ସମସ୍ତ ଦରମା ଦାନ କରିଥିବା ବିରଳ ମଣିଷ

ପାଲମ କଲ୍ୟାଣସୁନ୍ଦର ତୂତୁକୋଡ଼ୀ ବା ତୂତୁକୋରୀନରେ ଏକ ଘରୋଇ ମହାବିଦ୍ୟାଳୟର ପାଠାଗାର ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ୧୯୬୩ରେ ଆରମ୍ଭ ହୋଇଥିଲା ପେସାଦାର କର୍ମମୟ ଜୀବନ ଏବ˚ ଅବସର ନେଇଥିଲେ ୧୯୯୮ରେ। ଚାକିରି ଜୀବନରେ, ପ୍ରତି ମାସରେ ସମସ୍ତ ଦରମା ଟଙ୍କା, ସ୍ଥାନୀୟ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାନ କରିଦେଉଥିଲେ। ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ତାହା ଦ୍ବାରା ଉପକୃତ ହେଉଥିଲେ। ଚାକିରି ଜୀବନରେ ଦରମା ପାଇଥିବା ପ୍ରାୟ ତିରିଶ ଲକ୍ଷ ଟଙ୍କା ସେ ଦାନ କରିଥିବା ପ୍ରକାଶ। ଅବସର ପରେ ସମସ୍ତ ଅବସରକାଳୀନ ଭତ୍ତା ମଧୢ ଦାନ କରିଦେଇଥିଲେ।

କଲ୍ୟାଣସୁନ୍ଦର ଅବିବାହିତ। ନିଜର ସମସ୍ତ ବ୍ୟକ୍ତିଗତ ସ˚ପତ୍ତି ଦାନ କରିସାରିଛନ୍ତି। ଅବସରକାଳୀନ ମାସିକ ଭତ୍ତାରେ ଚଳୁଛନ୍ତି। ‘ଅମ୍ବୁ ପାଲମ’ ନାମକ ପତ୍ରିକା ପ୍ରକାଶ କରୁଛନ୍ତି। ପତ୍ରିକା ବିକ୍ରି ଓ ବିଜ୍ଞାପନରୁ ଯାହା ମିଳୁଛି, ତାହା ଗରିବ ପିଲାଙ୍କ ଶିକ୍ଷା ଓ ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି। କିଛି ବର୍ଷ ତଳେ ଏକ ମାର୍କିନ୍‌ ସ˚ସ୍ଥା ତାଙ୍କୁ ‘ସହସ୍ରାବ୍ଦର ମଣିଷ’ ଭାବେ ସମ୍ମାନିତ କରିଥିଲା। ପୁରସ୍କାର ବାବଦକୁ ସେ ପାଇଥିଲେ ପ୍ରାୟ ତିରିଶ କୋଟି ଟଙ୍କା। ସେବା-କାର୍ଯ୍ୟ ପାଇଁ ସବୁତକ ଦାନ କରିଦେଇଥିଲେ। ଶୈଶବରେ ନିଜର ପିତାଙ୍କୁ ହରାଇଥିବା କଲ୍ୟାଣସୁନ୍ଦରଙ୍କୁ ମାତା ବଡ଼ କଷ୍ଟରେ ମଣିଷ କରିଥିଲେ। ମାତା ଉପଦେଶ ଦେଇଥିଲେ- ‘ଜୀବନରେ ଯାହା ରୋଜଗାର କରିବୁ, ତାହାର ଦଶ ଭାଗରୁ ଏକ ଭାଗ ଦାନ କରିବୁ। ପ୍ରତି ଦିନ ଗୋଟିଏ ଭଲ କାମ କରିବୁ। ତାହା ହେଲେ କେବେ ହେଲେ ଅସୁଖୀ ହେବୁନାହିଁ।’ ମାଆଙ୍କ ଉପଦେଶ ମାନି ସେ ବେଶ୍‌ ସୁଖୀ ଥିବା କହନ୍ତି।

ସମ୍ବନ୍ଧିତ ଖବର