ପରୀଟିଏ ଯେମିତି ଡେଣାମେଲେଇ ଦୂର ଦିଗନ୍ତକୁ ଉଡ଼ିଯାଏ, ଠିକ୍ ସେମିତି ଏମାନେ ଷ୍ଟିଅରିଂ ଧରିଲେ ସତେ ଅବା ଟ୍ରେନ୍ରେ ଡେଣା ଲାଗିଯାଏ! ଭାରତୀୟ ରେଳର ମହିଳା ଲୋକୋ ପାଇଲଟ୍ମାନେ ଯେତିକି ଦକ୍ଷତାର ସହିତ ଟ୍ରେନ୍ ଚଳାନ୍ତି, ସେତିକି ଦାୟିତ୍ବସଂପନ୍ନ ଭାବେ ଯାତ୍ରୀ ଓ ଦ୍ରବ୍ୟ ଆଦି ଗନ୍ତବ୍ୟସ୍ଥାନରେ ପହଞ୍ଚାନ୍ତି। ଟ୍ରେନ୍ ଚାଳନା ଭଳି ପୁରୁଷପ୍ରଧାନ ପରିସରରେ ପ୍ରାୟ ଦେଢ଼ଦଶନ୍ଧି ତଳେ ଧସେଇ ପଶିଥିଲେ ମହିଳା। ଆଉ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ସେମାନେ ପ୍ରମାଣିତ କରିଛନ୍ତି ଯେ ଆମେ କାହାଠୁ କମ୍ ନୋହୁଁ!
ଉପସ୍ଥାପନା: ଶୁଚିସ୍ମିତା ବାରିକ
ଦିନ ଥିଲା ଯେତେବେଳେ ‘ନାରୀ’ ଶବ୍ଦ ଉଚ୍ଚାରଣ କଲେ, ଘରର ଚାରିକାନ୍ଥ ଭିତରେ ପରିବାର ଓ ସନ୍ତାନ ଦାୟିତ୍ବ ତୁଲାଉଥିବା ସ୍ନେହବତ୍ସଳ ଚେହେରାଟି ମନକୁ ଆସୁଥିଲା। ହେଲେ ଆଜିର ନାରୀ ଆଉ ଏଭଳି ଚିତ୍ର ଭିତରେ ନିଜକୁ ବାନ୍ଧି ରଖିନାହିଁ। ସେ ପରିବାର ଚଳାଇବା ସହ ଦେଶ ଚଳାଇବା କାର୍ଯ୍ୟ ସଫଳତାର ସହ କରୁଛି। ଏକଦା ପୁରୁଷପ୍ରଧାନ ପରିସର ଭାବେ ଚିହ୍ନିତ ହୋଇଥିବା କାର୍ଯ୍ୟକୁ ସେ ବିଦ୍ୟା, ବୁଦ୍ଧି ଓ ଶ୍ରମ ବଳରେ ଅତ୍ୟନ୍ତ ଦକ୍ଷତାର ସହ ତୁଲାଉଛି। ପୁଣି କେତେକ ମଧ୍ୟ ପୁରୁଷମାନଙ୍କୁ ପଛରେ ପକାଇ ନୂତନ ଉଦାହରଣ ସୃଷ୍ଟି କରୁଛନ୍ତି। ଆଜି ଏପରି କୌଣସି କ୍ଷେତ୍ର ନାହିଁ, ଯେଉଁଠି ନାରୀମାନେ ନିଜକୁ ପ୍ରତିଷ୍ଠିତ କରିନାହାନ୍ତି। ଦେଶରେ ନାରୀ ସଶକ୍ତୀକରଣର ଏକ ସଫଳ ଦୃଷ୍ଟାନ୍ତ ଦେଖିବାକୁ ମିଳେ ଭାରତୀୟ ରେଳରେ। ଏକଦା ଟ୍ରେନ୍ ଚାଳନା ଥିଲା ପୁରୁଷଙ୍କ କ୍ଷେତ୍ର। ଏବେ କିନ୍ତୁ ଶହ ଶହ ମହିଳା ଟ୍ରେନ୍ ଚଳାଉଛନ୍ତି। ଜଣେ କି ଦୁଇଜଣ ନୁହନ୍ତି, ବର୍ତ୍ତମାନ ଭାରତୀୟ ରେଳରେ ୧୮୦୦ରୁ ଅଧିକ ମହିଳା ଲୋକୋ ପାଇଲଟ୍ କାର୍ଯ୍ୟ କରୁଛନ୍ତି। ଆରମ୍ଭରେ ଏହି ସଂଖ୍ୟା ହାତଗଣତି ଥିଲା। କିନ୍ତୁ କ୍ରମଶଃ ଶିକ୍ଷିତ ମହିଳାମାନେ ଏ କ୍ଷେତ୍ରରେ ପ୍ରବେଶ କରିବାରୁ ସେମାନଙ୍କ ସଂଖ୍ୟା ପାଖାପାଖି ୨୦୦୦ ହୋଇଛି।
ଭାରତୀୟ ରେଳର ସୂଚନା ଅନୁସାରେ, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ରେଳରେ ମହିଳା ଲୋକୋ ପାଇଲଟ୍ଙ୍କ ସଂଖ୍ୟା ୫ଗୁଣ ବୃଦ୍ଧିପାଇଛି। ତଥ୍ୟ ଅନୁସାରେ, ୨୦୨୪ ମସିହା ସୁଦ୍ଧା ୧୮୨୮ଜଣ ମହିଳା ଲୋକୋ ପାଇଲଟ୍ ଭାରତୀୟ ରେଳରେ ନିଯୁକ୍ତ ଅଛନ୍ତି। ଏକ ଦଶନ୍ଧି ପୂର୍ବେ ଏହି ସଂଖ୍ୟା ମାତ୍ର ୩୭୧ ଥିଲା। ଅଧିକାଂଶ ମହିଳା ଲୋକୋ ପାଇଲଟ୍ ଉତ୍ତରପ୍ରଦେଶ ବାସିନ୍ଦା। ବର୍ତ୍ତମାନ ଏହି ରାଜ୍ୟର ୨୨୨ଜଣ ମହିଳା ଲୋକୋ ପାଇଲଟ୍ ଥିବା ବେଳେ ପ୍ରାରମ୍ଭିକ ଅବସ୍ଥାରେ ଏହି ସଂଖ୍ୟା ୩୬ ଥିଲା। ଉତ୍ତରପ୍ରଦେଶ ପଛକୁ ରହିଛି ତେଲେଙ୍ଗାନା। ଏହି ରାଜ୍ୟର ୧୯୬ଜଣ ମହିଳା ଲୋକୋ ପାଇଲଟ୍ ଟ୍ରେନ୍ ଚାଳନା କରୁଛନ୍ତି। ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ତାମିଲନାଡୁ। ପ୍ରାରମ୍ଭିକ ଅବସ୍ଥାରେ ତାମିଲ୍ ମହିଳା ଲୋକୋ ପାଇଲଟ୍ଙ୍କ ସଂଖ୍ୟା ୩୯ ଥିବା ବେଳେ ସଂପ୍ରତି ଏହା ୧୮୦କୁ ବୃଦ୍ଧି ପାଇଛି। ଏ ପରିପ୍ରେକ୍ଷୀରେ ଆପଣଙ୍କ ମନକୁ ନିଶ୍ଚୟ ପ୍ରଶ୍ନ ଆସିପାରେ, ଓଡ଼ିଆ ମହିଳାମାନେ ଏ କ୍ଷେତ୍ରରେ କେତେ ସକ୍ରିୟ ଅଛନ୍ତି? ସେମାନଙ୍କ ସ୍ଥାନ କେଉଁଠି? ସରକାରୀ ସୂଚନା ଅନୁସାରେ, ୨୦୨୦ ମସିହାସୁଦ୍ଧା ଓଡ଼ିଶାରୁ ମାତ୍ର ୩୭ଜଣ ପ୍ରଶିକ୍ଷିତ ମହିଳା ଟ୍ରେନ୍ ଚାଳକ ଭାବେ ନିଯୁକ୍ତି ପାଇଥିଲେ। ତେବେ ଏ କ୍ଷେତ୍ରରେ ପଥପ୍ରଦର୍ଶିକା ଭାବେ ଉଭା ହୋଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଝିଅ ମୁନ୍ନି ଟିଗ୍ଗା। ବରଗଡ଼ ମହିଳା ଆଇ.ଟି.ଆଇ.ରୁ ପ୍ରଶିକ୍ଷଣ ପାଇ ସେ ୨୦୧୫ରେ ଭାରତୀୟ ରେଳରେ ଲୋକୋ ପାଇଲଟ୍ ଭାବେ ଯୋଗଦେଇ ଓଡ଼ିଶାର ଝିଅମାନଙ୍କ ପାଇଁ ରୋଲ୍ମଡେଲ୍ ପାଲଟିଥିଲେ। ଗରିବ ପରିବାରର ଝିଅ ମୁନ୍ନି ଆର୍ଥିକ ଅନଟନ ଭିତରେ ପାଠପଢ଼ି ଟ୍ରେନ୍ ଚଳାଇ ଗୁଜୁରାଣ ମେଣ୍ଟାଇବାର ସ୍ବପ୍ନ ଦେଖିଥିଲେ। ଶେଷରେ ନିଷ୍ଠା ଓ ଅଧ୍ୟବସାୟ ବଳରେ ସଫଳତା ହାସଲକଲେ। ଆସନ୍ତୁ ଏମିତି କେତେଜଣ ଓଡ଼ିଆ ମହିଳା ଲୋକୋ ପାଇଲଟ୍ଙ୍କୁ ଭେଟିବା ଓ ସେମାନଙ୍କ ସଂଘର୍ଷ ଓ ସଫଳତାର ପ୍ରେରଣାଦାୟୀ କାହାଣୀ ଶୁଣିବା।
ଭାରତର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ୧୯୬୫ ମସିହା ସେପ୍ଟମ୍ବର ୨ ତାରିଖରେ ମହାରାଷ୍ଟ୍ରର ସାତାରାରେ ଜନ୍ମଗ୍ରହଣ କରିଥିଲେ। ସୁରେଖା ସେଣ୍ଟ୍ ପଲ୍ କନ୍ଭେଣ୍ଟ୍ ହାଇସ୍କୁଲ୍ରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲ୍ ଶିକ୍ଷା ପରେ ସେ ମହାରାଷ୍ଟ୍ରର କରାଡ୍ରେ ଥିବା ସରକାରୀ ପଲିଟେକ୍ନିକ୍ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ୧୯୮୬ ମସିହାରେ ଟ୍ରେନ୍ ଚାଳନା ପ୍ରଶିକ୍ଷିକା ଭାବେ ଭାରତୀୟ ରେଳରେ ଯୋଗ ଦେଇଥିଲେ। ୬ ମାସର କଠୋର ତାଲିମ ପରେ ୧୯୮୭ ମସିହାରେ ମୁମ୍ବାଇ ରେଳବାଇ ନିଯୁକ୍ତି ବୋର୍ଡ ସୁରେଖା ଯାଦବଙ୍କୁ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ ଭାବେ ନିଯୁକ୍ତ କରିଥିଲା। ୧୯୮୯ ମସିହାରେ ମାଲ୍ବାହୀ ଟ୍ରେନ୍ରେ ସହାୟକ ଚାଳିକା ଭାବେ କାର୍ଯ୍ୟାରମ୍ଭ କରି ସେ ଇତିହାସ ରଚିଥିଲେ। କେବଳ ଭାରତ ନୁହେଁ, ବରଂ ସେ ସମଗ୍ର ଏସିଆ ମହାଦେଶର ପ୍ରଥମ ମହିଳା ଲୋକୋ ପାଇଲଟ୍ ହେବାର ଗୌରବ ଅର୍ଜନ କରିଥିଲେ। ୧୯୯୮ ମସିହାରେ ପଦୋନ୍ନତି ପାଇ ମାଲ୍ବାହୀ ଟ୍ରେନ୍ର ମୁଖ୍ୟ ଚାଳିକା ହୋଇଥିଲେ ସୁରେଖା। ଏହାପରେ ଟ୍ରେନ୍ ଚାଳନା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଉପଲବ୍ଧି ସେ ହାସଲ କରିଚାଲିଛନ୍ତି। ଡେକାନ୍ କୁଇନ୍ ଏକ୍ସପ୍ରେସ୍ର ପାଇଲଟ୍ ଭାବରେ ଏସିଆର ପ୍ରଥମ ମୋଟର୍ ଓମ୍ୟାନ୍ ବିବେଚିତ ହୋଇଥିଲେ ସୁରେଖା। ଭାରତୀୟ ରେଳର ପ୍ରିମିୟମ୍ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ନିୟମିତ ପାଇଲଟ୍ ଭାବେ ନିଯୁକ୍ତି ପାଇ ସୁରେଖା ତାଙ୍କ ବୃତ୍ତିଗତ ଜୀବନରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ୨୦୨୩ ମାର୍ଚ୍ଚ ୧୩ ତାରିଖରୁ ସେ ସେମି-ହାଇସ୍ପିଡ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଉଛନ୍ତି। ଏଥିପାଇଁ ସେ ବଡ଼ୋଦରା ରେଳ ସଂସ୍ଥାନରେ ଉଚ୍ଚସ୍ତରୀୟ ତାଲିମ ଗ୍ରହଣ କରିଥିଲେ। ପ୍ରଥମ ବନ୍ଦେ ଭାରତ ଯାତ୍ରାରେ ସୋଲାପୁରରୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ପର୍ଯ୍ୟନ୍ତ ୪୫୫ କିଲୋମିଟର୍ ଦୂରତ୍ବ ଅତିକ୍ରମ କରି ଅପୂର୍ବ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସୁରେଖା। ଏହା ବାଦ୍ ଟେଲିଭିଜନ୍ ଧାରାବାହିକ ‘ହମ୍ ଭି କିସିସେ କମ୍ ନେହିଁ’ରେ ଅଭିନୟ କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି।
ସେହିଭଳି ଝାଡ଼ଖଣ୍ଡର ୨୭ ବର୍ଷୀୟା ରିତିକା ତିର୍କୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଉଥିବା ପ୍ରଥମ ଆଦିବାସୀ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ଟାଟାନଗର-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ୍ରେ ସହାୟକ ଟ୍ରେନ୍ ଚାଳିକା ଭାେବ କାର୍ଯ୍ୟ କରୁଛନ୍ତି। ଏକ ସାଧାରଣ ଆଦିବାସୀ ପରିବାରର ଝିଅ ରିତିକା ରାଞ୍ଚିରେ ସ୍କୁଲ୍ ଶିକ୍ଷା ଶେଷକରିବା ପରେ ମେକାନିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ। ୨୦୧୯ ମସିହାରେ ସେ ଭାରତୀୟ ରେଳରେ ମାଲବାହୀ ଟ୍ରେନ୍ର ସହାୟକ ଚାଳିକା ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ ଧାନବାଦ ଡିଭିଜନ୍ ଅନ୍ତର୍ଗତ ବୋକାରୋର ଚନ୍ଦ୍ରପୁରାରେ ହୋଇଥିଲା। ଏହାପରେ ରିତିକାଙ୍କୁ ୨୦୨୧ ମସିହାରେ ଟାଟାନଗର ବଦଳି କରାଯାଇଥିଲା। ସେ ସହାୟକ ଟ୍ରେନ୍ ଚାଳିକାରୁ ବରିଷ୍ଠ ସହାୟକ ଟ୍ରେନ୍ ଚାଳିକାକୁ ପଦୋନ୍ନତି ପାଇଥିଲେ । ୨୦୨୪ ମସିହା ସେପ୍ଟମ୍ବର ମାସରେ ତାଙ୍କ ଦକ୍ଷତାକୁ ମିଳିଲା ଆଉ ଏକ ସ୍ବୀକୃତି। ସେ ବନ୍ଦେ ଭାରତ ଏକ୍ସପ୍ରେସ୍ର ସହାୟକ ଚାଳିକା ଭାବେ ନିଯୁକ୍ତି ପାଇଲେ। ଏହି ସଫଳତା ପାଇଁ ତାଙ୍କୁ ଭାରତର ରାଷ୍ଟ୍ରପତି ମଧ୍ୟ ସମ୍ମାନିତ କରିଛନ୍ତି। ଆଦିବାସୀ ଝିଅ ରିତିକା ନିଜ ସ୍ବପ୍ନ ଓ ସଫଳତା ଲାଗି ବହୁ ଚାଲେଞ୍ଜ୍ ଅତିକ୍ରମ କରିଛନ୍ତି। ତାଙ୍କ ନିଷ୍ଠା ଓ ଦକ୍ଷତା କେବଳ ବ୍ୟକ୍ତିଗତ ସଫଳତା ଦେଇନାହିଁ, ବରଂ ଆଦିବାସୀ ସମ୍ପ୍ରଦାୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ବିଜୟିନୀ ବିନୀତା
ରାଉଲକେଲାର ୪୦ ବର୍ଷୀୟା ବିନୀତା ଜେନା। ପରିବାର ଓ ପିଲାଙ୍କ ଦାୟିତ୍ବ ବହନକରି ବି ସେ ସଫଳତାର ସହ ନିଜ ସ୍ବପ୍ନ ପଥରେ ଆଗକୁ ବଢ଼ି ଚାଲିଛନ୍ତି। ଛୋଟବେଳୁ ତାଙ୍କର ଇଚ୍ଛା ଥିଲା କିଛି ଭିନ୍ନ କରି ସମାଜକୁ ଦେଖାଇବା ପାଇଁ। ବିନୀତା ଯେତେବେଳେ ଟ୍ରେନ୍ ଦେଖୁଥିଲେ ତାଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିଲା, ଏତେ ଲମ୍ବା ଟ୍ରେନ୍ ଜଣେ େକମିତି ଚଳାଇପାରୁଛନ୍ତି? ଆମେ ଗୋଟେ ଛୋଟ ଗାଡ଼ି ଚଳାଇଲେ ଏେତ କଷ୍ଟ ହେଉଛି ଆଉ ଜଣେ କିଭଳି ଏତେ ଲୋକ ଓ ଏତେ ମାଲ୍ ସହ ଟ୍ରେନ୍ ଚଳାଇପାରୁଛନ୍ତି? ଏହାପରେ ତାଙ୍କ ମନରେ ଲୋକୋ ପାଇଲଟ୍ ହେବାର ଇଚ୍ଛା ଜାଗ୍ରତ ହେଲା।
ସେ ଇଲେକ୍ଟ୍ରିକାଲ୍ ଇଂଜିନିଅରିଂରେ ଡିପ୍ଲୋମା ଶେଷକରିବା ପରେ ଲୋକୋ ପାଇଲଟ୍ ନିଯୁକ୍ତି ଲାଗି ରେଲ୍ୱେ ରିକ୍ରୁଟ୍ମେଣ୍ଟ୍ ବୋର୍ଡ ପକ୍ଷରୁ ହେଉଥିବା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ପ୍ରଥମେ ଛତିଶଗଡ଼ର ବିଳାସପୁର ରେଳ ସର୍କଲ୍ରେ ମାଲ୍ବାହୀ ଟ୍ରେନ୍ର ସହାୟକ ଟ୍ରେନ୍ ଚାଳିକା ଭାବେ ନିଯୁକ୍ତି ପାଇଥିଲେ। ବିନୀତା କହନ୍ତି, ‘‘ମଁୁ ଯେତେବେଳେ ଲୋକୋ ପାଇଲଟ୍ େହବା ପାଇଁ ଟ୍ରେନିଂ ନେଉଥିଲି ସେଠାରେ ମୁଁ କେବଳ ଜଣେ ଝିଅପିଲା ଥିଲି, ବାକି ସମସ୍ତେ ଥିଲେ ପୁଅପିଲା। ଜୀବନରେ ଅନେକ ସମସ୍ୟା ଅତିକ୍ରମ କରି ଆଜି ମୁଁ ସଫଳତା ପାଇଛି।’’ ପରବର୍ତ୍ତୀ ସମୟେର ବିନୀତା ବଦଳିହୋଇ ଓଡ଼ିଶା ଆସିଥିଲେ ଏବଂ ଯାଜପୁରର ଜଖପୁରା ରେଳ ଷ୍ଟେସନ୍ରେ ମାଲ୍ବାହୀ ଟ୍ରେନ୍ ଚାଳିକା ଭାବେ ନିଯୁକ୍ତ ହୋଇଥିଲେ।
ସ୍ବାଗତିକାଙ୍କ ସ୍ବପ୍ନ ସାକାର
ଯାଜପୁର ସ୍ବାଗତିକା ପ୍ରିୟଦର୍ଶିନୀଙ୍କର ପିଲାଦିନୁ ଟ୍ରେନ୍ ସହ ଅତି ନିବିଡ଼ ସମ୍ପର୍କ ରହିଛି। ଯାଜପୁର ରେଳ ଷ୍ଟେସନ୍ ନିକଟରେ ଘର ହୋଇଥିବାରୁ ସ୍ବାଗତିକା ସବୁବେଳେ ଟ୍ରେନ୍ ଆତଯାତ କରୁଥିବା ଦେଖନ୍ତି। ତେଣୁ ଟ୍ରେନ୍ କିପରି ଚଳାଯାଉଛି ତାହା ଜାଣିବାକୁ ତାଙ୍କ ମନରେ ଆଗ୍ରହ ସୃଷ୍ଟିହେଲା। କ୍ରମେ ବଡ଼ ହେବାପରେ ସେ ଟ୍ରେନ୍ ଚାଳିକା ହେବା ପାଇଁ ମନବଳାଇଲେ। ମେକାନିକାଲ୍ ଇଂଜିନିୟରିଂରେ ଡିପ୍ଲୋମା ଶିକ୍ଷା ଶେଷକରିବା ପରେ ସେ ଲୋକୋ ପାଇଲଟ୍ ହେବା ପାଇଁ ପ୍ରସ୍ତୁତି କଲେ। ରେଲ୍ୱେ ରିକ୍ରୁଟ୍ମେଣ୍ଟ୍ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ନିଯୁକ୍ତି ମିଳିଲା। ଚାକିରି ପାଇ କେନ୍ଦୁଝର ରେଳ େଷ୍ଟସନ୍ରେ ସହାୟକ ଟ୍ରେନ୍ ଚାଳିକା (ଏଏଲ୍ପି) ଭାବେ ଅବସ୍ଥାପିତ ହେଲେ। ସ୍ବାଗତିକା କହନ୍ତି, ‘‘ଜଣେ ଲୋକୋ ପାଇଲଟ୍ର ତା’ ପରିବାର ପ୍ରତି ଯେତିକି ଦାୟିତ୍ବ ରହିଥାଏ, ତାହାଠୁ ଅଧିକ ଦାୟିତ୍ବ ରହିଥାଏ େଟ୍ରନ୍ ପ୍ରତି। ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଥବା ମାଲ୍ପତ୍ର ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ହେଉଛି ତାଙ୍କ ଦାୟିତ୍ବ।’’ ତାଙ୍କ ସ୍ବପ୍ନ ସାକାର କରିବା ପାଇଁ ଶାଶୂଘର ଓ ବାପଘର ଅନେକ ସହଯୋଗ କରିଛନ୍ତି ବୋଲି ସ୍ବାଗତିକା କହନ୍ତି। ସମୟକ୍ରମେ ସେ ପଦୋନ୍ନତିପାଇ ଯାଜପୁରର ଜଖପୁରା ରେଳ ଷ୍ଟେସନ୍ରେ ଟ୍ରେନ୍ ଚାଳିକା ଭାବେ ନିଯୁକ୍ତ ହୋଇଛନ୍ତି।
ସାହସିନୀ ଶିବାନୀ
ବାଲେଶ୍ବରର ଏକ ଚାଷୀ ପରିବାରରେ ଶିବାନୀ ଶିଅଳଙ୍କ ଜନ୍ମ। ଅନ୍ୟ ଝିଅଙ୍କଠାରୁ କିଛି ଅଲଗାକରି ଦେଖାଇବା ପାଇଁ ତାଙ୍କ ମନରେ ଅଭିଳାଷ ଥିଲା। ହେଲେ ତାଙ୍କ ଇଚ୍ଛାକୁ ବାସ୍ତବ ରୂପଦେବା ଲାଗି ଘରର ଆର୍ଥିକ ପରିସ୍ଥିତି ପ୍ରତିବନ୍ଧକ ସାଜିଥିଲା। କିନ୍ତୁ ବାପା ଓ ପରିବାର ଲୋକଙ୍କ ସହଯୋଗ ଓ ତ୍ୟାଗ ଯୋଗୁଁ ସେ ଲୋକୋ ପାଇଲଟ୍ ହୋଇପାରିଛନ୍ତି ବୋଲି କହନ୍ତି ଶିବାନୀ। ପ୍ରଥମେ ସେ ଖୋର୍ଦ୍ଧା ରେଳ ଷ୍ଟେସନ୍ରେ ମାଲ୍ବାହୀ ଟ୍ରେନ୍ର ସହାୟକ ଟ୍ରେନ୍ ଚାଳିକା ଭାବେ ନିଯୁକ୍ତି ପାଇଥିଲେ। ଅନେକ ଲୋକ ତାଙ୍କୁ ତାଚ୍ଛଲ୍ୟ କରି ଟିପ୍ପଣୀ କରନ୍ତି- ତୁ ଝିଅଟା କ’ଣ ଟ୍ରେନ୍ ଚଳାଇପାରିବୁ? ହେଲେ ଶିବାନୀ ଭାଙ୍ଗି ନଯାଇ ଦୃଢ଼ ମନୋବଳ ରଖି ଆଗକୁ ବଢ଼ିଥିଲେ। ପରବର୍ତ୍ତୀ ସମୟରେ ଶିବାନୀ ପଦୋନ୍ନତି ପାଇ ଭଦ୍ରକ ରେଳ ଷ୍ଟେସନ୍ର ମାଲ୍ବାହୀ ଟ୍ରେନ୍ ଚାଳିକା ଭାବେ କାର୍ଯ୍ୟ କରୁଛନ୍ତି। ଟ୍ରେନ୍ ଚଳାଇବା ସମୟରେ ଅନେକ ସମସ୍ୟା ଦେଖାଯାଇଥାଏ ଏବଂ ଶିବାନୀ ସାହସର ସହ ସେ ସବୁ ସମସ୍ୟା ମୁକାବିଲା କରିଛନ୍ତି। ଶିବାନୀ କହନ୍ତି,‘‘ଷ୍ଟେସନ୍ରେ ଗାଡ଼ି ଅଟକିଲେ ଲୋକମାନେ ଟ୍ରେନ୍ ପାଖକୁ ଅାସନ୍ତି ଦେଖିବା ପାଇଁ ଯେ କେମିତି ଗୋଟେ ଝିଅ ଟ୍ରେନ୍ ଚଳାଉଛି, ମୋତେ ସେତେବେଳେ ବହୁତ ଖୁସି ଲାଗେ। ଲୋକଙ୍କର ଏଇ କୌତୂହଳ ଓ ପ୍ରଶଂସା ମୋେତ ସଫଳ ହେବା ପାଇଁ ପ୍ରେରଣା ଦେଇଛି।’’
ନିର୍ଭୟା ନିରୁପମା
ପରିବାର ଦାୟିତ୍ବ ଓ ଭାଇର ପାଠପଢ଼ା ତୁଲାଇବା ପାଇଁ ନିରୁପମା ଚାକିରି ସନ୍ଧାନରେ ଥିଲେ। ମେକାନିକାଲ୍ ଇଂଜିନିୟରିଂ ଶେଷକରି ସେ ରେଲ୍ୱେ ରିକ୍ରୁଟ୍ମେଣ୍ଟ୍ ବୋର୍ଡ ପକ୍ଷରୁ ଆୟୋଜିତ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ ନିଯୁକ୍ତି ପରୀକ୍ଷା ଦେଲେ। ସେଥିରେ ଉତ୍ତୀର୍ଣ୍ଣହୋଇ ଯାଜପୁରର ଜଖପୁରାଠାରେ ମାଲ୍ବାହୀ ଟ୍ରେନ୍ର ସହାୟକ ଚାଳିକା ଭାବେ ନିଯୁକ୍ତି ପାଇଲେ। ଟ୍ରେନ୍ରେ ଜଣେ ଲୋକୋ ପାଇଲଟ୍ର କାର୍ଯ୍ୟ ଯେତିକି ଜରୁରି, ଜଣେ ସହାୟକ ଟ୍ରେନ୍ ଚାଳକର ଉପସ୍ଥିତି ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ନିରୁପମା କହନ୍ତି, ‘‘ମଁୁ ଜାଣି ନଥିଲି ଯେ ଝିଅମାନେ ଟ୍ରେନ୍ ଚଳାନ୍ତି। ମଁୁ କେବଳ ଘରର ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ ଚାକିରିଟିଏ ଖୋଜୁଥିଲି। ହେଲେ ଏ କାମ ମୋତେ ଆତ୍ମସନ୍ତୋଷ ଦେଇଛି।’’ ଯେବେ ନିରୁପମା ପ୍ରଥମଥର ଟ୍ରେନ୍ ଚଳାଇଥିଲେ ତାଙ୍କ ମନରେ ଭୟ ନଥିଲା, ବରଂ ଉତ୍କଣ୍ଠା ଭରି ରହିଥିଲା। କେମିତି ଏଡ଼େ ବଡ଼ ଗାଡ଼ିକୁ ସେ ଧାରଣାରେ ଗଡ଼ାଇବେ, ତାହା ତାଙ୍କୁ ଉତ୍କଣ୍ଠିତ କରିଥିଲା। ଯା’ହେଉ ସେ ସଫଳ ହେଲେ। ଟ୍ରେନ୍ ଚଳାଇବା ସମୟରେ ସେ ଅନେକ ସମସ୍ୟାରେ ପଡ଼ିଛନ୍ତି। କିନ୍ତୁ ସମସ୍ତ ସମସ୍ୟା ଅତିକ୍ରମକରି ସେ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛନ୍ତି।
ପାରଦର୍ଶୀ ପ୍ରଜ୍ଞାମୟୀ
ପ୍ରଜ୍ଞାମୟୀଙ୍କ ସଫଳତା ମହିଳା ସଶକ୍ତୀକରଣର ଅନ୍ୟତମ ସଫଳ ଉଦାହରଣ। କଠିନ ପରିଶ୍ରମ ଓ ସାହସ ବଳରେ ସେ ଆଜି ନିଜ ସ୍ବପ୍ନ ସାକାର କରିପାରିଛନ୍ତି। ପିଲାଦିେନ ଯେତେବେଳେ ଟ୍ରେନ୍ ଦେଖୁଥିଲେ ଭାବୁଥିଲେ, ଯେଉଁମାନେ ଟ୍ରେନ୍ ଚଳାଉଛନ୍ତି ସେମାନଙ୍କୁ ଦେଶର ସବୁ ସ୍ଥାନ ମାଗଣାରେ ବୁଲିଯିବାକୁ ସୁଯୋଗ ମିଳୁଥିବ। ମଁୁ ଯଦି ଟ୍ରେନ୍ ଚଳାଇବା ଚାକିରି କରନ୍ତି, ତେବେ ମୋତେ ବି ଏହି ସୁଯୋଗ ମିଳନ୍ତା। ଏହାପରେ ଜଣେ ଲୋକୋ ପାଇଲଟ୍ ହେବାର ଆଗ୍ରହ ନେଇ ସେ ଆଗକୁ ବଢ଼ିଲେ। ପ୍ରଜ୍ଞାମୟୀ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ ଶିକ୍ଷା ଶେଷକରିବା ପରେ ଭୋପାଳ ରେଲ୍ୱେ ରିକ୍ରୁଟ୍ମେଣ୍ଟ୍ ବୋର୍ଡ ତରଫରୁ କରାଯାଉଥିବା ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କଲେ। ସବୁ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ପ୍ରଥମେ ଛତିଶଗଡ଼ର ବିଳାସପୁରରେ ମାଲ୍ବାହୀ ଟ୍ରେନ୍ରେ ସହାୟକ ଚାଳିକା ଭାବେ ନିଯୁକ୍ତି ପାଇଲେ। ପ୍ରଜ୍ଞାମୟୀ କହନ୍ତି, ‘‘ଯେତେବେଳେ ମୁଁ ପ୍ରଥମେ ଚାକିରିରେ ଯୋଗଦେଲି, ମୋତେ ଅନେକଙ୍କ ଟାହିଟାପରା ଶୁଣିବାକୁ ପଡ଼ିଥିଲା। ଟ୍ରେନ୍ ଚଳାଇବା ଝିଅଙ୍କ କାମ ନୁହେଁ, ତୁମେ କେବେ ହେଲେ ଟ୍ରେନ୍ ଚଳାଇ ପାରିବନାହଁି। ଏମିତି ଅନେକ କଥା ମୋତେ ଶୁଣିବାକୁ ପଡ଼ିଥିଲା। ହେଲେ ସେ ସବୁକୁ ଖାତିର ନକରି ମୁଁ ସାହସର ସହ ପରିସ୍ଥିତିର ମୁକାବିଲା କଲି ଏବଂ ମୋ କାମରେ ସଫଳ ହେଲି।’’ ୨୦୧୯ ମସିହାରେ ପ୍ରଜ୍ଞାମୟୀ ଚିଫ୍ ଲୋକୋ ଇନିସ୍ପେକ୍ଟର୍ ଭାବେ କଟକ ରେଳ େଷ୍ଟସନ୍ରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ନବନିଯୁକ୍ତ ଲୋକୋ ପାଇଲଟ୍ଙ୍କୁ ତାଲିମ ପ୍ରଦାନ କରୁଛନ୍ତି।