ଜୟପୁର: କରୋନା ସଂକ୍ରମଣ କିଛିମାତ୍ରାରେ ହ୍ରାସ ପାଇଥିବା ବେଳେ ଏବେବି ସରକାର ସାମାଜିକ ଦୂରତା ବଜାୟ ରଖିବା ସହିତ ସଚେତନ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି। ଏଭଳି ସମୟରେ ବିବାହ ଓ ବତ୍ରଘର ଭଳି ଉତ୍ସବ ଆଦିକୁ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆୟୋଜନ କରାଯାଉଛି। ଏଭଳି ସ୍ଥିତିରେ ରାଜସ୍ଥାନର ବାରାସ୍ଥିତ କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ରାଜସ୍ଥାନରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଭାରତରେ ମୋଟ୍ ୯୬ ଲକ୍ଷ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।
/sambad/media/post_attachments/84cb0b7a04811f60507e803e84c5ac09b10fc631e5679b3154c44a850b77096a.webp)
କରୋନା ମହାମାରୀ ସମୟରେ ବରକନ୍ୟା ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ବାହା ହେଉଥିବା ନଜରକୁ ଆସିଥିଲା ବେଳେ ନିକଟରେ ବର-କନିଆ ପିପିଇ କିଟ୍ ପିନ୍ଧି ବାହା ବେଦୀରେ ବସିଥିବାର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି କରିବା ପଛର କାରଣ ହେଉଛି ବିବାହ ଦିନ ହିଁ କନ୍ୟା କରୋନା ପଜିଟିଭ ହୋଇଥିଲେ। ବିବାହକୁ ଆଉ ଘୁଞ୍ଚା ଯାଇ ନପାରିବାରୁ ବର ଓ କନ୍ୟା ନିଜର ତଥା ଅନ୍ୟମାନଙ୍କ ସୁରକ୍ଷା ପାଇଁ ପିପିଇ କିଟ ପିନ୍ଧି ବାହା ବେଦୀରେ ବସିଥିଲେ। ଏହି ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ତେବେ ଭିଡିଓ ସେୟାର କରିବାବେଳେ ଆଇଏଏସ୍ ଅଧିକାରୀ କ୍ୟାପସନରେ ଲେଖିଛନ୍ତି, '୨୦୨୦ ରେ ଏହା ହିଁ ଦେଖିବାକୁ ବାକି ରହିଥିଲା। ଦମ୍ପତିଙ୍କୁ ବିବାହର ଶୁଭେଚ୍ଛା |
बस यही देखना बचा था 2020 में.😷
Wish the couple Happy Married Life. pic.twitter.com/U0xeHTVM8U
— Awanish Sharan (@AwanishSharan) December 7, 2020
କରୋନା ମହାମାରୀ ସଂକ୍ରମଣ ସମୟରେ ଏଭଳି ସ୍ବତନ୍ତ୍ର ବିବାହ ଭିଡିଓକୁ ସୋସିଆଲ ମିଡିଆରେ ଶହ ଶହ ଲାଇକ୍ସ ଏବଂ କମେଣ୍ଟ ମିଳିଛି । ଏହାକୁ ନେଇ ଅନେକ ପ୍ରକାର ମିମ୍ସ ମଧ୍ୟ ଲୋକେ ସେୟାର କରୁଥିବା ଦେଖିବାକୁ ମିଳିଛି।