କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ ପ୍ରଥମକରି ବିରଳ ମୃତ୍ତିକା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଏଥର କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ସମେତ କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଖଣିଜ ପଦାର୍ଥ ଉତ୍ତୋଳନ, ପ୍ରକ୍ରିୟାକରଣ, ଗବେଷଣା ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ବିରଳ ମୃତ୍ତିକା କରିଡର୍ ପ୍ରତିଷ୍ଠା ପ୍ରସ୍ତାବକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ସମର୍ପିତ ବିରଳ ମୃତ୍ତିକା କରିଡର୍‌ ସ୍ଥାପନ ଦ୍ୱାରା ଦେଶର ବିକାଶ ହେବ ବୋଲି ସେ କହିଛନ୍ତି। ଚଳିତ ବଜେଟ୍‌ରେ କାହିଁକି ଓଡ଼ିଶା ଓ ବିରଳ ମୃତ୍ତିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି? ବିରଳ ମୃତ୍ତିକା କରିଡର୍ ସ୍ଥାପନର ପ୍ରମୁଖ କାରଣ ଏବଂ ବଜେଟ୍‌ରେ ବିରଳ ମୃତ୍ତିକା ପ୍ରସଙ୍ଗକୁ ନେଇ ବିଭୂତି ପତିଙ୍କ ସ୍ୱତନ୍ତ୍ର ରିପୋର୍ଟ

Advertisment

ବିରଳ ମୃତ୍ତିକା ବା ରେୟାର୍‌ ଆର୍ଥ ଆଧୁନିକ ସଭ୍ୟତାର ମୂଳ ଆଧାର ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହାର ବ୍ୟବହାର ବିସ୍ତୃତ ଓ ବ୍ୟାପକ। ଦୈନନ୍ଦିନ ଉପଭୋକ୍ତା ସାମଗ୍ରୀରୁ ଆରମ୍ଭକରି ପ୍ରତିଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଅକ୍ଷୟ ଶକ୍ତି, ଆଧୁନିକ ଚିକିତ୍ସା ବିଜ୍ଞାନ, ପରମାଣୁ ଓ ଅନ୍ତରୀକ୍ଷ ପ୍ରଯୁକ୍ତିବିଦ୍ୟା ଏବଂ ଦେଶର ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ, ରାଡାର୍ ଓ ସୋନାର୍, ନାଇଟ୍-ଭିଜନ୍ ଉପକରଣ, ଲେଜର୍ ଟାର୍ଗେଟିଂ ଭଳି ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଦିଗରେ ଏହା ବ୍ୟବହାର ହୋଇଥାଏ।

ବିରଳ ମୃତ୍ତିକା ଉପାଦାନ ବା ରେୟାର୍‌ ଆର୍ଥ ଏଲିମେଣ୍ଟ୍‌  (ଆର୍‌.ଇ.ଇ.) ହେଉଛି ଭୂଗର୍ଭରୁ ମିଳୁଥିବା ଦୁଇଟି ଶ୍ରେଣୀରେ ବିଭକ୍ତ ୧୭ଟି ଧାତୁମୂଳକ ଉପାଦାନ। ଏହା ନିର୍ଦ୍ଦିଷ୍ଟ ରାସାୟନିକ ତତ୍ତ୍ବରେ ସମୃଦ୍ଧ। ଏଥିରେ ୧୫ଟି ଲାନ୍ଥାନାଇଡ୍ ସହିତ ସ୍କାଣ୍ଡିୟମ୍ ଓ ଇଟ୍ରିୟମ୍ ସମ୍ମିଳିତ ଥାଏ। ବିଶେଷ ରାସାୟନିକ ଓ ଭୌତିକ ଗୁଣ ଥିବାରୁ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିରେ ଏହି ଉପାଦାନର ଗୁରୁତ୍ୱ ରହିଛି। ପରିମାଣ ଦୃଷ୍ଟିରୁ ଦୁର୍ଲଭ ନ ହେଲେ ବି ବିରଳ ମୃତ୍ତିକା ଉପାଦାନର ଖନନ ଓ ଶୁଦ୍ଧିକରଣ ଅତ୍ୟନ୍ତ କଷ୍ଟସାଧ୍ୟ ଓ ବ୍ୟୟବହୁଳ। ପୁଣି ସେସବୁ ବିଭିନ୍ନ ପ୍ରକାର ଶିଳାରେ ଅତି କମ୍ ମାତ୍ରାରେ ବିକ୍ଷିପ୍ତହୋଇ ରହିଥାଏ।

fshfhfsvbx

ଶକ୍ତିଶାଳୀ ଚୁମ୍ବକୀୟ ଗୁଣ, ଆଲୋକସ୍ଫୂରଣ କ୍ଷମତା, ଉଚ୍ଚ ବିଦ୍ୟୁତ୍ ସୁପରିବାହିତା, ଉଚ୍ଚ ଉତ୍ତାପ ସହନଶୀଳତା ଭଳି ଗୁଣ ବିରଳ ମୃତ୍ତିକା ଉପାଦାନର ବିଶେଷତ୍ବ। ତା’ଛଡ଼ା ସ୍ବତନ୍ତ୍ର ଧରଣର ଚୁମ୍ବକୀୟ, ଔଜ୍ଜ୍ୱଲ୍ୟକାରକ, ବୈଦ୍ୟୁତିକ ଓ ଦ୍ରୁତ ପ୍ରତିକ୍ରିୟା ସୃଷ୍ଟିକାରୀ ଗୁଣ ଥିବାରୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପୃଥିବୀରେ ପ୍ରମୁଖ ବିରଳ ମୃତ୍ତିକା ଉପାଦାନ ଉତ୍ପାଦକ ଦେଶଗୁଡ଼ିକ ମଧ୍ୟରେ ଚୀନ୍, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, ମିଆଁମାର୍‌ ଓ ଭାରତ ରହିଛି। ଆଗ୍ନେୟ ଓ ରୂପାନ୍ତରିତ ଶିଳା ତଥା ଉପକୂଳୀୟ ବାଲୁକା ରାଶିରୁ ଅଧିକ ବିରଳ ମୃତ୍ତିକା ମିଳେ। ବିରଳ ମୃତ୍ତିକାରେ ଥିବା ବହୁ ଉପାଦାନ ମଧ୍ୟରୁ ନିଓଡାଇମିୟମ୍‌ର ୩୩%, ସେରିୟମ୍‌ର ୩୨%, ଲାନ୍ଥାନମ୍‌ର ୨୦%, ପ୍ରସୋଡାଇମିୟମ୍‌ର ୭% ଓ ୟିଟ୍ରିୟମ୍‌ର ୩% ଚାହିଦା ରହିଛି। ଅବଶିଷ୍ଟ ବିରଳ ମୃତ୍ତିକାଗୁଡ଼ିକର ସମ୍ମିଳିତ ଚାହିଦା ପ୍ରାୟ ୫% ବୋଲି ଜଣାପଡ଼ିଛି।

ଓଡ଼ିଶାରେ ବିରଳ ଭୂମିତତ୍ତ୍ୱ
ବିରଳ ଭୂମିତତ୍ତ୍ୱ ଏବଂ ଖଣିଜ ପଦାର୍ଥରେ ସମୃଦ୍ଧ ରାଜ୍ୟ ଭାବେ ଓଡ଼ିଶା ଭାରତରେ ପ୍ରଭୁତ୍ୱ ଜାହିର କରିଛି। ଭାରତରେ ଆନୁମାନିକ ୧୩୧.୫ ଲକ୍ଷ ଟନ୍ ମୋନାଜାଇଟ୍ ଥିବା ବେଳେ ଓଡ଼ିଶାରେ ରହିଛି ପ୍ରାୟ ୩.୧୬ ମିଲିୟନ୍ ଟନ୍। ଏହା ମୁଖ୍ୟତଃ ଗୋପାଳପୁର–ଛତ୍ରପୁର–ବ୍ରହ୍ମଗିରି ସମୁଦ୍ରତଟବର୍ତ୍ତୀ ବେଳାଭୂମି ଏବଂ ପୂର୍ବଘାଟ ପର୍ବତମାଳା ସଂଲଗ୍ନ ଅଞ୍ଚଳରେ ମିଳିଥାଏ। ଇଲ୍‌ମେନାଇଟ୍‌, ରୁଟାଇଲ୍‌, ଜିର୍କନ୍‌, ଗାର୍ନେଟ୍‌ ପରି ଭାରୀ ଖଣିଜ ପଦାର୍ଥ ଥିବାରୁ ସମନ୍ୱିତ ବେଳାଭୂମି ଖଣିଜ ଖନନ ଦୃଷ୍ଟିରୁ ଓଡ଼ିଶା ଗୁରୁତ୍ବ ବହନ କରେ। ଓଡ଼ିଶାର ଓ.ଏସ୍‌.ସି.ଓ.ଏମ୍‌. କାରଖାନାରେ ମୋନାଜାଇଟ୍ ପ୍ରକ୍ରିୟାକରଣ ମାଧ୍ୟମରେ ମିଶ୍ରିତ ବିରଳ ମୃତ୍ତିକା କ୍ଲୋରାଇଡ୍ ଉତ୍ପାଦନ କରାଯାଏ। ଏହା ଦେଶର ବିରଳ ମୃତ୍ତିକା ଉପାଦାନ ଯୋଗାଣ ଶୃଙ୍ଖଳାର ଏକ ମୁଖ୍ୟ କେନ୍ଦ୍ର। ସାମ୍ପ୍ରତିକ ଭୂତାତ୍ତ୍ୱିକ ଅଧ୍ୟୟନ ଇ.ଜି.ଏମ୍‌.ବି. ଅଞ୍ଚଳର ଆଲ୍‌କାଲାଇନ୍ କମ୍ପ୍ଲେକ୍ସ, ଲାଟେରାଇଟ୍‌ ପ୍ରୋଫାଇଲ୍‌ ଓ ଆପାଟାଇଟ୍‌ଯୁକ୍ତ ଆଗ୍ନେୟ ଶିଳା ମଧ୍ୟରେ ଅତିରିକ୍ତ ବିରଳ ମୃତ୍ତିକା ଉପାଦାନ ଥିବା ସମ୍ଭାବନା ସୂଚିତ କରୁଛି। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିସନ୍‌ ଅଧୀନରେ ଚାଲୁଥିବା ଅନ୍ୱେଷଣ କାର୍ଯ୍ୟକ୍ରମ ଓ ପ୍ରସ୍ତାବିତ ନୂତନ ପ୍ରକଳ୍ପ ସହ ଓଡ଼ିଶା ଭାରତର ବିରଳ ଭୂମିତତ୍ତ୍ୱରେ ଆତ୍ମନିର୍ଭରଶୀଳତା ସାଧନ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ ନିମନ୍ତେ ପ୍ରସ୍ତୁତ।

ଓଡ଼ିଶା‌େର ବିରଳ ମୃତ୍ତିକା କରିଡର୍
ଓଡ଼ିଶାରୁ ଉତ୍ତୋଳିତ ମୋନାଜାଇଟ୍‌ରେ ଲାନ୍ଥାନମ୍, ସେରିୟମ୍, ପ୍ରସୋଡାଇମିୟମ୍, ନିଓଡାଇମିୟମ୍ ପରି ବିରଳ ଉପାଦାନ ରହିଛି। ମୋନାଜାଇଟ୍‌ରେ ଥୋରିୟମ୍ ମଧ୍ୟ ରହିଛି, ଯାହା ଆଣବିକ ଶକ୍ତି ଆଇନ, ୧୯୬୨ ଅଧୀନରେ ୨୦୦୬ର ସଂଶୋଧିତ ଅନୁସୂଚୀ ଅନ୍ତର୍ଭୁକ୍ତ ହୋଇଛି। ଥୋରିୟମ୍ ମିଳୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ତୃତୀୟ। ଅଧିକ ପରିମାଣର ମୋନାଜାଇଟ୍ ମିଳୁଥିବାରୁ ଆମ ରାଜ୍ୟ ଥୋରିୟମ୍ ବ୍ୟତୀତ ସେରିୟମ୍, ଲାନ୍ଥାନମ୍, ନିଓଡାଇମିୟମ୍ ଏବଂ ପ୍ରସୋଡାଇମିୟମ୍ ପରି ହାଲୁକା ବିରଳ ମୃତ୍ତିକା ଉପାଦାନର ପ୍ରମୁଖ ଉତ୍ସ ପାଲଟିଛି। ଖଣିଜ ପଦାର୍ଥ ଉତ୍ତୋଳନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସକାଶେ କେନ୍ଦ୍ର ସରକାର ଚାରିଟି ଉପକୂଳବର୍ତ୍ତୀ ରାଜ୍ୟରେ େଯଉଁ ବିରଳ ମୃତ୍ତିକା କରିଡର୍ ସ୍ଥାପନ ପାଇଁ ଯୋଜନା କରୁଛନ୍ତି େସଥିରେ ଓଡ଼ିଶା ପ୍ରମୁଖ ସ୍ଥାନ ହେବ ବୋଲି ଆଶା କରୁଛି।

ପ୍ରସ୍ତାବିତ ବିରଳ ମୃତ୍ତିକା କରିଡର୍ ଲକ୍ଷ୍ୟ ହେଉଛି ଏହି ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନ ସକାଶେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରକ୍ରିୟାକରଣ ଓ ଉତ୍ପାଦ ବ୍ୟବସ୍ଥା ଆଞ୍ଚଳିକସ୍ତରରେ ସୃଷ୍ଟି କରିବା। ଓଡ଼ିଶା ହେଉଛି ଦେଶର ପୂର୍ବ ଉପକୂଳରେ ଚିହ୍ନିତ ଖଣିଭଣ୍ଡାରର ଅଂଶବିଶେଷ। ରାଜ୍ୟର ଦକ୍ଷିଣ ଉପକୂଳ ସମେତ ସାମଗ୍ରିକ ଭାବେ ବିଭିନ୍ନ ଅଞ୍ଚଳରେ ସବୁଠୁ ଅଧିକ ବିରଳ ମୃତ୍ତିକା ମିଳେ। 

ଗଞ୍ଜାମ ଓ ପୁରୀର ଗୌରବ
ଭାରତରେ ଏହି ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ଥିଲେ ବି ପ୍ରକ୍ରିୟାକୃତ ବିରଳ ମୃତ୍ତିକା ଏବଂ ସ୍ଥାୟୀ ଚୁମ୍ବକ ପାଇଁ ଆମେ ଆମଦାନି ଉପରେ ନିର୍ଭରଶୀଳ। ଭାରତର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିରଳ ମୃତ୍ତିକା ପ୍ରକ୍ରିୟାକରଣ କାରଖାନା ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଥିବାରୁ କରିଡର୍‌ ଘୋଷଣା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଗଞ୍ଜାମ ଜିଲ୍ଲାରେ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍ ବାଲୁକା କମ୍ପ୍ଲେକ୍ସ ଚଳାଏ। ଏହି ବାଲୁକା କମ୍ପ୍ଲେକ୍ସରେ ଥିବା ବିରଳ ମୃତ୍ତିକା ଆହରଣ କାରଖାନାରେ ବେଳାଭୂମିରୁ ସଂଗୃହୀତ ବାଲୁକା ଖଣିଜଦ୍ରବ୍ୟରୁ ପ୍ରକ୍ରିୟାକରଣ କରାଯାଇ ମୋନାଜାଇଟ୍ ମିଶ୍ରିତ ବିରଳ ମୃତ୍ତିକାଯୁକ୍ତ ଯୌଗିକ ପଦାର୍ଥ ଉତ୍ପାଦନ କରାଯାଏ। ଅଧିକ ପୃଥକୀକରଣ ଏବଂ ବିଶୋଧନ ସକାଶେ ଏହି ଯୌଗିକ ପଦାର୍ଥ ଏକ ମଧ୍ୟବର୍ତ୍ତୀକାଳୀନ କଞ୍ଚାମାଲ୍ ରୂପେ ବ୍ୟବହୃତ ହୁଏ।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ଥିବା ଭାରୀ ଖଣିଜ ପଦାର୍ଥ ଭଣ୍ଡାରରୁ ଗୁରୁତ୍ବପୂର୍ଣ୍ଣ ତଥା ଆଣବିକ ଖଣିଜ ପଦାର୍ଥ ଆହରଣ ସକାଶେ ଆଇ.ଆର୍.ଇ.ଏଲ୍. ଏକ ଯୌଥ ଉଦ୍ୟୋଗ କମ୍ପ‌ାନି ଗଠନ କରିଛି। ଏହା ଭାରତର ରଣନୈତିକ ସ୍ବାର୍ଥ ପାଇଁ ମୋନାଜାଇଟ୍, ଜିର୍‌କନ୍, ଇଲ୍‌ମେନାଇଟ୍, ରୁଟାଇଲ୍, ସିଲିମାନାଇଟ୍ ଏବଂ ଗାର୍ଣ୍ଣେଟ୍ ଭଳି ଖଣିଜ ପଦାର୍ଥ ଆହରଣ ସକାଶେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ପକ୍ଷରୁ ଏକ ଆଗ୍ରହପତ୍ର ମଧ୍ୟ ପାଇସାରିଛି।

ଆଇ.ଆର୍.ଇ.ଏଲ୍.ର ପୂର୍ବତନ ଜି.ଡି.ଏମ୍. ସୂର୍ଯ୍ୟକାନ୍ତ ପାତ୍ର ଦର୍ଶାଇଛନ୍ତି ଯେ ଏହି କମ୍ପ‌ାନି ଓଡ଼ିଶାକୁ ଏପରି କତିପୟ ରାଜ୍ୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିଛି ଯେଉଁମାନଙ୍କର କଞ୍ଚାମାଲ୍ ଉତ୍ତୋଳନ ବ୍ୟତୀତ ଡାଉନ୍‌ଷ୍ଟ୍ରିମ୍‌ କ୍ଷମତା ମଧ୍ୟ ରହିଛି। ସେ କହିଛନ୍ତି,‘‘ଓଡ଼ିଶା ପରି ରାଜ୍ୟରେ ଘରୋଇ ଦକ୍ଷତା ବିକଶିତ କରାଯିବା ଦ୍ବାରା ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଯୋଗାଣ ଶୃଙ୍ଖଳର ନିରାପତ୍ତା ସୁଦୃଢ଼ କରାଯାଇ ପାରିବ।

fddgjdgjgdjgjd

ଉତ୍ତୋଳନକାରୀରୁ ପ୍ରକ୍ରିୟାକରଣକାରୀ
ବିରଳ ମୃତ୍ତିକାକୁ ନେଇ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରିସ୍ଥିତିରେ ଭାରତ କଞ୍ଚାମାଲ୍ ଯୋଗାଣକାରୀରୁ ପ୍ରକ୍ରିୟାକରଣକାରୀ ରାଷ୍ଟ୍ରରେ ରୂପାନ୍ତରିତ ହେବାକୁ ଯାଉଛି। ଏଥିଲାଗି ନ୍ୟାସ୍‌ନାଲ୍ କ୍ରିଟିକାଲ୍ ମିନେରାଲ୍‌ସ୍‌ ମିସନ୍‌ ପ୍ରତ୍ୟକ୍ଷ ସରକାରୀ ଖର୍ଚ୍ଚ ରୂପେ ୧୬,୩୦୦ କୋଟି ଟଙ୍କା ଯୋଗାଇଦେବ। ଏହାବ୍ୟତୀତ, ଅନୁସନ୍ଧାନ, ପୃଥକୀକରଣ ଏବଂ ବିଶୋଧନ ପରି ପର୍ଯ୍ୟାୟ ଉପରେ ପ୍ରାଥମିକତା ଦେଇ ଅନ୍ୟାନ୍ୟ ସରକାରୀ ଉଦ୍ୟୋଗରୁ ଅତିରିକ୍ତ ୧୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଲକ୍ଷ୍ୟ ରହିଛି କି ୨୦୨୬-୨୭ ଆର୍ଥିକ ବର୍ଷରେ ଦେଶରେ ବିକଶିତ ଉନ୍ନତ ଭିତ୍ତିଭୂମି ସମ୍ଭାର ଦ୍ବାରା ୨,୦୦୦ରୁ ୩,୦୦୦ ଟନ୍ ପର୍ଯ୍ୟନ୍ତ ବିରଳ ମୃତ୍ତିକା ଅକ୍ସାଇଡ୍ ଉତ୍ପାଦନ କରିବା।

ଏହି ରୂପାନ୍ତରଣର କେନ୍ଦ୍ରସ୍ଥଳରେ ଅଛି ଓଡ଼ିଶା। ୨୦୨୪ ମସିହାରେ ଭାରତ ସରକାର ଗଞ୍ଜାମସ୍ଥିତ ଛତ୍ରପୁରଠାରେ ୫୦ ଲକ୍ଷ ଲିଟର୍‌ କ୍ଷମତାବିଶିଷ୍ଟ ସମୁଦ୍ର ଜଳ ଶୋଧନ କାରଖାନା ପ୍ରତିଷ୍ଠା କରିଛନ୍ତି। ସେଠାରେ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍ (ଆଇ.ଆର୍.ଇ.ଏଲ୍.) ପକ୍ଷରୁ ଓଡ଼ିଶା ସ୍ୟାଣ୍ଡ୍‌ସ୍‌ କମ୍ପ୍ଲେକ୍‌ସ୍‌ ସ୍ଥାପନ କରାଯାଇ ଏହାକୁ ପରିଚାଳନା କରାଯାଉଛି। ଏହା ଭାରତର ସର୍ବବୃହତ୍ ବିରଳ ମୃତ୍ତିକା ଓ ଖଣିଜ ପଦାର୍ଥ ପୃଥକୀକରଣ ଭିତ୍ତିଭୂମି ମଧ୍ୟରେ ଅନ୍ୟତମ। ଦୀର୍ଘକାଳୀନ ଭିତ୍ତିରେ ବିରଳ ମୃତ୍ତିକା ଖଣିଜ ପଦାର୍ଥ ଆହରଣରେ ସ୍ଥିରତା ଆଣିବା ସକାଶେ ପରିବର୍ତ୍ତନର ପ୍ରତୀକ ହେଉଛି ଓ.ଏସ୍.ସି.ଓ.ଏମ୍.। ଏଠାରେ ବାର୍ଷିକ ପ୍ରାୟ ୭୫ ଲକ୍ଷ ଟନ୍ ବେଳାଭୂମି ବାଲି ପ୍ରକ୍ରିୟାକରଣ କରାଯାଇ ପାଖାପାଖି ୬ ଲକ୍ଷ ଟନ୍ ବିରଳ ମୃତ୍ତିକା ଉପାଦାନ ଉତ୍ପାଦନ କରାଯାଏ।

ଆଇ.ଆର୍.ଇ.ଏଲ୍. ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ସହଭାଗିତାରେ ଆଇ.ଆର୍.ଇ.ଏଲ୍.-ଆଇ.ଡି.ସି.ଓ.ଏଲ୍. ଲିମିଟେଡ୍ ପ୍ରତିଷ୍ଠା କରିଛି। ଏହି ମିଳିତ ଉ‌େଦ୍ୟାଗର ଲକ୍ଷ୍ୟ ହେଉଛି ପୁରୀ ଜିଲ୍ଲାରେ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ତା’ର ପ୍ରକ୍ରିୟାକରଣ କାରଖାନା ବିକଶିତକରି ଉଚ୍ଚମାନର ବେଳାଭୂମି ବାଲିରେ ଥବା ମୋନାଜାଇଟ୍ ଭଣ୍ଡାରକୁ ବ୍ୟବହାର କରିବା।
 
ଦ୍ବିଗୁଣ ହେବ ବିରଳ ମୃତ୍ତିକା ଚୁମ୍ବକ ଚାହିଦା!
ଏହି ଉଚ୍ଚଶକ୍ତିସମ୍ପନ୍ନ ଆର୍.ଇ.ପି.ଏମ୍. ବିଭିନ୍ନ ପ୍ରକାର ପ୍ରଯୁକ୍ତିବିଦ୍ୟା ସକାଶେ ଗୁରୁତ୍ବପୂର୍ଣ୍ଣ। ଅଳ୍ପ କେତେକ ଦେଶରେ ଏହାର ଉତ୍ପାଦନ ସୀମିତ। ଏକା ଚୀନ୍ ବିରଳ ମୃତ୍ତିକା ଚୁମ୍ବକ ଉତ୍ପାଦନ ସକାଶେ ଆବଶ୍ୟକ କଞ୍ଚାମାଲ୍‌ ଉତ୍ତୋଳନ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ୯୦% ନିୟନ୍ତ୍ରଣ କରୁଛି। ଅକ୍ଷୟ ଶକ୍ତିର ବହୁଳ ସଂପ୍ରସାରଣ ଏବଂ ଇ.ଭି.କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବାରୁ ଭାରତରେ ଆର୍.ଇ.ପି.ଏମ୍.ର ଚାହିଦା ଦ୍ରୁତ ବୃଦ୍ଧି ପାଉଛି। ମାର୍ଚ୍ଚ ୨୦୨୫ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତ ୫୩,୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ବିରଳ ମୃତ୍ତିକା ଚୁମ୍ବକ ଆମଦାନି କରିଥିଲା। ୨୦୩୦ ସୁଦ୍ଧା ଭାରତରେ ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକର ଚାହିଦା ଦ୍ବିଗୁଣ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତ ମୁଖ୍ୟତଃ ଆମଦାନି ଦ୍ବାରା ଏହାର ଚାହିଦା ପୂରଣ କରୁଛି। ଡେଲ୍‌ୟେଟ୍ ଇଣ୍ଡିଆର ଅଂଶୀଦାର ରାଜୀବ ମିଶ୍ର ମୈତ୍ର କହିଛନ୍ତି, “ଏହି ପଦକ୍ଷେପ ସ୍ଥାୟୀ ଏବଂ ବିଶ୍ବସ୍ତରରେ ପ୍ରତିଯୋଗିତାମୂଳକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ତଥା ବିରଳ ମୃତ୍ତିକା ପରିସଂସ୍ଥାନ ଗଠନରେ ସହାୟକ ହେବ। ଓଡ଼ିଶାର ଉପକୂଳବର୍ତ୍ତୀ ବେଳାଭୂମି ବାଲି ଭଣ୍ଡାରରେ ଯଥେଷ୍ଟ ମୋନାଜାଇଟ୍ ଅଛି। ଏଥିରୁ ନିଓଡାଇମିୟମ୍, ପ୍ରେସିଓଡାଇମିୟମ୍ ଇତ୍ୟାଦି ବିରଳ ମୃତ୍ତିକା ଉପାଦାନ ସଂଗ୍ରହ ବୃଦ୍ଧି କରିବାକୁ ପଦକ୍ଷେପ ନେବା ଜରୁରି।”  

ବିରଳ ମୃତ୍ତିକା ଓ ସେମିକଣ୍ଡକ୍ଟର୍ ମିସନ୍‌ ୨.୦
ଘୋଷିତ ଇଣ୍ଡିଆ ସେମିକଣ୍ଡକ୍ଟର୍‌ ମିସନ୍ ବ‌ା ‘ଆଇ.ଏସ୍.ଏମ୍. ୨.୦’ କାର୍ଯ୍ୟକ୍ରମ ପରିଚାଳନା ସଫଳ ହେଲେ ଓଡ଼ିଶା ଯଥେଷ୍ଟ ଲାଭବାନ୍‌ ହେବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି। ‘ଆଇ.ଏସ୍.ଏମ୍. ୧.୦’ ଅଧୀନରେ ରାଜ୍ୟ ପାଇଁ ୪,୦୦୯ କୋଟି ଟଙ୍କାର ମିଳିତ ବିନିଯୋଗରେ ଦୁଇଟି ସେମିକଣ୍ଡକ୍ଟର୍ ୟୁନିଟ୍ ଅନୁମୋଦିତ ହୋଇସାରିଛି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଖୁବ୍ ଶୀଘ୍ର ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ଉତ୍ପାଦନ କେନ୍ଦ୍ର ଏବଂ ଏକ ସେମିକଣ୍ଡକ୍ଟର୍ ପାର୍କ ସ୍ଥାପନ କରାଯିବ। ଏହା ହୋଇପାରିଲେ ଓଡ଼ିଶାର ବିରଳ ମୃତ୍ତିକାର ବ୍ୟାପକ ବ୍ୟାବସାୟିକ ବ୍ୟବହାର ହୋଇପାରିବ।

ବିରଳ ମୃତ୍ତିକା ବିଶେଷଜ୍ଞ ଋଷଭ ଜୈନ୍‌ କହନ୍ତି, ‘‘ବିରଳ ମୃତ୍ତିକା କରିଡର୍ ଘୋଷଣା ଅର୍ଥ ଜାତୀୟ ନିୟାମକ ବ୍ୟବସ୍ଥାରୁ ଏହାକୁ ପୃଥକ୍‌ କରି ରାଜ୍ୟସ୍ତରୀୟ ପରିଚାଳନା ଦ୍ବାରା ଉପାଦନ ସଂଗ୍ରହ ଓ ଉତ୍ପାଦ ପ୍ରସ୍ତୁତି କରିବା। ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ନ୍ୟାସ୍‌ନାଲ୍‌ କ୍ରିଟିକାଲ୍‌ ମିନେରାଲ୍‌ ମିସନ୍‌ ଅଧିନରେ ସ୍ଥାପନ ହେବାକୁ ଥିବା ଏହି ଯୋଜନା ଚୁମ୍ବକ ଉତ୍ପାଦନ ବୃଦ୍ଧି ଲାଗି ଉଦ୍ଦିଷ୍ଟ। ତେବେ ଏହି କରିଡର୍‌ ସଫଳତାକୁ ସୁନିଶ୍ଚିତ କରିବା ସକାଶେ ଘରୋଇ ଚାହିଦା ସୁଦୃଢ଼ ହେବା ଆବଶ୍ୟକ। ଏଥିସହ ଗବେଷଣା ଓ ବିକାଶ କାର୍ଯ୍ୟ ପ୍ରତି ଅଧିକ ଗୁରୁତ୍ବ ଦେବା ସହିତ ଜାପାନ, ଇଂଲଣ୍ଡ୍‌ ଏବଂ ୟୁରୋପୀୟ ୟୁନିଅନ୍ ପରି ରାଷ୍ଟ୍ରକୁ ଆନ୍ତର୍ଜାତିକ ଅଂଶୀଦାରକରି ସେମାନଙ୍କଠାରୁ ପ୍ରଯୁକ୍ତିର ଜଟିଳ ପ୍ରକ୍ରିୟା ହାସଲ କରିବାକୁ ପଡ଼ିବ।

ସମସ୍ୟା ଓ ଆହ୍ବାନ
ସେମିକଣ୍ଡକ୍ଟର୍ ଉତ୍ପାଦନରେ ପ୍ରଯୁକ୍ତିବିଦ୍ୟା ଓ ମାନବୀୟ ଦକ୍ଷତା ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହା ସତ୍ତ୍ବେ ଆବଶ୍ୟକ ମାନବୀୟ ଦକ୍ଷତା ଅଭାବ, ଅତ୍ୟଧିକ ପୁଞ୍ଜି ଆବଶ୍ୟକତା, ପାରିବେଶିକ ବିପଦ ଏବଂ ଭୂ-ରାଜନୈତିକ ଅସ୍ଥିରତା ପ୍ରତିଯୋଗିତାମୂଳକ ବିରଳ ମୃତ୍ତିକା ଏବଂ ସେମିକଣ୍ଡକ୍ଟର୍ ଉତ୍ପାଦନ ବାତାବରଣ ସୃଷ୍ଟି କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି।

ସେମିକଣ୍ଡକ୍ଟର୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ ଲକ୍ଷ୍ୟ ସହିତ ଭାରତର ବିରଳ ମୃତ୍ତିକା ଅଭିଳାଷ ନିବିଡ଼ ଭାବେ ଜଡ଼ିତ। ଏବେ ସେମିକଣ୍ଡକ୍ଟର୍ ଶିଳ୍ପ ଯେ ଦକ୍ଷ ମାନବ ସମ୍ବଳ ଅଭାବର ସମ୍ମୁଖୀନ ହେଉଛି ସେକଥା ବେଶ୍ ସ୍ପଷ୍ଟ। ବର୍ତ୍ତମାନ ଭାରତରେ ପ୍ରାୟ ୨,୨୦,୦୦୦ ସେମିକଣ୍ଡକ୍ଟର୍ ପେସାଧାରୀ ନିଯୁକ୍ତ ଅଛନ୍ତି। ମାତ ୨୦୨୭ ସୁଦ୍ଧା ୨,୫୦,୦୦୦ରୁ ୩,୫୦,୦୦୦ ପର୍ଯ୍ୟନ୍ତ କୁଶଳୀ କର୍ମଚାରୀ ଅଭାବ ପରିଲକ୍ଷିତ ହେବ। ଆମ ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପୂର୍ବପରି ସଫ୍ଟୱେର୍ ତଥା ସୂଚନା ପ୍ରଯୁକ୍ତି ପ୍ରତି ଅଧିକ ଢଳିଥିବା ବେଳେ ଫେବ୍ରିକେଶନ୍, ୱାଫର୍ ପ୍ରକ୍ରିୟାକରଣ, ଏ.ଟି.ଏମ୍.ପି./ଓ.ଏସ୍.ଏ.ଟି. (ଆସେମ୍‌ବ୍ଲି ଓ ପରୀକ୍ଷଣ), ଆନାଲଗ୍/ମିଶ୍ରିତ ସିଗ୍‌ନାଲ୍ ଏବଂ ପାୱାର୍ ଡିଭାଇସ୍ ଡିଜାଇନ୍ ଇତ୍ୟାଦି ହାର୍ଡୱେର୍‌ ସଂପର୍କିତ ଶିକ୍ଷା ଓ ତାଲିମ ଅଭାବ ରହିଛି। ମାନବ ସମ୍ବଳର ଅଭାବ ଯେପରି ଏ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ନ ହୁଏ, ସେଥିପାଇଁ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଏବଂ ଉତ୍ପାଦନ ଓ ଉପକରଣ-ଡିଜାଇନ୍‌ରେ ପ୍ରତ୍ୟକ୍ଷ କର୍ମ ଅଭିଜ୍ଞତା ଥିବା ପେସାଦାର ସୃଷ୍ଟି କରିବା ଉପରେ ବହୁ ବିଶେଷଜ୍ଞ ତଥା ଶିଳ୍ପ ବିଶ୍ଳେଷକମାନେ ଗୁରୁତ୍ବାରୋପ କରିଛନ୍ତି।