୨ ଲକ୍ଷ ଟଙ୍କାର କଏନରେ ନିର୍ମାଣ ହେଲା ରାମ ମନ୍ଦିର, ବ୍ୟବହାର ହୋଇଛି ଟଙ୍କିକିଆ ଓ ପାଞ୍ଚ ଟଙ୍କିଆ କଏନ

ବାଙ୍ଗାଲୋର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏବେ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରହିଛି | ତେବେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏହାକୁ ନେଇ ଅନେକ ଚିତ୍ର ଶିଳ୍ପୀ, ବାଲୁକା ଶିଳ୍ପୀ କଳାକୃତି ନିର୍ମାଣ କରୁଛନ୍ତି | ଆଉ ଏହାରି ଭିତରେ ବାଙ୍ଗାଲୋରରେ ରାମ ମନ୍ଦିରର ନକ୍ସାକୁ ନେଇ ଏକ ସୁନ୍ଦର କଳାକୃତି ଦେଖିବାକୁ ମିଳିଛି | ବାଙ୍ଗାଲୋରରେ ଟଙ୍କିକିଆ ଓ ପାଞ୍ଚ ଟଙ୍କିଆ କଏନକୁ ନେଇ ରାମ ମନ୍ଦିରର ଅବିକଳ କଳାକୃତି ନିର୍ମାଣ କରାଯାଇଛି |

ଏହି କଳାକୃତିକୁ ବାଙ୍ଗାଲୋରର ରାଷ୍ଟ୍ର ଧର୍ମ ଟ୍ରଷ୍ଟ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ବାଙ୍ଗାଲୋର ସହରର ଲାଲବାଗ ୱେଷ୍ଟ ଗେଟ ପାଖରେ ଏହା ଦେଖିବାକୁ ମିଳିଛି | ଏହି କଳାକୃତିକୁ ନିର୍ମାଣ କରିବା ପାଇଁ ୬୦ ହଜାରଟି କଏନର ବ୍ୟବହାର କରାଯାଇଛି | ତେବେ କଳାକୃତିରେ ୨ ଲକ୍ଷ ଟଙ୍କାର କଏନ ବ୍ୟବହାର ହୋଇଛି | ସୂଚନା ଥାଉ କି ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ |

ଆଉ ଏହା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବରି‌ଷ୍ଠ ପଦାଧିକାରୀମାନେ କହିଛନ୍ତି ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ପ୍ରାୟ ୩ ବର୍ଷରେ ପୂରଣ ହେବ। ଏଥିରେ ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର