ମାଆ ସୀତାଙ୍କ ସଂସାର ତ୍ୟାଗ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ। ମାତ୍ର ପ୍ରଭୁ ରାମଚନ୍ଦ୍ର କେଉଁଭଳି ଭାବେ ସଂସାର ତ୍ୟାଗ କଲେ ଆପଣ ଜାଣନ୍ତି କି? ସୀତାଙ୍କୁ ପୁନଶ୍ଚ ଅଗ୍ନୀ ପରୀକ୍ଷା ଦେବାପାଇଁ ରାମଚନ୍ଦ୍ର କହିବାରୁ ଅପମାନ ସହି ନପାରି ସଂସାର ତ୍ୟାଗ କରିଥିଲେ ଜାନକୀ। ପାତାଳକୁ ଫାଟି ଯିବାକୁ କହିଥିଲେ, ପାତାଳ ଫାଟି ଗଲା ଓ ସୀତା ପାତାଳକୁ ପଶିଗଲେ। ସେଇଠି ସରିଗଲା ସୀତାଙ୍କ ସଂସାର ଭୋଗ।
ପତ୍ନୀହରା ହୋଇ ଏକା ଏକା ବେଶ କିଛି ଦିନ ସଂସାର ଚଳାଇଲେ ରାମଚନ୍ଦ୍ର। ରାଜା ହୋଇ ରାଜ୍ୟର ଭଲ ମନ୍ଦ ବୁଝିଲେ। ପୁତ୍ର ଲବ ଓ କୁଶଙ୍କୁ ଉତ୍ତମ ଶିକ୍ଷା, ସଂସ୍କାର ଦେଇ ଲାଳନପାଳନ କଲେ। ଅଚାନକ ଦିନେ ଜଣେ ଋଷି ରାମଚନ୍ଦ୍ରଙ୍କୁ ଦେଖା କରିବାକୁ ଆସିଲେ। ସେ ରାମଙ୍କୁ ଏକାନ୍ତରେ ଭେଟ କରିବାକୁ ଚାହାନ୍ତି ବୋଲି କହିଲେ। ଋଷିଙ୍କ କଥା ମାନି ରାମ ଏକ ଘରେ ଏକାନ୍ତରେ ଋଷିଙ୍କ ସହ କଥା ହେବାକୁ ବାହାରିଲେ। କବାଟ ବନ୍ଦ ପୂର୍ବରୁ ଲକ୍ଷ୍ମଣଙ୍କୁ କହି ଗଲେ କି ‘ଯେ କେହି ବି ଆସି କବାଟ ଖୋଲିବାକୁ କହିଲେ ତୁମେ କବାଟ ଖୋଲିବ ନାହିଁ।’ ଲକ୍ଷ୍ମଣ ଭାଇଙ୍କ ନିର୍ଦ୍ଦେଶ ମାନି ଦୁଆର ସାମ୍ନାରେ ଜଗି ରହିଲେ।
ଏତିକି ବେଳେ ଋଷି ଦୁର୍ବାସା ଆସି ଲକ୍ଷ୍ମଣଙ୍କୁ ରାମ ଥିବା ଘରର କବାଟ ଖୋଲିବାକୁ କହିଲେ। ରାମଚନ୍ଦ୍ରଙ୍କ ସହ ତାଙ୍କର ଭେଟ କରିବାର ଅଛି ବୋଲି ଜଣାଇବା ପରେ ବି ଲକ୍ଷ୍ମଣ ଦୁର୍ବାସାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ। ପରିସ୍ଥିତି ବିଷୟରେ ବୁଝାଇବାକୁ ଚେଷ୍ଟା କଲେ। ହେଲେ ଦୁର୍ବାସା ତ ଖୁବ୍ କ୍ରୋଧୀ, ସେ ଲକ୍ଷ୍ମଣଙ୍କୁ କହିଲେ ‘ତୁମେ ଯଦି କବାଟ ନ ଖୋଲ ତେବେ ମୁଁ କବାଟ ଭାଙ୍ଗି ଭିତରକୁ ପଶିବି।’ ଭୟଭୀତ ହେଲେ ଲକ୍ଷ୍ମଣ। ଚିନ୍ତା କଲେ ଯେ ଯଦି ଦୁର୍ବାସା ବଳପୂର୍ବକ ଭିତରକୁ ଯାଆନ୍ତି ଭାଇ ତାଙ୍କର ବଧ କରିବେ। ଭାଇଙ୍କୁ ଋଷି ହତ୍ୟା ପାପ ଲାଗିବ। ତାଠାରୁ ଭଲ ମୁଁ ନିଜେ ଦୁଆର ଖୋଲିକି ସୂଚନା ଦିଏ। ଭାଇ ମୋତେ କେବେ ହେଲେ ହତ୍ୟା କରିବେ ନାହିଁ। ଏମିତି ଚିନ୍ତା କରି ଲକ୍ଷ୍ମଣ ଦ୍ୱାର ଖୋଲିଲେ। ଲକ୍ଷ୍ମଣଙ୍କୁ ଦେଖି ରାମ କ୍ରୋଧାନ୍ଵିତ ହୋଇ କହିଲେ ଯେ ‘ମୁଁ ତୁମ ମୁହଁ ଦେଖିବାକୁ ଚାହେଁନା ଲକ୍ଷ୍ମଣ, ତୁମେ ଶୀଘ୍ର ଏଠାରୁ ଚାଲିଯାଅ।।’
ଭାଇଙ୍କ ମୁହଁରୁ ଏକଥା ଶୁଣିବା ପରେ ଲକ୍ଷ୍ମଣ ଅତ୍ୟନ୍ତ ଦୁଃଖରେ ସରଜୁ ନଦୀ କୂଳକୁ ଗଲେ। ସେଠାରେ ସେ ପହଞ୍ଚି ଅନନ୍ତ ନାଗ ରୂପ ଧାରଣ କଲେ। ଏପଟେ ବନ୍ଦ କୋଠରୀ ଭିତରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଋଷି ଜଣକ ସଂସାର ତ୍ୟାଗ ସଂପର୍କରେ ବୁଝାଉଥିଲେ। ତାଙ୍କର ସଂସାର ତ୍ୟାଗ କରିବା ସମୟ ଆସିଗଲାଣି ବୋଲି କହୁଥିଲେ। ଲକ୍ଷ୍ମଣଙ୍କ ସଂସାର ତ୍ୟାଗ ପରେ ରାମଚନ୍ଦ୍ର ଖୁବ୍ ଏକଲା ହୋଇଗଲେ। ସେ ମଧ୍ୟ ଲକ୍ଷ୍ମଣଙ୍କ ପରି ସରଜୁ ନଦୀ କୂଳକୁ ଯାଇ ରାମ ଅବତାରର ଶେଷ ଘଟାଇ ବିଷ୍ଣୁଙ୍କ ରୂପ ଧାରଣ କଲେ।