ନାରାୟଣ, ନାରାୟଣ। ବାବୁ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏଭଳି ଗୋଟେ ମନ୍ତବ୍ୟ ବାହାରର ଲୋକମାନଙ୍କଠାରୁ ଶୁଣିବାକୁ ପଡ଼ିବ- ଏକଥା କିଛି ବର୍ଷ ତଳେ କଳ୍ପନା କରାଯାଇପାରି ନ ଥାନ୍ତା। ମାତ୍ର ବର୍ତ୍ତମାନ ତାହା ଶୁଣିବାକୁ ପଡୁଛି। ମଣିପୁର ଘଟଣା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଃସର୍ତ୍ତ ସମର୍ଥନ ଦେବା ଓ ବର୍ଷ ବର୍ଷ ଧରି କେନ୍ଦ୍ର ଅବହେଳା ଅଭିଯୋଗ କଥା କହୁଥିବା ନବୀନ ପଟ୍ଟନାୟକ ସହସା ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ସିଏ କେନ୍ଦ୍ର ସରକାର ନିକଟରେ ଚିରକୃତଜ୍ଞ ବୋଲି କହିବା ତାଙ୍କର ଭାବମୂର୍ତ୍ତିକୁ ମଳିନ କରିଛି। ନିକଟରେ ଆମର ଝାଡ଼ଖଣ୍ତ ମୁକ୍ତିମୋର୍ଚ୍ଚାର ସା˚ସଦ ମହୁଆ ମାଝୀଙ୍କ ସହ ଦେଖାହୋଇଥିଲା। ଆଲୋଚନା କାଳରେ ଭଦ୍ରମହିଳା କହିଲେ ଯେ ମଣିପୁର ହତଭାଗିନୀ ମହିଳାଙ୍କ ପ୍ରତି ସହାନୁଭୂତି ଜଣାଇବା ବଦଳରେ ବାବୁ ନବୀନ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିବାରୁ ମହିଳା ସା˚ସଦମାନେ ଖୁବ୍ କ୍ଷୁବ୍ଧ। ‘ଆମେ ଜାଣିପାରିଲୁ ଯେ ତାଙ୍କର ମହିଳାଙ୍କ ପ୍ରତି ଶ୍ରଦ୍ଧା କେବଳ ଏକ ନିର୍ବାଚନୀ କୌଶଳ।’ ଅନ୍ୟପକ୍ଷରେ କରନ୍ ଥାପରଙ୍କ ଟେଲିଭିଜନ୍ ସାକ୍ଷାତକାରରେ ଭାଗନେଇ ତୃଣମୂଳ କ˚ଗ୍ରେସର ସା˚ସଦ ଡେରିକ୍ ଓ’ବ୍ରାଏନ୍ ଅତି ତୀକ୍ଷ୍ଣ ସ୍ବରରେ କହିଛନ୍ତି ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ସ୍ବାର୍ଥପର ରାଜନେତା ଯିଏ କେବଳ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଷମତାରେ ରହିବା ଲାଗି ଉଦ୍ୟମରତ। ଓ’ବ୍ରାଏନ୍ ବାବୁ ନବୀନଙ୍କର ସୁଦୀର୍ଘ ଜୀବନ କାମନା କରି ଆକ୍ଷେପ କରିଛନ୍ତି ଯେ ତାଙ୍କର ଭାରତର ସ˚ଘୀୟ ବ୍ୟବସ୍ଥା ଅଥବା ସମ୍ବିଧାନର କୌଣସି ପ୍ରତି ଅନୁରାଗ ନାହିଁ। ଏହା ଆଗରୁ ଯେତେବେଳେ କି ବାବୁ ନବୀନଙ୍କର ପ୍ରସଙ୍ଗ ଆସୁଥିଲା ରାଜ୍ୟ ବାହାରର ନେତାମାନେ ତାଙ୍କୁ ଜଣେ ସମ୍ବିଧାନ ଅନୁରାଗୀ ନେତା ଭାବରେ ଚିତ୍ରଣ କରୁଥିଲେ। ହଁ, ବସ୍ତୁତଃ ପୁଣି ଥରେ ଓଡ଼ିଶାକୁ ବିଜେପି-ବିଜେଡି ମେଣ୍ଟ ରାଜନୀତି ଫେରିଆସିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତର ମୂଳ କାରଣ କୌଣସି ପ୍ରଶାସନିକ କାର୍ଯ୍ୟ ନୁହେଁ ବର˚ ଆସନ ବୁଝାମଣା ଏବ˚ ଆଗତ ହୋଇଥିବା ନିର୍ବାଚନ କମିସନର ନିଯୁକ୍ତି ବିଲ୍ ପ୍ରତି ସମର୍ଥନ ଆଦାୟ ପରି ରାଜନୈତିକ ବୋଲି ଚର୍ଚ୍ଚା ହେଉଅଛି।
ସ୍ବଧର୍ମେ ନିଧନ˚ ଶ୍ରେୟଃ
ବାବୁ ଗିରିଧର ଗମାଙ୍ଗ ଇତିମଧ୍ୟରେ ବୁଝିସାରିଲେଣି ଯେ ଗୀତାର ଏହି ଶ୍ଳୋକଟିର ଅନେକ ମହତ୍ତ୍ବ ରହିଛି। ନିଜ ଧର୍ମରେ ରହି ମୃତ୍ୟୁବରଣ କରିବା ବର˚ ଭଲ, ମାତ୍ର ଅନ୍ୟ ଧର୍ମକୁ ଗଲେ ତାହାର ଫଳାଫଳ ଭୟାବହ ହୋଇଥାଏ। ବାବୁ ଗିରିଧର ଗମାଙ୍ଗ କ˚ଗ୍ରେସ ଦଳରେ ଥାଇ ବାରମ୍ବାର କୋରାପୁଟର ସା˚ସଦ, କେନ୍ଦ୍ରମନ୍ତ୍ରୀ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୯୯େର ମହାବାତ୍ୟା ହୋଇଥିଲା। ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ତାଙ୍କର ବିଫଳତା କ˚ଗ୍ରେସ ଦଳ ପାଇଁ ସର୍ବନାଶ ଏବ˚ ବିରୋଧୀ ଦଳ ପାଇଁ ପୁଷମାସକୁ ଆମନ୍ତ୍ରଣ କରିଆଣିଥିଲା। ସେହିଦିନଠାରୁ କ˚ଗ୍ରେସ ଦଳ କ୍ଷମତାରୁ ଯାଇଛି ଯେ ଆଉ ଫେରିପାରିନାହିଁ। ଗିରିଧର ଗମାଙ୍ଗଙ୍କ ନାମରେ କେବଳ ଏଇ ଅସାମର୍ଥ୍ୟର ଅଭିଯୋଗ ନୁହେଁ, ତା ସାଙ୍ଗକୁ ଆଉ ଗୋଟେ ଅପନିନ୍ଦା ମଧ୍ୟ ଯୋଡ଼ି ହୋଇଥିଲା ଯାହା ଏବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପରିପ୍ରେକ୍ଷୀରେ ଆଉ ଥରେ ଚର୍ଚ୍ଚା ହୋଇଛି। ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିବା ପରେ ୧୯୯୯ରେ ବାଜପେୟୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯାଇ ଭୋଟ୍ ଦେଇଥିଲେ ଯାହାଫଳରେ ବାଜପେୟୀ ସରକାରର ପତନ ଘଟିଥିଲା। ଟେକନିକାଲ୍ ଦୃଷ୍ଟିରୁ ଗମାଙ୍ଗଙ୍କର ଏଥିରେ ତ୍ରୁଟି ନ ଥିଲେ ବି ନୈତିକତା ଦୃଷ୍ଟିରୁ ଏହା ଉଚିତ ନ ଥିଲା ବୋଲି ରାଜନୈତିକ ସମୀକ୍ଷକମାନେ କହିଥାଆନ୍ତି। ସେହି ଗିରିଧର ଗମାଙ୍ଗ ପୁଣି କ˚ଗ୍ରେସ ଛାଡ଼ି ବାଜପେୟୀଙ୍କ ଭାରତୀୟ ଜନତା ପାର୍ଟିରେ ଯାଇ ଯୋଗ ଦେଇଥିେଲ ଏବ˚ ସେ ଦଳ ତାଙ୍କୁ ଗ୍ରହଣ କରିଥିଲା। ମାତ୍ର ବାବୁ ସେଠାରୁ ଆଶାନୁରୂପେ ସମ୍ମାନ ନ ପାଇବା ଅଭିଯୋଗ କରି କିଛି ମାସ ତଳେ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିରେ ଯାଇ ଯୋଗ ଦେଇଥିଲେ। ସେତେବେଳେ ଧାରଣା ସୃଷ୍ଟି ହୋଇଥିଲା ଯେ ବିଆରଏସ୍ ବା ଭାରତ ରାଷ୍ଟ୍ର ସମିତି କୋରାପୁଟ ସେମତ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ କରିନେବ। ମାତ୍ର ଏବେ ଜଣାପଡ଼ିଗଲାଣି ସେଭଳି ହେବାର ସମ୍ଭାବନା ଶୂନ୍ୟ। ଏହା ଭିତରେ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ମଧ୍ୟ ବିଜେଡିର ସୁଆଦ ଚାଖି ସାରିଛନ୍ତି। ସୁତରା˚ ଘର ବା କ˚ଗ୍ରେସ ଦଳକୁ ଫେରିବା ଭିନ୍ନ ସେମାନଙ୍କ ପାଖରେ ଏବେ ଅନ୍ୟ ବିକଳ୍ପ ନାହିଁ।
ସେବାୟତ ଓ କମ୍ପ୍ୟୁଟର
ଓଡ଼ିଶାରେ ଏବେ ଯୋଉ ଫାଇଭ୍-ଟି ଶାସନ ଚାଲିଛି ତାହାକୁ ସିକ୍ସ-ଟି କରିଦେଲେ ଭଲ ହେବ। ଷଷ୍ଠ ‘ଟି’ ଟି ହେବ ଟ୍ରେନିଂ ଇନ୍ କମ୍ପ୍ୟୁଟର। ସବୁକଥା ରାଜ୍ୟବାସୀଙ୍କୁ କମ୍ପ୍ୟୁଟରରେ ଦେଖାଇଦିଆଯାଉଛି, ବାସ୍ତବ କ୍ଷେତ୍ରରେ ତାହା ଥାଉ ବା ନ ଥାଉ। ମଠ ମନ୍ଦିରର ପୂଜକ ଓ ସେବାୟତମାନଙ୍କର କମ୍ପ୍ୟୁଟର ଜ୍ଞାନ ନ ଥିବାରୁ ବର୍ତ୍ତମାନର ଫାଇଭ୍-ଟି ଶାସନରେ ଖୁବ୍ ସମସ୍ୟା ହେଉଛି। ଜଗତସି˚ହପୁର ଶାରଳା ମନ୍ଦିର କଥା ଆଲୋଚନା କରିବା। ୪୨ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିରର ନବୀକରଣ କଥା ଘୋଷଣା ବେଳେ କାର୍ଯ୍ୟଟି ୮ ମାସ ଭିତରେ ସରିବ ବୋଲି କୁହାଯାଇଥିଲା। ଏହା ଭିତରେ ଦୁଇବର୍ଷ ବିତିଗଲାଣି, କାମ ସରିନାହିଁ। ଗଲା ଜୁନ୍ ମାସରେ ଫାଇଭ୍-ଟି ସଚିବ ମନ୍ଦିର ଦର୍ଶନରେ ଯିବା ଆଗରୁ ଜଗତସି˚ହପୁର ଜିଲ୍ଲାପାଳ ମନ୍ଦିର କାମ ନେଇ ଖୁବ୍ ତନାଘନା କରିଥିଲେ। ସେବାୟତମାନଙ୍କୁ ନବୀକରଣ କାମର ବ୍ଲୁ-ପ୍ରିଣ୍ଟ୍ କମ୍ପ୍ୟୁଟର ସ୍କ୍ରିନ୍ରେ ଦେଖେଇଥିଲେ। ମାତ୍ର ବୟସ୍କ ସେବାୟତମାନଙ୍କ କହିବା କଥା, ଆମେମାନେ ଏ ବୟସରେ କଣ କମ୍ପ୍ୟୁଟର ଦେଖି ଏସବୁ ବୁଝିପାରିବୁ? ଏହା ତ ଋଷିଙ୍କୁ ଭାର ବୁହାଇବା ପରି କଥା। ଫଳରେ ଏହି ମନ୍ଦିରର ପିଲାର୍ କାମ ଥରେ ଆରମ୍ଭ ହେଇଯାଉଛି, ତାପରେ ସେଗୁଡ଼ିକୁ ଭଙ୍ଗାଯାଉଛି। ଚନ୍ଦନ ପୋଖରୀର ଭିତର କାମ ସରିନାହିଁ, ଉପରର ଟାଇଲ୍ କାମ ଯାହା ହୋଇଥିଲା ସେସବୁ ଖସିପଡ଼ିଲାଣି। ଯେଉଁ ଢଙ୍ଗରେ ଏଠିକାର କାମ ଚାଲିଛି ତାହା ଆଉ ଦିବର୍ଷ ପୂର୍ବରୁ ସୁଦ୍ଧା ସରିଲା ପରି ମନେହେଉନାହିଁ। ଏସବୁ ସମସ୍ୟାର ଗୋଟେ କାରଣ, ସେବାୟତମାନଙ୍କ କମ୍ପ୍ୟୁଟର ଜ୍ଞାନର ଅଭାବ! ସରକାର ତେଣୁ ରାଜ୍ୟର ସମସ୍ତ ମଠ-ମନ୍ଦିର ଓ ଦେବାଳୟର ସେବାୟତ, ପୂଜକଙ୍କୁ କିସ୍ତିଵାରି କମ୍ପ୍ୟୁଟର ତାଲିମ ଦେବା କାମ ଆରମ୍ଭ କରିଦିଅନ୍ତୁ।
ବିକ୍ରମଙ୍କ ପଛରେ କିଏ
ଗଲା ଅଗଷ୍ଟ ୯ ତାରିଖ ଦିନ ବାଲେଶ୍ବରର ଜଣେ କ˚ଗ୍ରେସ ନେତା ଭାବେ ଜଣାଶୁଣା ବାବୁ ବିକ୍ରମ ପଣ୍ତା ଦଳବଳ ଧରି ‘ଇ˚ରେଜ ତୁମେ ଭାରତ ଛାଡ଼’ ରାଗିଣୀରେ ‘ସଦର ବିଧାୟକ ତୁମେ ଗାଦି ଛାଡ଼’ ବୋଲି ସ୍ଲୋଗାନ ଦେବା ସ୍ଥାନୀୟ ଲୋକଙ୍କୁ ଅବଶ୍ୟ ବିସ୍ମିତ କରିନାହିଁ, କାରଣ ମଝିରେ ମଝିରେ ସେ ଏପ୍ରକାର ଆହ୍ବାନ ଦେଇଥାଆନ୍ତି। ତେବେ ଏଥର ଯୋଉ ବିକ୍ରମରେ ବାବୁ ବିକ୍ରମ ଏ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ତାହା ହିଁ ଲୋକଙ୍କୁ ବିସ୍ମିତ କରିଛି। ପିଲାଙ୍କ ପୁରୁଣା କାହାଣୀରେ ଅଛି- ଗୋଟିଏ ମୂଷା ତା ଗାତରୁ ଦୁଆରବନ୍ଧ ଉଚ୍ଚା ଯାଏଁ ଡିଆଁଡେଇଁ କରୁଥିବା ଦେଖି ଗୃହସ୍ବାମୀ ବିସ୍ମିତ ହୋଇଥିଲେ। କ୍ଷୁଦ୍ର ମୂଷାଟାଏ ଏତେ ଉପରକୁ ଡେଉଁଛି କିପରି? ତାକୁ ଧରିବା ପାଇଁ ବାହାରିବାରୁ ଜଣେ ପଣ୍ତିତ କହିଲେ, ତାକୁ ଧରନାହିଁ ବର˚ ତା ଗାତକୁ ଖୋଳି ତା ଭିତରେ କଣ ଅଛି ଦେଖ। ମୂଷାର ଗାତ ଖୋଳିବାବେଳକୁ ତା ଭିତରୁ ପର୍ଯ୍ୟାପ୍ତ ଧାନ ମିଳିଲା। ପଣ୍ତିତ କହିଲେ, ଏଇ ସମ୍ପତ୍ତି ହେଉଛି ତା ଦକ୍ଷତାର ରହସ୍ୟ। ୟାକୁ ନେଇଯାଅ, ମୂଷାର ଡିଆଁକୁଦା ଖତମ୍ ହେଇଯିବ। ଯାହା ପାଖରେ ଏଭଳି ଅଯାଚିତ ସମ୍ପତ୍ତି ଜମା ହେଇଯିବ ସିଏ ଦୁଆରବନ୍ଧଯାଏ ଅବଶ୍ୟ ଲମ୍ଫ ପ୍ରଦାନ କରିପାରିବ। ବାଲେଶ୍ବରର ବାବୁ ବିକ୍ରମଙ୍କ ପଛରେ ସେହି ସହରର ଜଣେ ବିତ୍ତଶାଳୀ ନେତାଙ୍କ ଆଶୀର୍ବାଦ ରହିଥିବା ଶୁଣାଯାଉଛି। ସେହି ବିତ୍ତଶାଳୀ ନେତାଙ୍କର ସଦର ବିଧାୟକଙ୍କ ସହ ସମ୍ପର୍କ ଖରାପ। ତେଣୁ ସିଏ ବିଧାୟକଙ୍କୁ ହଲାପଟା କରିବା ପାଇଁ ବିକ୍ରମଙ୍କୁ ପୃଷ୍ଠପୋଷକତା ଯୋଗାଇ ଦେଉଥିବା ବିଚିତ୍ର ନୁହେଁ।
ମହାନଗର ମହାରାଜନୀତି
ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀ-ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣ ମହାପାତ୍ର କିଛିଦିନ ତଳେ ପଦ୍ମ ପୋଖରୀରେ ପଶିଥିଲେ ଏବଂ ଏବେ ତାଙ୍କୁ ଦଳର ଉପସଭାପତି ପଦରେ ବରଣ କରାଯାଇଛି। ଡାକ୍ତର ମହାପାତ୍ର କେବଳ ଉପସଭାପତି ହେବାଲାଗି ନିଶ୍ଚୟ ପଦ୍ମ ପୋଖରୀରେ ପଶି ନ ଥିବେ। ଶୁଣିଲୁ ଆଗାମୀ ନିର୍ବାଚନରେ ତାଙ୍କୁ କଟକର ସା˚ସଦ ଟିକେଟ୍ ମିଳିପାରେ। ଗଲାଥର ପୁଲିସ ଅଫିସର ବାବୁ ପ୍ରକାଶ ମିଶ୍ରଙ୍କୁ ସା˚ସଦ ପ୍ରାର୍ଥୀ କରିଥିଲା ପଦ୍ମଦଳ, ମାତ୍ର ସିଏ ଜିତିପାରିଲେ ନାହିଁ। ଏଥର ନବୀନ-ଅମିତ ଶାହ ରାଜିନାମା ଅନୁସାରେ, କଟକରୁ ପଦ୍ମ ପ୍ରାର୍ଥୀ ଓ ଭୁବନେଶ୍ବରରୁ ଶଙ୍ଖ ପ୍ରାର୍ଥୀଙ୍କୁ ଜିଣାଇବାଲାଗି ସବୁମତେ ଉଦ୍ୟମ ହେବ ବୋଲି ଶୁଣାଯାଉଛି। କଟକ ସା˚ସଦ ବାବୁ ଭର୍ତ୍ତୃହରିଙ୍କୁ ଅନ୍ୟ ଭାବେ ତାଙ୍କ ଦଳ ସନ୍ତୁଷ୍ଟ କରିବାଲାଗି ଯୋଜନା କରୁଥିବାବେଳେ ଭୁବନେଶ୍ବରର ସା˚ସଦ ଅପରାଜିତା ଷଡ଼ଙ୍ଗୀ ବରାବର ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ମରମଜଳା କଥା କହୁଥିବାରୁ ତାଙ୍କୁ ହରାଇବା ଲାଗି ଫୁଲ୍-ପ୍ରୁଫ୍ ବ୍ୟବସ୍ଥା କରାଯିବ।
ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
କଟକ ମେୟର ବାବୁ ସୁବାସ ସି˚ହ ଏବେ ନୀତିଶାସ୍ତ୍ରର ଏହି ଶ୍ଳୋକକୁ ବାସ୍ତବତାରେ ପରିଣତ କରିବାରେ ଲାଗିଛନ୍ତି- ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବେ/ ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ। ଉତ୍ସବ, ପର୍ବପର୍ବାଣି, ସରକାରୀ ବା ରାଜ ଦରବାର, ଦୁର୍ଭିକ୍ଷ, ଶତ୍ରୁ ଆକ୍ରମଣ ବା ଶ୍ମଶାନରେ ଥିବା ସମୟରେ ଯିଏ ସାହାଯ୍ୟରେ ଆସନ୍ତି ସିଏ ହେଉଛନ୍ତି ପ୍ରକୃତ ବନ୍ଧୁ। ବାବୁ ସୁବାସ ସି˚ହ କିଛିଦିନ ହେଲା ସମୟ ବାହାର କରି କଟକ ସହରର ବୟସ୍କ-ଅସୁସ୍ଥ ନେତା-ନେତ୍ରୀଙ୍କ ପରିବାର ଲୋକ ଏବ˚ ବୁଦ୍ଧିଜୀବୀଙ୍କୁ ଭେଟୁଛନ୍ତି। କଟକ ମେଡିକାଲ୍ରେ ଚିକିତ୍ସିତ ହେଉଥିବା କବି ଜୟନ୍ତ ମହାପାତ୍ରଙ୍କୁ ଯାଇ ସେ ଭେଟିଥିଲେ ଏବ˚ ଡାକ୍ତରମାନଙ୍କୁ ଡାକି ତାଙ୍କ ଚିକିତ୍ସା କଥା ଗୁରୁତ୍ବର ସହ ବୁଝିବାଲାଗି ପରାମର୍ଶ ଦେଇଥିଲେ। ତାପରେ ମୁସ୍ତାଫିଜ୍ ଅହମ୍ମଦଙ୍କ ଅସୁସ୍ଥ ପତ୍ନୀଙ୍କୁ ଯାଇ ସେ ସାକ୍ଷାତ କରି ତାଙ୍କ ଭଲମନ୍ଦ ବୁଝିଥିଲେ। ଏହି ତିନିଦିନ ତଳେ ସେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଖବର ପାଇଲୁ। ସହରର ପ୍ରଥମ ନାଗରିକ ଭାବରେ ବାବୁ ସୁବାସଙ୍କର ଏ ପଦକ୍ଷେପକୁ ଲୋକେ ପ୍ରଶ˚ସା କରୁଛନ୍ତି।
ଏବେ ଅତନୁ ଆଶ୍ରୟ
କେନ୍ଦ୍ରାପଡ଼ା ବିଧାୟକ ବାବୁ ଶଶିଭୂଷଣ ବେହେରା ସବୁଆଡୁ ନିରାଶ ହେବାପରେ ତାଙ୍କ ଜିଲ୍ଲାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କର ଆଶ୍ରୟ ଲୋଡ଼ିଥିବା ଦେଖାଯାଉଛି। ତେବେ ମନ୍ତ୍ରୀଙ୍କ ସହଯୋଗ ସତ୍ତ୍ବେ ଜିଲ୍ଲା ସଙ୍ଗଠନ ତାଙ୍କୁ ସମର୍ଥନ କରୁନାହିଁ। ଉଦାହରଣ ସ୍ବରୂପ ଗତ ଅଗଷ୍ଟ ୯ କ୍ରାନ୍ତି ଦିବସ ଦିନ ମନ୍ତ୍ରୀ ଶ୍ରୀ ନାୟକ ତିନିମୁହାଁଣି ଛକରେ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଦ୍ଘାଟନ କଲେ। ସେହି ଉପଲକ୍ଷେ ସେଠାରେ ଏକ ସଭା ମଧ୍ୟ ହେଇଥିଲା ଯୋଉଥିରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବ˚ ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଏବ˚ ଡିଆର୍ଡିଏ ସଭାପତି ଯୋଗ ଦେଇଥିଲେ। ତେବେ ଜିଲ୍ଲାର ବିଜେଡି ସଭାପତି ବାବୁ ଉତ୍କଳ କେଶରୀ ପରିଡ଼ା କିମ୍ବା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ସେଠାକୁ ଯାଇ ନ ଥିଲେ। ଏହା ସାଙ୍ଗକୁ ଆଉ ଗୋଟିଏ କଥା ମଧ୍ୟ ସେଠାରେ ଶୁଣିବାକୁ ମିଳିଲା। ଯୋଉ ଜାଗାରେ ପଦଯାତ୍ରା ସ୍ମାରକୀ ଉଦ୍ଘାଟନ ହେଇଛି ସେ ଜାଗାଟି ଟ୍ରାଫିକ୍ ଛକ ନିକଟରେ। ଏବେ ତିନିମୁହାଁଣିରୁ ନୂଆ ବସ୍ଷ୍ଟାଣ୍ତ୍ ପର୍ଯ୍ୟନ୍ତ ରାସ୍ତା ନବୀକରଣ ପାଇଁ ଟେଣ୍ତର ହେଇଯାଇଛି। ଖୁବ୍ ଶୀଘ୍ର ରାସ୍ତା ଚଉଡ଼ା କାମ ଆରମ୍ଭ ହେବ। ସେତେବେଳେ ଏହି ସ୍ମାରକୀକୁ ଏଠାରୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ବିଧାୟକ ଏ ସ୍ମାରକୀ ଏଠି ବସେଇଲେ କାହିଁକି? ତେବେ ବାବୁ ଶଶିଭୂଷଣଙ୍କ ବିରୋଧୀଙ୍କ କହିବା କଥା, ଆମେ ତ ବିଧାୟକଙ୍କୁ ହଟେଇବା ପାଇଁ ଲାଗିପଡିଛୁ, ତା ପାଖରେ ଏ ମୂର୍ତ୍ତିମାନଙ୍କ ସ୍ଥାନାନ୍ତରୀକରଣ ତ ଅତି ମାମୁଲି କଥା। ନାରାୟଣ, ନାରାୟଣ।