ଏସିଅାର ସବୁଠାରୁ ରହସ୍ୟମୟ ବାଘ କୁହାଯାଉଥିବା ମେଘୁଆ କଲରାପତରିଆ ବା କ୍ଲାଉଡେଡ୍ ଲେପର୍ଡର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ଚର୍ଚ୍ଚାର ପରିସରକୁ ଆସିଛି। ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ଏହାକୁ ପ୍ରକାଶ କରିଛନ୍ତି। ଏହି ଭିଡିଓରେ ଏକ ମେଘୁଆ କଲରାପତରିଆ ବାଘ ମା’ ଓ ତା’ର ଶାବକମାନେ ଉତ୍ତର-ପୂର୍ବ ଭାରତର ବର୍ଷାବନରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି। ଉତ୍ତର-ପୂର୍ବ ଭାରତର ଜଙ୍ଗଲରେ ଏହି ବିରଳ କ୍ଲାଉଡେଡ୍ ଲେପର୍ଡ ଦେଖିବାକୁ ମିଳିଛି ବୋଲି ସୁଶାନ୍ତ ନନ୍ଦ ଦର୍ଶାଇଛନ୍ତି।
ପ୍ରକୃତିର ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସଂଘ (ଆଇ.ୟୁ.ସି.ଏନ୍.) ଦ୍ବାରା ଏହି କ୍ଲାଉଡେଡ୍ ଲେପର୍ଡକୁ ‘ବିପଦସଂକୁଳ’ ବନ୍ୟପ୍ରାଣୀ ରୂପେ ଘୋଷଣା କରାଯାଇଛି। ସଂପ୍ରତି ସମଗ୍ର ବିଶ୍ବରେ ଏମାନଙ୍କ ସଂଖ୍ୟା ୧୦,୦୦୦ରୁ ମଧ୍ୟ କମ୍। ନିଃସଙ୍ଗତାକୁ ଭଲପାଉଥିବା କ୍ଲାଉଡେଡ୍ ଲେପର୍ଡ ହିମାଳୟର ପାଦଦେଶ, ଉତ୍ତର-ପୂର୍ବ ଭାରତ, ଭୁଟାନ, ଦକ୍ଷିଣ-ପୂର୍ବ ଏସିଆର କେତେକ ଦେଶ ଓ ଦକ୍ଷିଣ ଚୀନ୍ର ଜଙ୍ଗଲରେ ବାସ କରିଥାନ୍ତି। କ୍ଲାଉଡେଡ୍ ଲେପର୍ଡର ଅାବାସ ସ୍ଥଳୀର ଅବକ୍ଷୟ, ଶିକାର ଓ ମଣିଷକୃତ ସମସ୍ୟା ସେମାନଙ୍କ ପାଇଁ ବିଲୁପ୍ତିର ପ୍ରକ୍ରିୟାକୁ ଡାକି ଆଣିଛି। ସୁଶାନ୍ତ ନନ୍ଦଙ୍କ ଦ୍ବାରା ପ୍ରସାରିତ ଭିଡିଓ କ୍ଲାଉଡେଡ୍ ଲେପର୍ଡମାନଙ୍କର ପ୍ରାକୃତିକ ବାସସ୍ଥାନ ସଂରକ୍ଷଣର ଗୁରୁତ୍ବକୁ ରେଖାଙ୍କିତ କରୁଛି।
ପ୍ରଥମେ ୧୮୨୧ ମସିହାରେ ଚୀନ୍ର ଜଣେ ବ୍ୟକ୍ତିଙ୍କ ଚର୍ମ ଆଧାରରେ ଏହି ପ୍ରାଣୀର ବର୍ଣ୍ଣନା କରାଯାଇଥିଲା। ମେଘୁଆ ଚିତାବାଘର ଶରୀରରେ ବଡ଼ ବଡ଼ ଘନଧୂସର ରଙ୍ଗର ଚକଡ଼ା, ଆଉକିଛି ଅନିୟମିତ ଆକାରର ଦାଗ ଥାଏ। ଗଛ ଉପରେ ଗତି କରିବା ବେଳେ କ୍ଲାଉଡେଡ୍ ଲେପର୍ଡ ତା’ର ଲାଞ୍ଜକୁ ବ୍ୟବହାର କରେ। ଏହା ଦିନରେ ଗଛରେ ବିଶ୍ରାମ କରେ ଏବଂ ରାତିରେ ଶିକାର କରେ। ଉତ୍ତର-ପୂର୍ବ ଭାରତରେ ସିକ୍କିମରେ ଥିବା ପାକ୍କେ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ଅଂଶରେ କ୍ଲାଉଡେଡ୍ ଲେପର୍ଡମାନଙ୍କର ସଂରକ୍ଷଣ ପାଇଁ ଜାତୀୟ ଉଦ୍ୟାନ ଗଠନ କରାଯାଇଛି। ଏଠାରେ କେତୋଟି ଖୁଆଡ଼ ପ୍ରସ୍ତୁତ କରି କ୍ଲାଉଡେଡ୍ ଲେପର୍ଡଙ୍କୁ ରଖାଯାଇଛି। କିନ୍ତୁ ମୁକ୍ତ ଭାବେ ବିଚରଣ କରୁଥିବା କ୍ଲାଉଡେଡ୍ ଲେପର୍ଡମାନଙ୍କୁ ଦେଖିବା ଅତ୍ୟନ୍ତ ଦୁର୍ଲଭ ଦୃଶ୍ୟ। ଏବେ ମା’ ସହିତ ଶାବକଙ୍କ ବିରଳ ଝଲକ ଅତ୍ୟନ୍ତ ସୁଖପ୍ରଦ ବୋଲି ବାଘ ଓ ବନ୍ୟପ୍ରାଣୀ ସଂରକ୍ଷକମାନେ ମତ ଦେଉଛନ୍ତି।