ବେଙ୍ଗାଲୁର: କାହାର ପୋଷାକ ବା ବୃତ୍ତିକୁ ନେଇ କୌଣସି ମନ୍ତବ୍ୟ ଦେବା ଆଦୌ ବି ଉଚିତ ନୁହେଁ। କଥାରେ ଅଛି ‘ଡୋଣ୍ଟ୍ ଜଜ୍ ଏ ବୁକ୍ ବାୟ ଇଟ୍ସ କଭର୍’, ଅର୍ଥାତ ‘କୌଣସି ପୁସ୍ତକକୁ ତା’ର କଭର୍ରୁ ବିଚାର କରନ୍ତୁ ନାହିଁ’। ଅାମେ ଆଜି ଶୁଣାଇବୁ ବେଙ୍ଗାଲୁରର ଜଣେ ଅଟୋ ଡ୍ରାଇଭର୍ଙ୍କ ବିଷୟରେ, ଯିଏକି ଅତୀତରେ ଜଣେ ଇଂରାଜୀ ଅଧ୍ୟାପକ ଥିଲେ।
ଏହି ଅଟୋ ଚାଳକ ଜଣକ ହେଉଛନ୍ତି ପତବି ରମନ। ସେ ଏମ୍ଏ, ଏମ୍ଇଡି କରିଥିବା ବେଳେ ମୁମ୍ବାଇର ଏକ କଲେଜରେ ଅଧ୍ୟାପନା କରୁଥିଲେ। ମାତ୍ର ଗତ ୧୪ ବର୍ଷ ତଳୁ ସେ ଅଟୋ ଚଳାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି?
ସେ ମହାରାଷ୍ଟ୍ରରେ ଥିଲା ବେଳେ ଅଧ୍ୟାପନା କରୁଥିଲେ ବି ଯେତେବେଳେ କର୍ଣ୍ଣାଟକ ଆସିଲେ ତାଙ୍କୁ କୌଣସି ଚାକିରି ମିଳିଲା ନାହିଁ। ତାଙ୍କୁ କୌଣସି ପ୍ରକାରର ପେନ୍ସନ୍ ମିଳୁନଥିବାରୁ ନିଜର ପରିବାର ପ୍ରତିପୋଷଣ କରିବାକୁ ଏହି ଉପାୟଟି ବାଛିଥିଲେ। ରମନଙ୍କ ସାଙ୍ଗରେ ତାଙ୍କ ପତ୍ନୀ ମଧ୍ୟ ରହୁଛନ୍ତି।
ସେ କହନ୍ତି କି, ‘ବେସରକାରୀ କଲେଜ୍ରେ ଚାକିରି କରୁଥିବାରୁ ମୋର କୌଣସି ପେନ୍ସନ୍ ବ୍ୟବସ୍ଥା ନାହିଁ। ଏବେ ଅଟୋ ଚଳାଇବାରୁ ଦିନକୁ ପ୍ରାୟ ୭୦୦ରୁ ୧୫୦୦ ଭଳିଆ ଟଙ୍କା ରୋଜଗାର ହୋଇଯାଉଛି। ଯାହାକି ମୁଁ ଓ ମୋ ପତ୍ନୀ ଚଳିବା ପାଇଁ ଯଥେଷ୍ଟ।’
ରମନଙ୍କର ଏହି କାହାଣୀକୁ ଲିଙ୍କ୍ଡିନ୍ରେ ସେୟାର କରିଛନ୍ତି ନିକିତା। ସେ ଲେଖିଛନ୍ତି, ‘ଜୀବନକୁ ନେଇ କୌଣସି ଅଭିଯୋଗ ନାହିଁ କି ପଶ୍ଚାତାପ ନାହିଁ। ଏହି ହିରୋଙ୍କଠାରୁ ଅନେକ କିଛି ଶିଖିବାର ଅଛି।’