ମା’ କଣ୍ଠଶିଳ୍ପୀ ଓ ବାପା ତବଲା ବାଦକ। ତେଣୁ ସଂଗୀତମୟ ପରିବାରରେ ଜନ୍ମ ହୋଇଥିବାରୁ ଏଥିପ୍ରତି ଅହେତୁକ ଆକର୍ଷଣ ଥିଲା। ମାତ୍ର ସଂଗୀତ ଶିଳ୍ପୀମାନେ ବହୁ ଦୟନୀୟ ଜୀବନ ବଞ୍ଚୁଥିବାରୁ ତାଙ୍କ ବାପା ସଂଗୀତ ଅପେକ୍ଷା ପଢ଼ାରେ ଗୁରୁତ୍ବ ଦେବାକୁ କହିଥିଲେ। ତେଣୁ ଶିକ୍ଷା ସମାପ୍ତ ପରେ ସେ ୨ ବର୍ଷ ଚାକିରି କରି କିଛି ଟଙ୍କା ସଞ୍ଚିଲେ। କ୍ୟାମେରା ପ୍ରତି ସୌକ ଥିବା ଏବଂ ଓଡ଼ିଶାରେ ସିନେମାଟୋଗ୍ରାଫରଙ୍କ ହାକିମାତି ଚଳୁଥିବା ଲକ୍ଷ କରି ସେ ଏଫ୍ଟିଆଇରେ ୧୯୭୪ରୁ ୧୯୭୭ ଯାଏ ତାଲିମ ନେଲେ। ଗିରୀଶ କନ୍ନଡ଼ ତାଙ୍କର ସାକ୍ଷାତକାର ନେଇ ଚାକିରି ଛାଡ଼ି ଆସିଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବିଶିଷ୍ଟ କ୍ୟାମେରାମ୍ୟାନ୍ ପ୍ରଫୁଲ୍ଲ ଚନ୍ଦ୍ର ଧୀର୍ ଥିଲେ ରାଜୁ ମିଶ୍ରଙ୍କ କ୍ୟାମେରା ଶିକ୍ଷାର ପ୍ରଥମ ଗୁରୁ ଓ ପ୍ରେରଣା। ଭଲ ଛାତ୍ର ନଥିଲେ ବି ଏଫ୍ଟିଆଇରେ ଟପର ହେଲେ।
ସ୍ମିତା ପାଟିଲ୍ଙ୍କ ଯୋଗୁଁ ପ୍ରଥମ ଫିଲ୍ମ
ଏଫ୍ଟିଆଇରେ ପଢ଼ା ସରିବା ପରେ ତାଙ୍କୁ ତୁରନ୍ତ ମରାଠୀ ଫିଲ୍ମ ‘ସର୍ବସାକ୍ଷୀ’ରେ କ୍ୟାମେରା ପରିଚାଳନା ପାଇଁ ସୁଯୋଗ ମିଳିଲା। ମାତ୍ର ସେପର୍ଯ୍ୟନ୍ତ ସେ ଡିଗ୍ରି ପାଇନଥିବାରୁ ଏହା ସମ୍ଭବ ହେଲା ନାହିଁ। ସେହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ୍ ତାଙ୍କୁ ‘ମହାରାଷ୍ଟ୍ର ମହାମଣ୍ଡଳ’ର ସଦସ୍ୟ କରାଇବା ପରେ ସେ ଫିଲ୍ମ କରିବାକୁ ସୁଯୋଗ ପାଇଲେ। ଏହା ପରେ ସ୍ମିତା ପାଟିଲ୍ ସହ ବହୁତ ଭଲ ବନ୍ଧୁତା ହୋଇଯାଇଥିଲେ।
ଜଗନ୍ନାଥଙ୍କୁ ପାଥେୟ କରି କରିଥିଲେ ବହୁ ଚଳଚ୍ଚିତ୍ର
ଓଡ଼ିଶା ଫେରିବା ପରେ କଳାତ୍ମକ ଚିତ୍ର ‘ଉଲ୍କା’ ନିର୍ମାଣ କଲେ। ଫିଲ୍ମ ଭଲ ଥିଲେ ବି ଦର୍ଶକାଦୃତି ପାଇଲାନି। ତେଣୁ ପରେ ସେ ଓଡ଼ିଆ ଦର୍ଶକଙ୍କ ଆବେଗ ଓ ଚେତନାକୁ ବୁଝି ଚଳଚ୍ଚିତ୍ର ନିର୍ମାଣ କଲେ। ନିଜେ ଏକ ସାକ୍ଷାତକାରରେ କହିଥିଲେ, ଜଗନ୍ନାଥଙ୍କୁ ମେଟାଫର ଭାବେ ବ୍ୟବହାର କରିଛି। ପ୍ରଯୋଜକ ଅମିୟ ପଟ୍ଟନାୟକଙ୍କ ସହ ମିଶି ବହୁ କାଳଜୟୀ ହିଟ୍ ଚଳଚ୍ଚିତ୍ର ଭେଟି ଦେଲେ। ପୁଅ ମୋର କଳାଠାକୁର, ଜଗା ହାତରେ ପଘା, ପଥର ଖସୁଛି ବଡ଼ ଦେଉଳୁ, ଆସୁଛି ମୋ କାଳିଆ ସୁନା, ଚକା ଆଖି ସବୁ ଦେଖୁଛି ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ଜଗନ୍ନାଥଙ୍କୁ ଫୋପାଡ଼ିବା ଦୃଶ୍ୟ ଆଘାତ ଦେଇଥିଲା
ପୁଅ ମୋର କଳାଠାକୁର ସୁଟିଂ ବେଳେ ଜଗନ୍ନାଥଙ୍କ ପ୍ରତିମା ଫୋପାଡ଼ିବାର ଦୃଶ୍ୟ ଥିଲା। ମୁମ୍ବାଇର ରାମ ସେଠୀ ଫାଇଟ୍ ମାଷ୍ଟର ଥିଲେ। ଜଗନ୍ନାଥଙ୍କ ମୂର୍ତି ଫୋପାଡ଼ିବା ବେଳେ ସହଯୋଗୀ ଷ୍ଟଣ୍ଟମ୍ୟାନ୍ ତାଜୁଦ୍ଦିନ ଡେଇଁ ମୂର୍ତି ଧରିବାର ଥିଲେ ହେଁ ସେ ଏହାକୁ ୬ଟା ଟେକ୍ରେ ବି କରିପାରିଲେନି। ଏହାପରେ ହତାଶ ହୋଇ ରାଜୁ ମିଶ୍ର ଦିନ ସାଢ଼େ ୨ଟା ବେଳେ କହିଥିଲେ, ଚାଲନ୍ତୁ ଲଞ୍ଚ୍ କରିବା। ମାତ୍ର ରାମ୍ ସେଠୀ କହିଲେ, ସଟ୍ ଠିକ୍ରେ ନହେବା ଯାଏ ଲଞ୍ଚ ହେବନି। ଜଗନ୍ନାଥଙ୍କୁ ଏପରି ବାରମ୍ବାର ଫେପଡ଼ାଯିବାର ଦୃଶ୍ୟ ଆଘାତ ଦେବାରୁ ରାଜୁ ମିଶ୍ର ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ଏହାପରେ ସଟ୍ ଠିକ୍ରେ ହୋଇଯାଇଥିଲା।
ମିଥୁନ୍ଙ୍କୁ ନେଇ କରିଥିଲେ ‘ସାତ୍ ସମନ୍ଦର ପାର୍’
ମିଥୁନ୍ ଚକ୍ରବର୍ତୀଙ୍କୁ ନେଇ ସେ ‘ସାତ୍ ସମନ୍ଦର ପାର୍’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତେବେ ତାହା ଅଧାରୁ ବନ୍ଦ ହୋଇଯାଇଥିଲା। ୧୦ଟି ଆସମିୟା ଭାଷାର ଚଳଚ୍ଚିତ୍ର କରିଥିବା ବେଳେ ସେଥିରୁ ୫ଟି ଜାତୀୟ ପୁରସ୍କାର ଲାଭ କରିଥିଲା। ଶେଷ ସିନେମା ଥିଲା ‘କୋଟିଏରେ ଗୋଟିଏ ମନ’। ଏହା ମୁକ୍ତିଲାଭ କରିପାରିନାହିଁ। ଡିଜିଟାଲ୍ର ବହୁଳ ବ୍ୟବହାର ଦେଖି ସେ ନିକଟରେ ସିନେମା କରିବାକୁ ଚିନ୍ତା କରୁଥିଲେ ହେଁ ଏହି ସ୍ବପ୍ନ ସାକାର ହୋଇପାରିଲା ନାହିଁ।