ନୂଆଦିଲ୍ଲୀ: ଦେଶରେ ପକ୍ଷୀସୁରକ୍ଷା କ୍ଷେତ୍ରରେ ବେଶ ପରିଚିତ ରାକେଶ ଖତ୍ରୀ। ପକ୍ଷୀମାନଙ୍କ ଲାଗି ନୀଡ଼ ପ୍ରସ୍ତୁତ କରି ସେ 'ନେଷ୍ଟ ମ୍ୟାନ୍' ଭାବେ ପରିଚିତି ହାସଲ କରିଛନ୍ତି । ସେ ଏପର୍ଯ୍ୟନ୍ତ ଦେଶରେ ପକ୍ଷୀମାନଙ୍କ ପାଇଁ ୨,୫୦,୦୦୦ ବସା ତିଆରି କରିଛନ୍ତି। ସେ ସବୁବେଳେ କହନ୍ତି ପ୍ରକୃତି ଆମକୁ ଆବଶ୍ୟକ କରେନି, ବରଂ ଆମେ ପ୍ରକୃତିକୁ ଆବଶ୍ୟକ କରୁ । ଏଠି ଯେକୌଣସି ପ୍ରକାରର ଅସନ୍ତୁଳନ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିବ । ଏପରି ଚିନ୍ତାଧାରା ସହ ପକ୍ଷୀମାନଙ୍କର ବସା ତିଆରି କରିବା ଆରମ୍ଭ କରିଥିଲେ । ଏହା ଦେଖି ପ୍ରଥମେ ଲୋକମାନେ ହସିଥିଲେ । କିନ୍ତୁ, ରାକେଶ ଖତ୍ରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ। ସେ ପକ୍ଷୀମାନଙ୍କ ରାବ ଶୁଣିବାକୁ ପସନ୍ଦ କରନ୍ତି । ଯେଉଁଠି ପକ୍ଷୀମାନେ ଖାଦ୍ୟ ଖାଉଥିବାର ଦେଖନ୍ତି, ସେଠାରେ ସେ ବସା ତିଆରି କରନ୍ତି । ଆଗାମୀ ପିଢ଼ିକୁ ବି ସେ ଯୋଡୁଛନ୍ତି । ଏପରିକି ସେ ସ୍କୁଲ ପିଲାମାନଙ୍କୁ ପକ୍ଷୀ ବସା ତିଆରି କରିବାରେ ତାଲିମ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି ।

Advertisment

ରାକେଶ ଖତ୍ରୀଙ୍କ ପିଲାଦିନ ଦିଲ୍ଲୀର ଚାନ୍ଦନୀଚୌକରେ ବିତିଥିଲା । ତାଙ୍କ ଘରର ଛାତ ଉପରେ ବହୁତ ଗୁଡ଼ିଏ ବସା ଥିଲା । ଆଶ୍ଚର୍ଯ୍ୟଜନକ କଥା ହେଲା ପକ୍ଷୀମାନେ ପଙ୍ଖା ଭିତରେ ବସା ତିଆରି କରୁଥିଲେ, ଯାହାକୁ ନେଇ ତାଙ୍କ ଜେଜେବାପା ପଙ୍ଖା ନଚଲାଇବାକୁ କଡା ନିର୍ଦ୍ଦେଶ ଦେଉଥିଲେ । ସେ କହୁଥଲେ ଯଦି କେହି ପଙ୍ଖା ଚଲାନ୍ତି, ତେବେ ସେ ବ୍ୟକ୍ତିର କାନ କଟାଯିବ । ୧୯୮୦ରେ ସେ ଅଶୋକ ନଗରକୁ ପଳାଇଥିଲେ । ସେତେବେଳେ ଦ୍ରୁତ ଗତିରେ ସହରୀକରଣ ପାଇଁ କାର୍ଯ୍ୟ ଚାଲିଥିଲା । ଜଙ୍ଗଲ ଓ ଗଛ କଟା ଚାଲିଥିଲା । ଧୀରେ ଧୀରେ ପକ୍ଷୀମାନଙ୍କ ବସା ଆଉ ଦେଖାଗଲା ନାହିଁ । ଏହା ତାଙ୍କୁ ଭଲ ଲାଗୁ ନଥିଲା । ଶେଷରେ ନିଜେ ପକ୍ଷୀମୀନଙ୍କ ପାଇଁ ବସା ନିର୍ମାଣ କରିବାକୁ ସ୍ଥିର କଲେ।

ଯେତେବେଳେ ରାକେଶ ବସା ତିଆରି ଆରମ୍ଭ କଲେ, ଲୋକମାନେ ତାଙ୍କୁ ଦେଖି ହସିଥିଲେ । ସେ କହୁଥିଲେ ପକ୍ଷୀମାନେ ନିଜେ ନିଜର ବସା ତିଆରି କରନ୍ତି, ସେମାନେ ମଣିଷ ତିଆରି ବସାରେ ରହିବାକୁ କାହିଁକି ଆସିବେ ? ପ୍ରଥମେ ସେ ନଡ଼ିଆରେ ୪୦ଟି ବସା ତିଆରି କରି ବିଭିନ୍ନ ସ୍ଥାନରେ ରଖିଥିଲେ । କିଛିଦିନ ପରେ ଦେଖିଲେ ସେ ବସାରେ ପକ୍ଷୀ ନଥିଲେ । ଅଧାରୁ ଅଧିକ ଶୁଖି ଯାଇଥିଲା । ଏଥିପାଇଁ ଲୋକେ ତାଙ୍କୁ ବହୁତ ପରିହାସ କରିଥିଲେ । ଏସବୁ କଥା ଉପରେ ରାକେଶ ଧ୍ୟାନ ନଦେଇ ତାହା ଉପରେ ଗବେଷଣା କରିଥିଲେ । ପରେ ସେ ବାଉଁଶରେ ବସା ତିଆରି କରି ସଫଳତା ପାଇଲେ । ଦେଶର ୩୫୦୦ ବିଦ୍ୟାଳୟରେ ବସା ତିଆରି କର୍ମଶାଳା କରିଛନ୍ତି । ସେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଛନ୍ତି। ତାଙ୍କର 'ଇକୋରେଟ୍ସ ଫାଉଣ୍ଡେସନ୍' ମାଧ୍ୟମରେ ସେ ପକ୍ଷୀମାନଙ୍କୁ ବଞ୍ଚାଇବା ଅଭିଯାନ ଜାରି ରଖିଛନ୍ତି । ସେ କହନ୍ତି, ଏହାଠାରୁ ମହାନ କାର୍ଯ୍ୟ ଆଉ କିଛି ହୋଇନପାରେ । ମଣିଷ ପକ୍ଷୀଙ୍କ ଘର ଭାଙ୍ଗି ଦେଇଛି । ଏବେ ପକ୍ଷୀମାନଙ୍କ ବସା ତିଆରି କରିବା ସେମାନଙ୍କର ଦାୟିତ୍ୱ ।