ହନୁମାନଙ୍କୁ କାହିଁକି ମୃତ୍ୟୁ ଦଣ୍ଡ ଦେଇଥିଲେ ରାମଚନ୍ଦ୍ର, ମରିଲେ କି ହନୁମାନ?

ଲଙ୍କାରେ ରାମ-ରାବଣ ଯୁଦ୍ଧ ସରି ଯାଇଥାଏ। ଅଯୋଧ୍ୟା ଫେରି ରାଜା ହୋଇସାରିଥାନ୍ତି ଦଶରଥ ନନ୍ଦନ ଶ୍ରୀରାମ ଚନ୍ଦ୍ର। ରାମଚନ୍ଦ୍ରଙ୍କର ବଡ଼ ଭକ୍ତ ହନୁମାନଙ୍କୁ କିଏ ବା ନ ଜାଣେ? ମାତ୍ର ରାମ-ହନୁମାନଙ୍କ ସଂପର୍କକୁ ଈର୍ଷା କରୁଥିଲେ ମୁନିବର ଶ୍ରୀନାରଦ। ସେ ଦୁହିଁଙ୍କ ମଧ୍ୟରେ କଳହ ସୃଷ୍ଟି କରିବାକୁ ଚେଷ୍ଟା କଲେ। ଷଡ଼ଯନ୍ତ୍ର କରି ହନୁମାନଙ୍କୁ ରାମଙ୍କଠାରୁ ଦୂରେଇ ଦେବାର ଏକ ବଢ଼ିଆ ଯୋଜନା ଚିନ୍ତିଲେ ମୁନିବର।

ଶ୍ରୀରାମଙ୍କ ରାଜ ସଭା ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି ଥାଏ। ସଭାରେ ଜଣେ ପରେ ଜଣେ ସନ୍ଥ ଆସି ଆସନ ମଣ୍ଡନ କଲେ। ସେମାନଙ୍କ ମଧ୍ୟରେ ଋଷି ବଶ୍ୱାମିତ୍ର ମଧ୍ୟ ଥାଆନ୍ତି। ନାରଦ କୌଶଳ କରି ବିଶ୍ୱାମିତ୍ରଙ୍କୁ ନମସ୍କାର ନକରିବା ପାଇଁ ହନୁମାନଙ୍କୁ ବୁଦ୍ଧି ଦେଲେ। ବିଶ୍ୱାମିତ୍ର ଆଜନ୍ମ ସାଧୁ ନୁହଁନ୍ତି ତେଣୁ ତାଙ୍କୁ ନମସ୍କାର କରିବାର କୌଣସି ପ୍ରୟୋଜନ ନାହିଁ ବୋଲି ହନୁମାନଙ୍କୁ କହିଲେ। ହନୁମାନ ତ ଟିକେ ସରଳ ବିଶ୍ୱାସୀ। ସେ ବି ବିନା କିଛି ଚିନ୍ତା କରି ନାରଦଙ୍କ କଥାରେ ଆସିଗଲେ। ସଭାକୁ ଆସିଥିବା ସବୁ ସାଧୁ, ସନ୍ଥଙ୍କୁ ହନୁମାନ ମୁଣ୍ଡିଆ ମାରିଥିଲେ ବି ବିଶ୍ୱାମିତ୍ରଙ୍କୁ ମାରିଲେ ନାହିଁ।

ଏକଥା ବିଶ୍ୱାମିତ୍ରଙ୍କୁ ଭାରି ଅପମାନିତ କଲା। ସଭାରେ ହନୁମାନଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ରାଜା ରାମଚନ୍ଦ୍ରଙ୍କୁ ଏହା ନିମନ୍ତେ ଦଣ୍ଡ ଘୋଷଣା କରିବାକୁ ନିବେଦନ କଲେ ଋଷି ବିଶ୍ୱାମିତ୍ର। ରାମଚନ୍ଦ୍ରଙ୍କର ବି ଜଣେ ପ୍ରଜାବତ୍ସଳ ରାଜା ଭାବେ ବେଶ ଖ୍ୟାତି ରହିଥାଏ। ହନୁମାନ ତାଙ୍କ ପରମ ଭକ୍ତ ହେଲେ ବି ନିୟମ ହିସାବରେ ତାଙ୍କୁ ଦଣ୍ଡିତ କରିବା ଉଚିତ ବୋଲି ଚିନ୍ତା କରି ରାମଚନ୍ଦ୍ର ହନୁମାନଙ୍କ ପାଇଁ ମୃତ୍ୟୁ ଦଣ୍ଡ ଘୋଷଣା କଲେ।

ରାମଚନ୍ଦ୍ର ହନୁମାନଙ୍କୁ ଗୋଟାଏ ପରେ ଗୋଟାଏ ତୀର ମାରି ଚାଲିଲେ। ସାମାନ୍ୟ ବି କ୍ଷତାକ୍ତ ହେଲେନି ହନୁମାନ। ତୀର ମାରି ମାରି ଥକି ପଡ଼ିଲେ ରାମ, ହେଲେ ବି କିଛି ଲାଭ ହେଲା ନାହିଁ। ଶେଷରେ ରାମଚନ୍ଦ୍ର ନିଜର ସର୍ବ ଶକ୍ତିଶାଳୀ ଅସ୍ତ୍ର ବ୍ରହ୍ମସ୍ତ୍ର ପ୍ରୟୋଗ କଲେ। ତଥାପି ବି ମରିଲେ ନାହିଁ ହନୁମାନ। ସଭାରେ ଉପସ୍ଥିତ ସମସ୍ତେ ଚକିତ ହୋଇ ଚାହିଁଥାନ୍ତି। ହନୁମାନ ଜପୁ ଥାନ୍ତି ରାମ ନାମ।

ରାମ ହାରିଯାଇ କହିଲେ, ‘ରାମ ନାମରେ ଯେଉଁ ଶକ୍ତି ଅଛି ତାହା ମୋ ପାଖରେ ନାହିଁ। ହନୁମାନ ଯେଉଁ ନାମକୁ ଆଶ୍ରା କରିଛନ୍ତି ତାହା ସ୍ୱଂୟ ରାମଙ୍କଠାରୁ ବି ଊର୍ଧ୍ୱରେ।’ ନିଜର ଭୁଲ୍‌ ବୁଝିପାରିଲେ ନାରଦ। ହନୁମାନଙ୍କ ପରି ଜଣେ ମହାନ ଭକ୍ତ ସହ ଛଳନା କରିଥିବାରୁ ନିଜକୁ ଛୋଟ ମଣିଲେ। ସଭାରେ ବିଶ୍ୱାମିତ୍ରଙ୍କୁ କ୍ଷମା ମାଗି ହନୁମାନ ସଂପୂର୍ଣ୍ଣ ନିର୍ଦୋଷ ବୋଲି କହିଲେ।

ସମ୍ବନ୍ଧିତ ଖବର