ବିରଳ ଶୂନ ମୁଦ୍ରା

ବହୁ ଆଗରୁ ସାମଗ୍ରୀ ଅଦଳବଦଳ ଦ୍ବାରା ବିଭିନ୍ନ ପ୍ରକାର ଦ୍ରବ୍ୟର କିଣାବିକା ହୋଇପାରୁଥିଲା। ଅର୍ଥାତ୍‌‌ ଚା’ ବଦଳରେ ତେଲ, ଚିନି ବଦଳରେ ମସଲା କି ଧାନ ବଦଳରେ ମୁଗ- ଏପରି ଭାବେ ସାର୍ବଜନୀନ ବଜାରରେ ଦ୍ରବ୍ୟର କାରବାର ହେଉଥିଲା। ତେବେ ସେଥିରେ ପରିବହନରେ ଭୀଷଣ ଅସୁବିଧା ରହିଥିଲା। କାରଣ କୌଣସି ଦାମୀ ସାମଗ୍ରୀ କିଣିବା ପାଇଁ ସାଙ୍ଗରେ ଅଧିକ ପରିମାଣର ଅନ୍ୟ କମ୍‌ ମୂଲ୍ୟର ସାମଗ୍ରୀ ନେବାକୁ ପଡୁଥିଲା। ତେବେ ମୁଦ୍ରାର ପ୍ରଚଳନ ପରଠାରୁ ସବୁ ସୁବିଧା ହୋଇପାରିଛି। ବିଭିନ୍ନ ମୂଲ୍ୟର ମୁଦ୍ରାର ଉପଲବ୍‌ଧି ଯୋଗୁଁ ତତ୍କାଳ ନଗଦ କିଣାବିକା ସହଜ ଓ ସୁଗମ ହୋଇପାରିଛି। ବିଭିନ୍ନ ଦେଶରେ ମଧ୍ୟ ଭିନ୍ନ ଭିନ୍ନ ଖୁଚୁରା ମୁଦ୍ରା ପ୍ରଚଳିତ। ତାହା କାଗଜ ନୋଟ୍‌ ହେଉ କି ଧାତବ ମୁଦ୍ରା ହେଉ, ପ୍ରତ୍ୟେକ ମୁଦ୍ରାର କିଛି ନା କିଛି ବିନିମୟ ମୂଲ୍ୟ ରହିଛି।

ମାତ୍ର ୨୦୧୮ ମସିହାରେ ଜର୍ମାନୀରେ ଏପରି ଏକ ମୁଦ୍ରାର ପ୍ରଚଳନ ହୋଇଥିଲା ଯାହାର ବିନିମୟ ମୂଲ୍ୟ ହେଉଛି ଶୂନ। ତେବେ ଏପରି ମୁଦ୍ରାର ଆବଶ୍ୟକତା କ’ଣ ବୋଲି ମନରେ ପ୍ରଶ୍ନ ଆସିପାରେ। ସୂଚନା ଥାଉ କି, ଜର୍ମାନୀର ବିଶିଷ୍ଟ ଦାର୍ଶନିକ କାର୍ଲ ମାକ୍ସଙ୍କ ଦ୍ବିଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ଏପରି ଶୂନ ୟୁରୋ ମୂଲ୍ୟର ସ୍ମାରକ ନୋଟ୍‌ ପ୍ରଚଳିତ ହୋଇଥିଲା। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଅଧିକୃତ ଉକ୍ତ ମୁଦ୍ରାକୁ ଏକ ପର୍ଯ୍ୟଟନ କମ୍ପାନି ପ୍ରସ୍ତୁତ କରିଥିଲା। ତେବେ ବଜାରକୁ ମାତ୍ର ୫,୦୦୦ ସଂଖ୍ୟକ ଉକ୍ତ ଶୂନ ମୁଦ୍ରା ଆସିଥିବା ବେଳେ ତାହାକୁ ସଂଗ୍ରହ କରିବା ଲାଗି ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର