ଦୁଧଓ୍ୱା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଲା ଲାଲ ରଙ୍ଗର ଦୁର୍ଲଭ ସାପ

ଲଖିମପୁର : ଦୁର୍ଲଭ ସାପ ପ୍ରଜାତି ତାଲିକାରେ ଥିବା ରେଡ କୋରାଲ କୁକରୀର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅନ୍ତର୍ଗତ ଦୁଧଓ୍ୱା ଜାତୀୟ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏହି ସାପକୁ ଦେଖିବାକୁ ମିଳିଥିଲା । ସାପକୁ ଦେଖିବା ପରେ ଜଣେ କର୍ମଚାରୀ ତାହାର ଫଟୋ ଉଠାଇ ଟୁଇଟରରେ ବନ୍ୟଜନ୍ତୁ ସଂରକ୍ଷଣ ଓ ପର୍ଯ୍ୟଟନ ସଂଗଠନ ସହ ସେୟାର କରିଥିଲେ।

ବିଶେଷଜ୍ଞଙ୍କ ଅନୁଯାୟୀ, ଲାଲ କୋରାଲ କୁକରୀ ବିଷାକ୍ତ ନୁହେଁ । ଏହି କେବଳ ପୋକଜୋକ ଓ ଜିଆ ଖାଇଥାଏ । ଏହି ସାପର ବିଶେଷତ୍ୱ ହେଉଛି ଅଣ୍ଡା ଭାଙ୍ଗିବା ପାଇଁ ସେ ନିଜ ଦାନ୍ତକୁ ବ୍ୟବହାର କରିଥାଏ।

ଏହି ସାପକୁ ପ୍ରଥମଥର ୧୯୩୬ ମସିହାରେ ଦୁଧବା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହାର ପ୍ରାଣୀବିଜ୍ଞାନିକ ନାମ ‘ଓଲିଗୋଡୋନ ଖେରିଏନ୍‌ସିସ’ ରହିଛି। ଏହି ସାପର ଆକାର ମଧ୍ୟ ଦୀର୍ଘ । ୮୨ ବର୍ଷ ପରେ ଏହି ସାପ ପ୍ରଥମଥର ପାଇଁ ଦେଖାଦେଇଛି । ବରିଷ୍ଠ ବନ ଅଧିକାରୀ ରମେଶ ପାଣ୍ଡେଙ୍କ କହିବାନୁଯାୟୀ, ଲାଲ କୋରାଲ କୁକରୀ କିଛି ବର୍ଷ ବ୍ୟବଧାନରେ ୪ଥର ଦେଖା ଦେଇଛି। ପୂର୍ବରୁ ଏହି ସାପକୁ ଏତେଥର ଦେଖିବାକୁ ମିଳି ନ ଥିଲା।

ଗତ ରବିବାର ଦିନ ସାପର ଫଟୋ ସେୟାର କରି ୱାଇଲ୍‌ଡଲେନ୍‌ସ ଇଣ୍ଡିଆ ଟୁଇଟର୍ ଲେଖିଥିଲା ଯେ, ଦୁଧଓ୍ୱା ନ୍ୟାସନାଲ ପାର୍କ ଜୈବ ବିବିଧତାରେ ପରିପୂର୍ଣ୍ଣ।  ରେଡ କୋରଲ କୁକରୀ ଏକ ଅତ୍ୟନ୍ତ ଦୁର୍ଲଭ ସାପ।

ସମ୍ବନ୍ଧିତ ଖବର