ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ହେଉଛି ଭଗବାନ ବିଷ୍ଣୁଙ୍କ ବାମନାବତାରଙ୍କର ଆବିର୍ଭାବ ଦିବସ। ଏହି ଦିନଟି ମଧ୍ୟ ଓଡ଼ିଶାର ରାଜକୀୟ ନବବର୍ଷ। ଏହି ତିଥିର ଅନ୍ୟ ଏକ ବିଶେଷତ୍ୱ ହେଉଛି- ଏହି ଦିନ ଇନ୍ଦ୍ରଧ୍ୱଜ ପୂଜା ହୋଇଥାଏ। ଇନ୍ଦ୍ରଙ୍କର ଗୋଟିଏ ନାମ ଶକ୍ର। ଏଣୁ ଏହାର ଅନ୍ୟନାମ ଶକ୍ରଧ୍ୱଜ ପୂଜା। ଏହା ଇନ୍ଦ୍ରପର୍ବ ବା ଇନ୍ଦ୍ରଯାତ୍ରା ବୋଲି ମଧ୍ୟ କଥିତ ହୁଏ।

Advertisment

‘ବରାହ ସଂହିତା’ରେ ଏହି ପୂଜାର ବିଧି ବର୍ଣ୍ଣିତ ଅଛି। ଓଡ଼ିଆ ସ୍ମୃତିକାର ଶତାନନ୍ଦ ଓ ଗଦାଧର ରାଜଗୁରୁ ମଧ୍ୟ ସ୍ୱରଚିତ ସ୍ମୃତିଶାସ୍ତ୍ରରେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏହି ଶକ୍ରଧ୍ୱଜ ପୂଜାର ପ୍ରାୟ ଏକ ସହସ୍ର ବର୍ଷର ଇତିହାସ ରହିଛି।
ଏହି ପୂଜା ନିମନ୍ତେ ଗୋଟିଏ ଋଜୁ ଓ ଦୀର୍ଘ ଅର୍ଜୁନ, ଶାଳ୍ଳଳୀ, ଶାଳ, ଧବ ବା କଦମ୍ବ ବୃକ୍ଷ ଚୟନ କରାଯାଏ। ବୃକ୍ଷ ଛେଦନ ନିମନ୍ତେ ବନଯାଗ ବିଧିରେ ପୂଜା ଓ ହୋମ ଆଦି ଅନୁଷ୍ଠିତ ହୁଏ। ତାହା ପରେ ସେହି ବୃକ୍ଷକୁ ସଂମାର୍ଜନ ଓ ସୁସଜ୍ଜିତ କରି ଧ୍ୱଜ ରୂପେ ଉତ୍ତୋଳନ କରାଯାଏ। ସେହି ଅବସରରେ ଦେବରାଜ ଇନ୍ଦ୍ରଙ୍କୁ ପ୍ରାର୍ଥନା କରାଯାଏ। ଏହାକୁ ଧ୍ୱଜ ଉତ୍‌ଥାପନ ବା ଶକ୍ରଉତ୍‌ଥାପନ କୁହାଯାଏ। ଶାସ୍ତ୍ରୀୟ ବିଧି ଅନୁସାରେ, ପଞ୍ଚମ ବା ସପ୍ତମ ଦିନ ସେହି ଧ୍ୱଜକୁ ବିଧିମତେ ବିସର୍ଜିତ କରିଦିଆଯାଏ।
ଏ ସଂପର୍କରେ ଲୋକପରମ୍ପରାର ବିଶିଷ୍ଟ ଗବେଷକ ଡକ୍ଟର ଅରବିନ୍ଦ ପଟ୍ଟନାୟକ ଲେଖିଛନ୍ତି- ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ବେଳକୁ ଇନ୍ଦ୍ର କୃଷିର ଦେବତା ଭାବରେ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରେ ଲୋକପ୍ରିୟତା ଅର୍ଜନ କରିଥିଲେ। ରାଜପୃଷ୍ଠପୋଷକତାରେ ତାଙ୍କର ପୂଜା ସର୍ବତ୍ର ପ୍ରଚଳିତ ଥିଲା। ନେପାଳର କାଠମାଣ୍ଡୁରେ ମଧ୍ୟ ଭାଦ୍ର ଶୁକ୍ଳ ଦ୍ୱାଦଶୀ ଦିନ ଏହି ଇନ୍ଦ୍ରପୂଜା ବା ଇନ୍ଦ୍ରଧ୍ୱଜ ଉତ୍ତୋଳନ ପର୍ବ ଅନୁଷ୍ଠିତ ହୁଏ। ଓଡ଼ିଶାର ଦେଶୀୟ ରାଜ୍ୟମାନଙ୍କରେ ଏହା ଏକ ବଡ଼ ପର୍ବ ଭାବରେ ପାଳିତ ହେଉଥିଲା। ମୟୂରଭଞ୍ଜର ବହଳଦା, ସୁନ୍ଦରଗଡ଼ର ବଣାଇ, କୋରାପୁଟର ଜୟପୁର, ବୌଦ୍ଧର ବାମଣ୍ଡା ଓ କେନ୍ଦୁଝରରେ ଏବେ ବି କେତେକ ସ୍ଥାନୀୟ ଆଦିବାସୀ ଏହି ପର୍ବ ସହ ବିଶେଷ ଭାବରେ ସଂପୃକ୍ତ ହୋଇଥାନ୍ତି। ରାଜା, ମନ୍ତ୍ରୀ, ଓ ପ୍ରଜାମାନେ ମିଳିତ ଭାବେ ଏହି ଉତ୍ସବ ପାଳନ କରିଥାନ୍ତି।  
-ଅସିତ ମହାନ୍ତି