ଶ୍ରାବଣ ପୂର୍ଣ୍ଣିମାର ଅନେକ ଗୁରୁତ୍ୱ ରହିଛି। ଏହା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଓ ଝୁଲଣ ପୂର୍ଣ୍ଣିମା ଭାବରେ ପାଳିତ ହୁଏ। ଏହି ଦିନଟି ମଧ୍ୟ ଶ୍ରୀବଳଭଦ୍ରଙ୍କର ଜନ୍ମ ଦିବସ। କିନ୍ତୁ ଏସବୁ ବ୍ୟତୀତ, ରକ୍ଷାବନ୍ଧନ ପାଇଁ ଏହି ଦିନଟି ଅତ୍ୟନ୍ତ ଲୋକପ୍ରିୟ। ଏହିଦିନ ବନ୍ଧନ କରାଯାଉଥିବା ରକ୍ଷାସୂତ୍ର ଓଡ଼ିଆରେ ‘ରାଖି’ ଭାବରେ ପ୍ରଚଳିତ ଏବଂ ଏହାକୁ ନେଇ ମଧ୍ୟ ଓଡ଼ିଆରେ ଶ୍ରାବଣ ପୂର୍ଣ୍ଣିମାର ନାମ ରାଖିପୂର୍ଣ୍ଣିମା ହୋଇଛି।
ଏହି ପର୍ବରେ ରକ୍ଷାବନ୍ଧନ କରାଯିବାର ବିଧି ଶ୍ରୀ କମଳାକର ଭଟ୍ଟ ବିରଚିତ ‘ନିର୍ଣ୍ଣୟ ସିନ୍ଧୁ’ ନାମକ ଏକ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି। ଏ ସଂପର୍କରେ ଉଲ୍ଲେଖ ଥିବା ଅଧ୍ୟାୟର ନାମ ‘ରକ୍ଷାବନ୍ଧନ ପ୍ରକରଣ’। ରକ୍ଷାବନ୍ଧନ ସଂପର୍କରେ ଯେଉଁ ଉପାଖ୍ୟାନଟି ପ୍ରଚଳିତ, ତାହା ଅନୁସାରେ- ବାରବର୍ଷ ଧରି ଦେବତା ଓ ଅସୁରଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଦେବରାଜ ଇନ୍ଦ୍ର ଦେବତାଙ୍କ ପକ୍ଷରୁ ତାହାର ନେତୃତ୍ୱ ନେଇଥିଲେ। କିନ୍ତୁ ସେହି ଯୁଦ୍ଧରେ ଦେବତାମାନେ ହାରିଲେ। ଅସୁରମାନେ ସ୍ୱର୍ଗ ଅଧିକାର କଲେ। ବୃହସ୍ପତି ଦେବଗୁରୁ। ତେଣୁ ଦେବରାଜ ଇନ୍ଦ୍ର ଯାଇ ତାଙ୍କୁ ଦେବତାଙ୍କ ଦୁଃଖ ଜଣାଇଲେ। ସେଦିନ ଥିଲା ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ। ପରଦିନ, ଅର୍ଥାତ୍ ପୂର୍ଣ୍ଣିମା ଦିନ ସକାଳେ ବୃହସ୍ପତି ରକ୍ଷା ବନ୍ଧନ କରିବେ ବୋଲି କହିଲେ ଏବଂ ନିର୍ଦ୍ଦିଷ୍ଟ ବିଧାନ ଅନୁସାରେ ସେଦିନ ସକାଳେ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବନ୍ଧନ କଲେ। ସେଦିନ ଇନ୍ଦ୍ରାଣୀ ମଧ୍ୟ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବନ୍ଧନ କରିଥିଲେ। ଏହାପରେ ଇନ୍ଦ୍ରଙ୍କ ନେତୃତ୍ୱରେ ଦେବତାମାନେ ଅସୁରମାନଙ୍କୁ ଯୁଦ୍ଧରେ ଜିଣିଲେ।
ଏଥିରୁ ସୂଚିତ, ଯେ ଗୁରୁ ବା ପତ୍ନୀ ଏହି ରକ୍ଷାସୂତ୍ର ବନ୍ଧନ କରିବାର ବିଧି ପ୍ରାଚୀନ କାଳରେ ଥିଲା। ପରବର୍ତ୍ତୀ କାଳରେ ତାହା ଭଉଣୀମାନେ ଭାଇ ହାତରେ ରକ୍ଷାସୂତ୍ର ବନ୍ଧନ କରିବାର ବିଧିରେ ପରିବର୍ତ୍ତିତ ହୋଇଛି। ଏପରିକି ଏହିଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳିତ ହେବା ସହିତ, ପାଟରା ବିଷୋଇ ସେବକ ଯୋଗାଇଥିବା ‘ଗହ୍ମାଫୁଲି’ (ରାଖି) ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜରେ ଲାଗି ହେବାର ବିଧି ରହିଛି।