ବିଶ୍ୱରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ହିସାବ ଅନୁଯାୟୀ, ଭାରତରେ ପ୍ରାୟ ୭୭ ନିୟୁତ ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ୨୫ ନିୟୁତ ପ୍ରାକ୍-ମଧୁମେହ ଆକ୍ରାନ୍ତ ଅଛନ୍ତି। ସାରା ପୃଥିବୀର ମଧୁମେହ ରୋଗୀଙ୍କ ମଧ୍ୟରୁ ୧୭% ଅଛନ୍ତି ଭାରତରେ। ଏହା ହିଁ ଭାରତରେ ମଧୁମେହର ବିସ୍ତାରକୁ ସୂଚିତ କରେ। ଭାରତରେ ଥିବା ମଧୁମେହ ରୋଗୀଙ୍କ ମଧ୍ୟରୁ ୯୦-୯୫% ଟାଇପ୍-୨ ମଧୁମେହ ରୋଗରେ ଆକ୍ରାନ୍ତ, ଯାହା ପାଶ୍ଚାତ୍ୟ ଦେଶମାନଙ୍କରେ ଥିବା ଟାଇପ୍-୧ ମଧୁମେହ ତୁଳନାରେ ଅତି କମ୍। ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାର ଏକ ପ୍ରମୁଖ କାରଣ ହେଉଛି ଅଧାରୁ ଅଧିକ ପୀଡ଼ିତ ନିଜ ଅବସ୍ଥା ବିଷୟରେ ସଚେତନ ନୁହନ୍ତି। ଅର୍ଥାତ୍ ମଧୁମେହରେ ଆକ୍ରାନ୍ତ ହେବା ପୂର୍ବରୁ ଏହି ରୋଗର ଲକ୍ଷଣ ସଂପର୍କରେ ସେମାନେ ସଚେତନ ନଥାନ୍ତି। ଆଉ ଥରେ ମଧୁମେହ ମାଡ଼ିବସିବା ପରେ ହୃଦ୍ଘାତ, ମସ୍ତିଷ୍କଘାତ, ବୃକ୍କ ଅଚଳ ଓ ଅନ୍ଧତ୍ୱ ସମେତ ଅନେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ୨୦୪୫ ସୁଦ୍ଧା ଭାରତରେ ମଧୁମେହ ରୋଗୀ ସଂଖ୍ୟା ୧୩୪ ନିୟୁତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଛି। ତେବେ ମଧୁମେହକୁ ନିୟନ୍ତ୍ରଣରେ ରଖିବା ଲାଗି ଖାଦ୍ୟପାନୀୟ ଗ୍ରହଣରେ ସାବଧାନତା ଓ ଶାରୀରିକ ଶ୍ରମକୁ ଜୀବନଚର୍ଯ୍ୟାରେ ସାମିଲ କରିବାକୁ ପଡ଼ିଥାଏ। ନିୟମିତ ବ୍ୟାୟାମ, ଚାଲିବା ଓ ଅଧିକ ଶର୍କରା ଜାତୀୟ ଖାଦ୍ୟ ଗ୍ରହଣ ନକରିବା ଦ୍ବାରା ପ୍ରାକ୍-ମଧୁମେହ ବା ମଧୁମେହରେ ପୀଡ଼ିତ ହେବାର ଆଶଙ୍କା ହ୍ରାସ କରିବା ସମ୍ଭବ।
କେହି କେହି ମଧୁମେହକୁ ‘ନୀରବ ଘାତକ’ ବୋଲି ଆଖ୍ୟା ଦେଇଥାଆନ୍ତି। ମଧୁମେହ ଆକ୍ରାନ୍ତଙ୍କ ଶରୀରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଥିବାରୁ ଏପରି କୁହାଯାଇଥାଏ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ଲାଗି ଏହା ଏକ ବୃହତ୍ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଣୁ ମଧୁମେହ ନେଇ ସଚେତନତା ସୃଷ୍ଟିଲାଗି ପ୍ରତିବର୍ଷ ନଭେମ୍ବର ୧୪ରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଉଛି। ୨୦୨୪-୨୦୨୬ ବର୍ଷ ପାଇଁ ମଧୁମେହ ଦିବସର ଥିମ୍ ବା ପ୍ରସଙ୍ଗ ରଖାଯାଇଛି ‘ମଧୁମେହ ଓ ସୁସ୍ଥତା’। ମଧୁମେହ ଚିକିତ୍ସାରେ ସୁସ୍ଥତା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କୁ ସେମାନଙ୍କ ରୋଗର ସ୍ଥିତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଏହି ପ୍ରସଙ୍ଗର ଉଦ୍ଦେଶ୍ୟ।
ବିଶ୍ୱ ମଧୁମେହ ଦିବସକୁ ସମର୍ଥନ ଦେବାକୁ କିଛି ଉପାୟ ଅବଲମ୍ବନ ଲାଗି ଆହ୍ବାନ ଦିଆଯାଇଛି। ପ୍ରଥମତଃ ନୀଳ ପୋଷାକ ପିନ୍ଧିବାକୁ ଅନୁରୋଧ କରାଯାଇଛି। କାରଣ ମଧୁମେହ ସଚେତନତାର ପ୍ରତୀକାତ୍ମକ ରଙ୍ଗ ହେଉଛି ନୀଳ। ନୀଳ ରଙ୍ଗର ପୋଷାକପତ୍ର ପରିଧାନ କରି ଆପଣ ସମର୍ଥନ ପ୍ରଦର୍ଶନ କରିପାରିବେ। ଏଥିସହ ମଧୁମେହ ସଂପର୍କରେ ସଚେତନତା ସୃଷ୍ଟି ଲାଗି ମଧୁମେହ, ତଜ୍ଜନିତ ବିପଦ ଓ ସୁସ୍ଥ ଜୀବନଚର୍ଯ୍ୟାର ଗୁରୁତ୍ୱ ବିଷୟରେ ମିଳୁଥିବା ସୂଚନା ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁହାଯାଇଛି। ବିଶ୍ବ ମଧୁମେହ ଦିବସ ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ତ୍ତା ହେଲା, ଯଦି ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ରହିଛି, ତେବେ ଆଗୁଆ ନିରୂପଣ ଓ ପ୍ରତିରୋଧ ପାଇଁ ପରୀକ୍ଷା କରାଇନେବା ବିଷୟରେ ବିଚାର କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/13/jvHOcJ9uhjdIpVRkzToR.jpg)