ସର୍ବଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ
ସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ
ସମସ୍ତ ତୀର୍ଥକ୍ଷେତ୍ରମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଧାମ ପୁରୀ ଶ୍ରେଷ୍ଠ । ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଶ୍ରୀ ଜଗନ୍ନାଥ। କାହିଁ କେଉଁ ଅନାଦି କାଳରୁ ଭିନ୍ନ ରୂପରେ ଭିନ୍ନ ଭାବରେ ସାକ୍ଷାତ ବ୍ରହ୍ମ ସ୍ୱରୂପ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ପୁଣ୍ୟଧାମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ରହିଛନ୍ତି। ସେ ପରଂବ୍ରହ୍ମ ହେଉଛନ୍ତି ବିଶ୍ୱମୟ ପୁଣି ବିଶ୍ୱାତୀତ। ଏ ଚରାଚର ଜଗତର ସୃଷ୍ଟି, ସ୍ଥିତି, ବ୍ୟାପ୍ତି ଓ ସମାପ୍ତି ପୁଣି ଏ ମହାକାଳର ପ୍ରାରମ୍ଭ ତଥା ବିଲୟ ସଂପର୍କରେ କେହି ବି ଜାଣନ୍ତି ନାହିଁ। ସର୍ବ ନିୟନ୍ତା ମହାପ୍ରଭୁଙ୍କ ଦ୍ୱାରା ସୃଷ୍ଟ, ବ୍ୟାପ୍ତ ଏ ଅନାଦି ଅନନ୍ତକାଳ ଓ ସଂସାର ଚକ୍ର ସଂପର୍କରେ ଜାଣିବା ପାଇଁ କେତେ କେତେ ଦିବ୍ୟଦ୍ରଷ୍ଟା ମୁନିଋଷି ସିଦ୍ଧ ସାଧକ, ବୈଜ୍ଞାନିକ ଅନୁସନ୍ଧାନ ତଥା ଅନଶୀଳନ କରିଆସିଛନ୍ତି। ହେଲେ ତାଙ୍କର ଅନନ୍ତ ମାୟା ଓ ମହିମାର ଟେର କେହି ପାଇନାହାନ୍ତି । ଅଦ୍ୟାବଧି ଏ ଅନୁସନ୍ଧାନର ଅସରନ୍ତି ପକ୍ରିୟା ଚାଲୁଅଛି, ରହିଥିବ ମଧ୍ୟ ଏ ସମସ୍ତ କାଳାତୀତ ପକ୍ରିୟା ଭିତରେ କିନ୍ତୁ ସମସ୍ତ ଦାର୍ଶନିକ ତଥା ବୈଚାରିକ ସିଦ୍ଧାନ୍ତ ଏହାର ପୃଷ୍ଟି କରିଛନ୍ତି ଯେ, ଶ୍ରୀ ଜଗନ୍ନାଥ ହେଉଛନ୍ତି ସାକ୍ଷାତ ଜ୍ଞାନ ବିଜ୍ଞାନର ମୂର୍ତ୍ତ ବିଗ୍ରହ। ଆଦି ଶଙ୍କର ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ମାତ୍ରେ ତାଙ୍କୁ ଜ୍ଞାନ ବିଜ୍ଞାନମୟ ବୋଲି ଅନୁଭବ କରିଥିଲେ। ସନ୍ଥ ଗୋସ୍ୱାମୀ ତୁଳସୀ ଦାସ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ସ୍ୱରୂପରେ ଦର୍ଶନ କଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ପରମପ୍ରେମମୟ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ଦେଖୁଥିଲେ। ଗାଣପତ୍ୟ ଗଣପତି ଭଟ୍ଟ ତାଙ୍କୁ ଗଣେଶ ରୂପରେ ଦେଖିଲେ। ଯିଏ ଯେଉଁ ରୂପରେ ଚାହିଁଚି, ତାଙ୍କୁ ସେହି ରୂପରେ ଦେଖିଛି। ଯଥାର୍ଥରେ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘ଯେ ମାମ୍ ଯଥା ପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମ୍ୟହଂ’। ଦ୍ୱୈତବାଦୀ, ଅଦ୍ୱୈତବାଦୀ, ବିଶିଷ୍ଟଦ୍ୱୈତବାଦୀ, ଦ୍ୱୈତାଦ୍ୱୈତବାଦୀ, ମିଂମାସକ, ନୈୟାୟିକ, ବୈଷ୍ୟସିକ,ବେଦାନ୍ତିକ, ଶୈବ୍ୟ, ସାକ୍ତ, ଗାଣପତ୍ୟ, ବୈଷ୍ଣବ୍ୟ, ସଗୁଣ ସାକାର, ନିର୍ଗୁଣ ନିରାକାର ଉପାସକ ସମସ୍ତେ ଶ୍ରୀ ଜଗନ୍ନାଥଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରିଛନ୍ତି। କର୍ମ, ଜ୍ଞାନ, ଭକ୍ତି ସବୁ କ୍ଷେତ୍ରରେ ସେ ବନ୍ଦିତ, ବନ୍ଦନୀୟ । ସର୍ବଜନାର୍ଚିତ ଜଗନ୍ନାଥ ସର୍ବଥା, ସର୍ବତ୍ର ଶ୍ରେଷ୍ଠ ଆସନରେ ଅଧିଷ୍ଠିତ। ସର୍ବଦେବ ମାନଙ୍କ ଦେବ। ସର୍ବ ଦେବତାଙ୍କ ଭିତରେ ରାଜା, ଦେବଧିରାଜ ଶ୍ରୀ ଜଗନ୍ନାଥ।
ଗୀତା ବର୍ଣ୍ଣିତ ‘ସର୍ବେନ୍ଦ୍ରିୟ ଗୁଣାଭାସଂ ସର୍ବେନ୍ଦ୍ରିୟଂ ବିବର୍ଜିତଂ’ର ପରିପ୍ରକାଶ ହେଉଛନ୍ତି ଶ୍ରୀ ଜଗନ୍ନାଥ ବେଦ ଉପନିଷଦ ପରିକ୍ରୀର୍ତ୍ତିତ ପୂର୍ଣ୍ଣବ୍ରହ୍ମ ସେ। ‘ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ’। ବେଦ, ଉପନିଷଦ, ପୁରାଣ ସମସ୍ତ ଶାସ୍ତ୍ରରେ ପରିକ୍ରୀର୍ତ୍ତିତ, ପରିଚର୍ଚ୍ଚିତ ଶ୍ରୀ ଜଗନ୍ନାଥ ସବୁଠାରେ ଶ୍ରେଷ୍ଠତ୍ୱ ଲାଭ କରିଥିବା ବେଳେ ଯେଉଁ କ୍ଷେତ୍ରରେ ସେ ବିରାଜିତ ତାହାକୁ ମଧ୍ୟ ପୁରାଣ ଶାସ୍ତ୍ରରେ ଶ୍ରେଷ୍ଠତ୍ୱ ପ୍ରଦାନ କରାଯାଇଛି। ଭକ୍ତ କବି ସାଲବେଗ, ବନମାଳୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ମହାନ ଭକ୍ତ କବି ଦୀନକୃଷ୍ଣ, ଭକ୍ତ ଚରଣ ଦାସ, ସାରିଆ ଭିକଙ୍କ ସମେତ ଅଗଣିତ ଭକ୍ତ କବି ଖାଲି ଶ୍ରୀ ଜଗନ୍ନାଥଙ୍କ ମହିମା କୀର୍ତ୍ତନ କରିନାହାନ୍ତି। ସମୋଧିକ ଭାବରେ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମର ଗୁଣ, ଗରିମା ଓ ଗୌରବକୁ ମଧ୍ୟ ଅନବାରିତ କରିଛନ୍ତି। ସଂସାର ଦାବାନଳରେ ବିଦଗ୍ଧ ତଥା ସନ୍ତାପିତ ଥକି ପଡିଥିବା ମଣିଷକୁ ପ୍ରବୋଧିତ କରି ସାରିଆ ଭିକ ଉଭୟ କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ଓ କ୍ଷେତ୍ରବର ଶ୍ରୀକ୍ଷେତ୍ରର ମହିମା କୀର୍ତ୍ତନ କରିଛନ୍ତି । ‘ଥକା ମନ ଚାଲ ଯିବା ଚକା ନୟନ ଦେଖିବା, ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା’ । ଭକ୍ତ ବନମାଳୀ ଗାଇଛନ୍ତି - ‘ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ’ । ନିରନ୍ତର ଅରମାକୁ ମାଡିଯାଉଥିବା ମନକୁ ବୁଝାଇବାକୁ ଯାଇ ମନବୋଧ ଚଉତିଷାରେ ଭକ୍ତ ଚରଣ କହିଛନ୍ତି- ‘କହଇ ମନ ଆରେ ମୋ ବୋଲ କର କଳା ଶ୍ରୀମୁଖ ବାରେ ଦେଖିବା ଚାଲ’ କ୍ଷେତ୍ର ତଥା କ୍ଷେତ୍ରାଧିପତି ଉଭୟ ଭକ୍ତ, ଭାବୁକ, କବି, ଦାର୍ଶନିକଙ୍କ ଭାବ ରାଜ୍ୟରେ ସଂକୀର୍ତ୍ତିତ, ଅଭିନନ୍ଦିତ, ଅଭିବନ୍ଦିତ ହୋଇଛନ୍ତି।
ଅଧଃପତନ, ଅବକ୍ଷୟର ଏବେ ଜୟଯାତ୍ରା ଚାଲିଛି। ଯତ୍ର ତତ୍ର ସର୍ବତ୍ର ଶ୍ରୀକ୍ଷେତ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ନେଇ ଆଜି ଘୋର ବିବାଦ ମୁଣ୍ଡ ଟେକିଛି। ମହାପ୍ରଭୁଙ୍କ ନୀତିକାନ୍ତି, ସେବା ପୂଜା, ଯାନିଯାତ୍ରା, ଶ୍ରୀମନ୍ଦିର ସ୍ୱଚ୍ଛତା, ଶ୍ରୀମନ୍ଦିର ସଂସ୍କାର ଓ ରତ୍ନଭଣ୍ଡାର ଆଦି ପ୍ରସଙ୍ଗ ବିତର୍କିତ। ଭାବକୁ ନିକଟ ଅଭାବକୁ ଦୂର। ମହାପ୍ରଭୁ ଆଜି ଘୋର ଅଭାବରେ ଆମକୁ ଛାଡି ଦୂରେଇ ଯାଉଛନ୍ତି। ଭକ୍ତିରେ ମିଳଇ ହରି, ତର୍କେ ବହୁ ଦୂର । ଜଗନ୍ନାଥଙ୍କୁ ନେଇ ସଭାରେ ବିତର୍କ ,ସମିତିରେ ବିତର୍କ, କଥାରେ ବିତର୍କ, ବ୍ୟଥାରେ ବିତର୍କ, ଚକ୍ଷୁ ଶ୍ରାବ୍ୟ ଗଣମାଧ୍ୟମରେ ବିତର୍କ, କାଗଜରେ ବିତର୍କ, ମଗଜରେ ବିତର୍କ, ଲେଖାରେ ବିତର୍କ ଓ ଯୋଖାରେ ବିତର୍କ,ସର୍ବତ୍ର ବିତର୍କ। ଏବେ ବିତର୍କମୟ ଜଗନ୍ନାଥ ତେଣୁ ସେ ଆମ ଠାରୁ ଦୂରେଇ ଯାଉଛନ୍ତି। ବିଦେଶୀ ଯବନ ଆକ୍ରମଣ କାଳରେ ସେ ବହୁବାର ଆମଠାରୁ ଦୂରେଇ ଯାଇଥିଲେ ରତ୍ନ ସିଂହାସନ ଓ ଶ୍ରୀମନ୍ଦିର ଛାଡି ଚାଲିଯାଇଥିଲେ , ପାତାଳି ହୋଇଯାଇଥିଲେ। ସେତେବେଳେ ଓଡ଼ିଆ ଜାତି ଓ ଭକ୍ତ ମଣ୍ଡଳୀ ସୁଖ ଶାନ୍ତିରେ ଶୋଇପାରୁନଥିଲେ। ଭକ୍ତ ଉନ୍ନିଦ୍ର, ଭଗବାନ ବି ଉନ୍ନିଦ୍ର । ଭକ୍ତ ଭାରାକ୍ରାନ୍ତ, ଭଗବାନ ବି। ଯେତେବେଳେ ଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରି ଦୂରକୁ ନିଆଯାଇଥିଲା ବିଦେଶୀ ଆକ୍ରମଣକାରୀଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ସେତେବେଳେ ଭକ୍ତ ସାଲବେଗ କାନ୍ଦି କାନ୍ଦି ଗାଇଉଠିଥିଲେ- ‘କେଣେ ଘେନିଯାଉଛ ଜଗନ୍ନାଥଙ୍କୁ, ଆମେ ଦର୍ଶନ କରିବୁ କାହାକୁ’ ଆଜି ଯଦିଓ ମହାପ୍ରଭୁ ଶଶରୀର ଶ୍ରୀମନ୍ଦିରରେ ବିଦ୍ୟମାନ ଅଛନ୍ତି ଭାବ ରାଜ୍ୟରେ ସେ ଆମ ଠାରୁ ବହୁ ଦୂରକୁ ଚାଲିଯାଇଛନ୍ତି। କଳାପାହାଡ଼ ଶ୍ରୀଜିଉଙ୍କୁ ଚମ ଦୌଡିରେ ବାନ୍ଧି ହାତୀ ପିଠିରେ ବୋହି ନେଇଯିବା ବେଳେ ସମର୍ଥିତ ଜନତା କରୁଣ କ୍ରନ୍ଦନ କରୁଥିଲେ ହେଁ ସାମାନ୍ୟତମ ପ୍ରତିବାଦ କଲେ ନାହିଁ । ଐତିହାସିକ ଟୟନବି କହିଛନ୍ତି ଯେ, ସେତେବେଳେ ଯଦି ସମବେତ ଜନତା କଳାପାହାଡ ଉପରକୁ ମୁଠାଏ ମୁଠାଏ ବାଲି ଫିଙ୍ଗି ଦେଇଥାଆନ୍ତେ ତାହା ହେଲେ କଳା ପାହାଡ଼ଙ୍କ ସୈନ୍ୟବାହିନୀ ବାଲି ପାହାଡ ତଳେ ପୋତି ହୋଇଯାଇଥାନ୍ତେ। ମାତ୍ର ସେଭଳି ହେଲା ନାହିଁ। ସେତେବେଳେ ବିଦେଶୀ ଆକ୍ରମଣ ଆଶଙ୍କାରେ ମହାପଭୁଙ୍କର ରଥଯାତ୍ରା ଅନେକ କାଳ ବନ୍ଦ ହୋଇଯାଇଥିଲା। ଆଜି ବି ରଥଯାତ୍ରା ଅନେକ ସମୟରେ ବିବାଦୀୟ ହୋଇ ପଡୁଛି। ସରକାର, ପ୍ରଶାସକ, ରାଜନେତା ଓ ସେବାୟତ ସବୁ ବେଳେ ପରିସ୍ଥିତିକୁ ବିବାଦୀୟ ତଥା ବିତର୍କିତ କରୁଛନ୍ତି । ଏଭଳି ବିତର୍କରେ ହରି ନଥାନ୍ତି, କେବଳ ଭକ୍ତିରେ ନିକଟରେ ମିଳନ୍ତି । ଏ ନିଗୂଢ ତତ୍ତ୍ୱକୁ ସମସ୍ତେ ବୁଝିବା ଉଚିତ୍ । ଅଯଥା ବିବାଦ ଓ ବିତର୍କରୁ ନିଜକୁ ମୁକ୍ତ ରଖନ୍ତୁ ଏବଂ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ବିବାଦ ମୁକ୍ତ କରନ୍ତୁ।
ଯଥାର୍ଥରେ ଉତ୍କଳମଣି କହିଥିଲେ ‘ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ’ ହେ ନେତାଗଣ, ଏଥିରୁ ସାରକଥାଟି ବୁଝନ୍ତୁ ଯେତେବେଳେ ଉତ୍କଳର ସମର୍ଥ ନେତା ନିଜେ ନାରାୟଣ ଶ୍ରୀ ଜଗନ୍ନାଥ ସେତେବେଳେ ଆମ ଭଳି ନେତା ମାନଙ୍କର କି ପ୍ରୟୋଜନ ଅଛି? ଯୁଗେ ଯୁଗେ ସେ ଆମର ନେତୃତ୍ୱ ନେଇଛନ୍ତି । ଜାତିକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ସଙ୍କଟ କାଳରେ ସେ ପ୍ରଧାନ ସେନାପତି ପଣରେ ସମରାଙ୍ଗନରେ ଉଭା ହୋଇଛନ୍ତି। ଘୋର ସଙ୍କଟରୁ ଉଦ୍ଧାର କରିଛନ୍ତି। ଆସନ୍ତୁ ପବିତ୍ର ରଥଯାତ୍ରା ଅବସରରେ ଆମେ ଜଗନ୍ନାଥଙ୍କ ନାମରେ ଶପଥ କରିବା ରାଜନୀତିକୁ ଜଗନ୍ନାଥଙ୍କୁ ଟାଣିବା ନାହିଁ କି ବିବାଦୀୟ କରିବା ନାହିଁ, ବିବାଦକୁ ସୁଯୋଗ ଦେବା ନାହିଁ, ବିତର୍କରୁ ଦୂରେଇ ରହିବା । ବିବାଦ ଓ ବିତର୍କର କାରଣ ଖୋଜି ସେ ସବୁର ମୂଳରୁ ନିରାକରଣ କରିବା।
କୃଷ୍ଣ ଜଗଦ୍ଦେବ
ରାଜ୍ୟ ସଭାପତି, ପୂଜ୍ୟପୂଜା ସଂସଦ, ଓଡ଼ିଶା
ଫୋନ୍- ୯୪୩୭୯୬୦୯୦୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/kishore-mohanty.jpg)