ଭାରତର କେବଳ ପଶ୍ଚିମ ଆସାମର କିଛି ଅଞ୍ଚଳରେ ଦେଖାଯାଉଥିବା ବିରଳ ପ୍ରଜାତି ‘ସୁବର୍ଣ୍ଣ ହନୁ’ ବା ‘ଗୋଲ୍‌ଡେନ୍‌ ଲଙ୍ଗୁର’ଙ୍କ ଅସ୍ତିତ୍ବ ଏବେ ବିପଦରେ। ନିଜର ସୁନେଲି ରଙ୍ଗର ଲୋମ ପାଇଁ ପରିଚିତ ଏହି ମାଙ୍କଡ଼ଗୁଡ଼ିକ ପୂର୍ବରେ ମାନସ ନଦୀ, ପଶ୍ଚିମରେ ସଙ୍କୋଶ ନଦୀ, ଦକ୍ଷିଣରେ ବ୍ରହ୍ମପୁତ୍ର ଓ ଉତ୍ତରରେ କୃଷ୍ଣ ପର୍ବତମାଳା ଦ୍ବାରା ପରିବେଷ୍ଟିତ ଏକ ସୀମିତ ଭୌଗୋଳିକ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩୦୦୦ ମିଟର ଉଚ୍ଚତା ମଧ୍ୟରେ ଉପକ୍ରାନ୍ତୀୟ ଓ ନାତିଶୀତୋଷ୍ଣ ଜଙ୍ଗଲରେ ବେଶୀ ଚଳପ୍ରଚଳ ହୋଇଥା’ନ୍ତି। ସେମାନଙ୍କର ବିଶେଷତ୍ବ ହେଲା, ଋତୁ ଅନୁସାରେ ସେମାନଙ୍କ ଲୋମଶ ଚର୍ମର ରଙ୍ଗ ବଦଳିଥାଏ। ଶୀତଦିନେ ଏହା ଗାଢ଼ ସୁନେଲି ରଙ୍ଗର ଥିବା ବେଳେ ଗ୍ରୀଷ୍ମରେ ଫିକା ଲହୁଣି ରଙ୍ଗ ହୋଇଯାଇଥାଏ। ତେବେ ନବଜାତକମାନଙ୍କର ଲୋମ ସଂପୂର୍ଣ୍ଣ ଧଳା ହୋଇଥାଏ ଯାହା ପରିପକ୍ବ ହେବା ପରେ ଧୀରେ ଧୀରେ ସୁବର୍ଣ୍ଣ ରଙ୍ଗ ଧାରଣ କରିଥାଏ।

Advertisment

ସେମାନେ ପ୍ରାୟ ଏକ ଆଠଟିକିଆ ଦଳରେ ରହିଥାନ୍ତି ଯେଉଁଥିରେ ପ୍ରାପ୍ତବୟସ୍କ ଅଣ୍ଡିରାଙ୍କ ତୁଳନାରେ ମାଈଙ୍କ ସଂଖ୍ୟା ଅଧିକ ଥାଏ। ମାନବୀୟ କାର୍ଯ୍ୟକଳାପ ପ୍ରଭାବରେ ବାସସ୍ଥାନ ନଷ୍ଟ ଯୋଗୁଁ ସେମାନଙ୍କ ଅସ୍ତିତ୍ବ ପ୍ରତି ବିପଦ ଦେଖାଦେଇଛି। ଶାବକମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ହେଉଛି ବିଦ୍ୟୁତ୍‌ ଆଘାତ। ସେହିପରି ଫସଲରେ ବ୍ୟବହୃତ କୀଟନାଶକ ଦ୍ବାରା ବିଷକ୍ରିୟା ମଧ୍ୟ ଅନ୍ୟ ଏକ କାରଣ। ବର୍ତ୍ତମାନ ମାତ୍ର ୬,୦୦୦ରୁ ୬,୫୦୦ଟି ସୁବର୍ଣ୍ଣ ହନୁ ଥିବାର ଅନୁମାନ କରାଯାଏ। ତେଣୁ ୨୦୧୫ ମସିହାରୁ ଏହାକୁ ସଂକଟାପନ୍ନ ପ୍ରଜାତି ଭାବେ ଘୋଷଣା କରାଯାଇଛି, ଭାରତରେ ଯାହାର ବିଲୋପନ ହାର ୬୦ ପ୍ରତିଶତରୁ ଅଧିକ ରହିଛି।