ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୮ବର୍ଷୀୟ ଶିଶୁ ଶରୀରରେ ଧାର୍ମିକ ନାମ ଆପଣାଛାଏଁ ଲେଖି ହୋଇଯାଉଥିବା ଦାବି କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଶିଶୁଙ୍କୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଉକ୍ତ ଶିଶୁର ପରିବାରଲୋକଙ୍କ କହିବାନୁସାରେ ଏହି ଘଟଣା ଝିଅ ସହିତ ଗତ ଏକମାସ ହେବ ଘଟି ଆସୁଛି। ଶିଶୁଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଡାକ୍ତର ବି ଶିଶୁର ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଏହି ଘଟଣାଟି ମାଧୋଗଞ୍ଜ ବିକାଶଖଣ୍ଡର ସହିଜନା ଗ୍ରାମରେ ଘଟିଛି। ଏଠାରେ ଦେବେନ୍ଦ୍ର ଓ ମମତାଙ୍କ ଚାରିଜଣ ସନ୍ତାନ ରହିଛନ୍ତି। ମମତାଙ୍କ ଦ୍ବିତୀୟ ସନ୍ତାନ ସାକ୍ଷୀଙ୍କ ଶରୀରରେ ଧାର୍ମିକ ନାମ ଆପଣାଛାଏଁ ଲେଖି ହୋଇଯାଉଛି ବୋଲି ପରିବାରଲୋକ ଦାବି କରିଛନ୍ତି। ୮ବର୍ଷର ସାକ୍ଷୀ ସହିତ ଘଟୁଥିବା ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।
ସାକ୍ଷୀଙ୍କ ବାପା ଦେବେନ୍ଦ୍ରଙ୍କ କହିବାନୁସାରେ, ଝିଅ ଶରୀରରେ ଭଗବାନ ରାମ ଓ ରାଧେ ଶବ୍ଦ ଲେଖି ହୋଇଯାଉଛି। ଅକ୍ଟୋବର ୧୨ ତାରିଖରେ ସାକ୍ଷୀ ଶରୀରରେ ହଠାତ କିଛି ଆଞ୍ଜୁଡ଼ି ହୋଇଥିବା ଚିହ୍ନ ଆମେ ଦେଖିବାକୁ ପାଇଥିଲୁ। ପରେ ଦେଖିଲୁ ଏହି ଚିହ୍ନଗୁଡ଼ିକ ରାମ ଓ ରାଧେ ଶବ୍ଦ ଭଳି ଲେଖା ହୋଇଛି। ପରେ ପରିବାର ସଦସ୍ୟଙ୍କ ନାମ ବି ସାକ୍ଷୀଙ୍କ ପେଟ, ଗୋଡ଼ ଓ ହାତରେ ଯେମିତି କିଏ ବ୍ଲେଡରେ କାଟି ଲେଖି ଦେଉଛି ସେମିତି ଲେଖି ହୋଇଯାଇଥିଲା। କିଛିସମୟ ପରେ ପୁଣି ତାହା ଉଭେୟ ଯାଇଥିଲା।
ଆମେ ଏନେଇ ଚର୍ମ ଡାକ୍ତରଙ୍କୁ ବି ଦେଖାଇ ସାରିଛୁ। ସେ କିନ୍ତୁ ସାକ୍ଷୀ ଶରୀରରେ ଏମିତି କାହିଁକି ହେଉଛି ତାହାର କାରଣ ଜାଣି ପାରି ନଥିଲେ। ଗ୍ରାମବାସୀ ଏହାକୁ ଏକ ଦୈବଶକ୍ତି ଭାବି ପୂଜାଅର୍ଚ୍ଚନ କରିବା ଆରମ୍ଭ କରିଛନ୍ତି।