ରଜନୀକାନ୍ତ ସିଂହ ହେଲେ ଉପବାଚସ୍ପତି

‘ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ଉଦ୍ୟମ କରିବି’

ଭୁବନେଶ୍ବର : ଅନୁଗଳ ବିଧାୟକ ରଜନୀକାନ୍ତ ସିଂହ ଷୋଡ଼ଶ ବିଧାନସଭାରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ଶ୍ରୀ ସିଂହଙ୍କ ନାମ ପ୍ରସ୍ତାବ ଦେଇ କହିଥିଲେ, ୨୦୦୪ ମସିହାରୁ ଶ୍ରୀ ସିଂହ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଗରିବ ଓ ସମାଜର ତଳ ସ୍ତରର ଲୋକଙ୍କ ବିକାଶ ପାଇଁ ସେ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ଜଣେ ବିଧାୟକ ତଥା ଜନନେତା ଭା‌େବ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ତେଣୁ ବିଧାୟକମାନେ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଅନ୍ୟ ସଦସ୍ୟମାନେ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହା ପରେ ଶ୍ରୀ ସିଂହଙ୍କ ନାମକୁ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନୂଆ ଉପବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଶ୍ରୀ ସିଂହ ବହୁ ଦିନରୁ ଗୃହର ସଦସ୍ୟ ଅଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଗୃହ ଚାଲେ। ଗୃହରେ ବିରୋଧୀ ଦଳକୁ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି। ବିଧାନସଭା ଗୃହ ବିରୋଧୀ ଦଳର ବୋଲି ସମ୍ବିଧାନରେ ଉଲ୍ଲେଖ ଅଛି। ସେ ଏହାକୁ ଠିକ୍ ଭାବେ ପାଳନ କରିବେ ବୋଲି ଆଶା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଗୃହ ଚଳାଇବା ପାଇଁ କଂଗ୍ରେସ ଦଳ ପକ୍ଷରୁ ସେ ସବୁପ୍ରକାର ସମର୍ଥନ ପାଇବେ। ସେ ନିରପେକ୍ଷ ଭାବେ କାର୍ଯ୍ୟ କରିବେ ଓ ଗୃହର ମର୍ଯ୍ୟାଦା ରଖିବେ ବୋଲି ଆଶା। ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ନୂଆ ଉପବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ସର୍ବସମ୍ମତିକ୍ରମେ ରଜନୀକାନ୍ତ ସିଂହ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ଅଭିଜ୍ଞତା ରହିଛି ଓ ପୂର୍ବରୁ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ବି ତୁଲାଇଛନ୍ତି। ମୋ ଅନୁପସ୍ଥିତିରେ ସେ ଗୃହକୁ ନିରପେକ୍ଷ ଭାବେ ଚଳାଇବେ ବୋଲି ଦୃଢ଼ ବିଶ୍ବାସ ରହିଛି।

ଏହା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ନୂଆ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ସ୍ବାଗତ କରି ତାଙ୍କ ଆସନକୁ ଆଣିଥିଲେ। ଗୃହରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସିଂହ କହିଥିଲେ, ଏହି ଗୃହ ଗଣତନ୍ତ୍ରର ମନ୍ଦିର। ଏହାର ମର୍ଯ୍ୟାଦା ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରିବି। ସର୍ବସମ୍ମତିକ୍ରମେ ନିର୍ବାଚିତ କରିିଥିବାରୁ ସେ ସବୁ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର