍କୁ ଏହି ଟଙ୍କା ବ୍ୟାଗ ଫେରାଇ ଦିଆଯାଇଥିଲା ବୋଲି ଦକ୍ଷିଣ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଟଙ୍କା ହଜାଇ ଥିବା ଯାତ୍ରୀ ପୋୟାମୋଝିଙ୍କ ସାଧୁତା ପାଇଁ ପୁରସ୍କାର ରାଶିର ଘୋଷଣା କରିଥିଲେ, କିନ୍ତୁ ପୋୟାମୋଝି ଏହି ପୁରସ୍କାର ନେବା ପାଇଁ ମନା କରି ଦେଇଥିଲେ। ଏହି ଘଟଣା ପୂର୍ବରୁ ପୋୟାମୋଝି ଷ୍ଟେସନ୍ରେ ନିଜ ପିତ-ମାତାଙ୍କ ଠାରୁ ଅଲଗା ହୋଇଯାଇଥିବା ଏକ ପିଲାକୁ ତା’ର ପିତା-ମାତାଙ୍କ ପାଖରେ ପହଞ୍ଚାଇ ଥିଲେ। ଡିଭିଜିନାଲ ରେଳ ପ୍ରବନ୍ଧକ ପୋୟାମୋଝିଙ୍କୁ ସାଧୁତା ଲାଗି ଧନ୍ୟବାଦ ଦେବା ସହିତ ଏକ ଉପଢୌକନ ପ୍ରଦାନ କରିଥିଲେ।