ଶୀତଦିନ ଭ୍ରମଣ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କିନ୍ତୁ ଆମ ଦେଶରେ ଏଭଳି ଅନେକ ସ୍ଥାନ ଅଛି, ଯେଉଁଠାକୁ ବର୍ଷାଦିନେ ବୁଲିଯିବାର ମଜା ନିଆରା। ସେଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ପଶ୍ଚିମ ଘାଟ ପର୍ବତମାଳା ଅନ୍ତର୍ଗତ ମହାରାଷ୍ଟ୍ରର ମାଲ୍‌ଶେଜ୍‌ ଘାଟ।

Advertisment

ମାଲ୍‌ଶେଜ୍‌ ଘାଟରେ ବର୍ଷ ସାରା ଲାଗିଥାଏ ପର୍ଯ୍ୟଟକଙ୍କ ଗହଳିଚହଳି। କିନ୍ତୁ, ବର୍ଷାଋତୁରେ ପ୍ରକୃତି ସେଠି ପ୍ରାଣମୟ ହୋଇଉଠେ। ଜୁନ୍‌ରୁ ସେପ୍ଟେମ୍ବର୍‌ ପର୍ଯ୍ୟନ୍ତ ୪ ମାସ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋଲୋଭା। ବର୍ଷା ଅସରା ଖାଇ ପାହାଡ଼ ଓଦାହୁଏ ଏବଂ ଓଦା ମାଟିର ବାସ୍ନାରେ ପୂରା ଇଲାକା ମହକିଯାଏ। ବର୍ଷା ସ୍ପର୍ଶରେ ଗଛଲତାରେ ନାନା ରଙ୍ଗର ଫୁଲ ଫୁଟେ। ଜଳପ୍ରପାତଗୁଡ଼ିକ ଉଛୁଳି ଉଠନ୍ତି, ପାହାଡ଼ୀ ଝରଣାରେ ସ୍ରୋତର ବେଗ ବଢ଼ିଯାଏ। କ୍ଷଣ କ୍ଷଣକେ ପ୍ରକୃତି ବଦଳାଏ ରଙ୍ଗ। ପ୍ରକୃତିପ୍ରେମୀଙ୍କ ପାଇଁ ଏହାଠୁ ବଳି ଆଉ କ’ଣ ଆକର୍ଷଣ ଥାଇପାରେ!
ପୁଣି ସେଠାକାର ନିଘଞ୍ଚ ଅରଣ୍ୟରେ କଲରାପତ୍ରିଆ, ଇନ୍ଦ୍ରଧନୁ ଗୁଣ୍ଡୁଚି ଓ କୁଟରା ହରିଣଙ୍କ ସହ ଅନେକ ପ୍ରଜାତିର ପ୍ରଜାପତି, ସରୀସୃପ ଓ ଉଭୟଚର ପ୍ରାଣୀ ବି ବାସକରନ୍ତି।

ହରିଶ୍ଚନ୍ଦ୍ରଗଡ଼ ଦୁର୍ଗ
ଏଠାକାର ଐତିହାସିକ ଦୁର୍ଗ ହରିଶ୍ଚନ୍ଦ୍ରଗଡ଼ ଟ୍ରେକର୍‌ ଓ ଆଡ୍‌ଭେଞ୍ଚରର୍‌ମାନଙ୍କର ଅମରାବତୀ। ଅସମତଳ ଚଟାଣ, ପ୍ରାଚୀନ ଗୁମ୍ଫା ଓ ମନ୍ଦିର ନିମନ୍ତେ ଏ ଦୁର୍ଗ ପ୍ରସିଦ୍ଧ। ଏ ଦୁର୍ଗାଞ୍ଚଳର ଅନ୍ୟତମ ବିସ୍ମୟ ଉଦ୍ରେକକାରୀ ଦୃଶ୍ୟ ହେଉଛି କୋଙ୍କଣ କଡ଼ା ବା ଗୋଖର ଫଣା। ଉପରୁ ଓହଳି ରହିଥିବା ଏ ବିଶାଳ ଶିଳା ଚାରିପଟେ ଦିଶେ ଗୋଟାଏ ଅପୂର୍ବ ବଳୟାକାର ଇନ୍ଦ୍ରଧନୁ। ମନୋରମ ସୂର୍ଯ୍ୟାସ୍ତ ଓ ହୃଦୟସ୍ପର୍ଶୀ ପ୍ରାକୃତିକ ଦୃଶ୍ୟ ପାଇଁ ବି ଏ ସ୍ଥାନଟି ପ୍ରସିଦ୍ଧ।

ପିମ୍ପାଲଗାଓଁ ଯୋଗବନ୍ଧ
ପୁଷ୍ପାବତୀ ନଦୀ ଉପରେ ନିର୍ମିତ ପିମ୍ପାଲ୍‌ଗାଓଁ ଯୋଗବନ୍ଧ ଜଳଭଣ୍ଡାର ହେଉଛି ସେଠାକାର ଶ୍ୟାମଳିମା ପରିବେଷ୍ଟିତ ଅନ୍ୟତମ ସ୍ନିଗ୍ଧ ସ୍ଥାନ। ବିଶେଷକରି, ପ୍ରକୃତିପ୍ରେମୀ ଓ ପକ୍ଷୀପ୍ରେମୀଙ୍କ ପାଇଁ ଏଠାକାର ବର୍ଷାକାଳ ଅତି ଚମତ୍କାର। ଗୋଲାପୀ ଏରା, ସାରସ ଓ ପାଣିକୁଆ ସମେତ ଅନେକ ପ୍ରବାସୀ ପକ୍ଷୀ ଏଠାକୁ ଆସନ୍ତି। ଫଟୋ ଉତ୍ତୋଳନ ପାଇଁ ଏ ସ୍ଥାନଟି ଅତୀବ ଛବିଳ।

ଅଜୋବା ଦୁର୍ଗ
ପୌରାଣିକ ତାତ୍ପର୍ଯ୍ୟ ବହନ କରୁଥିବା ଅଜୋବା ପର୍ବତ ଦୁର୍ଗ ଟ୍ରେକିଙ୍ଗ୍‌ ପାଇଁ ବେଶ୍‌ ଜନପ୍ରିୟ। ପୁରାଣ କହେ, ରାମଙ୍କଠାରୁ ବିତାଡ଼ିତା ହୋଇ ଦେବୀ ସୀତା ଏହି ସ୍ଥାନରେ ଥିବା ବାଲ୍ମକୀ ଋଷିଙ୍କ ଆଶ୍ରମରେ ବାସକରୁଥିଲେ। ଏହି ପାହାଡ଼ରେ ଲବ-କୁଶ ଗୁହା ରହିଛି।

କୁକଡ଼େଶ୍ବର ମନ୍ଦିର
କୁକଡ଼ି ନଦୀ ନିକଟରେ ଅବସ୍ଥିତ ପ୍ରାଚୀନ କୁକଡ଼େଶ୍ବର ମନ୍ଦିର ମହାଦେବଙ୍କ ପ୍ରତି ସମର୍ପିତ। ୮୦୦ ବର୍ଷ ପୁରାତନ ଏ ମନ୍ଦିର ସୂକ୍ଷ୍ମ ପ୍ରସ୍ତର ଖୋଦେଇ, ଦେବ ପ୍ରତିମା ଓ ସ୍ଥାପତ୍ୟ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଅପେକ୍ଷାକୃତ ନିଭୃତାଞ୍ଚଳରେ ଥିଲେ ବି ଭକ୍ତ ଓ ଇତିହାସ ଅନୁରାଗୀମାନେ ସେଠାକାର ଶାନ୍ତ ବାତାବରଣ ଓ ଆଧ୍ୟାତ୍ମିକ ସତ୍ତାରେ ଅଭିଭୂତ ହୋଇପଡ଼ନ୍ତି।

ମାଲ୍‌ଶେଜ୍‌ ଘାଟ ଜଳପ୍ରପାତ
ବର୍ଷାକାଳରେ ଜୀବନ୍ୟାସ ପାଉଥିବା ଅସଂଖ୍ୟ ଋତୁକାଳୀନ ଜଳପ୍ରପାତ ପାଇଁ ବି ମାଲ୍‌ଶେଜ୍‌ ଘାଟ ବିଶେଷ ବିଦିତ। ପଥୁରିଆ ଶିଳା ତୀଖରୁ ତଳକୁ ବହି ଆସୁଥିବା ଏହି ନିର୍ଝର ସବୁ ବାସ୍ତବରେ କୁହୁକୀୟ ବାତାବରଣ ସୃଷ୍ଟି କରନ୍ତି। କେତେକ ଜଳପ୍ରପାତ ନିକଟକୁ ସଡ଼କ ପଥରେ ଯାଇହେଉଥିବା ବେଳେ ଆଉ କେତେକ ଜଳପ୍ରପାତ ନିକଟରେ ପହଞ୍ଚିବାକୁ ପାହାଡ଼ ଚଢ଼ିବାକୁ ପଡ଼େ।

କେମିତି ଯିବେ: ମୁମ୍ବାଇ ଓ ପୁଣେ ଭଳି ମହାରାଷ୍ଟ୍ରର ପ୍ରମୁଖ ସହରରୁ ସଡ଼କ ପଥରେ ରାଜ୍ୟ ପରିବହନ ଓ ଘରୋଇ ବସ୍‌ରେ ମାଲ୍‌ଶେଜ୍‌ ଘାଟ ଯାଇହେବ। ମୁମ୍ବାଇରୁ ଏହାର ଦୂରତା ୧୩୦ ଓ ପୁଣେରୁ ୧୨୦ କିଲୋମିଟର୍। ୮୫ କିଲୋମିଟର୍‌ ଦୂରରେ ଥିବା କଲ୍ୟାଣରୁ ବି ଟ୍ରେନ୍‌, ଟ୍ୟାକ୍ସି ଅଥବା ବସ୍‌ ଯୋଗେ ସେଠାକୁ ଯାଇହେବ। ସେଠାରୁ ପୁଣେ ଆନ୍ତର୍ଜାତିକ ବିମାନବନ୍ଦରର ଦୂରତ୍ବ ପ୍ରାୟ ୧୨୦ କିଲୋମିଟର୍‌। ସେଠାରେ ଅବତରଣ କରି ପର୍ଯ୍ୟଟକମାନେ ଟ୍ୟାକ୍ସି ବା ବସ୍‌ ଧରି ମାଲ୍‌ଶେଜ୍‌ ଘାଟ ଯାଇପାରିବେ। 

ରହଣି: ରହଣି ନିମନ୍ତେ ମାଲ୍‌ଶେଜ୍‌ ଘାଟ ଆଖପାଖରେ ଅନେକ ହୋଟେଲ୍‌ ଓ ରିସର୍ଟ ରହିଛି। ନିଜ ନିଜ ବଜେଟ୍‌କୁ ଚାହିଁ ପର୍ଯ୍ୟଟକମାନେ ଉପଯୁକ୍ତ ରହଣିସ୍ଥଳ ବୁକିଙ୍ଗ୍‌ କରିପାରିବେ।