ରାଖୀ ଏକ ସମ୍ପର୍କର ଡୋର: ଆଜି ରାଖୀ ପୁନେଇଁ…, ରାଖୀ ବାନ୍ଧିଲି ମୋ ରଖିବ ମାନ

ଭୁବନେଶ୍ବର : ‌ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ। ସ୍ନେହ, ଶ୍ରଦ୍ଧା ଆଉ ଭାଇ-ଭଉଣୀର ନିଆରା ସଂପର୍କର ପ୍ରତିଛବି ରାଖୀପୂର୍ଣ୍ଣିମା। କେଇ ଖିଅ ରେଶମୀ ଡୋରି ବାନ୍ଧି ଭଉଣୀ ମାଗିବ ରକ୍ଷା କରିବାର ପ୍ରତିଶ୍ରୁତି। ଏଥିପାଇଁ ଗାଁରୁ ସହ ଉତ୍ସବ ମୁଖର। ଏହି ପର୍ବକୁ ସଫଳ କରିବା ପାଇଁ ଆଜି ରାଜଧାନୀରେ ଅବିଶ୍ରାନ୍ତ ବର୍ଷା ସତ୍ତ୍ବେ ରାଖୀ ବଜାରରେ ଗହଳି ଦେଖିବାକୁ ମିଳିଥିଲା। ଭାଇ ପାଇଁ ଭଳିକି ଭଳି ରାଖୀ କିଣିଥିଲା ଭଉଣୀ। ସେହିଭଳି ମିଠା ଦୋକାନ, ଉପହାର ଦୋକାନ ବି ଭିଡ଼ ଦେଖିବାକୁ ମିଳିଥିଲା। ଦୁଇବର୍ଷ ପରେ ଚଳିତବର୍ଷ ସଂପୂର୍ଣ୍ଣ କଟକଣା ମୁକ୍ତ ରାଖୀ ପାଳନ ହେଉଥିବାରୁ ରାଜଧାନୀ ହୋଇଉଠିଛି ଚଳଚଞ୍ଚଳ।

କେଇଖିଅ ରେଶମୀ ସୂତା ଭାଇଭଉଣୀର ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବା ସହ ସୁଦୃଢ଼ କରିବ ଏଇ ପବିତ୍ର ସମ୍ପର୍କକୁ। ଭଉଣୀର ରାଖୀ ପିନ୍ଧି ଭାଇ ମଧ୍ୟ ଦେବ ଉପହାର। ସେହିଭଳି ରାଜଧାନୀ ରାସ୍ତା କଡ଼ ଦୋକାନରେ ମନ ପସନ୍ଦର ବିଭିନ୍ନ କିସମର ରାଖୀ ବିକ୍ରି ‌ବେଶ ଜମିଥିଲା। କେହି କେହି ଗହ୍ମା ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ରାଖୀ ‌ଦେବାପାଇଁ ତୁଳା ରାଖୀ କିଣୁଥିଲେ। ଦୁଇ ବର୍ଷର ମାନ୍ଦାବସ୍ଥା ପରେ ଭଲ ବ୍ୟବସାୟ ଆଶାରେ ଗ୍ରାହକଙ୍କୁ ଚାହିଁ ରହିଥିଲେ ବ୍ୟବସାୟୀ। ଏ ବର୍ଷ ବେପାରରୁ ଭଲ ଦି’ ପଇସା ରୋଜଗାରର ଆଶା ବାନ୍ଧିଥିଲେ ସମସ୍ତେ। ସେହିପରି ଶାଢ଼ି ‌ଦୋକାନରୁ ଆରମ୍ଭକରି ଛୋଟ ଉପହାର ‌ଦୋକାନରେ ମଧ୍ୟ ଉପହାର କିଣିବାକୁ ଭିଡ଼ ଜମିଥିଲା। ମିଠା ଦୋକାନୀମା‌ନେ ମଧ୍ୟ ଆଗୁଆ ଅଧିକ ପରିମାଣର ମିଠା ତିଆରି କରିଛନ୍ତି। ବରମୁଣ୍ଡାର ମିଠା ବ୍ୟବସାୟୀ ର‌‌‌ମେଶଙ୍କ କହିବାକଥା ଗତବର୍ଷ ଭଲ ବ୍ୟବସାୟ ହୋଇ ନଥିଲା। ଚଳିତ ବର୍ଷ କଟକଣା ‌କୋହଳ ହୋଇଥିବାରୁ ଅଧିକ ରସଗୋଲା ଓ ଖୁଆ ମିଠା ପ୍ରସ୍ତୁତ କରାଯାଇଛି। ଭଲ ବେପାର ହେବ ବୋଲି ଆଶା ରହିଛି।

ଚଳିତ ବର୍ଷ ରାଖୀ ପୂର୍ଣ୍ଣମୀ ପାଳିବା ପାଇଁ ବିଭିନ୍ନ ଅନୁଷ୍ଠାନ ମଧ୍ୟ ପ୍ରସ୍ତୁତ ଅଛନ୍ତି। କିଛି ସାମାଜିକ ସଙ୍ଗଠନ ଗଛର ଗୁରୁତ୍ବ ବୁଝାଇବା ଓ ଲୋକଙ୍କୁ ସଚେତନ କରିବା ପାଇଁ ଗଛରେ ରାଖୀ ବା‌ନ୍ଧିବେ ବୋଲି ମନସ୍ଥ କରିଥିବା ବେ‌ଳେ ଆଉ କିଛି ସଙ୍ଗଠନ ଭାଇଚାରାର ବାର୍ତ୍ତାଦେଇ ଆମ ଦେଶ ପାଇଁ ଲଢ଼ୁଥିବା ବୀର ଯବାନ ଓ ସୁରକ୍ଷା କର୍ମୀଙ୍କ ହାତ‌ରେ ବାନ୍ଧିବେ ରାଖୀ। ସେହିପରି ଏକାଧିକ ସଙ୍ଗଠନ ନିଜନିଜ ଅନୁଷ୍ଠାନରେ ରାଖୀ ପୂର୍ଣ୍ଣମୀ ପାଳିବେ।

ସମ୍ବନ୍ଧିତ ଖବର