ବଦଳୁଛି ସମ୍ପର୍କର ପରିସର। ବଦଳୁଛି ବନ୍ଧୁତାର ପରିଭାଷା। କୃଷ୍ଣ-ସୁଦାମା, ଦୁର୍ଯ୍ୟୋଧନ-କର୍ଣ୍ଣଙ୍କ ପୁରାଣଯୁଗୀୟ ମିତ୍ରତାରୁ ଆମେ ପହଞ୍ଚି ସାରିଛୁ ଫେସ୍ବୁକ, ହ୍ବାଟ୍ସଆପ୍ର ବନ୍ଧୁମୟ ଡିଜିଟାଲ୍ ଯୁଗରେ। ଚାରିପାଖରେ ଏତେ ବନ୍ଧୁ ଥାଇ ବି ଆଜିର ମଣିଷ ତେବେ ନିଜକୁ ନିଃସଙ୍ଗ ମଣୁଛି କାହିଁକି? ଭଲ ବନ୍ଧୁଟିଏ ମିଳିବା ସତରେ କ’ଣ ସହଜ ନୁହେଁ! ପ୍ରତିକୂଳ ପରିସ୍ଥିତିରେ ପରସ୍ପର ସହ ଠିଆ ହେଇଥିବା, ବନ୍ଧୁର ପରିବାରକୁ ନିଜର ପରିବାର ଭଳି ଦେଖିବା, ବନ୍ଧୁତାର ସମସ୍ତ କର୍ତ୍ତବ୍ୟକୁ ନିସର୍ତ୍ତ ଭାବେ ତୁଲାଇବା ପରି ବିରଳ ବନ୍ଧୁତ୍ବ ଏବେ ମଧ୍ୟ ଦେଖିବାକୁ ମିଳେ।
ଉପସ୍ଥାପନା: ପ୍ରଗତି ସାହୁ
କଥାରେ ଅଛି ‘ବନ୍ଧ ତଳେ ଚାଷ, ବନ୍ଧୁ ତଳେ ବାସ’, ବିପଦ ସମୟରେ ଯେଉଁ ବନ୍ଧୁ ସାହାଯ୍ୟର ହାତ ବଢ଼ାଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି ଦୁନିଆ କହେ। ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ ଯାହାକୁ ଆମେ ନିଜେ ଚୟନ କରୁ। ବନ୍ଧୁତା ରକ୍ତର ସମ୍ପର୍କ ନୁହେଁ, କିନ୍ତୁ ଅନେକ କ୍ଷେତ୍ରରେ ଏହା ରକ୍ତସମ୍ପର୍କ ଠାରୁ ବି ଅଧିକ ଅନ୍ତରଙ୍ଗ ଓ ପ୍ରଗାଢ଼ ପ୍ରତିପାଦିତ ହୁଏ। ଆମ ସମସ୍ତଙ୍କ ଜୀବନରେ କେହି ନା କେହି ବନ୍ଧୁ ଅଛନ୍ତି। ହେଲେ କତିପୟ ଭାଗ୍ୟବାନ୍ ଲୋକଙ୍କ କପାଳରେ ଏମିତି ବନ୍ଧୁ ଥାଆନ୍ତି, ଯେଉଁମାନେ ବନ୍ଧୁ ପାଇଁ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ‘ବନ୍ଧୁତ୍ବ ଦିବସ’ ଅବସରରେ ସେଭଳି କିଛି ନିଆରା ବନ୍ଧୁତ୍ବ କାହାଣୀ...
ଦୁହେଁ ଦୁହିଁଙ୍କ ଅାଶାବାଡ଼ି
ସ୍ବାର୍ଥପର ଦୁନିଆରେ କିଏ ବା କାହାର? ତଥାପି ଆଜି ବି ରକ୍ତସଂପର୍କ ବାହାରେ ଏଭଳି ସଂପର୍କ ସବୁ ରହିଛି, ଯାହାର ନିବିଡ଼ତା ଦେଖିଲେ ଆଚମ୍ବିତ ହେବାକୁ ପଡ଼େ। ସେଭଳି ସଂପର୍କର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ଜ୍ୟୋତିରଞ୍ଜନ ଓ ରମାକାନ୍ତଙ୍କ ବନ୍ଧୁତ୍ବ। ଦୁନିଆକୁ ଭଲଭାବେ ଦେଖିବା ତ ଦୂରର କଥା, ସେମାନେ ପରସ୍ପରକୁ ବି କେବେ ଦେଖିନାହାନ୍ତି। ହେଲେ ଦୁହିଁଙ୍କ ସଂପର୍କ ଖୁବ୍ ଅନ୍ତରଙ୍ଗ। ବିଧିର ବିଧାନ ବଡ଼ ବିଚିତ୍ର, କାରଣ ଦୁହେଁ ଦୃଷ୍ଟିବାଧିତ। ମାସେ, ବର୍ଷେ କି, ଦି’ବର୍ଷ ନୁହେଁ, ସେମାନଙ୍କ ବନ୍ଧୁତ୍ବର ବୟସ ୨୫ବର୍ଷ। ପ୍ରଥମେ ବେଙ୍ଗାଲୁରୁରେ ଏକ ଚେସ୍ ପ୍ରତିଯୋଗିତାରେ ସାକ୍ଷାତ। ତା’ପରେ ପରିଚୟ। ପରିଚୟରୁ ଆକର୍ଷଣ। ଶେଷରେ ଆକର୍ଷଣରୁ ଶ୍ରଦ୍ଧା। ଏହି ଭଲପାଇବା ଭିତରେ ସେମାନେ ବନ୍ଧୁତ୍ବ ଡୋରିରେ ଶକ୍ତଭାବେ ବାନ୍ଧି ହୋଇଯାଇଛନ୍ତି। ଜ୍ୟୋତିରଞ୍ଜନ ଦାସ ଓ ରମାକାନ୍ତ ସାହୁ। ଦୁେହଁ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ୫ବର୍ଷ ବୟସରୁ ସେମାନଙ୍କ ପାଇଁ ଦୁନିଆ ଅନ୍ଧାର ହୋଇଯାଇଥିଲା। ଉଭୟଙ୍କ ବୟସ ପାଖାପାଖି ୪୫ବର୍ଷ । ୨୦୦୩ ମସିହାରୁ ଆରମ୍ଭ ହୋଇଥିଲା ସେମାନଙ୍କ ସଂପର୍କର ଯାତ୍ରା। ଦୁହେଁ ଚେସ୍ ଖେଳନ୍ତି। ସେଇ ପରିସରରୁ ପରିଚୟ। ତା’ପରେ ଭୁବନେଶ୍ବରର ଉତ୍କଳ ଦୃଷ୍ଟିହୀନ ସଂଘରେ ସେମାନେ ଏକାଠି ରହନ୍ତି। ସେବେଠାରୁ ପରସ୍ପର ପ୍ରତି ଆକର୍ଷିତ ହୋଇ ସମ୍ପର୍କର ରଜ୍ଜୁରେ ବାନ୍ଧି ହୋଇଥିଲେ ଜ୍ୟୋତିରଞ୍ଜନ ଓ ରମାକାନ୍ତ। ଧୀରେ ଧୀରେ ବନ୍ଧୁତା ବଢ଼ିବା ସହ ସେମାନେ ଏକାଭଳି ପୋଷାକ ପିନ୍ଧିବା ଆରମ୍ଭକଲେ। ଖାଲି ପୋଷାକ ନୁହେଁ, କ୍ରମେ ଦୁହିଁଙ୍କ ଚିନ୍ତାଧାରା ବି ସମାନ ବୋଲି ଉଭୟେ ଅନୁଭବ କଲେ। ତା’ପରେ ଏମିତି ମନ ମିଳିଗଲା ଯେ ଖିଆପିଆ, ବସାଉଠା, ବୁଲାବୁଲି ଠାରୁ ପାଠପଢ଼ା ପର୍ଯ୍ୟନ୍ତ ସବୁଠି ଦୁହେଁ ଏକାଠି ହୁଅନ୍ତି। କିଏ କାହାକୁ ଘଡ଼ିଏ ଛାଡ଼ିବାକୁ ଚାହାନ୍ତିନାହିଁ। ସତେ ଯେମିତି ଦୁହେଁ ଦୁହିଁଙ୍କ ଜୀବନର ଜୀବନ୍ତ ଆଶାବାଡ଼ି!
ଜ୍ୟୋତିରଞ୍ଜନଙ୍କ ଘର ଭଦ୍ରକ। ଏବେ ସେଠାରେ ସେ ଗୋଟେ ବିଦ୍ୟାଳୟେର ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ତେଣେ ରମାକାନ୍ତଙ୍କ ଘର ଢେଙ୍କାନାଳରେ। ସେ କିନ୍ତୁ ଭୁବନେଶ୍ବରରେ ଏକ ଛୋଟ ବ୍ୟବସାୟ କରି ପରିବାର ଚଳାଉଛନ୍ତି। ହେଲେ ରବିବାର ଓ ଅନ୍ୟ ଛୁଟିଦିନଗୁଡ଼ିକରେ ଦୁହେଁ ପରସ୍ପରକୁ ଭେଟି ଗପସପ ହେବା ଥୟ। ଜ୍ୟୋତିରଞ୍ଜନ କହନ୍ତି, ‘‘ଦୂରରେ ଥିଲେ ବି ପ୍ରତିଦିନ ଆମେ ଫୋନ୍ରେ କଥାବାର୍ତ୍ତା ହେଉ। ଥଟ୍ଟାମଜା ହୁଏ। ଆମେ ଦୁହେଁ ଚିନ୍ତାକରିଥିଲୁ ଦୃଷ୍ଟିବାଧିତ ପିଲାଙ୍କ ପାଇଁ କିଛି କରିବୁ। ସେଥିପାଇଁ ୨୦୨୦ ମସିହାରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଖୋଲିଲୁ, ଯାହାର ନାଁ ରଖିଲୁ ‘ସମ୍ପର୍କ କ୍ରିଏସନ୍’। ଏଥିରେ ଏପର୍ଯ୍ୟନ୍ତ ଆମ ଭଳି ୨୦୦ ପିଲାଙ୍କୁ ଯୋଡ଼ାଯାଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରାଯାଇଛି। କିଏ ଭଜନ ଗାଇଛି ତ କିଏ ନୃତ୍ୟ ପରିବେଷଣ କରିଛି। କେବଳ ଦୃଷ୍ଟିବାଧିତ ପିଲାଙ୍କୁ ହିଁ ଏଥିରେ ସୁଯୋଗ ଦିଆଯାଉଛି। ଆମେ ଚାହୁ ସେମାନେ କେବେ ଅନୁଭବ ନକରନ୍ତୁ ଯେ ସେମାନେ ସମାଜ ଉପରେ ବୋଝ। ତେଣୁ ଆମେ ଦୁଇସାଙ୍ଗ ସେମାନଙ୍କ ଓଠରେ ଖୁସି ଦେବା ଲକ୍ଷ୍ୟରେ ଏସବୁ କରୁଛୁ। ଦେଖା ନଗଲେ ବି ଜୀବନ କେତେ ସୁନ୍ଦର, ତାହା ସେମାନଙ୍କୁ ଅନୁଭବ କରାଇବାକୁ ଚାହୁଛୁ।’’
ସୂର୍ଯ୍ୟଙ୍କ ସାହାରା ଦାମ
ଏମାନେ ବି ଦୁଇସାଙ୍ଗ। କିନ୍ତୁ ଏଠି କଥା ଟିକେ ନିଆରା। ଦୁହେଁ ଏକାଠି ଯୌବନ ଓ ପ୍ରୌଢ଼ତ୍ବ ଅତିବାହିତ କରି ଏବେ ବୃଦ୍ଧାବସ୍ଥାରେ ପାଦ ଦେଲେଣି ସତ, କିନ୍ତୁ ଆଜି ବି ସେମାନଙ୍କ ଭିତରେ ରହିଛି ସେମିତି ଭଲପାଇବା ଓ ବିଶ୍ବାସ। କିଏ କାହାକୁ ଦଣ୍ଡେ ଛାଡ଼ି ରହିପାରନ୍ତି ନାହିଁ।
ସୂର୍ଯ୍ୟରଞ୍ଜନ ରାଉଳ ଓ ଦାମୋଦର ସାହୁଙ୍କ ବନ୍ଧୁତ୍ବକୁ ୪୦ବର୍ଷ ଟପିଗଲାଣି। କଲେଜରୁ ଏ ପର୍ଯ୍ୟନ୍ତ ଦୁହେଁ ବନ୍ଧୁପଣ ନିଭାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରୁ ଦୁହେଁ ସାଙ୍ଗ। ସେଠାରେ ପାଠପଢ଼ା ସାରି ପୁଣି ଏକାଠି ଦୀନବନ୍ଧୁ ଆଇନ ମହାବିଦ୍ୟାଳୟରୁ ଏଲ୍ଏଲ୍ବି କରିଛନ୍ତି ସୂର୍ଯ୍ୟ ଓ ଦାମୋଦର। ଜଣେ ଓକିଲାତି କରନ୍ତି ଏବଂ ଆଉ ଜଣେ ବ୍ୟାଙ୍କ୍ ଚାକିରି। ଯଦିଓ ବୃତ୍ତିଗତ ଜୀବନ ଅଲଗା, କିନ୍ତୁ ସେବେଠାରୁ ଦୁହେଁ ପରସ୍ପରର ସୁଖଦୁଃଖରେ ଏକାଠି ଅଛନ୍ତି। ଦୁର୍ଭାଗ୍ୟକୁ ୧୯୮୫ ମସିହାରେ ସୂର୍ଯ୍ୟରଞ୍ଜନ ଦୁଇ ମହଲା ପାହାଚରୁ ତଳକୁ ପଡ଼ିଗଲେ। ଏଇ ଦୁର୍ଘଟଣାରେ ତାଙ୍କ ଗୋଡ଼ ଅକାମୀ ହୋଇଗଲା। ପରେ ଜଣାପଡ଼ିଲା, ସ୍ନାୟବିକ ଦୁର୍ବଳତା ପାଇଁ ଏପରି ଅବସ୍ଥା ହୋଇଛି। ସେ ଆଉ ଆଗ ଭଳି ଚାଲବୁଲ କରିପାରିଲେ ନାହିଁ। ଏଭଳି ସ୍ଥିତିରେ ତାଙ୍କର ଆଶାବାଡ଼ି ଭଳି ପାଖେ ପାଖେ ରହିଲେ ବନ୍ଧୁ ଦାମୋଦର। ସୂର୍ଯ୍ୟରଞ୍ଜନ କହନ୍ତି,‘‘ଗଳିକନ୍ଦିରେ ଆମ ଦୋସ୍ତିର ଚର୍ଚ୍ଚା। ଗାଁ’ର ଲୋକମାନେ ଆମକୁ ଏକେଲା କୁଆଡ଼େ ଯିବାର ଦେଖିନାହାନ୍ତି। କେହି ଯଦି ସେମାନଙ୍କ ଭିତରୁ ଜଣଙ୍କୁ ଦେଖନ୍ତି, ତେବେ ଆର ଜଣକ କୁଆଡ଼େ ଗଲା ବୋଲି ପ୍ରଶ୍ନ କରନ୍ତି। ଦିନକର କଥା। ଗୋଟେ ସାଙ୍ଗର ବାହାଘରକୁ ଆମେ ଯାଇଥାଉ। ମୁଁ ପଡ଼ିଗଲି। ମୋ ଓଠ ଫାଟିଯାଇ ରକ୍ତ ବାହାରିଲା। ଦାମ ସଙ୍ଗେ ସଙ୍ଗେ ମୋତେ ହସ୍ପିଟାଲ୍ ନେଇଗଲା। ସେ ଡାକ୍ତରଙ୍କ ଆଗରେ ଛୋଟପିଲାଙ୍କ ପରି କାନ୍ଦିବାକୁ ଲାଗିଲା। ଏମିତି ଅନେକ ବାର ମୋ ପ୍ରତି ତା’ର ଅନାବିଳ ଭଲପାଇବା ଅନୁଭବ କରିଛି। ମୋର ଗୋଡ଼ ଯେତେବେଳେ ଖରାପ ହୋଇଗଲା ସେ ମତେ କେବେ ଅନୁଭବ କରିବାକୁ ଦେଇନାହିଁ ଯେ ମୁଁ ଅକ୍ଷମ ହୋଇଗଲି । ଆଉ ସେ ପାଖରେ ଥିଲେ ମୋର ବାଡ଼ି କିମ୍ବା ହ୍ବିଲ୍ ଚେଆର୍ ଭଳି ସାହାରା ଆବଶ୍ୟକ ପଡ଼େନାହିଁ। ସେ ହିଁ ମୋର ସାହାରା। ତା’ କାନ୍ଧରେ ହାତ ପକାଇ ମୁଁ ସବୁଆଡ଼େ ଯାଏ। ମୋର ଅଫିସ୍ ହେଉ କିମ୍ବା ବାହାରକୁ ବୁଲିଯିବା, ଦାମ ପାଖରେ ନଥିଲେ ମୋତେ ଅକାମୀ ହୋଇଗଲା ପରି ମନେହୁଏ। ତା’ର ମୋ ପ୍ରତି ନିସ୍ବାର୍ଥ ଭଲପାଇବା ଓ ଆତ୍ମୀୟତା ଆମ ବନ୍ଧୁତ୍ବକୁ ନିଆରା କରିଛି। ଏବେ ବି ଆମେ ପ୍ରତିଦିନ ଦେଖାହେଉ। କେବେ ଆମ ମଧ୍ୟରେ କୌଣସି କଥା ପାଇଁ ଫାଟ ସୃଷ୍ଟି ହୋଇନାହିଁ କି, ମନାନ୍ତର ହୋଇନାହିଁ। ୧୯୬୬ରେ ଆମ ଦୁହିଁଙ୍କର ଜନ୍ମ। ସାଥୀହୋଇ ଆସିଛୁ ଯେତେବେଳେ ସାଥୀହୋଇ ଯିବୁ।’’
ଅଶ୍ବିନ-ଭରତ: ପରସ୍ପରର ପରିପୂରକ
ଅଶ୍ବିନ କାର୍ତ୍ତିକ ଇଞ୍ଜିନିୟରିଙ୍ଗ୍ ପଢ଼ିବାକୁ ଚାହୁଥିଲେ। ପାଠପଢ଼ା, ପ୍ରତିଦ୍ବନ୍ଦ୍ବିତା ଓ ଭଲ ନମ୍ବର ରଖିବା ତାଙ୍କ ପାଇଁ ଆଦୌ କଷ୍ଟ ନ ଥିଲା, କିନ୍ତୁ ଅନ୍ତରାୟ ଥିଲା ୩ ଘଣ୍ଟାକାଳ ବସି ପରୀକ୍ଷା ଦେବା। ‘ସେରବ୍ରାଲ୍ ପଲ୍ଜି’ ଦ୍ବାରା ଆକ୍ରାନ୍ତ ହୋଇଥିବାରୁ ସେ ବାକି ଇଞ୍ଜିନିୟରିଙ୍ଗ୍ ଶିକ୍ଷାର୍ଥୀଙ୍କ ପରି ଅନାୟାସରେ ଚଳପ୍ରଚଳ ଓ କଥୋପକଥନ କରିପାରୁ ନ ଥିଲେ। ମେଧାବୀ ଅଶ୍ବିନ କହନ୍ତି, ‘‘ମୁଁ ଜାଣିଥିଲି ଯେ ମତେ ଖୁବ୍ କଷ୍ଟ ସହିବାକୁ ପଡ଼ିବ। ମାତ୍ର ସ୍ବଚ୍ଛନ୍ଦ ଜୀବନଯାପନ ଓ ଅଭିଳାଷ ସାର୍ଥକ କରିବା ଲାଗି ମୁଁ କଠିନ ଶ୍ରମ ଏବଂ ଆଉ ଯାହା କରଣୀୟ ତାହା କରିବାକୁ ପ୍ରସ୍ତୁତ ଥିଲି।’’
ଅଶ୍ବିନଙ୍କୁ ମାତ୍ର ୧୬ ମାସ ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଜଣାପଡ଼ିଯାଇଥିଲା। କାରଣ ସେ ଅନ୍ୟ ପିଲାଙ୍କ ପରି ବସି ପାରୁ ନ ଥିଲେ କି, ଗୁରୁଣ୍ଡି ପାରୁ ନ ଥିଲେ। କ୍ରମେ ବୟସ ବଢ଼ିବାରୁ ତାଙ୍କର ବି ହୃଦ୍ବୋଧ ହେଲା କି, ସେ ଭିନ୍ନକ୍ଷମ। କିନ୍ତୁ, ଘରଲୋକଙ୍କ ଅଶେଷ ଶ୍ରଦ୍ଧା ଓ ସହଯୋଗ ହିଁ ତାଙ୍କୁ ଅଗ୍ରଗାମୀ କରାଇଲା ଓ ସେ ସମସ୍ତ ପରୀକ୍ଷାରେ ଚମତ୍କାର ନମ୍ବର ରଖିପାରିଲେ। ଦଶମ ବୋର୍ଡ ପରୀକ୍ଷାରେ ସେ ପାଇଥିଲେ ୮୪%। ‘ସେରବ୍ରାଲ୍ ପଲ୍ଜି’ ଦ୍ବାରା ଆକ୍ରାନ୍ତ କୌଣସି ଶିକ୍ଷାର୍ଥୀ କେବେ ଏତେ ପ୍ରତିଶତ ପାଇବାରେ ସମର୍ଥ ହୋଇ ନ ଥିଲେ। ଏ ସବୁ ଭିତରେ ଅଶ୍ବିନଙ୍କ ଜୀବନରେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିଲା ଯେତେବେଳେ ସେ ଭରତ ଶର୍ମାଙ୍କୁ ଭେଟିଲେ। ଏକାଦଶ ଶ୍ରେଣୀରେ ଭାରତ ଓ ଅଶ୍ବିନ ଗୋଟିଏ ଜାଗାରେ ଗଣିତ ଟିଉସନ୍ ହେଉଥିଲେ। ମିତ୍ରତାରୁ ଆରମ୍ଭ ହୋଇଥିବା ସେ ସମ୍ପର୍କ ଅବିଳମ୍ବେ ଦୁହିଁଙ୍କ ପାଇଁ ପ୍ରେରଣାଦାୟୀ ଓ ଜୀବନ ପରିବର୍ତ୍ତନକାରୀ ସମ୍ବନ୍ଧରେ ପରିଣତ ହୋଇଗଲା। ଥରେ ଭରତ ଅଶ୍ବିନଙ୍କ ଘରକୁ ଯାଇ ଦେଖିଲେ ମାଆ ତାଙ୍କୁ ଅଙ୍କ କଷିବାରେ ସାହାଯ୍ୟ କରୁଛନ୍ତି। ଭରତ କହନ୍ତି, ‘‘ସେଦିନ ମୁଁ ଠିକ୍ କଲି ପଢ଼ାରେ ତାକୁ ସାହାଯ୍ୟ କରିବି। ତେଣୁ ଦୁହେଁ ଏକତ୍ର ପଢ଼ିବା କଥା ବିଚାର କଲି।’’
ସମୟ ଗଡ଼ି ଚାଲିଲା ଆଉ ଭଲ ନମ୍ବର ରଖି ଅଶ୍ବିନ ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, କିନ୍ତୁ ଭରତ ଫେଲ୍ ହୋଇଗଲେ। ତା’ପରେ ହିଁ ଭରତ ବନ୍ଧୁ ପରି ବନ୍ଧୁଟିଏ ହୋଇ ବଡ଼ ଅଜବ କାମ କଲେ। ଚାରିବର୍ଷ ପାଇଁ ନିଜ ପଢ଼ା ବନ୍ଦ ରଖି ସେ ଅଶ୍ବିନଙ୍କ ଇଞ୍ଜିନିୟରିଙ୍ଗ୍ ପଢ଼ାରେ ଲେଖାଳି ସାଜିଲେ। ଏ ପ୍ରସଙ୍ଗରେ ଭରତ କହନ୍ତି, ‘‘ତା’ର ଲେଖାଳି କାମ କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲି। ଅଶ୍ବିନକୁ ସାହାଯ୍ୟ କରିବା ପାଇଁ ମୁଁ ଚାହୁଁଥିଲି, ତେଣୁ ତାହା ହିଁ ଥିଲା ମୋର ସବୁଠୁ ବଡ଼ କାମ।’’ ଅବଶ୍ୟ ଏଥିପାଇଁ ଭରତଙ୍କୁ ତାଙ୍କ ପରିବାର ଓ ସମାଜ ତାତ୍ସଲ୍ୟ କରିଛି। କିନ୍ତୁ, ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ସେ ଥିଲେ ଅଟଳ। ନିଜ ପାଠପଢ଼ା ବନ୍ଦ କରିଥିବାରୁ ଭରତ ତିଳେମାତ୍ର ଅନୁଶୋଚନା କରୁ ନ ଥିଲେ। କଠୋର ଶ୍ରମ ଓ ଭରତଙ୍କ ଅସାଧାରଣ ସାହାଯ୍ୟ ବଳରେ ଅଶ୍ବିନ କମ୍ପ୍ୟୁଟର୍ ଇଞ୍ଜିନିୟର୍ ହେଲେ। ଖାଲି କମ୍ପ୍ୟୁଟର୍ ଇଞ୍ଜିନିୟର୍ ନୁହେଁ ବରଂ ସେ ହେଲେ ଭାରତର ପ୍ରଥମ ‘ସେରବ୍ରାଲ୍ ପଲ୍ଜି’ ପୀଡ଼ିତ ସଫଳ କମ୍ପ୍ୟୁଟର୍ ଇଞ୍ଜିନିୟର୍। ସେ ‘ଇନ୍ଫୋସିସ୍’ରେ ଚାକିରି ବି ପାଇଲେ। ପୁନଶ୍ଚ ପାଠପଢ଼ା ଆରମ୍ଭ କରି ଇଞ୍ଜିନିୟର୍ ହେବା ପାଇଁ ଏଥର ଅଶ୍ବିନ ମଧ୍ୟ ଭରତଙ୍କୁ ଉତ୍ସାହ ଦେଲେ। ପାଠପଢ଼ି ଭରତ ଇଞ୍ଜିନିୟର୍ ହୋଇ ‘ହ୍ୟୁଲେଟ୍ ପାକାର୍ଡ’ରେ ଚାକିରି କଲେ। ବାହାସାହା ହୋଇ ସଂସାର କଲେ। ଅଶ୍ବିନଙ୍କ ସହିତ ତାଙ୍କର ବନ୍ଧୁତ୍ବ ଏବେ ବି ଅନାବିଳ ରହିଛି। ସତରେ ବନ୍ଧୁତାରେ ଏପରି ତ୍ୟାଗ ଆଜିର ଦୁନିଆରେ ବିରଳ। ତେଣେ ଚାକିରି ସହିତ ଅଶ୍ବିନ ଲେଖାଲେଖି ବି କରୁଛନ୍ତି। ସେ ଇଂରାଜୀ, କନ୍ନଡ଼ ଓ ହିନ୍ଦୀ ଭାଷାରେ ଅନେକ କବିତା ଲେଖିଛନ୍ତି। ଏହା ବ୍ୟତିରେକେ ସେ ଆତ୍ମଜୀବନୀ ବି ଲେଖୁଛନ୍ତି। ଏହା ତାଙ୍କ ଭଳି ଭିନ୍ନକ୍ଷମଙ୍କୁ ପ୍ରେରିତ କରିବ ବୋଲି ତାଙ୍କର ବିଶ୍ବାସ।
ଭିନ୍ନକ୍ଷମ ପିଲାଙ୍କ ପାଇଁ ‘ବନ୍ଧୁତ୍ବ ଆପ୍’ ପ୍ରସ୍ତୁତ କଲେ ଦୁଇ ମାଆ
ନ୍ଧୁତ୍ବ ଅସୀମ ବୋଲି ପୁଣି ଥରେ ପ୍ରମାଣ କରିଛନ୍ତି ‘ନ୍ୟୁରୋଡିଭର୍ଜେଣ୍ଟ୍’ ପୀଡ଼ିତ ଭିନ୍ନକ୍ଷମ ତରୁଣ ବୀର ଓ ମିହାନ୍। ପୃଥକ୍ ବ୍ୟକ୍ତିତ୍ବ ହୋଇ ବି ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଛି ଅକୃତ୍ରିମ ମିତ୍ରତା। ସେମାନଙ୍କ ମିତ୍ରତା ଦ୍ବାରା ଅନୁପ୍ରେରିତ ହୋଇ ସେମାନଙ୍କ ମାଆମାନେ ନିର୍ମାଣ କରିଛନ୍ତି ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ‘ବଡି ଅପ୍ ନେଟ୍ୱାର୍କ’ ନାମରେ ଏକ ‘ବନ୍ଧୁତ୍ବ ଆପ୍’। ‘ଡାଉନ୍ ସିଣ୍ଡ୍ରୋମ୍’ ପୀଡ଼ିତ ୨୦ ବର୍ଷୀୟ ମିହାନ୍ କାହା ଆଡ଼କୁ ଭଲକି ଚାହିଁ ପାରନ୍ତି ନାହିଁ, କି କୌଣସି କଥା ଉପରେ ଧ୍ୟାନନିବିଷ୍ଟ କରି ପାରନ୍ତିନାହିଁ। ତେଣୁ କାହା ସହିତ ତାଙ୍କର ବନ୍ଧୁତ୍ବ ହୋଇପାରୁ ନ ଥିଲା। ଏଭଳି ଏକାକୀତ୍ବବୋଧଜନିତ ଭୟ ଖାଲି ମିହାନ୍ଙ୍କ କ୍ଷେତ୍ରରେ ନୁହେଁ ‘ନ୍ୟୁରୋଡିଭର୍ଜେଣ୍ଟ୍’ ପୀଡ଼ିତ ଅନ୍ୟାନ୍ୟ ବହୁ ବ୍ୟକ୍ତିଙ୍କଠାରେ ପରିଲକ୍ଷିତ ହୁଏ। ଅଜ୍ଞାତ ଲୋକଙ୍କ ସହିତ କଥାବାର୍ତ୍ତା କରି ବନ୍ଧୁତା କରିବା ପାଇଁ ଏମାନେ ଶଙ୍କିତ ବୋଧକରନ୍ତି। କିନ୍ତୁ, ମିହାନ୍ଙ୍କୁ ମିଳିଗଲେ ‘ଅଟିଜିମ୍’ ପୀଡ଼ିତ ବୀର କପୁର ନାମରେ ଜଣେ ସମବୟସ୍କ ପରମବନ୍ଧୁ। ବୀରଙ୍କର ବି କୌଣସି ବନ୍ଧୁ ନ ଥିଲେ। ଅଚିହ୍ନା ପିଲାଙ୍କୁ ଦେଖିଲେ ବୀରଙ୍କୁ ମାଡ଼ି ମାଡ଼ି ପଡ଼ିଲା ଭଳି ଲାଗେ। ପରିଚୟ କରାଇ ଦେଲେ ବି ସେ ସ୍ବଳ୍ପ ସମୟ ମଧ୍ୟରେ ସେମାନଙ୍କଠାରୁ ଦୂରେଇ ଯାଆନ୍ତି। କିନ୍ତୁ, ମିହାନ୍ଙ୍କ ସହିତ ତାଙ୍କର ବନ୍ଧୁତ୍ବ ହୋଇଗଲା। ଦୁଇ ପ୍ରକାର ବ୍ୟାଧିରେ ପୀଡ଼ିତ ହୋଇଥିବାରୁ ଦୁହିଁଙ୍କ ବ୍ୟକ୍ତିତ୍ବରେ ଥିଲା ଆକାଶପାତାଳ ପ୍ରଭେଦ। ଦୁର୍ବୋଧ୍ୟତା, ପ୍ରଭେଦ ଓ ନିରବତା ସତ୍ତ୍ବେ ଦୁହିଁଙ୍କର ଦୁହିଁଙ୍କ ପ୍ରତି ଥିଲା ଅଗାଧ ସମ୍ମାନବୋଧ ଏବଂ ପାରସ୍ପରିକ ବୁଝାମଣା।
ସୃଜନଶୀଳ ମେଧା ହିଁ ଥିଲା ଦୁହିଁଙ୍କ ବନ୍ଧୁତ୍ବର ରହସ୍ୟ। ସଂଗୀତ ପ୍ରତି ମିହାନ୍ଙ୍କର ଶ୍ରଦ୍ଧା ଥିବାବେଳେ ବୀର ଅତି ସୂକ୍ଷ୍ମ ଓ ଜଟିଳ ମଡେଲ୍ ତିଆରି କରିପାରୁଥିଲେ। ଏ ଦୁଇ ବିଶେଷ ଗୁଣ ଯୋଗୁଁ ଦୁହିଁଙ୍କର ଦୁହିଁଙ୍କ ପ୍ରତି ସମ୍ମାନବୋଧ ଆସିଯାଇଥିଲା। ସେଥିରୁ ସୃଷ୍ଟିହେଲା ନିବିଡ଼ ବନ୍ଧୁତ୍ବ। ତା’ପରେ ଦୁହିଁଙ୍କ ମଧ୍ୟରେ ଦେଖାଗଲା ଉଲ୍ଲେଖନୀୟ ସାମାଜିକ ଓ ଆବେଗିକ ଅଭିବୃଦ୍ଧି। ପୂର୍ବରୁ ଅନ୍ୟମାନଙ୍କ ସହିତ ମିଳାମିଶା କରିବାକୁ କୁଣ୍ଠାବୋଧ କରୁଥିବା ମିହାମ୍ ଓ ବୀର ଏବେ ଅଚିହ୍ନା ଲୋକଙ୍କୁ ଭେଟିଲେ ଓ ସେମାନଙ୍କ ସହିତ କଥାବାର୍ତ୍ତା କଲେ। ପୃଥକ୍ ଧରଣର ଭିନ୍ନକ୍ଷମ ହୋଇ ସୁଦ୍ଧା ମିହାନ୍ ଓ ବୀରଙ୍କ ମଧ୍ୟରେ ସୃଷ୍ଟ ନିବିଡ଼ତା ହିଁ ମୁମ୍ବାଇ ନିବାସୀ ଦୁହିଁଙ୍କ ମାଆ ମନୈଷା ଓ ଗୋପୀକାଙ୍କୁ ‘ବଡି ଅପ୍ ଆପ୍’ ବିକଶିତ କରିବା ଲାଗି ବାଧ୍ୟ କରିଥିଲା। ଭିନ୍ନକ୍ଷମ ଓ ସେମାନଙ୍କ ତତ୍ତ୍ବାବଧାରକଙ୍କ ମଧ୍ୟରେ ଭାବବିନିମୟ ଉଦ୍ଦେଶ୍ୟରେ ନିର୍ମିତ ଏହି ‘ଆପ୍’ ଚଳାଇବା ଖୁବ୍ ସହଜ ଓ ନିରାପଦ ମଧ୍ୟ। ଏହାର ଅନେକ ବୈଶିଷ୍ଟ୍ୟ ଅଛି। ସେଥିରୁ ଗୋଟିଏ ହେଉଛି ସମଭାବାପନ୍ନ ‘ସର୍ଚ ଅପ୍ସନ୍’। ଅର୍ଥାତ୍ ଏହି ଅପ୍ସନ୍ ମାଧ୍ୟମରେ ଜଣେ ସମାନ ଧରଣର ରୁଚି ଅଥବା ଅକ୍ଷମତା ଥିବା ବ୍ୟକ୍ତିବିଶେଷଙ୍କୁ ଖୋଜି ବନ୍ଧୁତା କରିପାରିବେ। ଫଳରେ ସେମାନେ ଅନାୟାସରେ ବନ୍ଧୁ ଖୋଜିପାଇବେ ଓ ସେମାନଙ୍କ ବନ୍ଧୁତ୍ବ ସାର୍ଥକ ହେବ।