ଏଥର ପିଜା ନୁହେଁ ପୋଡ଼ପିଠା ଖାଇବା, ଲିପ୍ଷ୍ଟିକ୍ ନୁହେଁ ପାନଖାଇ ଓଠ ରଙ୍ଗେଇବା, ନେଲ୍ପଲିସ୍ ନୁହେଁ ଅଳତାରେ ପାଦ ସଜାଇବା, ସାବୁନ ନୁହେଁ ହଳଦୀ ଓ ଚନ୍ଦନକୁ ଆଉଥରେ ଖୋଜିବା, ପ୍ଲାଷ୍ଟିକ୍ ଝୁଲା ଛାଡ଼ି ସାଙ୍ଗମେଳରେ ଦୋଳି ଖେଳିବା! ଆଉ ତେବେ ଡେରି କାହିଁକି, ଦାଣ୍ଡ ଦୁଆର ଠକ୍ ଠକ୍ କଲାଣି ପହିଲି ରଜ- ବଉଳ ଲୋ, ଆ’ କରିବା ରଜ ମଉଜ...
ଆମ ରାଜ୍ୟ ଓଡ଼ିଶାର ବାର ମାସରେ ତେର ପର୍ବ ଲାଗିରହିଥାଏ। ସବୁ ପର୍ବର କିଛି ନା କିଛି ମହତ୍ ଉଦ୍ଦେଶ୍ୟ ରହିଛି। ‘ରଜ’ ହେଉଛି ବିଶେଷ ଭାବରେ ନାରୀମାନଙ୍କ ସାଜସଜ୍ଜାର ଦିନ। ପୁରୁଣା ସମୟରେ କୁଆଁରୀ ଝିଅ ଓ ନୂଆ ବାହା ହୋଇଥିବା ବୋହୂମାନେ ମଥାରେ ଚନ୍ଦନପାଟୀ କରି, ସିନ୍ଦୂର ବା କୁଙ୍କୁମ ଲଗାଇ, ପାଦରେ ଅଳତା, ପାଟିରେ ପାନ ରଖି ରଜର ମଜା ନେଉଥିଲେ। ହଳଦୀର ଲେପ, ଆଖିରେ କଜଳ ଇତ୍ୟାଦି କୌଣସି କ୍ଷତି କରୁନଥିଲା। ଆଜି ସମୟ ବଦଳିଛି।
ଖାଲି ସହରରେ କାହିଁକି ଗ୍ରାମାଞ୍ଚଳର ମହିଳାମାନେ ବି ପାର୍ଲର ଯାଇ ବିଭିନ୍ନ ପ୍ରକାର କୃତ୍ରିମ ପ୍ରସାଧନ ଲଗାଇ ନିଜକୁ ସଜାଇବାକୁ ଭଲ ପାଉଛନ୍ତି। ତାହାଦ୍ବାରା ବେଳେବେଳେ ନିଜ ଚର୍ମ ଉପରେ ପ୍ରଭାବ ପଡ଼ୁଛି, ଆମ ପାରମ୍ପରିକ ବେଶଭୂଷାର ଗରିମା ବି ଧୀରେ ଧୀରେ ହଜିଯାଉଛି। ମୁଁ ନିଜେ ପାର୍ଲର କରିଥିଲେ ବି ହର୍ବାଲ ବା ଜଡ଼ିବୁଟିର ପ୍ରସାଧନ ସାମଗ୍ରୀ ବେଶି ବ୍ୟବହାର କରେ। କେଶରେ ମେହେନ୍ଦି ରଙ୍ଗ ଲଗାଇଲେ ସୁନ୍ଦର ଦିଶେ। ସେହିପରି ଚର୍ମର ସୁରକ୍ଷାକୁ ଆଖି ଆଗରେ ରଖି ଉପଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରିପାରିବେ। ରଜ ଲାଗି ଓଡ଼ିଶାର ତନ୍ତବୁଣା ଲୁଗାପଟା, ରୁପା ତାରକସି ଗହଣା ପିନ୍ଧନ୍ତୁ। ହଁ, ପାନ ଖାଇ ଓଠରଙ୍ଗ କରିବାକୁ ଭୁଲିବେନି।
-ମମିତା ପାତ୍ର
ସୌନ୍ଦର୍ଯ୍ୟ ବିଶେଷଜ୍ଞ, ସହିଦନଗର, ଭୁବନେଶ୍ବର
ସହାବସ୍ଥାନର ପର୍ବ ରଜ
ରଜ ଚାରିଦିନ ପାଳିବା ପାଇଁ ଓଡ଼ିଆ ଘରେ ନାହିଁନଥିବା ପ୍ରସ୍ତୁତି ଆଗରୁ ଥିଲା। ଦୋଳିବନ୍ଧା, ପିଠା ଲାଗି ଚୁନା କୁଟା, ନୂଆ ଲୁଗା ଭାରଥୋର କେତେ କ’ଣ...। ବିଦେଶରେ ଥିବା ପିଲାମାନେ ଗାଁକୁ ଫେରୁଥିଲେ। ସହରରେ ବି ସାହି ସାହି ହୋଇକି ଝିଅମାନେ ସଜବାଜ ହୋଇ ପିଠାପଣା ଖାଇ ବୁଲୁଥିଲେ। ଏହାସହ ପିଠାପଣା ଦିଆନିଆ ବି ହେଉଥିଲା। ଗୀତ ଗାଇ ଗାଇ ଦୋଳି ଖେଳୁଥିଲେ ଝିଅମାନେ। ଭାଇମାନେ, ପୁଅମାନେ ରନ୍ଧାବଢ଼ାରେ ଏହି ଚାରିଦିନ ସାହାଯ୍ୟ କରୁଥିଲେ। ମୋଟ ଉପରେ ରଜ ହେଲା ଗୋଟେ ସହାବସ୍ଥାନର ପର୍ବ। ଆଜି ଅନ୍ୟାନ୍ୟ ପ୍ରଦେଶର ଲୋକମାନେ ତାଙ୍କର ପାରମ୍ପରିକ ପୂଜା ଯେମିତି ବିହୁ, ପୋଙ୍ଗଲ୍, ଗୁଡ଼ି ପଡ଼ୱା, ଦୁର୍ଗାପୂଜା, ଓଣମ୍ ଇତ୍ୟାଦି ପାଳନ କଲାବେଳେ ଆମ ଯୁବପିଢ଼ି ରଜ ପାଳିବାକୁ ଅନିଚ୍ଛୁକ। ବେଳ ନାହିଁ କି ମନ ନାହିଁ। ବେଶି କିଛି ନହେଲେ ବି ଘରେ ପ୍ରତୀକାତ୍ମକ ଭାବରେ ଦୋଳିଟେ ବାନ୍ଧି, ଖିରିପିଠା ଟିକେ କରି ରଜ ପାଳନ୍ତୁ। ଆମର ଏ ସୁନ୍ଦର ପର୍ବଟି ହଜିନଯାଉ....
-ଶାଶ୍ବତୀ ସାମଲ, ଗୃହିଣୀ, କଳିଙ୍ଗନଗର, ଭୁବନେଶ୍ବର