ଏଥର ପିଜା ନୁହେଁ ପୋଡ଼ପିଠା ଖାଇବା, ଲିପ୍‌ଷ୍ଟିକ୍‌ ନୁହେଁ ପାନଖାଇ ଓଠ ରଙ୍ଗେଇବା, ନେଲ୍‌ପଲିସ୍ ନୁହେଁ ଅଳତାରେ ପାଦ ସଜାଇବା, ସାବୁନ ନୁହେଁ ହଳଦୀ ଓ ଚନ୍ଦନକୁ ଆଉଥରେ ଖୋଜିବା, ପ୍ଲାଷ୍ଟିକ୍ ଝୁଲା ଛାଡ଼ି ସାଙ୍ଗମେଳରେ ଦୋଳି ଖେଳିବା! ଆଉ ତେବେ ଡେରି କାହିଁକି, ଦାଣ୍ଡ ଦୁଆର ଠକ୍ ଠକ୍ କଲାଣି ପହିଲି ରଜ- ବଉଳ ଲୋ, ଆ’ କରିବା ରଜ ମଉଜ...

Advertisment

ଦୋଳି ଗୀତ

‘‘ରଜ ସଜବାଜ ମଉଜ ସରିଗଲାରେ
ଝିପିଝିପି ମେଘ ସବୁ ସାରିଦେଲାରେ’’
‘‘ଉଠିଲା ବାଉଁଶ ଗଜା
ପରବ ଭିତରେ ରଜ ତ ରଜାଲୋ
ଆସ ମନେଇବା ମଜା’’
‘‘ଚାଳେ ଚାଳେ ଗଲା
ଚାଳୁଆ ମୂଷା
କୋେଉ ଚାଳେ କଲା ବସା
ନନାଙ୍କ କାନ୍ଧରେ ନାଲି ଗାମୁଛା
ଠାଏ ଠାଏ ପରଶଂସା’’
‘‘ଜଡ଼ାଖୁଣ୍ଟ ରଟମଟ
ପହଞ୍ଚିଲା ଭାଇ ରଜ ନିକଟ, ଗଢ଼ିଦିଅ ଦୋଳିଖୁଣ୍ଟ’’
‘‘ଜଡ଼ାତେଲ ବଡ଼ ଅଠା
ଥିରି ଥିରି କରି ଲିଭା ବଇଠା, ପାଳଧୂଆ ଦୋଳି ପଟା’’
‘‘ଜଡ଼ିପତ୍ର ଖସ ଖସ
ମୁହଁକୁ ପଡ଼ିଛି ବେଳ ତରାସ, ହସି ହସି କୋଳେ ବସ’’
‘‘ଜଡ଼ିପତ୍ର ସଲ ସଲ
ବାସନା ଅତର ଫୁଲୁରି ତେଲ’’
‘‘ଜହ୍ନ ଆସେ ଘନଘନ
ନିଅ ଏବେ ତୁମେ ବିଡ଼ିଆ ପାନ
ବିଡ଼ିଆ ପାନ ଗୋ
ମୋହିଲ ମୋହରି ମନ’’

ରଜପାନ

publive-image OrissaPOST

ଆମ ବଡ଼ଠାକୁର ପାନ ଖାଆନ୍ତି। ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି। ରଜରେ ମିଠା ବା ବିଡ଼ିଆ ପାନ ଖାଇବା ଆମର ଏକ ପୁରୁଣା ଅଭ୍ୟାସ। ନୂଆଲୁଗା ପିନ୍ଧି, ପିଠାପଣା ଖାଇ, ଦୋଳି ଖେଳିବା ପରି ପାନ ଖାଇବା ଓ ଖୁଆଇବା କୁଆଁରି ଝିଅମାନଙ୍କ ମନରେ ଆନନ୍ଦ ଭରିଦେବାର ଏକ ମିଠା ପରମ୍ପରା। ରଜପାନରେ ଚୂନ, ଗୁଆ, ଅଳେଇଚ, ଧନିଆ ଭଜା, ପିପରମେଣ୍ଟ, ପାନମହୁରୀ, କେଶର, ଖଇର, ଜାଫ୍ରାନ୍, ଚୁଆ, ଚେରୀ, ଲବଙ୍ଗ, କବାବ୍ ଚିନି, ନଡ଼ିଆ ଖଣ୍ଡ, ଚମନ୍ବାହାର୍ ଓ ବିଭିନ୍ନ ପ୍ରକାର ମିଠା ଓ ସୁବାସିତ ମସଲା ଦେଇ ତିଆରି ହୁଏ। ସାଧାରଣ ଦିନଠାରୁ ରଜ ପାନ ଭାଙ୍ଗିବା ବି ନିଆରା। ତିନିକୋଣିଆ, ଚାରିକୋଣିଆ କରି ପାନ ବନେଇ ଉପରେ ଲବଙ୍ଗ, ଚେରୀ କି ସିଲ୍ଭର୍ ଫଏଲ୍ ଦେଇ ଅଧିକ ସୁନ୍ଦର ବନାଯାଏ। ଦର ବି ବଢ଼ିଯାଏ ରଜରେ। ଆଜିକାଲି ତ ସୁନ୍ଦର, ସୁଦୃଶ୍ୟ ମିଠାପାନଟିଏ ଶହେ ଟଙ୍କାରୁ ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଦେଇ ଲୋକେ କିଣିବାକୁ ପଛାଉ ନାହାନ୍ତି।