କବିବର ରାଧାନାଥ ରାୟଙ୍କ ‘ଚନ୍ଦ୍ରଭାଗା’ କାବ୍ୟରେ ଅଛି ଶ୍ରୀଜଗନ୍ନାଥଙ୍କ ‘‌େପୗଷାଭିଷେକ’ ଉତ୍ସବର ଏକ ସୁନ୍ଦର ବର୍ଣ୍ଣନା। ତାହା ଅନୁସାରେ, ପୌଷପୂର୍ଣ୍ଣିମାର ସେହି ଦୁର୍ଲଭ ଅଭିଷେକ ଉତ୍ସବର ଦର୍ଶନ ପାଇଁ ଓଡ଼ିଶାର ବିଭିନ୍ନ ପୀଠର ଅଧିଷ୍ଠାତ୍ରୀ ଦେବୀମାନେ ପୂଜା ସମ୍ଭାର ନେଇ ଶ୍ରୀମନ୍ଦିରକୁ ଆସିଛନ୍ତି। ସେହି ଦେବୀମାନେ ହେଉଛନ୍ତି- କେତକୀ କାନନ ଅଧ୍ୟୁଷିତ ରମ୍ୟ ବାଲୁକାସ୍ଥଳର ହରଚଣ୍ଡୀ, ବାଣପୁରର ଭଗବତୀ, ଭୁବନେଶ୍ବରର ଅଧି‌ଷ୍ଠାତ୍ରୀ ଦେବୀ ଭୁବନେଶ୍ବରୀ, ରଣପୁରର ଦେବୀ ମୈନାକଦୁର୍ଗା (ମଣିନାଗେଶ୍ବରୀ), ବାଙ୍କିର ଈଶ୍ବରୀ ଚର୍ଚ୍ଚିକା, ଡମପଡ଼ା ଅନ୍ତର୍ଗତ ମହାନଦୀ ତଟବର୍ତ୍ତୀ ଦେବୀଦ୍ବାରର ଚଣ୍ଡୀ, ଝଙ୍କଡ଼ର ସଂକଟତାରିଣୀ ଦେବୀ ସିଂହସାରଳା, କାକଟପୁରର ମହାମଙ୍ଗଳା ଏବଂ ଲହରୀମାଳିକା ଚିଲିକାର ଦେବୀ କାଳୀଜାଈ।

Advertisment

କେବଳ ଏହି ଦେବୀମାନେ ନୁହନ୍ତି, ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ରାମାଭିଷେକ ଦୃଶ୍ୟ ଦେଖିବାପାଇଁ ସୂର୍ଯ୍ୟଦେବ, ରତିଦେବୀ ଓ କନ୍ଦର୍ପଦେବ ମଧ୍ୟ ଆସିଛନ୍ତି। ଏହା ସୂଚାଏ, ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ଦେବାଧିଦେବ, ରାଜାଧିରାଜ। ତେଣୁ ପୌଷପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ତାଙ୍କର ଅଭିଷେକ ଉତ୍ସବ ଏପରି ଦୁର୍ଲଭ ଯେ‌ ସେହି ବେଶରେ ତାଙ୍କର ଦର୍ଶନ ପାଇଁ ଦେବଦେବୀମାନେ ଶ୍ରୀମନ୍ଦିରକୁ ଛୁଟି ଆସିଥାଆନ୍ତି।