ରାୟପୁର: ଛତିଶଗଡ଼ର ବିଳାସପୁର ଜିଲ୍ଲା ହସ୍‌ପିଟାଲରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏଠାରେ ୨୭ବର୍ଷର ଜଣେ ମହିଳା ୫.୩ କେଜି ଓଜନର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାହା ପୁଣି ସାଧାରଣ ପ୍ରସବ ଜରିଆରେ। ଜିଲ୍ଲା ହସ୍‌ପିଟାଲ ଡାକ୍ତରଙ୍କ ଦାବି ହେଉଛି, ଏହି ଶିଶୁ ରାଜ୍ୟରେ ନର୍ମାଲ ଡେଲିଭରି ହୋଇ ଜନ୍ମ ନେଇଥିବା ସବୁଠାରୁ ଓଜନିଆ ଶିଶୁ। ପ୍ରସବ ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

Advertisment

ବିଳାସପୁର ମଲହାର ଅଞ୍ଚଳରେ ଚାକରଖେଡା ଗ୍ରାମରେ ଜଣେ ମହିଳା ହେମଲତା ବନ୍‌ଜାରେଙ୍କ ତିନିଟି ଝିଅ ଅଛନ୍ତି। ତାଙ୍କ ସ୍ୱାମୀ ଦିନ ମଜୁରିଆ ଭାବେ କାମ କରନ୍ତି। ହସ୍‌ପିଟାଲର ଗାଇନାକୋଲଜିଷ୍ଟ ଡାକ୍ତର ନିଲେଶ ଠାକୁରଙ୍କ କହିବାନୁସାରେ, ସାଧାରଣତଃ ନବଜାତ ଶିଶୁର ଓଜନ ୨.୫ରୁ ୩.୫କିଲୋ ମଧ୍ୟରେ ହୋଇଥାଏ। କିନ୍ତୁ ଏଭଳି ମାମଲା ବହୁତ ଦୁର୍ଲଭ ଦେଖିବାକୁ ମିଳିଥାଏ। ଡାକ୍ତରି ଜୀବନରେ ଯେତିକି ଶିଶୁର ଜନ୍ମ କରାଯାଇଛି, ଏହା ସବୁଠାରୁ ଅଧିକ ଓଜନିଆ ଶିଶୁ ବୋଲି ଡାକ୍ତର କହିଥିଲେ। ସାଧାରଣତଃ ଅଧିକ ଓଜନିଆ ଶିଶୁ ମଧୁମେହର ଶିକାର ହୋଇ ଥାଆନ୍ତି, କିନ୍ତୁ ଏହି ମାମଲାର ତାହାର ସମ୍ଭାବନା ବି ନାହିଁ।

publive-image

ଡାକ୍ତରଙ୍କ କହିବାନୁସାରେ, ହେମଲତାଙ୍କ ପ୍ରଥମେ ନର୍ମାଲ ଡେଲିଭରି ହୋଇଥିଲା, ଏଥିପାଇଁ ଏଇଥର ବି ନର୍ମାଲ ଡେଲିଭରିର ନିଷ୍ପତ୍ତି ନିଆଯାଇଥିଲା। ଲେବର ପେନ୍‌ର ଏକଘଣ୍ଟା ଭିତରେ ଶିଶୁଟି ଜନ୍ମ ନେଇଥିଲା। ହେମଲତାଙ୍କ କହିବାନୁସାରେ ଅନ୍ତସତ୍ତ୍ୱା ଥିବା ସମୟରେ ସେ କାମ କରିବା ବନ୍ଦ କରି ନଥିଲେ ଓ ପ୍ରଚୁର ଡାଳିମ୍ବ ଖାଇଥିଲେ।