ରାମଙ୍କର କେଉଁ କଥାକୁ ଅସ୍ୱୀକାର କରିଥିଲେ ହନୁମାନ?

ଶୀର୍ଷକଟି ଆଶ୍ଚର୍ଯ୍ୟଜନକ ନିଶ୍ଚୟ। କେବଳ ଆଶ୍ଚର୍ଯ୍ୟଜନକ କାହିଁକି, ଅବିଶ୍ୱସନୀୟ ମଧ୍ୟ। ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଏକାନ୍ତ ଅନୁଗତ ହନୁମାନ କ’ଣ କେବେ ରାମଙ୍କ କଥାକୁ ଅସ୍ୱୀକାର କରିପାରନ୍ତି? ବିଶ୍ୱାସ ନ ହେଉଥିଲେ ବି କଥାଟି ଏକଦମ ସତ। ଥରେ ମହାବୀର ହନୁମାନ ପ୍ରଭୁ ରାମଚନ୍ଦ୍ର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ।

ଏକଦା ହନୁମାନ ଧ୍ୟାନରେ ବସିଥାନ୍ତି। ଧ୍ୟାନରେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରୁଥାନ୍ତି। ହଠାତ୍‌ ତାଙ୍କ ଆଖିରୁ ଲୁହ ଝରିଆସିଲା। ଏହି କଥା ମାଆ ସୀତା ଦେଖିବାକୁ ପାଇଲେ। ସେ ପ୍ରଭୁ ଶ୍ରୀରାମଙ୍କୁ ଯାଇ ତାଙ୍କ ଭକ୍ତ ହନୁମାନଙ୍କ ବିଷୟରେ ଅବଗତ କରାଇଲେ। ହନୁମାନ ଭକ୍ତିର ସହ କିପରି ରାମଙ୍କୁ ସ୍ମରଣ କରି ଭାବପ୍ରବଣ ହୋଇ ପଡ଼ିଛନ୍ତି ସୀତା ମାଆ ରାମଚନ୍ଦ୍ରଙ୍କୁ କହିଲେ।

ପ୍ରଭୁ ଶ୍ରୀରାମ ଆସି ହନୁମାନଙ୍କ ପାଖରେ ପହଞ୍ଚିଲେ। ତୁମେ ଭକ୍ତିରେ ମୁଁ ସନ୍ତୁଷ୍ଟ ବୋଲି ହନୁମାନଙ୍କୁ କହି ତାଙ୍କ ଲୁହ ପୋଛି ଆଲିଙ୍ଗନ କଲେ। ତା’ପରେ ହନୁମାନଙ୍କୁ ବୈକୁଣ୍ଠ ଯିବା ପାଇଁ ପ୍ରସ୍ତାବ ଦେଲେ। ହନୁମାନ କିନ୍ତୁ ବୈକୁଣ୍ଠ ଯିବାର ମହତ୍ୱ ବିଷୟରେ କିଛି ବି ଜାଣିନଥାନ୍ତି। ରାମଚନ୍ଦ୍ର ତାଙ୍କୁ ବୁଝାଇବାକୁ ଲାଗିଲେ, ‘ବୈକୁଣ୍ଠ ଯିବା ପାଇଁ ହିଁ ବଡ଼ ବଡ଼ ମୁନୀ, ଋଷିମାନେ ଦୀର୍ଘ ଦିନ ଧରି ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ କରିଥାନ୍ତି। ବୈକୁଣ୍ଠ ପ୍ରତ୍ୟେକଙ୍କର ଶେଷ ଲକ୍ଷ ହୋଇଥାଏ।’

ହନୁମାନ ଶ୍ରୀ ରାମଙ୍କୁ ପ୍ରଶ୍ନ କଲେ, ‘ସେଠାରେ ମୋ ସହ ଆପଣ ଯିବେ ତ?’ ଶ୍ରୀରାମ ଉତ୍ତର ଦେଲେ, ‘ମୁଁ ଯିବି କିନ୍ତୁ ରାମଚନ୍ଦ୍ର ହୋଇ ନୁହେଁ, ବିଷ୍ଣୁ ହୋଇ। ସେଠାରେ ତୁମେ ମୋତ ପାଇବ କିନ୍ତୁ ବିଷ୍ଣୁଙ୍କ ରୂପରେ।’ ଏକଥା ଶୁଣିବା ପରେ ହନୁମାନ ରାମଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ। ସେ ବିଷ୍ଣୁଙ୍କୁ ନୁହେଁ, ରାମଙ୍କୁ ଚାହାନ୍ତି ବୋଲି କହି ବୈକୁଣ୍ଠ ବଦଳରେ ଆଯୋଧ୍ୟା ଯିବାକୁ ଚାହାନ୍ତି ବୋଲି ଜଣାଇଲେ।

ସମ୍ବନ୍ଧିତ ଖବର