ସମଗ୍ର ପୃଥିବୀରେ ଅସଂଖ୍ୟ ଉଷ୍ଣପ୍ରସ୍ରବଣ ରହିଛି। ସେଗୁଡ଼ିକ ଯେପରି ଆଶ୍ଚର୍ଯ୍ୟଜନକ ସେହିପରି ଔଷଧୀୟ ଗୁଣ ସଂପନ୍ନ। ମାତ୍ର ଭାରତରେ ଥିବା କେତେକ ଉଷ୍ଣ ପ୍ରସ୍ରବଣ ଆପାତତଃ ଭାରତର ଧର୍ମ ଓ ସଂସ୍କୃତି ସହିତ ଗଭୀର ଭାବରେ ଜଡ଼ିତ। ସେଥି ମଧ୍ୟରୁ ହିମାଚଳ ପ୍ରଦେଶର ମନାଲିର ଅନତି ଦୂରରେ ବଶିଷ୍ଠ ଗ୍ରାମରେ ରହିଛି ଉଷ୍ଣଜଳପୂର୍ଣ୍ଣ ଏକ ଜଳାଶୟ; ଯାହା ବଶିଷ୍ଠ କୁଣ୍ଡ ଭାବରେ ପ୍ରସିଦ୍ଧ। ଚତୁର୍ପାର୍ଶ୍ବରେ ରହିଛି ବରଫାବୃତ ଗିରିଶୃଙ୍ଗ। ପାଇନ୍ବନ ଓ ସେଓ ବଗିଚା ମଧ୍ୟରେ ରହିଛି ଏହି ଉଷ୍ଣ ଜଳପୂର୍ଣ୍ଣ କୁଣ୍ଡ।
ମହର୍ଷି ବଶିଷ୍ଠ ବେଦପୁରାଣ ପ୍ରସିଦ୍ଧ ବ୍ରହ୍ମର୍ଷି। ସେ ଏକମାତ୍ର ପୁଣ୍ୟାତ୍ମା ଋଷି, ଯିଏ ପତ୍ନୀ ସହିତ ସପ୍ତର୍ଷି ମଣ୍ଡଳ ମଧ୍ୟରେ ଅବସ୍ଥିତ। ସେ ହିଁ ଏକମାତ୍ର ଋଷି, ସୂର୍ଯ୍ୟମଣ୍ଡଳରେ ପ୍ରବେଶ କରିବାର ଶକ୍ତି ଯାହାଙ୍କ ପାଖରେ ଥିଲା। ସୂର୍ଯ୍ୟକନ୍ୟା ତପତିଙ୍କୁ ଆଣି ସୂର୍ଯ୍ୟବଂଶୀ ରାଜା ସମ୍ବରଣଙ୍କ ସହିତ ସେ ବିବାହ ଦେଇଥିଲେ। ଭଗୀରଥ, ଦିଲୀପ ଓ ଦଶରଥ ଆଦିଙ୍କର ସେ ପର୍ଯ୍ୟାୟକ୍ରମେ କୁଳଗୁରୁ ହୋଇ ପରିଶେଷରେ ଭଗବାନ ରାମଚନ୍ଦ୍ରଙ୍କର ଶିକ୍ଷାଗୁରୁ ମଧ୍ୟ ହୋଇଥିଲେ। ଏହି ପରମଜ୍ଞାନୀ, କ୍ଷମାଶୀଳ, ସଚ୍ଚରିତ୍ର ତପସ୍ବୀଙ୍କୁ କିନ୍ତୁ ଜୀବନକାଳ ମଧ୍ୟରେ ଅନେକ ଦୁଃଖର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାଜା ବିଶ୍ବାମିତ୍ରଙ୍କ ଦ୍ବାରା ତାଙ୍କର ଶହେପୁତ୍ରଙ୍କର ବିନାଶ ଏବଂ ଆଶ୍ରମ ବିଧ୍ବସ୍ତ ହେଲା। ଫଳରେ ସେ ପୂର୍ବରୁ ସରସ୍ବତୀ ଭାବରେ ନାମିତ ବିପାଶା ନଦୀରେ ନିଜର ଜୀବନ ବିସର୍ଜନ କରିବାକୁ ଚାହିଁଥିଲେ। ବିପାଶା ତାହା ଅସ୍ବୀକାର କରିବାରୁ ସେ ତାହାର ତୀରରେ ଆଶ୍ରମ ନିର୍ମାଣ କରି, ପତ୍ନୀ ଅରୁନ୍ଧତୀ, ଧେନୁ ସୁରଭି ଓ ପୁତ୍ର ପରାଶରଙ୍କ ସହିତ ବାସ କରିବାକୁ ଲାଗିଲେ। ସେହି ଅଞ୍ଚଳ ଥିଲା ସଂପୂର୍ଣ୍ଣ ବରଫାବୃତ। ତେଣୁ ସ୍ବୟଂ ବିଷ୍ଣୁଙ୍କ ଆଦେଶରେ ପରବର୍ତ୍ତୀ କାଳରେ ଲକ୍ଷ୍ମଣ ଭାବରେ ଜନ୍ମ ଗ୍ରହଣ କରିଥିବା ଶେଷନାଗ ଶର ସନ୍ଧାନ କରି ଏକ ଉଷ୍ଣଜଳ ସଂପନ୍ନ କୁଣ୍ଡ ଭୂମିରୁ ଉତ୍ପନ୍ନ କରିଥିଲେ।
ବରଫାବୃତ ପର୍ବତ ମଝିରେ ଏହି ଉଷ୍ଣଜଳ ପ୍ରବାହକୁ ଏକ ପବିତ୍ର କୁଣ୍ଡ ଭାବରେ ଗ୍ରହଣ କରାଯାଏ। କାରଣ, ଏହା ସ୍ବୟଂ ଭଗବାନ ବିଷ୍ଣୁଙ୍କ ଦ୍ବାରା ସୃଷ୍ଟ। ମହର୍ଷି ବଶିଷ୍ଠଙ୍କର ନିର୍ମଳ ତପଶକ୍ତିର ପ୍ରଭାବ ମଧ୍ୟ ଏଥିରେ ରହିଛି। ଏହା ନିକଟରେ କାଠର ଯାଦୁକରୀ କଳାକୃତି ସଂପନ୍ନ ଏକ ମନ୍ଦିର ରହିଛି। ସେହି ମନ୍ଦିରରେ ମହାମୁନି ବଶିଷ୍ଠ ପୂଜିତ। ମନ୍ଦିର ମଧ୍ୟରେ ରାମ, ଲକ୍ଷ୍ମଣ, ଶିବ, ପାର୍ବତୀ ଓ ଦୁର୍ଗା ଆଦିଙ୍କର ପ୍ରତିମୂର୍ତ୍ତି ରହିଛି। ସେଠାରେ ଏକ ଯଜ୍ଞ କୁଣ୍ଡ ରହିଛି, ଯାହା ସର୍ବଦା ପ୍ରଜ୍ଜ୍ବଳିତ ହୋଇ ରହିଥାଏ। କୁହାଯାଏ, ଏହି ପ୍ରଜ୍ଜ୍ବଳିତ ହବନକୁଣ୍ଡ ମହର୍ଷି ବଶିଷ୍ଠ ସଂସାରକୁ ଦାନ କରିଥିବା ଜ୍ଞାନାଲୋକର ପ୍ରତୀକ। ଏଠାରେ ଏକ ପାଠାଗାର ରହିଛି, ଯେଉଁଠି ବେଦ, ପୁରାଣ, ସଂହିତା ଆଦି ସଂକଳିତ ହୋଇ ରହିଛି। ଅନେକ ସାଧୁସନ୍ଥ ଏଠାକୁ ଆସି ଯୋଗ ଓ ଅଧ୍ୟୟନ ଆଦି କରିଥାନ୍ତି। କୁହାଯାଏ, ଏହି ମନ୍ଦିରଟି ପ୍ରାୟ ୪୦୦୦ବର୍ଷ ତଳେ ନିର୍ମିତ। ତୀର୍ଥଯାତ୍ରୀମାନେ ଏଠାକୁ ଆସି ବଶିଷ୍ଠ କୁଣ୍ଡରେ ସ୍ନାନ କରି ଏହାର ପ୍ରାକୃତିକ େଶାଭା ଦର୍ଶନ କରିବା ସହିତ ମନ୍ଦିରରେ ପୂଜା ସଂପନ୍ନ କରିଥାନ୍ତି। ପ୍ରତ୍ୟେକବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ। ସେଠାରେ ହିମାଚଳ ପ୍ରଦେଶର ସ୍ବତନ୍ତ୍ର କୁଟୀରଶିଳ୍ପଜାତ ସାମଗ୍ରୀ ପ୍ରଦର୍ଶିତ ହୋଇଥାଏ। କଥିତ ଅଛି, ବଶିଷ୍ଠ କୁଣ୍ଡ ଜଳର ଔଷଧୀୟ ପ୍ରଭାବ ସର୍ବାଧିକ। ଏହି କୁଣ୍ଡରେ ସ୍ନାନ କଲେ ଅସ୍ଥି ଓ ଚର୍ମଜନିତ ରୋଗ ଦୂର ହୋଇଥାଏ। ଆରୋଗ୍ୟ ଲାଭ ନିମିତ୍ତ ମଧ୍ୟ ବହୁ ରୋଗୀ ଏଠାକୁ ଆସିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/07/6Ydqc8XyIMKu84nTwgYC.jpg)