ପିଣ୍ତ-ବ୍ରହ୍ମାଣ୍ତ: ରାମ ଅବତାର-୨

ସାଧକ ମଧ୍ୟରେ ରାମରୂପୀ ଆଜ୍ଞାଚକ୍ର, ପିଣ୍ଡବ୍ରହ୍ମାଣ୍ଡର ୧୪ଟି ସ୍ଥିତି ଅନ୍ୱେଷଣରେ ଲିପ୍ତ ହୁଅନ୍ତି। ସାଧନାର ଏହି ବନବାସ ରାବଣ ବା ସାଧନାରୁ ଜନ୍ମିତ ଅହଂକାରର ସ୍ଥିତିକୁ ବିପନ୍ନ କରେ। ସାଧନାର ଅହଂକାର ଭୀତତ୍ରସ୍ତ ହୁଏ। କାରଣ, ସେ ଜାଣେ ଆଜ୍ଞାଚକ୍ରର ଶକ୍ତି ତା’ର ବିଲୟର କାରଣ ହୋଇପାରେ। ଆଜ୍ଞାଚକ୍ରର ବଢ଼ି ଚାଲିଥିବା ପ୍ରଭାବକୁ ପ୍ରତିହତ କରିବାପାଇଁ ରାବଣରୂପୀ ଅହଂକାର ଅନେକ ଚେଷ୍ଟା କରେ; କିନ୍ତୁ ସଫଳ ହୁଏ ନାହିଁ। ଶେଷରେ ସାଧନାଜାତ ଅହଂକାର ଆଜ୍ଞାଚକ୍ରର ବ୍ୟାପ୍ତି ଓ ପ୍ରଭାବର ମାର୍ଗକୁ ଆବିଷ୍କାର କରେ। ଏହା ହେଉଛି ମେରୁଦଣ୍ଡ ମଧ୍ୟସ୍ଥ ସୁଷୁମ୍ନାକାଣ୍ଡ ରୂପୀ ସୀତା। ଏହି ସୀତାଙ୍କ ବିନା ଆଜ୍ଞାଚକ୍ରରୂପୀ ରାମଙ୍କ କର୍ତ୍ତୃତ୍ୱ ଅସଂପୂର୍ଣ୍ଣ। ରାବଣ ସୀତାଙ୍କୁ ହରଣ କରିନିଏ। ଅର୍ଥାତ୍ ସାଧନାର ଅହଂକାର ନିଜ ଶକ୍ତି ବୃଦ୍ଧିପାଇଁ ସୀତାରୂପୀ ସୁଷୁମ୍ନା କାଣ୍ଡ ଉପରେ ଅଧିକାର ଜାହିର କରେ। କିନ୍ତୁ ସୀତା ବା ସୁଷୁମ୍ନାକାଣ୍ଡ କେବେହେଲେ ବି ନିଜର ରାମ ବା ଆଜ୍ଞାଚକ୍ର ସହ ସଂପର୍କକୁ ଭୁଲେ ନାହିଁ।

ରାବଣରୂପୀ ସାଧନାର ଅହଂକାର ସୀତାଙ୍କୁ ଛଳରେ ହରଣ କରେ। ଆଜ୍ଞାଚକ୍ରରେ ଏକାଗ୍ରତା ହରାଇଲେ ଏହା ଘଟେ। ଯେତେବେଳେ ସାଧକଙ୍କ ଆଜ୍ଞାଚକ୍ରର ଚେତନା ସୁଷୁମ୍ନାକାଣ୍ଡରେ ସ୍ଥିର ନହୋଇ ସୁବର୍ଣ୍ଣ ମୃଗ ସ୍ୱରୂପ କୌଣସି କାମନା ପଛରେ ଧାଏଁ, ସେତେବେଳେ ସାଧନାର ଅହଂକାର ବା ରାବଣ ସୁଯୋଗ ପାଏ ସୀତା ବା ସୁଷୁମ୍ନାକାଣ୍ଡ ଉପରେ ଅଧିକାର ଜାହିର କରିବା ପାଇଁ। ରାବଣ ସୀତାଙ୍କୁ ଲଙ୍କାକୁ ନେଇ ସେଠାରେ ଅଶୋକ ବନରେ ରଖେ। ‘ଲକ୍‌’ ଧାତୁରୁ ନିର୍ମିତ ଲଙ୍କା ଶବ୍ଦର ଅର୍ଥ- ଯେଉଁଠି ସୁଖ ଭୋଗ ମିଳେ। ‘ଲକ୍‌’ ଧାତୁର ଅର୍ଥ ସୁଖ ପାଇବା। ଅଶୋକ ଶବ୍ଦର ଅର୍ଥ- ଶୋକରହିତ। ସାଧନାଜାତ ଅହଂକାର ସୁଷୁମ୍ନାକାଣ୍ଡରୂପୀ ସୀତାଙ୍କୁ ବିଭିନ୍ନ ପ୍ରକାର ସାଂସାରିକ ସୁଖରେ ବୁଡ଼ିଯିବାପାଇଁ ପ୍ରରୋଚିତ କରେ। କିନ୍ତୁ ସୁଷୁମ୍ନାକାଣ୍ଡ ଝୁରିହୁଏ ନିଜର ଆଜ୍ଞାଚକ୍ର ସହ ଥିବା ଚିରନ୍ତନ ସଂପର୍କକୁ। ଏହି ସୀତାଙ୍କର ବିଶ୍ୱାସ ଥାଏ, ଦିନେ ନା ଦିନେ ଆଜ୍ଞାଚକ୍ର ରାବଣରୂପୀ ସାଧନାର ଅହଂକାରକୁ ବିନାଶ କରିବ। ସାଧାରଣ ସୁଖଭୋଗର ଆକାଂକ୍ଷା ବା ଲଙ୍କାପୁରୀର ବି ବିଲୟ ଘଟିବ। ସୀତା ରୂପୀ ସୁଷୁମ୍ନାକାଣ୍ଡ ଅପେକ୍ଷା କରିଚାଲେ ସେହି ଦିନକୁ।

ସମ୍ବନ୍ଧିତ ଖବର