ଗଜପତି ମହାରାଜା ସେବାରେ ରାଜଗୁରୁ ମୁଖ୍ୟ ସହାୟକ

ଦେବୀ ପ୍ରସାଦ ରାଜଗୁରୁ

ଉତ୍କଳୀୟ ଗଜପତି ପରମ୍ପରାରେ ଗଜପତି ହେଉଛନ୍ତି ମହାପ୍ରଭୁଙ୍କର ଆଦ୍ୟ ସେବକ। ନିଜକୁ ରାଉତ ବା ସେବକଭାବେ ସେ ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀପୟରରେ ନିଜକୁ ସମର୍ପିତ କରିଆସିଛନ୍ତି। ଆଦ୍ୟ ସେବକଭାବେ ଶ୍ରୀମନ୍ଦିରରେ ଗଜପତିଙ୍କର ଅନନ୍ୟ ସେବା ପରମ୍ପରା ରହିଆସିଛି। ତେବେ ଗଜପତିଙ୍କ ସେବା ଏବଂ ରାଜନୀତି ଆଦି ପାରମ୍ପରିକ କର୍ମରେ ସହାୟତା ଓ ମାର୍ଗଦର୍ଶନ କରନ୍ତି ରାଜଗୁରୁ। ରାଜଗୁରୁ ମଧ୍ୟ ଶ୍ରୀମନ୍ଦିରର ପରିଚ୍ଛା ଭାବେ ଦାୟିତ୍ବ ତୁଲାଇଥାଆନ୍ତି। ପରିଚ୍ଛା ବା ପରୀକ୍ଷା ବୋଲାଉଥିବା ରାଜଗୁରୁଙ୍କର ଗଜପତିଙ୍କ ସହିତ ସମ୍ପର୍କ ବେଶ୍‌ ପୁରାତନ। ସ୍ବତ୍ବ ଲିପି ଅନୁସାରେ ରାଜଗୁରୁ ବା ପରିଚ୍ଛାଙ୍କର ସ୍ଥାନ ଗଜପତିଙ୍କ ପରେ ଦ୍ବିତୀୟରେ ଆସିଥାଏ। ଗଜପତିଙ୍କ କୁଳ ପୁରୋହିତଭାବରେ ମଧ୍ୟ ରାଜଗୁରୁ ଦାୟିତ୍ବ ନିର୍ବାହ କରନ୍ତି। ଶ୍ରୀନଅରରେ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣୀରେ ରାଜଗୁରୁଙ୍କର ସ୍ବତନ୍ତ୍ର ସେବା ଓ ଦାୟିତ୍ବ ରହିଥାଏ। ଏହା ଏକ ବଂଶାନୁକ୍ରମିକ ସେବା। ରାଜଗୁରୁ ଗଜପତି ମହାରାଜାଙ୍କ ନିକଟରେ ଶାଢ଼ି ବନ୍ଧାଇ ସେବା ଆରମ୍ଭ କରିଥାଆନ୍ତି। ଗଜପତିଙ୍କର ପ୍ରତ୍ୟହ ଦେବାର୍ଚ୍ଚନାରେ ରାଜଗୁରୁ ସେବା ସମ୍ପାଦନ କରନ୍ତି। ଏହା ବ୍ୟତୀତ ଶ୍ରୀନଅରରେ ସୁନିଆଁ, ପୁଷ୍ୟାଭିଷେକ, ରାଜପ୍ରସାଦ ବିଜେ, ଖଡ଼ି ପ୍ରସାଦ ବିଜେ, ଚମ୍ପକ ଦ୍ବାଦଶୀରେ ଶ୍ରୀଅନଅରରେ ମଦନମୋହନ ଏବଂ ଋକ୍ମିଣୀରୂପୀ ମହାଲକ୍ଷ୍ମୀଙ୍କ ନିକଟରେ ଗଜପତି ଯେତେବେଳେ ରାଜ-ନୀତି ଓ ବନ୍ଦାପନା କରନ୍ତି, ସେତେବେଳେ ମଧ୍ୟ ରାଜଗୁରୁଙ୍କର ସେଠାରେ ଦାୟିତ୍ବ ରହିଥାଏ।

ରଥଯାତ୍ରାରେ, ବିଶେଷ କରି ଛେରାପହଁରାଠାରୁ ଆରମ୍ଭ କରି ଲକ୍ଷ୍ମୀ ନାରାୟଣ ଭେଟ ପର୍ଯ୍ୟନ୍ତ ଯେଉଁ ସବୁ ସେବାନୀତିରେ ଗଜପତିଙ୍କର ଭୂମିକା ଥାଏ, ସେହି ସବୁ ସେବାରେ ରାଜଗୁରୁ ଗଜପତିଙ୍କ ସହିତ ରହି ସେବା ସମର୍ପଣ କରନ୍ତି। ସ୍ନାନପୂର୍ଣ୍ଣିମାରେ ମଧ୍ୟ ସ୍ନାନମଣ୍ଡପରେ ଗଜପତିଙ୍କ ଛେରାପହଁରା ସମୟରେ ରାଜଗୁରୁ ଦ୍ରବ୍ୟ ସଂସ୍କାର ଏବଂ ମନ୍ତ୍ରୋଚ୍ଚାରଣ କରି ରାଜନୀତି ସମ୍ପାଦନ ଏବଂ ସ୍ନାନମଣ୍ଡପ ମାର୍ଜନାରେ ଯୋଗ ଦିଅନ୍ତି। ଗଜପତି ମହାରାଜାଙ୍କ ସେବା ପାଇଁ ରାଜଗୁରୁଙ୍କର ଉପସ୍ଥିତି ଅତ୍ୟାବଶ୍ୟକ ହୋଇଥାଏ। ଏହା ବ୍ୟତୀତ ରଥ କାଠ ଅନୁକୂଳ, ରଥ ଅନୁକୂଳ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ସକାଳେ ପ୍ରଥମେ ହେଉଥିବା ରଥ ପ୍ରତିଷ୍ଠା କାର୍ଯ୍ୟରେ ରାଜଗୁରୁ ଗଜପତିଙ୍କ ପ୍ରତିନିଧିଭାବେ ବରଣ ହୋଇ ବନଯାଗ ପଦ୍ଧତିରେ ହେଉଥିବା ଯଜ୍ଞାଦି କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ, ଗଜପତିଙ୍କୁ ପ୍ରଥମେ ପଇତା ଲାଗି ଏବଂ ଦେବାର୍ଚ୍ଚନା କରାନ୍ତି ରାଜଗୁରୁ। ସେଦିନ ଗଜପତି ଉପବାସ ବ୍ରତ ରଖି ରାଜଗୁରୁଙ୍କଠାରୁ ଯଜ୍ଞୋପବୀତ ଧାରଣ କରିବା ପରେ, ରାଜଗୁରୁ ବରୁଣ ପୂଜା ଓ ପଞ୍ଚଦେବତା ପୂଜା କରନ୍ତି। ଗଜପତି ପଞ୍ଚଦେବତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଇଷ୍ଟଦେବୀ କନକ ଦୁର୍ଗା ଏବଂ ଯୁଗଳକୃଷ୍ଣ ତଥା ଅନ୍ୟ ଗୃହ ଦେବତାଙ୍କୁ ଦର୍ଶନ କରନ୍ତି ଏବଂ ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି। ଏହା ପରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ‌େସାଲଚିତା ଲାଗି ହେବା ପରେ, ଶ୍ରୀନଅରକୁ ଖବର ଆସେ। ଗଜପତି ରୌପ୍ୟ ତାମଜାନରେ ବସି ପାରମ୍ପରିକ ପଟୁଆରରେ ରଥ ନିକଟକୁ ଯାତ୍ରା କରନ୍ତି। ସାଥୀରେ ଥାଆନ୍ତି ରାଜଗୁରୁ ଏବଂ ଅନ୍ୟ ରାଜ-ସେବକମାନେ।

କାହାଳୀ ବାଜିଲେ ଗଜପତି ବିଜେ କରନ୍ତି। କ୍ରମାନ୍ବୟରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ, ତା’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଏବା ଶେଷରେ ଦେବୀ ସୁଭ୍ରଦାଙ୍କ ତାଳଧ୍ବଜ ରଥରେ ସେ ଛେରାପହଁରା ଓ ରାଜ-ନୀତି ସେବା କରନ୍ତି। ଶ୍ରୀଜୀଉଙ୍କ ନିକଟରେ ପହଞ୍ଚିବା ପରେ ଗଜପତି ଯୋଡ଼ହସ୍ତରେ ମଥାନତ କରି ପ୍ରଣାମ କରନ୍ତି। ପ୍ରଥମେ ନିଉଛାଳି ବା ବସ୍ତ୍ର ପ୍ରଦାନ କରାଯାଏ। ଭଣ୍ଡାର ମେକାପ ରୂପା ପିଙ୍ଗଣରେ ବସ୍ତ୍ର ରଖନ୍ତି ଏବଂ ରାଜଗୁରୁ ସେହି ବସ୍ତ୍ରକୁ ସଂସ୍କାର କରି ଗଜପତିଙ୍କ ହସ୍ତକୁ ବଢ଼ାଇଦିଅନ୍ତି। ରାଜଗୁରୁ ମନ୍ତ୍ରୋଚ୍ଚାରଣ କରନ୍ତି ଏବଂ ଗଜପତି କ୍ରମାନ୍ବୟରେ ନିଉଛାଳି (ବସ୍ତ୍ର), ମାଳଚୂଳ, ପୁଷ୍ପାଞ୍ଜଳି (ତିନି ଥର), ସୁବର୍ଣ୍ଣ ଆଳତି କାଠିରେ କର୍ପୂର ଆଳତି, ସୁବର୍ଣ୍ଣବେଣ୍ଟଯୁକ୍ତ ଚାମର, ସୁବର୍ଣ୍ଣବେଣ୍ଟଯୁକ୍ତ ଆଲଟ (ବ୍ୟଜନ) ରାଜଗୁରୁଙ୍କ ହାତରୁ ଗ୍ରହଣ କରି ଶ୍ରୀଜୀଉମାନଙ୍କୁ ଅର୍ପଣ କରନ୍ତି । ଏହାକୁ ଗଜପତିଙ୍କ ରାଜନୀତି ବୋଲି କୁହାଯାଏ।

ପରେ ପରେ ରଥରେ ଛେରା ପହଁରା କରାଯାଏ। ରୂପା ପିଙ୍ଗଣରେ ପ୍ରଥମେ ସୁଗନ୍ଧିତ ଶୁକ୍ଳ ପୁଷ୍ପ, ଛେରା ବା ଚନ୍ଦନ ପାଣି ଏବଂ ଶେଷରେ ଚନ୍ଦନ ଗୁଣ୍ଡରେ ରଥକୁ ତିନି ଥର ମାର୍ଜନା କରନ୍ତି। ଭଣ୍ଡାର ମେକାପ ରୂପା ପିଙ୍ଗଣରେ ଫୁଲ ରଖି ରାଜଗୁରୁଙ୍କୁ ବଢ଼ାନ୍ତି। ସେ ମନ୍ତ୍ର ସଂସ୍କାର କରିବା ପରେ ଗଜପତିଙ୍କ ହସ୍ତକୁ ସୁବର୍ଣ୍ଣ ବେଣ୍ଟଯୁକ୍ତ ପହଁରା (ଖଡ଼ିକା) ମଧ୍ୟ ବଢ଼ାନ୍ତି। ଆଗେ ଆଗେ ଭଣ୍ଡାର ମେକାପ ପୁଷ୍ପ ପକାଇ ଚାଲନ୍ତି ଏବଂ ତା’ ପରେ ରାଜଗୁରୁ ମନ୍ତ୍ର ଉଚ୍ଚାରଣ କରି ଚାଲନ୍ତି। ଗଜପତି ସୁନା ଖଡ଼ିକାରେ ମାର୍ଜନା କରନ୍ତି। ଏପରି ତିନି ଥର ତିନି ପ୍ରକାର ସାମଗ୍ରୀରେ ରଥକୁ ସଂସ୍କାର କରାଯାଏ। ଛେରା ପହଁରା ସାରିବା ପରେ କୃତାଞ୍ଜଳିପୁଟରେ ଗଜପତି ମହାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତି। ରାଜଗୁରୁ ଶ୍ଲୋକ ଉଚ୍ଚାରଣ କରିବା ପରେ ବାଡ଼ଗ୍ରାହୀ ଦଇତା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏକ ପ୍ରସାଦି ମାଳା ଏବଂ ଶିରିକପଡ଼ା ରୂପା ପିଙ୍ଗଣରେ ରଖନ୍ତି। ସେହି ପ୍ରସାଦି ମାଳାକୁ ପ୍ରଥମେ ଗଜପତିଙ୍କ ମସ୍ତକରେ ଛୁଆଁନ୍ତି ରାଜଗୁରୁ। ତା’ ପରେ ଗଜପତିଙ୍କ ବେକରେ ପ୍ରସାଦିମାଳା ପିନ୍ଧାଇ ଦିଅନ୍ତି ରାଜଗୁରୁ। ଆଉ ଏକ ପ୍ରସାଦି ମାଳା ଏବଂ ଶିରିକପଡ଼ା ରୂପା ପିଙ୍ଗଣରେ ଶ୍ରୀନଅର ପୁଷ୍ପାଳକ ନେଇଥାଆନ୍ତି; ଯାହା ମହାରାଣୀଙ୍କ ନିମନ୍ତେ ପ୍ରଦାନ କରାଯାଇଥାଏ। ଏହି ପ୍ରକ୍ରିୟା ତିନି ରଥରେ ଦୋହରାଯାଏ। ସେଠାରୁ ଗଜପତି ପୁଣି ପଟୁଆରରେ ଶ୍ରୀନଅରକୁ ଫେରନ୍ତି। ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ କ୍ରମରେ ଛେରା ପହଁରା ସେବା କରାଯାଏ। ଏ ସବୁଥିରେ ରାଜଗୁରୁ ବିଶେଷ ସହଯୋଗୀ ହୋଇଥାନ୍ତି।

ଲକ୍ଷ୍ମୀନାରାୟଣ ଭେଟ 
ବାହୁଡ଼ା ଯାତ୍ରାରେ ନନ୍ଦିଘୋଷ ରଥ ଆସି ଶ୍ରୀ ନଅର ସମ୍ମୁଖରେ ଅଟକି ଥାଏ। ତାହାପରେ ଗଜପତିଙ୍କ ପାଖକୁ ଖବର ଦିଆଯାଏ। ଗଜପତି ପାରମ୍ପରିକ ପୋଷାକରେ, ଖାଲି ପାଦରେ ଚାଲି ଚାଲି ଆସନ୍ତି ବଡ଼ଦାଣ୍ଡକୁ। ସେପଟେ ଶ୍ରୀମନ୍ଦିରରେ ଅଭିମାନିନୀ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରନ୍ତି। ଶ୍ରୀନଅରଠାରୁ ସାମାନ୍ୟ ଦୂରରେ ମହାଲକ୍ଷ୍ମୀଙ୍କ ପାଲିଙ୍କି ଅଟକିଥାଏ। ଗଜପତି ରାଜଗୁରୁଙ୍କ ସହ ଚାଲି ଚାଲି ସେଠାକୁ ଯାଆନ୍ତି। ସେଠାରେ ପୁଷ୍ପାଳକ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କ ପ୍ରତିମାଠାରୁ ପ୍ରସାଦି ମାଳା ରାଜଗୁରୁଙ୍କ ହାତକୁ ବଢ଼ାନ୍ତି। ରାଜଗୁରୁ ସେହି ମାଳାକୁ ଗଜପତିଙ୍କୁ ପିନ୍ଧାଇ ଦିଅନ୍ତି। ମହାଲକ୍ଷ୍ମୀଙ୍କ ପାଲିଙ୍କିକୁ ଧରି ଗଜପତି ରାଜଗୁରୁଙ୍କ ସହ ଚାଲି ଚାଲି ନନ୍ଦିଘୋଷ ରଥ ନିକଟକୁ ଯାଆନ୍ତି। ସେଠାରେ ପତି ମହାପାତ୍ର ଦହିପଟି (ଦହି ଓ ଖୁଆପେଡ଼ା) ଭୋଗ କରନ୍ତି। ସେହି ଭୋଗ ରାଜଗୁରୁ ଗ୍ରହଣ କରି ନଅର ପୁଷ୍ପାଳକ ହାତରେ ଶ୍ରୀନଅରକୁ ପଠାଇଥାଆନ୍ତ। ଏହା ପରେ ମହାଲକ୍ଷ୍କୀଙ୍କୁ ମହାଜନ ସେବକଙ୍କ ସହିତ ଗଜପତି ହାତରେ ଟେକି ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସହିତ ଭେଟ କରାନ୍ତି। ରାଜଗୁରୁ ଶ୍ଲୋକ ଆବୃତି କରନ୍ତି। ଏହା ପରେ ମହାଲକ୍ଷ୍ମୀଙ୍କ ପାଲିଙ୍କି ସହିତ ଗଜପତି ନନ୍ଦିଘୋଷ ପରିକ୍ରମା କରନ୍ତି। ଏବଂ ପୁଣି ଥରେ ରାଣୀ ନଅର ସାମ୍ନାରେ ଆଉ ଥରେ ଦହିପଟି ମଣୋହି ଏବଂ ଆଳତି କରାଯାଏ। ଏପଟେ ଶ୍ରୀନଅର ପଂନ୍ତି ମଣ୍ଡପରେ ଲକ୍ଷ୍ମୀନାରାୟଣଙ୍କୁ ପଂକ୍ତି ଭୋଗ କରାଯାଏ। ଗଜପତି ଓ ରାଜଗୁରୁ ସେଠାରେ ଦଣ୍ଡାୟମାନ ରହନ୍ତି। ତା’ପରେ ନନ୍ଦିଘୋଷ ରଥ ଟଣାଯାଇ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥାଏ।

ସମ୍ବନ୍ଧିତ ଖବର