ମୁମ୍ବାଇ: ସଫଳତା ଫୁଲ ଶେଜରେ ଶୋଇ ହାସଲ କରିବା ପରି ଏକ ସାମଗ୍ରୀ ନୁହେଁ। ତାକୁ ହାସଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ହୁଏ। ଲୁହ, ଲହୁକୁ ଏକାଠି କରିବାକୁ ପଡ଼େ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଜୀବନ ସହ ସଂଘର୍ଷ କରି ବିନା ବାପାରେ ମାଆ ଦ୍ବାରା ଲାଳିତପାଳିତ ହୋଇଥିବା ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ରାଜେନ୍ଦ୍ର ଭାରୁଦ।
୧୯୮୮ ମସିହା ଜାନୁଆରି ୭ ତାରିଖରେ ଜନ୍ମଲାଭ କରିିଥିବା ଭାରୁଦ ପେଟରେ ଥିବା ଅବସ୍ଥାରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା। ଜନ୍ମପରେ ନିଜ ପିତାଙ୍କୁ ଥରୁଟିଏ ବି ଦେଖି ନଥିବା ଭାରୁଦଙ୍କୁ ସଫଳତା ଏତେ ସହଜରେ ମିଳିଯାଇ ନଥିଲା, ତା ପାଇଁ ତାଙ୍କୁ ହଜାର ପରୀକ୍ଷାର ସାମ୍ନା କରିବାକୁ ପଡ଼ିଥିଲା।
ରାଜେନ୍ଦ୍ର ଦଶକ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଶିକ୍ଷକମାନେ ଅନୁଭବ କଲେ ଯେ ସେ ଜଣେ ମେଧାବୀ ଛାତ୍ର ଏବଂ ତାଙ୍କ ମାତାଙ୍କୁ ଜଣାଇଲେ ତାଙ୍କୁ ଉଚ୍ଚ ଶିକ୍ଷା ଦେବା ନିହାତି ଆବଶ୍ୟକ। ସେତେବେଳେ ତାଙ୍କ ମା ମଦ ବ୍ୟବସାୟ କରୁଥିଲେ। ରାଜେନ୍ଦ୍ର ଗାଁଠାରୁ ୧୫୦ କିଲୋମିଟର ଦୂରରେ ଥିବା ସିବିଏସ୍ଇ ବୋର୍ଡର ଜବାହାର ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଲେ। ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ମେଧାବୀ ଛାତ୍ରମାନଙ୍କୁ ମାଗଣା ଆବାସ, ଏବଂ ଶିକ୍ଷା ପ୍ରଦାନ କରାଯାଉଥିଲା।
ନବୋଦୟ ବିଦ୍ୟାଳୟ ରାଜେନ୍ଦ୍ରଙ୍କ ସମୟ ଓ ତାଙ୍କ ଜୀବନ ବଦଳାଇ ଦେଇଥିଲା। ଏଠାରେ ସେ ଗଣିତ ଏବଂ ବିଜ୍ଞାନ ପ୍ରତି ବିଶେଷ ଆଗ୍ରହ ଦେଖାଇଥିଲେ। ସେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ଥିଲେ। ଦଶମ ବୋର୍ଡ ପରୀକ୍ଷାରେ ସେ ଉଭୟ ବିଷୟରେ ସର୍ବାଧିକ ନମ୍ବର ରଖିଥିଲେ। ଫଳସ୍ୱରୂପ, ସେ ମୁମ୍ବାଇର ସେଥ୍ ଜିଏସ୍ ମେଡିକାଲ୍ କଲେଜରେ ମେରିଟ୍ ସ୍କଲାରସିପ୍ରେ ଆଡମିଶନ ପାଇଗଲେ।
ସେତିକିରେ ବି ସରିି ନଥିଲା ପାଠ ପଢ଼ିବାର ନିଶା। ଏମ୍ବିବିଏସ୍ ପାଠ ପଢ଼ି ମଧ୍ୟ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ରାଜେନ୍ଦ୍ର। ଏମ୍ବିବିଏସ୍ର ଶେଷ ବର୍ଷ ପରୀକ୍ଷା ଦେବା ସହ ସେ ୟୁପିଏସ୍ସି ପରୀକ୍ଷା ମଧ୍ୟ ଦେଇଥିଲେ ଓ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହେଲେ। ରାଜେନ୍ଦ୍ର ଘରକୁ ଯିବା ପରେ ତାଙ୍କ ମାଆ ତାଙ୍କୁ ଜଣେ ଡକ୍ଟର ବୋଲି ଭାବୁଥିଲେ। ମାତ୍ର ପରୀକ୍ଷା ଫଳ ବାହାରିବା ପରେ ସେ ମାଆଙ୍କୁ କହିଥିଲେ କି ସେ ‘କଲେକ୍ଟର‘ ହେବାକୁ ଯାଉଛନ୍ତି। ତାଙ୍କ ମାଆ ପ୍ରଥମେ ବୁଝିପାରିଲେ ନାହିଁ। ରାଜେନ୍ଦ୍ର ହସି କରି କହନ୍ତି ଯେ ଏପରିିକି ଗାଁର କିଛି ଲୋକ ସେ ‘କଣ୍ଡକ୍ଟର’ ହୋଇଛନ୍ତି ବୋଲି ଭାବି ତାଙ୍କୁ ଶୁଭେଚ୍ଛା ଦେଇଥିଲେ।
ନିଜ ସଫଳତାକୁ ନେଇ ଭାରୁଦ କହନ୍ତି, ‘ଜୀବନରେ ତୁମର ପରିସ୍ଥିତିକୁ ନେଇ କେବେ ଉଦାସ ଅନୁଭବ କର ନାହିଁ। କେବଳ ସମସ୍ୟା ବିଷୟରେ ଚିନ୍ତା କରନ୍ତୁ ନାହିଁ। ସମାଧାନ ବିଷୟରେ ଚିନ୍ତା କରନ୍ତୁୁ, ଏବଂ କିପରି ସମସ୍ୟାର ସମାଧାନ ହୋଇପାରିବ ସେ ବିଷୟରେ ଚିନ୍ତା କରନ୍ତୁ। ତାହା ଆପଣଙ୍କୁ ଶକ୍ତିଶାଳୀ କରିବ। ଆଗକୁ ଯିବାକୁ ବା ସଫଳ ହେବା ପାଇଁ ଏହା ହେଉଛି ଏକମାତ୍ର ଉପାୟ।’ ସେ ଆହୁରି ବି କହନ୍ତି, ‘ମୋ ପରିବାର ଏତେ ଗରିବ ଥିଲା ଯେ ମୋତେ ସଫଳତା ପୂର୍ବରୁ ତାଙ୍କ ଗୋଟିଏ ଫଟୋ ଉଠାଇବାକୁ ବି ଆମେ ସକ୍ଷମ ହୋଇନଥିଲୁ। ଜନ୍ମରୁ ଆମେ ଦାରିଦ୍ର୍ୟ ସହ ବଞ୍ଚିଛୁ।’