ଏଥର ପିଜା ନୁହେଁ ପୋଡ଼ପିଠା ଖାଇବା, ଲିପ୍‌ଷ୍ଟିକ୍‌ ନୁହେଁ ପାନଖାଇ ଓଠ ରଙ୍ଗେଇବା, ନେଲ୍‌ପଲିସ୍ ନୁହେଁ ଅଳତାରେ ପାଦ ସଜାଇବା, ସାବୁନ ନୁହେଁ ହଳଦୀ ଓ ଚନ୍ଦନକୁ ଆଉଥରେ ଖୋଜିବା, ପ୍ଲାଷ୍ଟିକ୍ ଝୁଲା ଛାଡ଼ି ସାଙ୍ଗମେଳରେ ଦୋଳି ଖେଳିବା! ଆଉ ତେବେ ଡେରି କାହିଁକି, ଦାଣ୍ଡ ଦୁଆର ଠକ୍ ଠକ୍ କଲାଣି ପହିଲି ରଜ- ବଉଳ ଲୋ, ଆ’ କରିବା ରଜ ମଉଜ...

Advertisment

ଋତୁର ପ୍ରାକୃତିକ ପରିବର୍ତ୍ତନ ସହିତ ଭାରତବର୍ଷରେ ବିଭିନ୍ନ ପ୍ରକାର ପର୍ବପର୍ବଣୀ ପାଳନ କରାଯାଏ। ପର୍ବର ଉଦ୍ଦେଶ୍ୟ ହେଉଛି ମନୁଷ୍ୟକୁ ଆନନ୍ଦ ଉଲ୍ଲାସ ଓ ଶାରୀରିକ ସୁସ୍ଥତା ଦେବା। କର୍ମମୟ ଜୀବନ ଦ୍ବାରା ମନୁଷ୍ୟ ଭାରାକ୍ରାନ୍ତ ହୋଇଥାଏ। ରଜ ଉତ୍ସବ ଏହିପରି କୁମାରୀମାନଙ୍କର ଏକ ବିଶେଷ ପର୍ବ। କୁମାରୀମାନେ ରଜସ୍ୱଳା ହେଲେ ଅର୍ଥାତ୍ ସନ୍ତାନ ଉତ୍ପନ୍ନ କରିବା ପାଇଁ ଯୋଗ୍ୟା ହେଲେ ବୈଦିକ ଯୁଗରେ ପରିବାରରେ ଆନନ୍ଦ ଉତ୍ସାହ ଖେଳି ଯାଉଥିଲା। କନ୍ୟାମାନଙ୍କୁ ଡାକି ସେମାନଙ୍କୁ ବିଭିନ୍ନ ଉପହାର ଦିଆଯାଉଥିଲା।

publive-image

ଠିକ୍ ସେହିପରି ଗ୍ରୀଷ୍ମର ଦାରୁଣ ବେଦନା ପରେ ଆଷାଢ଼ ମାସରେ ଏହି ରଜ ପର୍ବ ପାଳନ କରାଯାଏ। ବର୍ଷ।ର ଆଗମନରେ ପୃଥବୀମାତା ଯେତେବେଳେ ରଜସ୍ୱଳା ହୋଇ ପତ୍ର, ଫଳ, ପୁଷ୍ପ ଆଦି ଦ୍ବାରା ଶସ୍ୟଶ୍ୟାମଳା ହୁଅନ୍ତି, ସେତେବେଳେ ପୃଥିବୀବାସୀ ଆନନ୍ଦଉଲ୍ଲାସ ଅନୁଭବ କରନ୍ତି। ବୈଦିକ ଯୁଗରେ ନାରୀମାନଙ୍କୁ ସବୁଠାରୁ ବେଶୀ ସମ୍ମାନ ଦିଆଯାଉଥିଲା। ଯେପରି ଉର୍ବର କ୍ଷେତରେ ଧାନ ବୁଣିଲେ ଧାନ ଫସଲ ସୃଷ୍ଟି ହୁଏ, ସେହିପରି ରଜସ୍ୱଳା କନ୍ୟା ଏକ ଉନ୍ନତ ସନ୍ତାନକୁ ଜନ୍ମ ଦେବା ପାଇଁ ସକ୍ଷମ। କନ୍ୟାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା, ସେମାନଙ୍କ ଶରୀର ପୁଷ୍ଟି ପାଇଁ ଚେଷ୍ଟା କରିବା ଓ ସେମାନଙ୍କ ମାନସିକ ତଥା ଆତ୍ମିକ ଉନ୍ନତି ସାଧନ କରିବା ରଜ ପର୍ବର ପ୍ରଧାନ ଉଦ୍ଦେଶ୍ୟ।

-ଶ୍ରୀମତୀ ଶନ୍ନୋ ଦେବୀ, ସହିଦ ନଗର, ଭୁବନେଶ୍ୱର

ହାତ ଓ ପାଦରେ ଅଳତାରେ ଚିତ୍ର କରୁ

publive-image

ମୋ ପିଲାବେଳର ରଜ ଓ ଏବେକାର ରଜ ଭିତରେ ବହୁତ ଫରକ। ତଥାପି ଆଜି ବି ମୁଁ ରଜ ପର୍ବକୁ ବେଶ୍‌ ଉପଭୋଗ କରେ। ମୋର ମନେ ଅଛି, ପିଲାବେଳେ ଆମେ ହାତରେ ଓ ଗୋଡ଼ରେ ଅଳତାରେ ଚିତ୍ର କରୁଥିଲୁ। ଆଜି ଭଳି ସେବେ ମେହେନ୍ଦି ନଥିଲା। ବୋଉ ମୋ ହାତରେ ଅଳତାରେ କାଠି ବୁଡ଼ାଇ ବୁଡ଼ାଇ ଚିତ୍ର କରି ଦିଏ। ମୋତେ ବେଶ୍‌ ଖୁସି ଲ‌ାଗେ। ଅଳତା ଶୁଖିନଥିଲେ ବି ଏ ଘର ସେ ଘର ହୋଇ ମୁଁ ଘର କାନ୍ଥ ଓ ଚଟାଣ ସାରା ଅଲତା ବୋଲି ଦିଏ। ବୋଉ ବହୁତ ଗାଳି ଦିଏ ମୋତେ। ତଥାପି ଅଲତା ମୋହ ମୋର ଛାଡେନି। ରଜ ତିନି ଦିନ ଭିନ୍ନ ଭିନ୍ନ ଡିଜାଇନ୍‌ର ଅଳତା ପାଦ ଓ ହାତରେ ଲଗାଇ ଆମେ ଗାଁ ସାରା ଘୂରିବୁଲୁ। ପିଠା ଖାଉ, ଦୋଳି ଖେଳୁ। ଏବେ ବି ମୁଁ ସେଇ ପିଲା ଦିନର ସ୍ମୃତିରେ ରଜ ପାଳେ। ପିଠା, ମିଠା ଓ ଦୋଳି ସହ ପ୍ରତିବର୍ଷ ସାମ୍ପ୍ରତିକ ସ୍ଥିତିକୁ ନେଇ ଓଡ଼ିଶାବାସୀଙ୍କ ପାଇଁ ‘ବନସ୍ତେ ଡାକିଲା ଗଜ...’ ରଜ ଗୀତ ରେକଡିଂ କରିଥାଏ।

-ଗୀତା ଦାଶ, ଲୋକପ୍ରିୟ କଣ୍ଠଶିଳ୍ପୀ

ପିଲାଦିନେ କୂଅ ଦଉଡ଼ିରେ ଦୋଳି କରି ଖେଳୁଥିଲୁ

publive-image

ଆମ ଘରେ ପ୍ରାୟ ରଜ ପର୍ବ ପାଳନ ହୁଏନାହିଁ। କିନ୍ତୁ ‌ଯେହେତୁ ରଜ ଆମର ଗଣପର୍ବ, ତେଣୁ ଆମେ ପିଲା ଦିନେ ଯେବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁ ମୋ ଅଜା କୂଅ ଦଉଡ଼ିରେ ଆମ ପାଇଁ ଦୋଳି ବାନ୍ଧି ଦିଅନ୍ତି। ସେଥିରେ ତକିଆ ରଖି ଆମକୁ ଦୋଳି ପହଞ୍ଚାନ୍ତି। ଏବେ ବି ସେ କଥା ମନେ ପକାଇଲେ ମୋତେ ବହୁତ ଖୁସି ଲାଗେ। ଏବେ ମୋ ମାଉସୀଙ୍କ ଏନ୍‌ଜିଓ ‘ସ୍ନେହ’ ପକ୍ଷରୁ ସାଲିଆ ସାହିରେ ହେଉଥିବା ରଜମଉଜରେ ଯୋଗ ଦେଉଛି। ସେମାନଙ୍କ ସହ ପିଠାପଣା, ଦୋଳି ଖେଳ ଆଦିରେ ସମୟ କଟିଯାଏ।

-ଉଷଶୀ ମିଶ୍ର, ଅଭିନେତ୍ରୀ

ରଜ ତିନିଦିନ ଯାକ ଚନ୍ଦନ ଟିପା ଲଗାଉଥିଲୁ

publive-image

ପୂର୍ବରୁ ରଜ କେବଳ ଏକ ଛୁଟି ନଥିଲା ଆମ ଓଡ଼ିଆ ଚାଲିଚଳଣିର କଥା କହୁଥିବା ଏକ ପରମ୍ପରା ଥିଲା। ପିଲାଦିନେ ଆମ ଘରେ ରଜ ପୂରା ପାରମ୍ପରିକ ଢଙ୍ଗରେ ପାଳନ ହେଉଥିଲା। ପିଠାପଣା ଠାରୁ ଆରମ୍ଭ କରି ଆମ ମା’ମାନେ ତିନି ଦିନ ଧରି ଆମ ମଥାରେ ଚନ୍ଦନ ଟୋପା ଲଗାଇ ଦେଉଥିଲେ। କିନ୍ତୁ ସମୟ ଯେତେ ବଦଳୁଛି ରଜର ମାନ ସେତେ କମିବାରେ ଲାଗିଛି। ବର୍ତମାନ ରଜ ବ୍ୟବସାୟିକ ହୋଇଯାଇଛି। ଖାଲି ନୂଆ ଡ୍ରେସ ପିନ୍ଧିବା ଓ ବିଭିନ୍ନ ସ୍ଥାନକୁ ବୁଲିବା ଏହାର ବିଶେଷତ୍ୱ ହୋଇଛି। ଏପରିକି ଅଧିକାଂଶ ପିଲାଙ୍କୁ ପର୍ବ ପାଳନର ଅର୍ଥ ମଧ୍ୟ ଜଣାନାହିଁ। ଯଦିଓ ଗଣମାଧ୍ୟମରେ କିଛି ଯୁବଗୋଷ୍ଠୀ ଏହି ପର୍ବର ପ୍ରଚାର ପ୍ରସାର କରୁଛନ୍ତି; ତଥାପି ଏହି ପର୍ବ ପାଳନର ମହତ୍ତ୍ୱ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ।

-ଆଦ୍ୟାଶା ଦାସ, ସାହିତ୍ୟିକା

ରଜ ପାଳିବା ଥିଲା ମୁଖ୍ୟ ଆକର୍ଷଣ

publive-image

ଆମେ ଗଞ୍ଜାମ ଅଞ୍ଚଳରୁ ଆସିଛୁ। ଆମ ଅଞ୍ଚଳରେ ରଜ ନିଆରା ଢଙ୍ଗରେ ପାଳନ କରୁ। ରଜ ତିନି ଦିନ କୁଆଁରୀ ଝିଅମାନଙ୍କୁ ନେଇ ସୂର୍ଯ୍ୟାସ୍ତ ପୂର୍ବରୁ ରଜ ପାଳନ ହୁଏ। ଏଥିରେ ସାହିପଡ଼ିଶା ଲୋକ ଏକାଠି ହୋଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ନିଜ ଘରୁ କିଛି କିଛି ବ୍ୟଞ୍ଜନ ପ୍ରସ୍ତୁତ କରି ଧରିକି ଆସନ୍ତି। ସାହିର ଏକ ବଡ଼ ଖଳାରେ ଆଗରୁ ଲିପାପୋଛା ହୋଇ ପାଲ ପକାଯାଇଥାଏ। ରଜ ତିନି ଦିନ ରାତିରେ ଭାତ ଖାଇବା ବାରଣ ହୋଇଥିବାରୁ ସମସ୍ତ କୁମାରୀ ଝିଅମାନଙ୍କୁ ଏହି ରଜ ଉତ୍ସବରେ ଭାତ ସହ ବିଭିନ୍ନ ବ୍ୟଞ୍ଜନ ପରଷାଯାଏ। ଆମିଷଠାରୁ ଆରମ୍ଭ କରି ଭାତ, ଡିଲି, ଆମ୍ବ ଓ ଖିରି ଆଦି କେତେ କେତେ ଦରବ ନିଜେ ସ୍ତ୍ରୀଲୋକମାନେ କୁମାରୀମାନଙ୍କୁ କୋଳରେ ବସାଇ ଖୁଆଇ ଦିଅନ୍ତି। ଏହା ଝିଅମାନଙ୍କୁ ଏକ ସ୍ବତନ୍ତ୍ର ଅନୁଭୂତି ଦିଏ। ଏବେ ସହରରେ ଏହି ପରମ୍ପରା ନାହିଁ। କିନ୍ତୁ ଏବେ ବି ମୁଁ ମୋ ଝିଅମାନଙ୍କୁ ଠିକ୍‌ ସେମିତି ଢଙ୍ଗରେ ରଜ ପାଳି ଗେହ୍ଲା କରିଥାଏ।

-ସବିତା ସାହୁ, ଗୃହିଣୀ