ଏଥର ପିଜା ନୁହେଁ ପୋଡ଼ପିଠା ଖାଇବା, ଲିପ୍‌ଷ୍ଟିକ୍‌ ନୁହେଁ ପାନଖାଇ ଓଠ ରଙ୍ଗେଇବା, ନେଲ୍‌ପଲିସ୍ ନୁହେଁ ଅଳତାରେ ପାଦ ସଜାଇବା, ସାବୁନ ନୁହେଁ ହଳଦୀ ଓ ଚନ୍ଦନକୁ ଆଉଥରେ ଖୋଜିବା, ପ୍ଲାଷ୍ଟିକ୍ ଝୁଲା ଛାଡ଼ି ସାଙ୍ଗମେଳରେ ଦୋଳି ଖେଳିବା! ଆଉ ତେବେ ଡେରି କାହିଁକି, ଦାଣ୍ଡ ଦୁଆର ଠକ୍ ଠକ୍ କଲାଣି ପହିଲି ରଜ- ବଉଳ ଲୋ, ଆ’ କରିବା ରଜ ମଉଜ...

Advertisment

ସାମଗ୍ରୀ: ବାସ୍ନା ଅରୁଆ ଚାଉଳ: ୧/୨ କିଲୋ, ଗୁଡ଼: ୨୫୦ ଗ୍ରାମ, ନଡ଼ିଆ କୋରା: ୧ କପ୍‌, ଛୋଟ ଛୋଟ ନଡ଼ିଆ ପାତି: ୧/୨ କପ୍‌, ଅଦା ଛେଚା, ପାନମହୁରୀ, ତେଜପତ୍ର, ଗୋଲମରିଚ ଗୁଣ୍ଡ, କାଜୁ କିସମିସ, ଗୁଆଘିଅ, ଲୁଣ, କଦଳୀପତ୍ର ୨ଖଣ୍ଡ, ମୋଟା ଲୁହା କିମ୍ବା ମୋଟା ନନ୍‌ଷ୍ଟିକ୍‌ କଡ଼ାଇ।

ପ୍ରଣାଳୀ: ଅରୁଆ ଚାଉଳ ୫/୬ ଘଣ୍ଟା ବତୁରାଇ ରଖନ୍ତୁ। ୧ କପ୍ ପାଣିରେ ଚାଉଳକୁ ଚିକ୍କଣ କରି ବାଟି ଦିଅନ୍ତୁ। ଚାଉଳ ଚୂନାରେ ମଧ୍ୟ ପୋଡ଼ପିଠା କରିପାରିବେ। କଡ଼ାଇରେ ୩ କପ୍ ପାଣି ଫୁଟାନ୍ତୁ। ସେଥିରେ ଗୁଡ଼, ଅଦା ଛେଚା, ପାନମହୁରୀ, ତେଜପତ୍ର, ଗୋଲମରିଚ ଗୁଣ୍ଡ, ନଡ଼ିଆ କୋରା, ନଡ଼ିଆ ପାତି, ଗୁଆ ଘିଅ ଓ ସାମାନ୍ୟ ଲୁଣ ପକାଇ ଗୁଡ଼ ମିଶିଯିବା ପର୍ଯ୍ୟନ୍ତ ଗୋଳାନ୍ତୁ। କାଜୁ କିସମିସ ଓ ନଡ଼ିଆ ପାତିକୁ ଘିଅରେ ଭାଜି ଅଲଗା ରଖନ୍ତୁ। ଆଞ୍ଚ ମଧ୍ୟମ ରଖି ଫୁଟୁଥିବା ଗୁଡ଼ ପାଣିରେ ଚାଉଳ ବଟା ମିଶାଇ ଅଳ୍ପ ପାଣି ସହ ଧୀରେ ଧୀରେ କଡ଼ାଇରେ ଢାଳନ୍ତୁ। (ଅଧ କେଜି ଚାଉଳରେ ୫କପ୍ ପାଣି ବ୍ୟବହାର ହେବ)। ଅନବରତ ଗୋଳାଇବା ପରେ ଚାଉଳ ଘୋରା ବହଳିଆ ହୋଇ ଆସିବ। ଜନ୍ତୁଣି ପ୍ରସ୍ତୁତ ହେବା ପରେ କିଛି ଘିଅ ମଧ୍ୟ ଦେଇ ପାରିବେ।

publive-image

କଡ଼ାଇରୁ ଜନ୍ତୁଣିଟି ସମ୍ପୂର୍ଣ୍ଣ ରୂପେ ଛାଡ଼ି ଛାଡ଼ି ଆସିଲେ ଜାଣିବେ ଆପଣଙ୍କ ଜନ୍ତୁଣିଟି ପୋଡ଼ ହେବା ପାଇଁ ପ୍ରସ୍ତୁତ। ବର୍ତ୍ତମାନ ଜନ୍ତୁଣିକୁ ଥଣ୍ଡା ହେବା ପାଇଁ ଛାଡିଦେବା। ସାମାନ୍ୟ ଥଣ୍ଡା ହେଲା ପରେ ପାଣି ଓ ଘିଅ ହାତ ହୋଇ ଜନ୍ତୁଣିକୁ ନରମ କରି ଦଳିବା। କଦଳୀ ପତ୍ରରେ ଗୁଆ ଘିଅ ଲଗାଇ କଡ଼ାଇରେ ରଖିବା। ତଳେ କିଛି ଭଜା କାଜୁ, କିସମିସ, ନଡ଼ିଆ ପାତି ଦେବା। ପ୍ରସ୍ତୁତ ଜନ୍ତୁଣିକୁ କଡ଼ାଇ ଉପରେ ଗୋଲାକାର ଭାବେ ସଜାଇ ରଖିବା। ଉପରେ ମଧ୍ୟ କାଜୁ ନଡ଼ିଆ ଦେଇ ଧିରେ ଧିରେ ଘିଅ ହାତରେ ତାକୁ ଚାପ ଦେଇ ସଜାଇବା। ଆଉ ଗୋଟିଏ ଘିଅ ଲଗା କଦଳୀପତ୍ର ରଖି ଉପରେ ଘୋଡଣି ଦେଇ ୧ ଘଣ୍ଟା ପର୍ଯ୍ୟନ୍ତ ପୋଡ଼ିବାକୁ ଦେବା। ରଡ଼ କୋଇଲା ଥିଲେ ଉପର କଦଳୀପତ୍ରରେ ଆପଣ ଦେଇପାରିବେ। ୧ଘଣ୍ଟା ପରେ ପିଠାଟିକୁ ବାହାରକୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏବଂ ଘର ପରିବାର ସହ ମିଶି ପୋଡ଼ପିଠାର ମଜା ଉଠାନ୍ତୁ।