ଏଥର ପିଜା ନୁହେଁ ପୋଡ଼ପିଠା ଖାଇବା, ଲିପ୍ଷ୍ଟିକ୍ ନୁହେଁ ପାନଖାଇ ଓଠ ରଙ୍ଗେଇବା, ନେଲ୍ପଲିସ୍ ନୁହେଁ ଅଳତାରେ ପାଦ ସଜାଇବା, ସାବୁନ ନୁହେଁ ହଳଦୀ ଓ ଚନ୍ଦନକୁ ଆଉଥରେ ଖୋଜିବା, ପ୍ଲାଷ୍ଟିକ୍ ଝୁଲା ଛାଡ଼ି ସାଙ୍ଗମେଳରେ ଦୋଳି ଖେଳିବା! ଆଉ ତେବେ ଡେରି କାହିଁକି, ଦାଣ୍ଡ ଦୁଆର ଠକ୍ ଠକ୍ କଲାଣି ପହିଲି ରଜ- ବଉଳ ଲୋ, ଆ’ କରିବା ରଜ ମଉଜ...
‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ, ଘେନି ନୂଆ ସଜବାଜ।
ଅଣସର ଗୁଳୁଗୁଳି, ଏ ବରଷ ବସି ଖେଳୁଥା ଦୋଳି
ଖେଳୁଥା ଦୋଳି ଲୋ, ମନେ ଥିବ ଦୁଇଓଳି।’
ଶୁଭୁଚି ଦୋଳିଗୀତ, ଆସିଚି ରଜ, ମାଟି ହେଇଚି ଋତୁମତୀ, ଶସ୍ୟସମ୍ଭବା। ଆସନ୍ନ ଫସଲ ଋତୁ ପୂର୍ବରୁ ମାଟିର ‘ଋତୁସ୍ନାନ’ କଳ୍ପନା ଓଡ଼ିଆ ଜାତିର ନିଜସ୍ବ। ଘରର ଝିଅଟିଏ ଋତୁମତୀ ହେଲେ ଯେପରି କିଛି ପରିବାରରେ ଉତ୍ସବ, ଅନୁଷ୍ଠାନ ପାଳିତ ହୁଏ, ସେପରି ମାଟିକୁ ମାତା ଭାବରେ, ନାରୀ ଭାବରେ, କନ୍ୟା ଭାବରେ ଦେଖନ୍ତି ଓଡ଼ିଆମାନେ। ତେଣୁ ମିଥୁନ ସଂକ୍ରାନ୍ତି ଦିନଟିକୁ ରଜ ସଂକ୍ରାନ୍ତି ଭାବରେ ପାଳନ କରନ୍ତି। ‘ମିଥୁନ’ ଶବ୍ଦର ଅର୍ଥ ମିଳନ। ପହିଲି ବର୍ଷା ଟୋପା ସହ ରଜସ୍ବଳା ହୁଏ ମାଟି... ୟା ପରେ ଆକାଶରେ ଆସେ ତୁହାକୁ ତୁହା ବର୍ଷା। ନୂଆ ଫସଲରେ ସବୁଜ ଦିଶେ ପୃଥିବୀ। ତା ପୂର୍ବରୁ ମାଟିକୁ ଟିକେ ବିଶ୍ରାମ ଦିଏ ଓଡ଼ିଆ କୃଷକ। ମାଟିର ଉର୍ବରା ଶକ୍ତିକୁ ପ୍ରଣାମ ଜଣାଇ ପାଳେ ଚାରି ଦିନର ରଜ ଉତ୍ସବ।
ରଜ ସଂକ୍ରାନ୍ତିର ପୂର୍ବ ଦିନଟି ପହିଲି ରଜ ଓ ପରଦିନଟି ଭୂଇଁ ଦଅଣ (ଦହନ), ଚତୁର୍ଥ ଦିନଟି ବସୁମତୀ ସ୍ନାନ ଭାବରେ ପୁରପଲ୍ଲୀରେ ପରିଚିତ। ପହିଲି ରଜର ପୂର୍ବ ଦିନ ‘ସଜବାଜ’ର ଦିନ। ଏହି ଦିନ ବିରିଚାଉଳ ବତୁରାଇ ବାଟିବା, ଚୂନା କୁଟିବା, ଚାରିଦିନ ଯାକ ପିନ୍ଧିବା ଲାଗି ଭଳିକି ଭଳି ନୂଆ ଲୁଗାପଟା, ଅଳତା, ସିନ୍ଦୂର, ମାଳି, ଟିକିଲି, ଗହଣା ସଜାଡ଼ି ରଖିବା, ପାନବଟାରେ କଟାଗୁଆ, ମିଠା ମସଲା ସଜାଡ଼ିବା, ଦୋଳି ବାନ୍ଧିବା ଆଦି କାର୍ଯ୍ୟ ଚାଲେ। ରଜ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ବିଳାସର ଦିନ ହୋଇଥିଲେ ହେଁ ଭାଇମାନେ, ପୁଅମାନେ ବି ବେଶ୍ କିଛି ଆଗୁଆ ଆୟୋଜନ କରିଥାଆନ୍ତି। ଦୋଳି ବାନ୍ଧିବା, ଆମ୍ବପଣସ, ଜାମୁ, ଲିଚୁ ପରି ଫଳ, କୋଳିମାନ ତୋଳିଆଣି ଭଉଣୀ, ଭାଉଜଙ୍କୁ ଦେବା ଆଦି ସେମାନଙ୍କ କାମ। ଏଇ ଚାରି ଦିନ ରନ୍ଧାବଢ଼ା କାମ ବି କିଛି କିଛି ରକ୍ଷଣଶୀଳ ପରିବାରରେ ପୁଅମାନେ କରନ୍ତି।
/sambad/media/post_attachments/wp-content/uploads/2023/06/24-8-300x263.jpg)
ପହିଲି ରଜ ଦିନ ସକାଳୁ ପ୍ରସ୍ତୁତ ହୋଇଥାଏ ଗୁଡ଼-ନଡ଼ିଆ ମିଶା ମସଲା ସହ ପୋଡ଼ପିଠା। ଏଇ ପିଠାଟି ଚାଉଳ ଅଳିରେ ପ୍ରସ୍ତୁତ ହୁଏ। ପ୍ରଭୁ ଜଗନ୍ନାଥ କୁଆଡ଼େ ଖୁବ୍ ଭଲ ପାଆନ୍ତି ଏଇ ପିଠାଟିକୁ। ଏହା ବ୍ୟତୀତ ମଣ୍ଡା, କାକରା, ଚକୁଳି, ଚୁଞ୍ଚିପତର, ଏଣ୍ଡୁରି, ଚିତଉ, ଆରିଶା ପରି ନିପଟ ଓଡ଼ିଆ ପିଠାମାନ ପ୍ରସ୍ତୁତ ହୁଏ। ଓଡ଼ିଆଙ୍କ ପ୍ରିୟ ଘାଣ୍ଟ ତରକାରୀ, ଘୁଗୁନି, ଆଳୁଦମ୍ ସହ ପହିଲି ରଜରେ ଖାସିମାଂସର ଝୋଳ ତିଆରି କରନ୍ତି ସ୍ବୟଂ ଗୃହକର୍ତ୍ତାମାନେ। ଗୃହିଣୀ ଓ ଝିଅମାନେ ବେଶବାସ ହୋଇ ଅଳତା, କୁଙ୍କୁମ ଲଗେଇ ଦୋଳିରେ ଝୁଲୁଥାନ୍ତି। ରଜଦୋଳି ଗୀତ ଓଡ଼ିଆଙ୍କ ସାଂସ୍କୃତିକ ବିଭବର ବଖାଣ କରେ। ଲୋକମୁଖରୁ ଲୋକମୁଖକୁ ପ୍ରସାରିତ ଏଇ ଶ୍ରୁତିମଧୁର ଗୀତଗୁଡ଼ିକ ଭାବ ଛଳଛଳ ଓ ଆତ୍ମୀୟପଣରେ ଝରସର ହୋଇଥାଏ।
ରଜସଂକ୍ରାନ୍ତି ଦିନ ଆମିଷ ହୁଏନାହିଁ। ନାନାଜାତି ପିଠାପଣା ଓ କ୍ଷୀରି ତିଆରି ହୁଏ। ଝିଅ, ଝିଆରୀଙ୍କୁ ଡାକି ଭୁରିଭୋଜନରେ ଆପ୍ୟାୟିତ କରାହୁଏ। ପୁଅମାନେ ଗାଁଗଣ୍ଡାରେ କବାଡ଼ି, ଖୋଖୋ ଖେଳରେ ମାତିଥାଆନ୍ତି। ତେଣେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପତ୍ନୀ ଭୂଦେବୀଙ୍କୁ ସ୍ବତନ୍ତ୍ର ପୂଜା କରାଯାଏ। ସଂକ୍ରାନ୍ତି ପରଦିନ ଭୂଇଁଦଅଣ। ଏହି ଦିନରେ ଭୂଇଁ ଉପରେ ଖାଲି ପାଦରେ ଝିଅଙ୍କୁ ଚାଲିବା ମନା। କଦଳୀ ପଟୁକା ଅବା ଗୁଆ ଖୋଳପାରେ ଚପଲ ତିଆରି କରାଯାଉଥିଲା ପୂର୍ବକାଳରେ। ଏବେ ଭଲିକିଭଳି ନୂଆ ଜୋତା, ଚପଲ ପିନ୍ଧନ୍ତି ଝିଅମାନେ। ବୁଢ଼ାଚକୁଳି, ଗୁଡ଼ ଦେଇ ଠାକୁର ପୂଜା ହୁଏ।
Knowledgesharingଚତୁର୍ଥ ଦିନଟି ବସୁମତୀ ସ୍ନାନ। ଏହିଦିନ ଘରଣୀମାନେ ଭୋର୍ରୁ ଉଠି ଅଗଣାକୁ ଧୋଇ ପୋଛି ପରିଷ୍କାର କରି ଶିଳ-ଶିଳପୁଆ ରଖି ତାକୁ ହଳଦୀପାଣିରେ ଗାଧୋଇ ଦେଇ ଚନ୍ଦନସିନ୍ଦୂର ପିନ୍ଧାଇ ଧୂପଦୀପ ଦେଇ, ଫଳମୂଳ ନିସଂଖୁଡ଼ି ଭୋଗମାନ କରନ୍ତି। ବେକରେ କାନି ଗୁଡ଼େଇ ମାଟି ମାକୁ ଓଳଗି ହେଲାବେଳେ ପରିବାରର କଲ୍ୟାଣ ଓ ଏକ ଶସ୍ୟମୟ କ୍ଷେତର କାମନା କରନ୍ତି।
ସଂପ୍ରତି ସହରମାନଙ୍କରେ ମଧ୍ୟ ଗ୍ରାମାଞ୍ଚଳର ଏହି ପରମ୍ପରାକୁ ବଡ଼ ଜାକଜମକରେ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ରଜଦୋଳି ଗୀତର ଲହରିରେ ତାରୁଣ୍ୟର ଯେଉଁ ଉନ୍ମାଦନା, ତାହା ପ୍ରତିଟି ପ୍ରାଣକୁ ଆନନ୍ଦପୁଲକରେ ଭରିଦେଉଛି।
‘‘ରଜଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନାମୁକୁଟ
ସୁନାମୁକୁଟ ଲୋ ଦିଶୁଥାଇ ଝଟଝଟ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/23-8.jpg)